Breaking News

ଷ୍ଟାରଲିଙ୍କ୍‌ ସହ ଲଢ଼ିବ କୁଇପର୍‌!

ଇ-ବାଣିଜ୍ୟ ସେବା ପାଇଁ ଲୋକପ୍ରିୟ ଆମେରିକୀୟ ପ୍ରଯୁକ୍ତି କମ୍ପାନି ‘ଆମାଜନ୍’ ଉଚ୍ଚକୋଟୀର ଇଣ୍ଟରନେଟ୍‌ ସେବା ଯୋଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସପ୍ତାହେ ଭିତରେ ଏହା ୨୭ଟି ଇଣ୍ଟରନେଟ୍‌ ଉପଗ୍ରହ ଉତ୍‌କ୍ଷେପଣ କରିବ, ଯାହା ଏଲନ୍‌ ମସ୍କଙ୍କ ‘ଷ୍ଟାରଲିଙ୍କ୍’ ସହିତ ଇଣ୍ଟରନେଟ୍‌ ବଜାରରେ ଲଢ଼େଇ କରିବ।

ଇ-ବାଣିଜ୍ୟ ସେବା ପାଇଁ ଲୋକପ୍ରିୟ ଆମେରିକୀୟ ପ୍ରଯୁକ୍ତି କମ୍ପାନି ‘ଆମାଜନ୍’ ଉଚ୍ଚକୋଟୀର ଇଣ୍ଟରନେଟ୍‌ ସେବା ଯୋଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସପ୍ତାହେ ଭିତରେ ଏହା ୨୭ଟି ଇଣ୍ଟରନେଟ୍‌ ଉପଗ୍ରହ ଉତ୍‌କ୍ଷେପଣ କରିବ, ଯାହା ଏଲନ୍‌ ମସ୍କଙ୍କ ‘ଷ୍ଟାରଲିଙ୍କ୍’ ସହିତ ଇଣ୍ଟରନେଟ୍‌ ବଜାରରେ ଲଢ଼େଇ କରିବ। ଆମାଜନ୍‌ ଏପରି ୮୦ଟି ଉତ୍‌କ୍ଷେପଣ ଯୋଜନା କରୁଛି, ଯେଉଁଥିରେ ପ୍ରତ୍ୟେକ ଥର ପ୍ରାୟ ୪୦ଟି ଉପଗ୍ରହକୁ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବାର ଲକ୍ଷ୍ୟ ରହିଛି। ଷ୍ଟାରଲିଙ୍କ୍ ପରି ଏହି ଉପଗ୍ରହଗୁଡ଼ିକ ଏକ ଉପଗ୍ରହମଣ୍ଡଳ ଗଠନ କରିବେ। କୃତ୍ରିମ ଉପଗ୍ରହଗୁଡ଼ିକର ସଫଳ ଉତ୍‌କ୍ଷେପଣ ପରେ ଆମାଜନ୍‌ ପରିଚାଳିତ ‘କୁଇପର୍‌’ ଗ୍ରାହକଙ୍କୁ ଷ୍ଟାରଲିଙ୍କ୍ ଅନୁରୂପ ଇଣ୍ଟରନେଟ୍‌ ସେବା ପ୍ରଦାନ କରିବାକୁ ଯୋଜନା କରୁଛି। କୁଇପର୍‌ର ଗ୍ରାହକମାନେ ସେକେଣ୍ଡ୍‌କୁ ୪୦୦ ମେଗାବିଟ୍‌ସ ପରି ଦ୍ରୁତ ଇଣ୍ଟରନେଟ୍‌ ସେବା ହାସଲ କରିପାରିବେ, ଯାହା ଷ୍ଟାର୍‌ଲିଙ୍କ୍‌ର ୩୦୦ ଏମ୍‌ବିପିଏସ୍‌ ବେଗ ଠାରୁ ଅଧିକ।

ସାଟେଲାଇଟ୍ ଜରିଆରେ ଇଣ୍ଟର୍‌ନେଟ୍ ସେବା ଟେଲିକମ୍ ଶିଳ୍ପରେ ବିପ୍ଳବ ଆଣିବ ବୋଲି କୁହାଗଲାଣି। ତେଣୁ ଏ କ୍ଷେତ୍ରରେ ଷ୍ଟାରଲିଙ୍କ୍‌ର ଏକାଧିପତ୍ୟ ସହିତ ଲଢ଼ିବା ପାଇଁ ଆମାଜନ୍‌ ଏବେ ଅଣ୍ଟା ଭିଡୁଛି

ଉଲ୍ଲେଖଯୋଗ୍ୟ, ପୃଥିବୀର ନିମ୍ନ କକ୍ଷପଥ କହିଲେ ମହାକାଶର ସେହି କ୍ଷେତ୍ରକୁ ବୁଝାଏ, ଯେଉଁଠି ଉପଗ୍ରହଗୁଡ଼ିକ ଭୂପୃଷ୍ଠରୁ ୨,୦୦୦ କିଲୋମିଟର ଦୂରତା ଭିତରେ ଅବସ୍ଥାପିତ ହୋଇଥାନ୍ତି। ଏଗୁଡ଼ିକ ମୁଖ୍ୟତଃ ଦୂରବର୍ତ୍ତୀ କିମ୍ବା ସେବାରହିତ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ କଭରେଜ୍‌ ଉପଲବ୍‌ଧ କରାଇଥାନ୍ତି। ଭୂ-ସ୍ଥିର କକ୍ଷପଥରେ କାର୍ଯ୍ୟ କରୁଥିବା ପାରମ୍ପରିକ ଉପଗ୍ରହ ନେଟ୍‌ଵର୍କ ତୁଳନାରେ, ନିମ୍ନ କକ୍ଷପଥରେ ଥିବା ଉପଗ୍ରହଗୁଡ଼ିକ ନିକଟତର ଅବସ୍ଥିତି ଯୋଗୁଁ ଦ୍ରୁତ ଇଣ୍ଟର୍‌ନେଟ୍‌ ସେବା ଯୋଗାଇବାରେ ସକ୍ଷମ। ଷ୍ଟାରଲିଙ୍କ୍ ଏବେ ସୁଦ୍ଧା ୮୦୦୦ ସାଟେଲାଇଟ୍‌ କକ୍ଷପଥରେ ସ୍ଥାପନ କରିସାରିଛି ଏବଂ ୧୨୫ଟି ଦେଶର ପଚାଶ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଉଛି। ତେଣୁ ସାଟେଲାଇଟ୍‌ ଇଣ୍ଟରନେଟ୍‌ ସେବା କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଆମାଜନ୍‌ର ‘କୁଇପର୍’କୁ ସୁଲଭ ମୂଲ୍ୟରେ ଅଧିକ ନିର୍ଭରଯୋଗ୍ୟ ସେବା ଯୋଗାଇବାକୁ ପଡ଼ିବ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.