Breaking News

ସଂକୀର୍ଣ୍ଣ ଦୃଷ୍ଟିଭଙ୍ଗୀରେ ଗୋଧ୍ରା ଯନ୍ତ୍ରଣା

୨୦୦୨ ଫେବ୍ରୁଆରି ୨୭ ତାରିଖରେ ଗୁଜରାଟର ଗୋଧ୍ରା ଠାରେ ହୋଇଥିବା ସାବରମତୀ ଏକ୍‌ସପ୍ରେସ୍‌ ପୋଡ଼ି ଘଟଣା ଦେଶର ସାମାଜିକ ଚେତନା ଓ ରାଜନୈତିକ ଦୃଶ୍ୟପଟକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା।

୨୦୦୨ ଫେବ୍ରୁଆରି ୨୭ ତାରିଖରେ ଗୁଜରାଟର ଗୋଧ୍ରା ଠାରେ ହୋଇଥିବା ସାବରମତୀ ଏକ୍‌ସପ୍ରେସ୍‌ ପୋଡ଼ି ଘଟଣା ଦେଶର ସାମାଜିକ ଚେତନା ଓ ରାଜନୈତିକ ଦୃଶ୍ୟପଟକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା। ଏହି ଘଟଣା ପରେ ହୋଇଥିବା ଗୁଜରାଟ ଦଙ୍ଗାରେ ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଥିବା କଥା ଗଣମାଧ୍ୟମରେ ବହୁଳ ପ୍ରଚାର ହୋଇଥିବାବେଳେ ତା’ ପଛର ମୂଳ କାରଣ – ଗୋଧ୍ରା ଟ୍ରେନ୍‌ ପୋଡ଼ିରେ ୫୯ ନିରୀହ ହିନ୍ଦୁଙ୍କ ମୃତ୍ୟୁ – ନେଇ ଗଣମାଧ୍ୟମ ନିରବ ରହିଆସିଛି ଅଥବା ତାହାକୁ ଦୁର୍ଘଟଣା କହି ଖାରଜ କରିଆସିଛି। ଏହି ଅଭିଯୋଗକୁ ଭିତ୍ତି କରି ବିକ୍ରାନ୍ତ ମେସୀଙ୍କ ଅଭିନୀତ ହିନ୍ଦୀ ସାମ୍ବାଦିକ ଚରିତ୍ର ‘ସମର କୁମାର’ ‘ଦି ସାବରମତୀ ରିପୋର୍ଟ’ରେ ଏକାବେଳେ ଇଂରେଜୀ ସାମ୍ବାଦିକତା ଓ ‘ରାଜନୀତି ପ୍ରଚୋଦିତ ମିଥ୍ୟା’ ସହ ଲଢ଼ି ‘ସତ୍ୟ’ ଉଜାଗର କରିବାର ଉଦ୍ୟମ କରୁଛନ୍ତି।
ଏହି ସିନେମା କେବଳ ଯେ ବାସ୍ତବ କାହାଣୀ ଉପରେ ଆଧାରିତ ତାହା ନୁହେଁ, ଏହାକୁ ବିଶ୍ବସନୀୟ କରିବା ପାଇଁ ଏଥିରେ ବାସ୍ତବ ଟ୍ରେନ୍‌ ପୋଡ଼ିର କିଛି ବିଚଳିତ କରିଦେବାଭଳି ଦୃଶ୍ୟ ମଧ୍ୟ ପ୍ରଦର୍ଶିତ ହୋଇଛି। ଅପରପକ୍ଷେ ଖଳନାୟକ ଭାବେ ଏନ୍‌ଡିଟିଭି ସହ-ପ୍ରତିଷ୍ଠାତା ପ୍ରଣୟ ରୟଙ୍କ ଭଳି ଦିଶୁଥିବା ଜଣେ ସମ୍ପାଦକ ଓ ସୋନିଆ ଗାନ୍ଧୀଙ୍କ ସଦୃଶ ଜଣେ ରାଜନେତା ଗୋଧ୍ରାର କରୁଣ ଘଟଣାର ରାଜନୈତିକ ଲାଭ ଉଠାଇବାର ଷଡ୍‌ଯନ୍ତ୍ର କରୁଥିବାର ପ୍ରଦର୍ଶିତ କରାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ୨୦୦୨ର ଗୋଟିଏ ଦୃଶ୍ୟରେ ସାମ୍ବାଦିକା ମାନିକା ରାଜପୁରୋହିତ (ରିଦ୍ଧି ଡୋଗରା) ଯେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ସରକାରଙ୍କ ଭୂମିକା ନେଇ ପ୍ରଶ୍ନ କରୁଛନ୍ତି ସେତେବେଳେ ସେ ତାଙ୍କୁ ‘ମାଡାମ୍‌ ଚିଫ୍‌ ମିନିଷ୍ଟର୍‌’ ବୋଲି ସମ୍ବୋଧନ କରୁଛନ୍ତି! ୨୦୦୨ରେ ଜଣେ ମହିଳାଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ ରୂପେ ଦେଖାଇବା ଏକ ତ୍ରୁଟି ନା ଉଦ୍ଦେଶ୍ୟମୂଳକ ସତର୍କତା ତାହା ସିେନମାର ନିର୍ମାତା ସ୍ପଷ୍ଟ କରିବା ଉଚିତ। କାରଣ ପରବର୍ତ୍ତୀ ଦୃଶ୍ୟମାନଙ୍କରେ ଗୁଜରାଟର ସଫଳତା କାହାଣୀ ବ୍ୟାଖ୍ୟା କରିବା ବେଳେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖାଇବାରେ କୌଣସି ସଂକୋଚ କରାଯାଇନାହିଁ।
ନାମାନୁଯାୟୀ ଗୋଧ୍ରା ଟ୍ରେନ୍‌ ପୋଡ଼ିର ଅସଲ ଦୋଷୀଙ୍କୁ ଖୋଜିବାରେ ଏହି ସିେନମାର କାହାଣୀ କେନ୍ଦ୍ରିତ। ହେଲେ ଏଥିରେ ୨୦୦୭ ଓ ୨୦୧୭ର ବିଭିନ୍ନ ଦୃଶ୍ୟ ସ୍ଥାନ ପାଇଥିବା ବେଳେ ଗୋଧ୍ରା କାଣ୍ଡର ଠିକ୍ ପରେ ଘଟିଥିବା ବ୍ୟାପକ ଦଙ୍ଗାର କୌଣସି ଉଲ୍ଲେଖ ସ୍ଥାନ ନ ପାଇବା ସ୍ବାଭାବିକ ଭାବେ ଏହି କାହାଣୀର ସଚ୍ଚୋଟତା ଓ ନିରପେକ୍ଷତା ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ। ସେହିପରି ମୁଖ୍ୟ ଚରିତ୍ର ସମର ପାଇଁ ଇଂରେଜୀ ବନାମ ହିନ୍ଦୀ ଭାଷାର ସଂଘର୍ଷ ଅନେକ ସମୟରେ ଗୋଧ୍ରା କାଣ୍ଡର ସତ୍ୟ ଅନ୍ବେଷଣ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଥିବା ଭଳି ମନେ ହୁଏ। ଗୋଟିଏ ଇଂରେଜୀ ନ୍ୟୁଜ୍‌ ଚ୍ୟାନେଲ୍‌ ସମଗ୍ର ଦେଶକୁ ଭ୍ରାନ୍ତି ଭିତରେ ବୁଡ଼ାଇ ରଖିଥିଲା ବୋଲି