Breaking News

ଶ୍ୟାମପୁର ପରେ ପଥରଗାଡ଼ିଆ: ସରକାରୀ ଜମିରେ ଘର କରି ବିକୁଛନ୍ତି, ପଥରଗାଡ଼ିଆରେ ଦର ୩.୫ଲକ୍ଷ

ପାଞ୍ଚ ଲକ୍ଷ ଟଙ୍କାରେ ଘର। ଘର ସହିତ ଜମି ମାଗଣା। ତାହା ପୁଣି ରାଜଧାନୀରେ। ଉତ୍ତରକୁ ଗଲେ ପଟିଆ, ପୂର୍ବକୁ ଗଲେ ଉତ୍କଳ ହସ୍‌ପିଟାଲ୍‌ ରାସ୍ତା, ପଶ୍ଚିମକୁ ଗଲେ ଚନ୍ଦକା। ସବୁ ଦିଗକୁ ୨ଶହ ଫୁଟିଆ ରାସ୍ତା ଫିଟିଛି।

ଭୁବନେଶ୍ବର: ପାଞ୍ଚ ଲକ୍ଷ ଟଙ୍କାରେ ଘର। ଘର ସହିତ ଜମି ମାଗଣା। ତାହା ପୁଣି ରାଜଧାନୀରେ। ଉତ୍ତରକୁ ଗଲେ ପଟିଆ, ପୂର୍ବକୁ ଗଲେ ଉତ୍କଳ ହସ୍‌ପିଟାଲ୍‌ ରାସ୍ତା, ପଶ୍ଚିମକୁ ଗଲେ ଚନ୍ଦକା। ସବୁ ଦିଗକୁ ୨ଶହ ଫୁଟିଆ ରାସ୍ତା ଫିଟିଛି। ଶ୍ୟାମପୁର ପରେ ପଥରଗାଡ଼ିଆ ମୌଜାରେ ଏଭଳି ସରକାରୀ ଜମିରେ ଘର କରି ବିକ୍ରି କରୁଛନ୍ତି ମାଫିଆ। ଶ୍ୟାମପୁରରେ ଯେମିତି ମାଫିଆମାନେ ସରକାରୀ ଅଧିକାରୀଙ୍କ ସହ ହାତ ମିଳାଇ ୬୭ଏକର ଜମି ନେଇ ଯାଇଛନ୍ତି ଠିକ୍‌ ସେମିତି, ପଥରଗାଡ଼ିଆରେ ମଧ୍ୟ ୧ଏକର ଜାଗା ନେଇ ଯାଇଛନ୍ତି। ଶ୍ୟାମପୁରରେ କେବଳ ଜମି ବିକ୍ରି କରୁଥିବାରୁ ସରକାରୀ ଜମି କହି ଅନେକ ଗ୍ରାହକ ନେଇ ନଥିଲେ। ଏଣୁ ମାଫିଆମାନେ ଏଠାରେ ବୁଦ୍ଧି ଖଟାଇ ଘର କରି ବିକ୍ରି କରୁଛନ୍ତି। ଯେହେତୁ ଶ୍ୟାମପୁରରେ ବିଡିଏ ମାଫିଆଙ୍କ ପାଖେ ମୁଣ୍ଡ ନୁଆଁଇଛି ବା କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରୁ ନାହିଁ, ତାହାକୁ ଏକ ଉଦାହରଣ ଭାବେ ନେଇ ମାଫିଆ ଗ୍ରାହକଙ୍କୁ ଉଚ୍ଛେଦ ହେବ ନାହିଁ ବୋଲି ନିର୍ଭୟବାଣୀ ଦେଇଛନ୍ତି।

ସରକାରୀ ଜମିରେ ଘର କରି ବିକୁଛନ୍ତି
ପଥରଗାଡ଼ିଆରେ ଦର ୩.୫ଲକ୍ଷ
ବିଜୁଳି ପାଇଁ ସୋଲାର ପ୍ୟାନେଲ୍‌
‘ଜିଏ’ ଆଖିବୁଜି ଦେଇଛି, ବିଏମ୍‌ସି ନିରବ

ପଥରଗାଡ଼ିଆ ମୌଜାରେ ଥିବା ଏହି ଜମିର ଖାତା ସଂଖ୍ୟା ୨୨୪୨। ଏଥିରେ ୧୩ଟି ପ୍ଲଟ୍‌ରେ ଥିବା ୧ ଏକର ଜାଗାରେ ଘର ହୋଇଛି। ୪୦ ଘର ଏଯାବତ୍‌ ହୋଇଥିବା ବେଳେ ଆହୁରି ୧୩ଟି ଘର ନିର୍ମାଣାଧୀନ ରହିଛି। ୭ଟି ଘରେ ଲୋକ ରହିବା ଆରମ୍ଭ କରିଛନ୍ତି। ଦୀର୍ଘ ୬ ମାସ ହେଲା ଏଠାରେ ଏଭଳି ନିର୍ମାଣ ଚାଲିଛି। ହେଲେ ବିଏମ୍‌ସି ଅଚିନ୍ତାରେ ବସିଛି। ନିୟମ ମୁତାବକ, ବିଏମ୍‌ସିର ଉତ୍ତର ଜୋନ୍‌ରୁ ଏହି ଜବରଦଖଲ ନେଇ ସୂଚନା ବ୍ଲୁଇସ୍‌ ଆପ୍‌ରେ ଅପ୍‌ଲୋଡ୍‌ ହେବା କଥା। ଜିଏ ବିଭାଗ ଏଥିରୁ ସୂଚନା ପାଇବା ପରେ ଉଚ୍ଛେଦ ପାଇଁ ବିଡିଏକୁ ଲେଖିବା କଥା। ହେଲେ ୬ ମାସ ହେଲାଣି ତିନିଟି ଯାକ ସରକାରୀ ସଂସ୍ଥାଙ୍କ ପାଖରେ କିଛି କୌଣସି ଖବର ନାହିଁ। ବାସ୍ତବରେ ସମସ୍ତଙ୍କ ପାଖରେ ଖବର ଅଛି। କିନ୍ତୁ ଘର ପିଛା କମିସନ ଦାୟିତ୍ବରେ ଥିବା ପ୍ରତ୍ୟେକ ଅଫିସରଙ୍କ ପାଖକୁ ଯାଉଛି। ସେଥିପାଇଁ ମାଫିଆ ବିନା ଦ୍ବିଧାରେ ଘର କରି ବିକ୍ରି କରୁଛି।

