Breaking News

ଶ୍ୱାସ ରୋଗୀଙ୍କ ପାଇଁ ଯନ୍ତ୍ରଣାଦାୟକ ଶୀତଦିନ, ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା

ଭୁବନେଶ୍ୱର ୦୩/୧୨: ଶୀତଦିନ ଆଜ୍‌ମା(ଶ୍ୱାସ) ରୋଗୀଙ୍କ ପାଇଁ ଯନ୍ତ୍ରଣାଦାୟକ । ତେଣୁ ଶୀତ ଆସିବା କ୍ଷଣି ଏହି ରୋଗୀମାନେ ବିଶେଷ ସତର୍କ ହେବା ଜରୁରି । ଶ୍ୱାସନଳୀ ଭିତରେ ପ୍ରଦାହ ଜନିତ ସମସ୍ୟା ଦେଖାଦେଲେ ଶ୍ୱାସନଳୀ ସାମୟିକ ଭାବେ ସଙ୍କୁଚିତ ହୋଇଯାଏ । ଫଳରେ ଶ୍ୱାସକ୍ରିୟାରେ ଅସୁବିଧା ସୃଷ୍ଟି ହୁଏ ଏବଂ କାଶ ହୁଏ । ଆଲର୍ଜି ହେଉଛି ଆଜ୍‌ମାର ମୁଖ୍ୟ କାରଣ ।

ଲକ୍ଷଣ :

ଶ୍ୱାସରୋଗ ଆକ୍ରାନ୍ତ ବ୍ୟକ୍ତିଙ୍କର ପ୍ରାୟ ସବୁବେଳେ କାଶ ଲାଗି ରହେ । ଅଳ୍ପ ଚାଲିଲେ ଧଇଁସଇଁ ହେବା, ଛାତି ଦରଜ ହେବା, ଶ୍ୱାସକ୍ରିୟାରେ କଷ୍ଟ ହେବା ହେଉଛି ଏହାର ପ୍ରମୁଖ ଲକ୍ଷଣ । ଏହାବ୍ୟତୀତ କିଛି ରୋଗୀଙ୍କଠାରେ ପାହାନ୍ତା ସମୟରେ ବା ରାତିରେ ଶ୍ୱାସକ୍ରିୟା ବେଳେ ହ୍ୱିସିଲ୍‌ ମାରିବା ପରି ଶବ୍ଦ ବାହାରିଥାଏ । ରୋଗ ଚିହ୍ନଟ ପାଇଁ ରକ୍ତ ପରୀକ୍ଷା, ଛାତିର ଏକ୍ସରେ ଓ ଅନ୍ୟାନ୍ୟ ପରୀକ୍ଷା କରାଯାଇଥାଏ ।

ଚିକିତ୍ସା :

କେଉଁ କାରଣରୁ ଆଲର୍ଜି ହୋଇ ଜଣେ ଶ୍ୱାସ ରୋଗାକ୍ରାନ୍ତ ହେଉଛି ତାହା ନିରୂପଣ କରିବା ଦରକାର । ଧୂଆଁ, ଧୂଳି ଯୋଗୁଁ ଅଧିକାଂଶ ଲୋକ ଶ୍ୱାସ ରୋଗାକ୍ରାନ୍ତ ହୁଅନ୍ତି । ତେଣୁ ଏସବୁଠାରୁ ରୋଗୀକୁ ଦୂରେଇ ରଖିବା ଜରୁରି । ପ୍ରଥମ ପର୍ଯ୍ୟାୟରେ ଶ୍ୱାସକ୍ରିୟାରେ ସମସ୍ୟା ହେଲେ ଇନ୍‌ହେଲର୍‌ ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ସମସ୍ୟା ଅତ୍ୟଧିକ ହେଲେ ନେବୁଲାଇଜେସନ୍‌ କରାଯାଇଥାଏ । ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁ ବେଳେବେଳେ ରୋଗୀ ଠିକ୍‌ ଭାବେ ଅମ୍ଲଜାନ ନେଇପାରେନି । ତେଣୁ ମସ୍ତିଷ୍କକୁ ଠିକ୍‌ ଭାବେ ଅମ୍ଲଜାନ ଯାଇପାରି ନଥାଏ କିମ୍ବା ଅଙ୍ଗାରକାମ୍ଳର ମାତ୍ରା ବଢ଼ିଯାଇଥାଏ । ଏ କ୍ଷେତ୍ରରେ ରୋଗୀ ଚେତାଶୂନ୍ୟ ହୋଇଯାଏ । ରୋଗୀକୁ ଭେଣ୍ଟିଲେଟର୍‌ରେ ରଖିବା ଆବଶ୍ୟକ ପଡ଼େ । ରୋଗକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିକିତ୍ସା କରାଯିବା ସହ ସତର୍କ ରହିଲେ ରୋଗ ଭଲ ହୋଇପାରିବ । ଅଧିକ ଦିନ ଶ୍ୱାସ ରୋଗ ଭଲ ନହେଲେ ହୃତ୍‌ପିଣ୍ଡକୁ ମଧ୍ୟ ପ୍ରଭାବିତ କରେ । ସମସ୍ୟା ଜଟିଳ ହେଲେ ସଙ୍ଗେ ସଙ୍ଗେ ଡାକ୍ତର ପରାମର୍ଶ କରିବା ଜରୁରି ।
ସୌଜନ୍ୟ-ପ୍ରମେୟ

Comments are closed.