Breaking News

ଷ୍ଟୋର୍‌ରେ ଖତ ଖାଉଛି ଆୟୁର୍ବେଦିକ ଔଷଧ: ରୋଗୀ ପାଉନାହାନ୍ତି ବାତ ଓ ଆଣ୍ଠୁଗଣ୍ଠି ଔଷଧ

ଉପକୂଳ ଓଡ଼ିଶାର ୩ଟି ଜିଲ୍ଲାରେ ଆୟୁର୍ବେଦିକ ଡିସ୍‌ପେନସାରିରେ ଆୟୁର୍ବେଦିକ ଔଷଧ ମିଳୁନାହିଁ। ବିଶେଷ କରି ବାତ, ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ଥିବା ଔଷଧ ଡାକ୍ତରଖାନାରୁ ସରିଗଲାଣି।

ଭୁବନେଶ୍ବର: ଉପକୂଳ ଓଡ଼ିଶାର ୩ଟି ଜିଲ୍ଲାରେ ଆୟୁର୍ବେଦିକ ଡିସ୍‌ପେନସାରିରେ ଆୟୁର୍ବେଦିକ ଔଷଧ ମିଳୁନାହିଁ। ବିଶେଷ କରି ବାତ, ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ଥିବା ଔଷଧ ଡାକ୍ତରଖାନାରୁ ସରିଗଲାଣି। ହେଲେ ଭୁବନେଶ୍ବର ୟୁନିଟ୍‌-୪ ସ୍ଥିତ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧାରୀ(ଡିଏଏମ୍‌ଓ)ଙ୍କ କାର୍ଯ୍ୟାଳୟରେ କୋଟି କୋଟି ଟଙ୍କାର ଔଷଧ ଖତ ଖାଉଛି। ଏତେ ଟଙ୍କାର ଔଷଧ ଡାକ୍ତରଖାନାରେ ବଣ୍ଟନରେ କ’ଣ ଅସୁବିଧା ହେଉଛି ତାହା ଡାକ୍ତରମାନେ ଜାଣିପାରୁନାହାନ୍ତି। ଏଭଳି ଅବ୍ୟବସ୍ଥା ଭିତରେ ରାଜ୍ୟରେ ଆୟୁଷ ଚିକିତ୍ସା ଉପରେ ଭରସା କରୁଥିବା ରୋଗୀମାନେ ହଇରାଣ ହେଉଛନ୍ତି।

ରୋଗୀ ପାଉନାହାନ୍ତି ବାତ ଓ ଆଣ୍ଠୁଗଣ୍ଠି ଔଷଧ
ଏଭଳି ଅଭିଯୋଗ ନାହିଁ: ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ

ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଥିବା ୬୧ଟି ଡିସ୍‌ପେନସାରି ପାଇଁ ପ୍ରାୟ ବର୍ଷେ ତଳେ ଆୟୁର୍ବେଦିକ ଔଷଧ କିଣା ଯାଇଥିଲା। ଏଥିରେ ୩୦ ପ୍ରକାରରୁ ଅଧିକ ଔଷଧ ରହିଛି। କୋଟି କୋଟି ଟଙ୍କାର ଏହି ଔଷଧ ଠିକ୍ ସମୟରେ ବଣ୍ଟା ନ ଯିବା କାରଣରୁ କିଛି ମାସ ‌ହେବ ଏସବୁ ଡାକ୍ତରଖାନାରୁ ଔଷଧ ଶେଷ ହୋଇଗଲାଣି। ବର୍ତ୍ତମାନ ନୂଆ ଔଷଧ କିଣିବାର ସମୟ ପହଞ୍ଚିଥିବା ବେଳେ ପୁରୁଣା ଔଷଧ ସଂପୂର୍ଣ୍ଣଭାବେ ବଣ୍ଟା ଯାଇନାହିଁ। ଷ୍ଟୋରରେ ରହି ରହି ଔଷଧର ଅବଧି ସରୁଛି। ନିକଟରେ ଡିଏଏମ୍‌ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏସବୁ ଡାକ୍ତରଖାନାର ଚିକିତ୍ସାଧିକାରୀଙ୍କୁ ଔଷଧ ‌ଆସି ନେବା ପାଇଁ କୁହାଯାଇଥିଲା। ମାତ୍ର ଏତେ ପରିମାଣର ଔଷଧ ନେବା ପାଇଁ ସେମାନେ ରାଜି ହୋଇ ନ ଥିଲେ। ଡିସ୍‌ପେନସାରିକୁ ଔଷଧ ଯୋଗାଇବା ଦାୟିତ୍ବ ହେଉଛି ଡିଏଏମ୍‌ଓ କାର୍ଯ୍ୟାଳୟର। ଏଥିପାଇଁ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ବଣ୍ଟନ ସଂପର୍କିତ ଅର୍ଥ ମଧ୍ୟ ଦିଆଯାଉଛି। ହେଲେ ଡିଏଏମ୍‌ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଔଷଧ ବଣ୍ଟନ କରାଯିବା ପରିବର୍ତ୍ତେ ଡିସ୍‌ପେନସାରିର ଡାକ୍ତରଙ୍କୁ ଔଷଧ ନେବା ପାଇଁ କୁହାଯିବାକୁ ନେଇ ପ୍ରଶ୍ନ ଉଠିଛି।

