Breaking News

ସଂଗୀତ ଏକ ସାଧନା ହେଲେ ବିଜ୍ଞାନ ଏକ ଅନ୍ୱେଷଣ

ଆଉମାତ୍ର କିଛି ଦିନ ପରେ ଓଡ଼ିଶାରେ ଆୟୋଜିତ ହେବ ପ୍ରବାସୀ ଭାରତୀୟ ଦିବସ। ୨୦୨୪ର ବିଦାୟବେଳା ଅବସରରେ ‘ସମ୍ବାଦ’ର ସୁଶ୍ରୀ ପୃଷ୍ଠାରେ ଆମେ ଜଣେ ପ୍ରବାସୀ ଓଡ଼ିଆ ମହିଳାଙ୍କ ପ୍ରେରଣାଦାୟୀ ଯାତ୍ରା କିପରି ସମଗ୍ର ଯୁବତୀ ଓ ନାରୀ ସମାଜ ପାଇଁ....

ଆଉମାତ୍ର କିଛି ଦିନ ପରେ ଓଡ଼ିଶାରେ ଆୟୋଜିତ ହେବ ପ୍ରବାସୀ ଭାରତୀୟ ଦିବସ। ୨୦୨୪ର ବିଦାୟବେଳା ଅବସରରେ ‘ସମ୍ବାଦ’ର ସୁଶ୍ରୀ ପୃଷ୍ଠାରେ ଆମେ ଜଣେ ପ୍ରବାସୀ ଓଡ଼ିଆ ମହିଳାଙ୍କ ପ୍ରେରଣାଦାୟୀ ଯାତ୍ରା କିପରି ସମଗ୍ର ଯୁବତୀ ଓ ନାରୀ ସମାଜ ପାଇଁ ଏକ ଆନ୍ଦୋଳନ ଓ ଉଦାହରଣ ସୃଷ୍ଟି କରିଛି ସେ ବିଷୟରେ ଆଲୋଚନା କରିବାର ଅବକାଶ ପାଇଛୁ। ତାଙ୍କର ଗବେଷଣା ଅବଦାନ ଜାପାନ, ରୁଷ ଓ ଇସ୍ରାଏଲ ଭଳି ଦେଶରେ ଯଥେଷ୍ଟ ସୁନାମ ଅର୍ଜନ କରିଛି। ଡକ୍ଟର ପୁଷ୍ପଶ୍ରୀ ମିଶ୍ର ବର୍ତ୍ତମାନ ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡି.ଆର୍‌.ଡି.ଓ.)ର ଜଣେ ଲବ୍ଧ ପ୍ରତିଷ୍ଠିତ ବରିଷ୍ଠ ବୈଜ୍ଞାନିକ ଭାବେ ଅବସ୍ଥାପିତ। ତେବେ ଏତିକିରେ ସରିନି ତାଙ୍କର ଲମ୍ବା ପ୍ରେରଣା ପ୍ରଦାନକାରୀ ଆଦର୍ଶ ଜୀବନ କାହାଣୀ। ଜଣେ ସୁନାମଧନ୍ୟା ସୁମଧୁର ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଭାବେ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ପ୍ରତିରକ୍ଷା ବୈଜ୍ଞାନିକ ଓ ଶାସ୍ତ୍ରୀୟ ସଙ୍ଗୀତ ବିଶେଷଜ୍ଞା ପୁଷ୍ପଶ୍ରୀ ବାଲ୍ୟକାଳରୁ ବିବାହ, ପାଠପଢ଼ାରୁ ପରିବାର ଲାଳନପାଳନ, ବିଜ୍ଞାନ ଗବେଷଣାରୁ ନେଇ ଶାସ୍ତ୍ରୀୟ ସଙ୍ଗୀତ ସାଧନା ପଥରେ ଅଗ୍ରସର ହେବାପାଇଁ ଅନେକ ସଂଘର୍ଷ ଓ ଆହ୍ୱାନର ମୁକାବିଲା କରିଛନ୍ତି। ସେ କେବେ ଥକି ପଡ଼ିନାହାନ୍ତି ବରଂ ସାଜିଛନ୍ତି ଜଣେ ମୂର୍ତ୍ତିମନ୍ତ ସାଧିକା।
ଓଡ଼ିଶାର କୋରାପୁଟ ଜିଲ୍ଲାର ସୁଦୂର ଗୁଣପୁର ଗ୍ରାମରେ ଡକ୍ଟର ପୁଷ୍ପଶ୍ରୀ ମିଶ୍ରଙ୍କ ଜନ୍ମ। ସେ ଭୁବନେଶ୍ୱରରୁ ଶିକ୍ଷା ସମାପ୍ତ ପରେ ପଦାର୍ଥ ବିଜ୍ଞାନରେ ଗ୍ରାଜୁଏସନ୍‌ ଏବଂ ଦିଲ୍ଲୀ ଆଇଆଇଟିରେ ପଦାର୍ଥ ବିଜ୍ଞାନରେ ଉଚ୍ଚଶିକ୍ଷା ଓ ଗବେଷଣା ଆରମ୍ଭ କରି ସଫଳତା ହାସଲ କରିଥିଲେ। ଜାପାନରେ ପ୍ରାୟ ୪ ବର୍ଷ ଧରି ସେ ପଦାର୍ଥବିଜ୍ଞାନରେ ଉଚ୍ଚତର ଗବେଷଣା କରିଥିଲେ। ଏହାପରେ ସେ ଡି.ଆର୍‌.ଡି.ଓ. ସଂସ୍ଥାନରେ ପ୍ରତିରକ୍ଷା ବିଜ୍ଞାନୀ ଭାବେ ଯୋଗ ଦେଇଥିଲେ। ବିଶ୍ୱର ସର୍ବଶ୍ରେଷ୍ଠ ପଦାର୍ଥବିଜ୍ଞାନ ଜର୍ଣ୍ଣାଲ୍‌ ‘ଫିଜିକାଲ୍‌ ରିଭ୍ୟୁ ବି’ରେ ପ୍ରକାଶିତ ତାଙ୍କର ‘ରମଣ ସ୍କାଟରିଙ୍ଗ୍‌ ଇନ୍‌ ସିଲିକନ୍‌ ନାନୋକ୍ରିଷ୍ଟାଲ୍‌’ ସନ୍ଦର୍ଭ ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିଲା ଏବଂ ଏଭଳି ଗବେଷଣା ତାଙ୍କୁ ରାତାରାତି ସୁଖ୍ୟାତି ଦେଇଥିଲା।

