Breaking News

ଷ୍ଟାର୍‌ ହୋଟେଲ୍‌ ବିବାହ ମଣ୍ଡପରୁ ଲୁଟ୍‌ ମାମଲା: ଜେଲ୍‌ ଦୁଆରେ ମାଡ଼ିବସିଲା ପୁଲିସ, ୧୦ ଲକ୍ଷର ଗହଣା ଜବତ

ରାଜଧାନୀସ୍ଥିତ ଏକ ଷ୍ଟାର୍‌ ହୋଟେଲ୍‌ ବାହା ମଣ୍ଡପରୁ ଲୁଟ୍‌ କରି ଖସି ଯାଇଥିଲା ମଧ୍ୟପ୍ରଦେଶର ଲୁଟେରା ରିତେଶ ସିସୋଦିଆ। କିନ୍ତୁ ପୁରୀରେ ସମାନ ଢାଞ୍ଚାରେ ଚୋରି କରୁଥିବା ବେଳେ ଧରାପଡ଼ିଯାଇଥିଲା।

ଭୁବନେଶ୍ବର: ରାଜଧାନୀସ୍ଥିତ ଏକ ଷ୍ଟାର୍‌ ହୋଟେଲ୍‌ ବାହା ମଣ୍ଡପରୁ ଲୁଟ୍‌ କରି ଖସି ଯାଇଥିଲା ମଧ୍ୟପ୍ରଦେଶର ଲୁଟେରା ରିତେଶ ସିସୋଦିଆ। କିନ୍ତୁ ପୁରୀରେ ସମାନ ଢାଞ୍ଚାରେ ଚୋରି କରୁଥିବା ବେଳେ ଧରାପଡ଼ିଯାଇଥିଲା। ଗତକାଲି ରିତେଶ ଜାମିନ ପାଇ ପୁରୀ ଜେଲ୍‌ରୁ ମୁକୁଳି ଥିଲା ଏବଂ ମଧ୍ୟପ୍ରଦେଶ ପଳାଇବାକୁ ଉଦ୍ୟମ କରୁଥିଲା। କିନ୍ତୁ ଜେଲ୍‌ ଦୁଆରେ ହିଁ କମିସନରେଟ୍‌ ପୁଲିସ ତାକୁ ମାଡ଼ିବସିଛି। କେବଳ ସେତିକି ନୁହେଁ, ରାଜଧାନୀର ଷ୍ଟାର୍‌ ହୋଟେଲ୍‌ରୁ ଚୋରି କରିଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ଗହଣା ତା’ଠାରୁ ଜବତ କରାଯାଇଛି। ତଦନ୍ତ ସରି ନଥିବାରୁ ପୁଲିସ ସବିଶେଷ ବିବରଣୀ ଦେଇନାହିଁ। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ମୈତ୍ରୀବିହାର ଥାନା ଅନ୍ତର୍ଗତ ଏକ ଷ୍ଟାର୍‌ ହୋଟେଲରେ ଡାକ୍ତର ଦମ୍ପତିଙ୍କ ବାହାଘର ହେଉଥିବାବେଳେ ଅତିଥି ବେଶରେ ଆସି ୨ ଦୁର୍ବୃତ୍ତ ନଗଦ ୩ ଲକ୍ଷ ଟଙ୍କା ଓ ପ୍ରାୟ ୧୦ ଲକ୍ଷ ଟଙ୍କାର ଗହଣା ଲୁଟି ଚମ୍ପଟ ମାରିଥିଲେ।

ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଥିଲେ ହେଁ ପୁଲିସ ସେମାନଙ୍କୁ ଧରିପାରି ନଥିଲା। କିନ୍ତୁ ପରେ ଏହି ଦୁଇ ଧୂର୍ତ୍ତଙ୍କ ମଧ୍ୟରୁ ଜଣେ ପୁରୀରେ ଧରାପଡ଼ିଯାଇଥିଲା ଏବଂ ଅନ୍ୟଜଣକ କାର୍‌ ନେଇ ଛୁ’ ମାରିଥିଲା। ଧରାପଡ଼ିଥିବା ଲୁଟେରାଜଣକ ମଧ୍ୟପ୍ରଦେଶର ରିତେଶ ସିସୋଦିଆ ବୋଲି ଜଣାପଡ଼ିଥିଲା। ରିତେଶ ଓ ତା’ ସାଥୀ ଭୁବନେଶ୍ବର ଚୋରିରେ ସାମିଲ ବୋଲି ଜଣାପଡ଼ିବା ପରେ ପୁଲିସ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଥିଲା। କିନ୍ତୁ ପରେ ଭିନ୍ନ ଯୋଜନା କରାଯାଇଥିଲା। ଗତକାଲି ରିତେଶକୁ ଜାମିନ ମିଳିଗଲା। କମିସନରେଟ୍‌ ପୁଲିସ ଏହି ମଉକାକୁ ଜଗି ରହିଥିଲା। ରତ‌େଶ ପୁରୀ ଜେଲ୍‌ରୁ ବାହାରିବା ମାତ୍ରେ ଜେଲ୍‌ ଦୁଆରୁ ପୁଲିସ ତାକୁ ଉଠାଇ ଆଣିଥିଲା। ବଡ଼ କଥା ହେଉଛି ଭୁବନେଶ୍ବର ହୋଟେଲ୍‌ରୁ ଚୋରି କରିଥିବା ଗହଣାତକ ପୁଲିସ ତା’ ନିକଟରୁ ଜବତ କରିଛି। ତେବେ ରିତେଶ ଭୁବନେଶ୍ବରରେ କେଉଁଠି ଗହଣାତକ ରଖିଥିଲା ଜଣାପଡ଼ିନାହିଁ। କିନ୍ତୁ ଟଙ୍କାତକ ସେମାନେ ଖର୍ଚ୍ଚ କରିଦେଇଛନ୍ତି ବୋଲି ସେ କହିଛି। ରିତେଶ ସୂଚନା ଆଧାରରେ ତା’ର ସହଯୋଗୀକୁ ଠାବ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.