ଚଳଚ୍ଚିତ୍ରରେ ଗୁରୁତ୍ବାରୋପ କରାଯିବା କେବଳ ଅତିରଂଜନ ନୁହେଁ, ସତ୍ୟର ଅପଳାପ ମଧ୍ୟ। ଏହି ସିନେମାର କେତେକ ସକାରାତ୍ମକ ଦିଗ ହେଲା, ଏଥିରେ ଗୋଟିଏ ସଂପ୍ରଦାୟକୁ ଗୋଧ୍ରା କାଣ୍ଡର ଦୋଷୀ ରୂପେ ପ୍ରଦର୍ଶିତ ନ କରି କିଛି ଖଳ ଲୋକଙ୍କୁ ଏଥିପାଇଁ ଦାୟୀ କରାଯାଇଛି। ଶେଷ ଆଡ଼କୁ ଏକ କ୍ରିକେଟ୍‌ ମ୍ୟାଚ୍‌ ଜରିଆରେ ବାର୍ତ୍ତା ଦିଆଯାଇଛି ଯେ ଭାରତୀୟମାନେ ଧର୍ମ ନିର୍ବିଶେଷରେ ଭାରତକୁ ଭଲ ପାଆନ୍ତି। ଉଭୟ ପକ୍ଷରେ ଭଲ ଲୋକ ଅଛନ୍ତି ବୋଲି ଚରିତ୍ରମାନେ ଦର୍ଶକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ବିକ୍ରାନ୍ତ ତାଙ୍କ ଦକ୍ଷତା ବଳରେ ସମର ଚରିତ୍ରକୁ ଜୀବନ୍ତ କରିଦେଇଛନ୍ତି। ଅନ୍ୟ ଅଭିନେତାମାନେ ମଧ୍ୟ ନିଜ ନିଜ ଭୂମିକାକୁ ବିଶ୍ବସନୀୟ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ତଥାପି ଏହାର କାହାଣୀରେ ଐତିହାସିକ ଘଟଣା ଉପରେ ନିର୍ମିତ ଭଲ ସିନେମାମାନଙ୍କର ଛାପ ନ ଦିଶି, ଦିଶିଥାଏ ଗୋଟିଏ ରାଜନୈତିକ ଗୋଷ୍ଠୀକୁ ଖୁସି କରିବାର ଆପ୍ରାଣ ଉଦ୍ୟମ। ଏଭଳି ଉଦ୍ୟମ ବଳରେ ‘ଦି କାଶ୍ମୀର ଫାଇଲ୍‌ସ’ ଓ ‘ଦି କେରଳ ଷ୍ଟୋରି’ ପ୍ରଚୁର ବ୍ୟାବସାୟିକ ସଫଳତା ହାସଲ କରିଥିବା ବେଳେ ବର୍ତ୍ତମାନ ଦର୍ଶକମାନେ ସେଭଳି ଚଳଚ୍ଚିତ୍ରରୁ ମୁହଁ ମୋଡ଼ି ନେଇଥିବାର ସନ୍ଦେଶ ମିଳୁଛି। ଏହି ଚଳଚ୍ଚିତ୍ର ସତ୍ୟ ଉନ୍ମୋଚନ ଆଳରେ ସଂକୀର୍ଣ୍ଣ ତଥା ଏକପାଖିଆ ଦୃଷ୍ଟିଭଙ୍ଗୀ ଉପସ୍ଥାପନ, ଜଟିଳ ପରିସ୍ଥିତିର ସରଳୀକରଣ ଓ ଇଂରେଜୀ ସାମ୍ବାଦିକତାକୁ ଅଯୌକ୍ତିକ ଢଙ୍ଗରେ ନିଶାଣ କରିଛି ଯାହା। ଦୁଇ ଦଶନ୍ଧି ପରେ ଏଭଳି ଏକ ଘା’କୁ ତାଜା କରିବା ପରେ ସେଥିରେ ମାନବୀୟ ସମ୍ବେଦନା ଓ ଅହିଂସାର ମଲମ ନ ଲଗାଇବା ସିନେନିର୍ମାତାଙ୍କର ସବୁଠାରୁ ବଡ଼ ଭୁଲ୍‌।
ସୌଜନ୍ୟ-ସମ୍ୱାଦ

Comments are closed.