ଏସବୁ ପରେ ବି ସେ ଶାସ୍ତ୍ରୀୟ ସଂଗୀତକୁ ଭୁଲି ନଥିଲେ। ଯେତେବେଳେ ପ୍ରତିରକ୍ଷା ବିଜ୍ଞାନ ପ୍ରୟୋଗଶାଳାରୁ ଟିକିଏ ସମୟ ମିଳେ, ସେ ତାନପୁରା ଧରି ସଙ୍ଗୀତ ସାଧନାରେ ଲାଗିପଡ଼ନ୍ତି। ସେଥିପାଇଁ ଜଣେ ବୈଜ୍ଞାନିକ ଭାବେ ସେ ଯେତିକି ସୁଖ୍ୟାତି ପାଇଛନ୍ତି ଜଣେ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଭାବେ ତା’ଠାରୁ ଢେର୍‌ ବେଶୀ ପ୍ରସିଦ୍ଧିଲାଭ କରିଛନ୍ତି। ସଂଗୀତ ମୋ ଜୀବନ ଯାତ୍ରାର ମାର୍ଗ ହେଲେ ବିଜ୍ଞାନ ମୋର ମାର୍ଗଦର୍ଶକ ବୋଲି କହନ୍ତି ପୁଷ୍ପଶ୍ରୀ ମିଶ୍ର। ପୁଷ୍ପଶ୍ରୀ ନିଜ ସଂଘର୍ଷମୟ ଯାତ୍ରାକୁ ନେଇ କହନ୍ତି, “ଝିଅ ହୋଇଥିବାରୁ ମୋ ବୋଉ ପ୍ରେମଲତା ମିଶ୍ର ସେ ସମୟର ସାମାଜିକ ପରିସ୍ଥିତରେ ବିଶେଷ ପାଠ ପଢ଼ି ପାରିନଥିଲା। ସେଥିପାଇଁ ସେ ସବୁବେଳେ ଚାହୁଥିଲା ତା’ ଝିଅମାନେ ବହୁତ ପାଠପଢ଼ି ନାଁ କରନ୍ତୁ। ମୁଁ ବହୁତ ଭଲ ପଢୁଥିଲି। ବାପା ଚାହୁଥିଲେ ଇଂଜିନିୟରିଂ କିମ୍ବା ଡାକ୍ତର ହେବାକୁ, ହେଲେ ବୋଉ ଚାହୁଥିଲା ସଂଗୀତ ଶିକ୍ଷା ସହିତ ବୈଜ୍ଞାନିକ ହେବାକୁ। ମାତ୍ର ୫ ବର୍ଷ ବୟସରୁ ମୁଁ ଶାସ୍ତ୍ରୀୟ ସଂଗୀତ ଶିକ୍ଷା ଆରମ୍ଭ କଲି। ମୁଁ ଶାସ୍ତ୍ରୀୟ ସଂଗୀତରେ ତଥା ଜଣେ ବୈଜ୍ଞାନିକ ଭାବେ ଯେତେସବୁ ଶ୍ରେୟ ଓ ସଫଳତା ପାଇଛି ସେସବୁର ହକ୍‌ଦାର୍‌ ମୋ ବୋଉ।”

