ତସ୍ମାତ୍‌ ପାନୀୟଦାନାତ୍ ବୈ ନ ପରଂ ବିଦ୍ୟତେ କ୍ବଚିତ୍‌।
ତଚ୍ଚ ଦଦ୍ୟାତ୍‌ ନରୋ ନିତ୍ୟଂ ଯ ଇଚ୍ଛେତ୍‌ ଭୂତିମାତ୍ମନଃ ାା
-ମହାଭାରତ, ଅନୁଶାସନ ପର୍ବ, ୬୬ ଅଧ୍ୟାୟ

କୌଣସି ଜଣେ ବ୍ୟକ୍ତିଙ୍କୁ କୌଣସି ବସ୍ତୁ ବା ଧନ ଅର୍ପଣ କରିବାକୁ ଦାନ କୁହାଯାଏ। କିନ୍ତୁ ଯାହା କୌଣସି ବସ୍ତୁ ବା ଦ୍ରବ୍ୟ ନୁହେଁ, ‌ତାହା ଅର୍ପଣ କରିବା ମଧ୍ୟ ଦାନ। ସେଥିପାଇଁ ବିଦ୍ୟାଦାନକୁ ମହାଧନ ଦାନ ସହିତ ତୁଳନା କରାଯାଇଛି। ଦାନ ସାଧାରଣ ଭାବରେ ଦେବା ବା ପ୍ରଦାନ କରିବାକୁ ବୁଝାଇଲେ ମଧ୍ୟ, ଏହା ଏକ ମହତ୍ତର କାର୍ଯ୍ୟ ବା ଆଚରଣ ଭାବରେ ବିବେଚିତ  ହୋଇଥାଏ।
ବିଦ୍ୟାକୁ ମହାଧନ କୁହାଯିବା ପରି, ‘ସୁଭାଷିତ ରତ୍ନଭାଣ୍ଡାଗାର’ରେ ଜଳ, ଅନ୍ନ ଓ ସୁଭାଷିତ, ଏ ତିନିଟିକୁ ପୃଥିବୀର ଅମୂଲ୍ୟରତ୍ନ କୁହାଯାଇଛି। ଏହା ମଧ୍ୟ କୁହାଯାଇଛି- ଏହା ଅମୂଲ୍ୟ ରତ୍ନ ହୋଇଥିଲେ ମଧ୍ୟ, ମୂଢ଼ବ୍ୟକ୍ତିମାନେ ପାଷାଣଖଣ୍ଡକୁ ହିଁ ରତ୍ନ ବୋଲି କହିଥାଆନ୍ତି।
ତୃଷାର୍ତ୍ତକୁ ଜଳଦାନ ଓ କ୍ଷୁଧାର୍ତ୍ତକୁ ଅନ୍ନଦାନ ମହାପୁଣ୍ୟ ରୂପେ ବିବେଚିତ ହୋଇଥାଏ। ସେଥିପାଇଁ କ‌ାଳେ କାଳେ ଏହା ଶ୍ରେଷ୍ଠଦାନ ରୂପେ ସ୍ବୀକୃତ ହୋଇ ଆସିଛି। ‘ମହାଭାରତ’ରେ  ମଧ୍ୟ ଏ ସଂପର୍କରେ ନିର୍ଦ୍ଦିଷ୍ଟ ଉଲ୍ଲେଖ ଅଛି।
‘ମହାଭାରତ’ର ଉପାଖ୍ୟାନ ଅନୁସାରେ, ଶରଶଯ୍ୟାରେ ଶାୟିତ ଭୀଷ୍ମଙ୍କୁ ଏକଦା ତୃଷା ହେବାରୁ ତୀରମୂନରେ ଭୂଗର୍ଭରୁ ଜଳ ନିର୍ଗତ କରାଇ ଅର୍ଜୁନ ତାଙ୍କର ତୃଷା ନିବାରଣ କରିଥିଲେ। ତେବେ, ‘ଅନୁଶାସନ ପର୍ବ‌’ରେ ଥିବା ବର୍ଣ୍ଣନା ଅନୁସାରେ, ଯୁଧିଷ୍ଠିର ଯେତେବେଳେ ପିତାମହ ଭୀଷ୍ମଙ୍କୁ ପାନୀୟ (ଜଳ) ଦାନ ସଂପର୍କରେ ପଚାରିଥିଲେ, ସେତେବେଳେ ‌ଭୀଷ୍ମ ତାଙ୍କୁ ଉପରୋକ୍ତ ଉତ୍ତର ଦେଇ କହିଥିଲେ-
‘‘ଏ ସଂସାରରେ ଯେତେ ଦାନ ଅଛି, ଜଳଦାନ ସେସବୁ ମଧ୍ୟରେ ଶ୍ରେଷ୍ଠ। ଯେଉଁ ବ୍ୟକ୍ତି ଐଶ୍ବର୍ଯ୍ୟ କାମନା କରନ୍ତି, ପ୍ରତିଦିନ ଜଳଦାନ କରିବା ତାଙ୍କର କର୍ତ୍ତବ୍ୟ।’’