ନାମ ଗୋପନ ସର୍ତ୍ତରେ ଡିସ୍‌ପେନସାରିରେ କାର୍ଯ୍ୟରତ ଜଣେ ଡାକ୍ତର କହିଛନ୍ତି, ଗ୍ରାମାଞ୍ଚଳରେ ବାତ, ଆଣ୍ଠୁଗଣ୍ଠି ରୋଗ ପାଇଁ ଥିବା ଔଷଧର ଅଧିକ ଚାହିଦା ରହିଛି। ମାତ୍ର ଔଷଧ ନ ଥିବାରୁ ରୋଗୀମାନେ ଫେରୁଛନ୍ତି। ଡିଏଏମ୍‌ଓଙ୍କ କାର୍ଯ୍ୟାଳୟରୁ ଔଷଧ ଆଣିବା ଲାଗି କୁହାଯାଇଥିଲା, ମାତ୍ର ଅଧିକାଂଶ ଡାକ୍ତର ରାଜି ହୋଇ ନ ଥିଲେ। ଔଷଧ ବଣ୍ଟନ ବାବଦ ଗାଡ଼ି ଖର୍ଚ୍ଚ ଦିଆଯାଉ ନ ଥିବାରୁ ଏଥିପାଇଁ କେହି ରାଜି ହୋଇ ନ ଥିଲେ। ଅନେକ ଔଷଧର କମ୍ ଅବଧି ରହିଥାଏ। ଏଭଳି ସ୍ଥିତିରେ ଡିଏଏମ୍‌ଓ ଷ୍ଟୋରରେ ପଡ଼ି ପଡ଼ି ଔଷଧର ଅବଧି ସରିବାକୁ ବସିଲାଣି। ଡାକ୍ତରଖାନାରେ ଔଷଧ ରହିଥିଲେ ରୋଗୀମାନେ ସୁଫଳ ପାଇଥାନ୍ତେ ବୋଲି ସେ କହିଛନ୍ତି।

ପୂର୍ବାଞ୍ଚଳ ମଣ୍ଡଳ, ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧାରୀ ଡା.ରଶ୍ମିତା ରାଉତରାୟ କହିଛନ୍ତି, ଡିସ୍‌ପେନସାରିରୁ ଔଷଧ ସରି ଯାଇଥିବା କୌଣସି ଅଭିଯୋଗ ଆସିନାହିଁ। ନିୟମିତ ଭାବେ ଔଷଧ ବଣ୍ଟନ ହେଉଛି। ଯଦି କୌଣସି ଡିସ୍‌ପେନସାରିରୁ ଔଷଧ ସରି ଯାଇଥିବା ଅଭିଯୋଗ ଆସିବ ତାହାଲେ ଔଷଧ ଯୋଗାଇ ଦିଆଯିବ ବୋଲି ଡା.ରାଉତରାୟ କହିଛନ୍ତି। ଆୟୁର୍ବେଦିକ ଔଷଧ ବଣ୍ଟନର ଏଭଳି ଅବ୍ୟବସ୍ଥା ପଛର କାରଣ ଜାଣିବା ଲାଗି ରାଜ୍ୟ ଆୟୁଷ ନିର୍ଦ୍ଦେଶକ ପ୍ରେମଜିତ ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରିନାହିଁ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.