ପୁଷ୍ପଶ୍ରୀ ଗାନ୍ଧର୍ବ ମହାବିଦ୍ୟାଳୟରୁ ସଙ୍ଗୀତ ଅଳଙ୍କାରରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଭାରତର ଶ୍ରେଷ୍ଠ ତଥା ନିପୁଣ କିରାନା ଘରାନା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ରୂପେ ପରିଚିତ ଗୁରୁ ପଣ୍ଡିତ ମଣିପ୍ରସାଦଙ୍କଠାରୁ ସେ ସଂଗୀତ ଶିକ୍ଷାଗ୍ରହଣ କରି ନିଜକୁ ସୌଭାଗ୍ୟବତୀ ଅନୁଭବ କରନ୍ତି। ପୁଷ୍ପଶ୍ରୀ ଠୁମ୍‌ରି ଓ ଗଜଲ୍‌ ଆଦି ସୁଗମ ଶାସ୍ତ୍ରୀୟ ସଙ୍ଗୀତ ଗାନ କରିବାରେ ନିପୁଣା। ଏଥିପାଇଁ ସେ ଅନେକ ମାନସମ୍ମାନର ଅଧିକାରିଣୀ ହୋଇଛନ୍ତି। କବୀର ଓ ମୀରାଙ୍କ ମର୍ମସ୍ପର୍ଶୀ ଭଜନ ହେଉଛି ତାଙ୍କର ପ୍ରିୟ ସଂଗୀତ। ଯଦି ଜଣେ କଣ୍ଠଶିଳ୍ପୀ କବୀର ଓ ମୀରାଙ୍କ ରଚନାର ପ୍ରତ୍ୟେକ ପଙ୍‌କ୍ତିକୁ ସୁନ୍ଦର, ସୁଲଳିତ ଓ ସାବଲୀଳ ଢଙ୍ଗରେ ଗାଇପାରିବେ ତେବେ ଜଣେ ଗାୟକ ନିଜେ ନିଜ ଭିତରେ ଥିବା ମାନବବାଦ, ଦାର୍ଶନିକ ଓ ଐଶ୍ବରିକ ଭାବାବେଗକୁ ଅନୁଭବ କରିବା ସହିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ଏହାର ବାର୍ତ୍ତା ବାଣ୍ଟିବାକୁ ସକ୍ଷମ ହୋଇପାରିବେ। କବୀର ଓ ମୀରାଙ୍କ କବିତାରେ ଧାର୍ମିକ ପରିଧିକୁ ପାର ହୋଇ ଆଧ୍ୟାତ୍ମିକ ଅଲୌକିକତାର ଉଚ୍ଛ୍ବାସ ଆଜିର ନାରୀ ସମାଜ ପାଇଁ ସବୁଠାରୁ ବଡ଼ ଆଦର୍ଶ। ସେହିପରି କୃଷ୍ଣ ଭଜନର ଗାମ୍ଭୀର୍ଯ୍ୟ ଓ ମାଧୁର୍ଯ୍ୟର ପ୍ରାଚୁର୍ଯ୍ୟ ପଥଭ୍ରଷ୍ଟ ସମାଜର ଜନସାଧାରଣଙ୍କ ପାଇଁ ସାତ୍ତ୍ବିକ ପ୍ରେମ ମାଧ୍ୟମରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିବ। ସଙ୍ଗୀତର ସ୍ୱର ଯେପରି ମଣିଷ ଜୀବନରେ ଭକ୍ତି ଓ ଶାନ୍ତି ଭରିଦେଇ ରୂପ-ରସ-ଛନ୍ଦରେ ମନକୁ ମତୁଆଲା କରିଥାଏ, ଠିକ୍‌ ସେହିପରି ବିଜ୍ଞାନର ଅନ୍ୱେଷଣ ମଣିଷ ଜାତି ପାଇଁ କଲ୍ୟାଣକାରୀ ସାଜିବା ସହିତ ମାନବ ଜାତିକୁ ସର୍ବଦା ସୁରକ୍ଷା ପ୍ରଦାନ କରିଥାଏ ବୋଲି କହନ୍ତି ଡକ୍ଟର ପୁଷ୍ପଶ୍ରୀ ମିଶ୍ର।