ଘର କିଣୁଥିବା ଗ୍ରାହକ କହିଛନ୍ତି, ବସ୍ତିରେ ଘର କରି ରହିବା ଆଉ ସମ୍ଭବ ହେଉନାହିଁ। ସେଠାରେ ଯେଉଁମାନେ ରହୁଛନ୍ତି ସେମାନେ ନିଜର ବନ୍ଧୁବାନ୍ଧବଙ୍କୁ ଆଣି ରଖୁଛନ୍ତି। ନ ହେଲେ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି। ଯଦି କେହି ରହିଯାଇଛି ତେବେ ସେ ଘର ତାଲା ପକାଇ ଯଦି ଗାଁ କୁ ଗଲେ ତାଲା ଭାଙ୍ଗି ଘର ଆଉ କେହି ନେଇଯାଉଛି। ସରକାରୀ ଜମି ହୋଇଥିବାରୁ ଏ ଅଭିଯୋଗ କେହି ଶୁଣୁ ନାହାନ୍ତି। ଏଣୁ ଏକାଥରକେ ୩.୫ଲକ୍ଷ ଯାଉ ପଛେ ଘର ତ ମିଳିଯାଉଛି। ଯେଉଁମାନେ ବିକୁଛନ୍ତି ସେମାନେ ପୁଲିସ, ବିଡିଏ, ବିଏମ୍‌ସି, ଜିଏ ବିଭାଗ ଅଫିସରଙ୍କ କଥା ବୁଝୁଛନ୍ତି। ଶ୍ୟାମପୁରରେ ଯେଉଁ ସବୁ ବନ୍ଧୁବାନ୍ଧବ ଘର କିଣିଥିଲେ ସେମାନେ‌ ଏବେ ନିଶ୍ଚିତରେ ଅଛନ୍ତି। ଯେତିକି କେସ୍‌ ହେଲାଣି ତାକୁ ସମାଧାନ କରୁକରୁ ୫ ବର୍ଷରୁ କମ୍‌ ହେବନି। ତା ଭିତରେ ସରକାର ଥଇଥାନ କରିବା ଯୋଜନା କରିଥିବେ। ଏଣୁ କିଛି ସମସ୍ୟା ହେବନି।

ସୁରକ୍ଷାକର୍ମୀଙ୍କୁ ମାଡ଼ ମାରି ବିଦା କରିଦେଲେ ମାଫିଆ
ଶ୍ୟାମପୁର ମୌଜା ଅନାବାଦି ଖାତା ହୋଲ୍ଡିଂ ନଂ. ୨୪୫ରେ ୬୮.୪୪୫ ଏକର ଜମି ୨୦୨୧ ମସିହାରୁ ଜିଏ ବିଭାଗ ବିଡିଏକୁ ହସ୍ତାନ୍ତର କରିଥିଲା। ଏଠାରେ ‘ଆଫଡେବଲ୍‌ ହାଉସିଂ’ ଯୋଜନାରେ ବିଡିଏ ଗୃହ ନିର୍ମାଣ କରିଥାନ୍ତା। କିନ୍ତୁ ୪ ବର୍ଷ ଧରି ବିଡିଏ ଏଠାରେ କିଛି ନ କରିବାରୁ ଏହା ଜବରଦଖଲ ହୋଇ ବିକ୍ରି ହୋଇଯାଇଛି। ବିଡିଏ ଇଓଡବ୍ଲୁରେ ମାମଲା ରୁଜୁ କରି ହତାଶ ହେବା ପରେ ଚୁପ୍‌ ବସିଛି। ଏଠାରେ ବିଜୁଳି ସଂଯୋଗ ନ ଦେବା ପାଇଁ ବିଡିଏ ନୋଟିସ୍‌ କରିବା ପରେ ମାଫିଆ ସୋଲାର୍‌ ପ୍ୟାନେଲ୍‌ ଜରିଆରେ ବିଜୁଳି ଯୋଗାଉଛି। କୌତୁହଳପ୍ରଦ ହେଉଛି, ଏଠାରେ ନୂଆ ଜବରଦଖଲ ହେଲେ ରୋକିବା ପାଇଁ  ବିଡିଏ ଏଠାରେ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିଥିଲା। ହେଲେ ମାଫିଆମାନେ ସେମାନଙ୍କୁ ମାଡ଼ ମାରି ବିଦା କରିଦେଇଛନ୍ତି। ଏବେ ସେଠାରେ କେହି ନାହାନ୍ତି। ମାଫିଆମାନେ ରାଜୁତି କରୁଛନ୍ତି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.