ନିଜ ଜୀବନର ଅଭୁଲା ଦୁଃଖଦ ଅନୁଭୂତି ପ୍ରସଙ୍ଗରେ ସେ କହନ୍ତି, “ଯେଉଁଦିନ ମୁଁ ଭୁବନେଶ୍ୱର ଛାଡ଼ି ପାଠ ପଢ଼ିବାକୁ ଦିଲ୍ଲୀ ଆଇଆଇଟି ଆସିଲି ସେତେବେଳେ ମୋର ପ୍ରଥମ ସଂଗୀତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ମନଦୁଃଖ ମୋ ଜୀବନର ସବୁଠାରୁ ବଡ଼ ଅଭୁଲା ଯନ୍ତ୍ରଣା ହୋଇ ରହିଗଲା”। ପ୍ରତିରକ୍ଷା ପ୍ରସଙ୍ଗରେ ଡକ୍ଟର ପୁଷ୍ପଶ୍ରୀ ମିଶ୍ର କହନ୍ତି, “ଭବିଷ୍ୟତର ଯୁଦ୍ଧରେ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ, କ୍ବାଣ୍ଟମ୍‌ ଟେକ୍‌‌େନାଲୋଜି ଓ ଅନ୍‌ମ୍ୟାନ୍‌ଡ ଏରିଏଲ୍‌ ଭେଇକିଲ୍‌ସ (ୟୁ.ଏ.ଭି.) ବ‌ା ଡ୍ରୋନ୍‌ ଭଳି ଜ୍ଞାନକୌଶଳ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଏ ଦିଗରେ ଭାରତୀୟ ପ୍ରତିରକ୍ଷା ଗବେଷଣା ଯଥେଷ୍ଟ ଗୁରୁତ୍ୱ ଦେଇ ଅଗ୍ରସର ହେଉଛି।’’

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.