Breaking News

ସଂଭାବନା ପକ୍ଷରୁ ’ବେନହୁର ବିଶେଷ’; ‘ପିଲାଙ୍କ ସାହିତ୍ୟ ବିନା କୌଣସି ସାହିତ୍ୟ ସମୃଦ୍ଧ ନୁହେଁ’

ଓଡ଼ିଶାର ଜଣେ ସୁଲେଖକ ତଥା ସାହିତ୍ୟିକ ହେଉଛନ୍ତି ଜିତେନ୍ଦ୍ର ନାରାୟଣ ଦାଶ(ଦାଶ ବେନହୁର)। ସାରା ଜୀବନ ତାଙ୍କର କଲମ ଚଳଚଞ୍ଚଳ ରହୁ। ‘ସଂଭାବନା’ ତରଫରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାହିତ୍ୟିକ....

 ସଂଭାବନା ପକ୍ଷରୁ ’ବେନହୁର ବିଶେଷ’; ‘ପିଲାଙ୍କ ସାହିତ୍ୟ ବିନା କୌଣସି ସାହିତ୍ୟ ସମୃଦ୍ଧ ନୁହେଁ’

ଭୁବନେଶ୍ୱର: ଓଡ଼ିଶାର ଜଣେ ସୁଲେଖକ ତଥା ସାହିତ୍ୟିକ ହେଉଛନ୍ତି ଜିତେନ୍ଦ୍ର ନାରାୟଣ ଦାଶ(ଦାଶ ବେନହୁର)। ସାରା ଜୀବନ ତାଙ୍କର କଲମ ଚଳଚଞ୍ଚଳ ରହୁ। ‘ସଂଭାବନା’ ତରଫରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାହିତ୍ୟିକ ତଥା ମଧୁ ବିଶାରଦ ଦାଶ ବେନହୁରଙ୍କ ୭୨ତମ ଜୟନ୍ତୀ  ‘ବେନହୁର ବିଶେଷ’ରେ ଏଭଳି କହିଛନ୍ତି ବିଶିଷ୍ଟ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ। କାର୍ଯ୍ୟକ୍ରମର ମୁଖ୍ୟଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ  କହିଥିଲେ ଯେ ‘ସମ୍ୱାଦ’ ପକ୍ଷରୁ ଓଡ଼ିଆ ଭାଷା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା, ସେଥିରେ ଶ୍ରୀ ଦାଶ ଜଣେ ପ୍ରମୁଖ ସହଯୋଗୀ ଥିଲେ। ସେ ପୁଣି କହିଥିଲେ ଯେ ଓଡ଼ିଶାର ବିରାଟ ବଡ଼ ଦୁର୍ବଳତା ହେଲା, ପିଲାଙ୍କ ପାଇଁ ଲେଖିଲେ ନିଜକୁ ଛୋଟ ସାହିତ୍ୟିକ ବୋଲି ଭାବିବା। ମାତ୍ର ପିଲାଙ୍କ ପାଇଁ ସାହିତ୍ୟ ନ ଲେଖିଲେ, ଆମ ସାହିତ୍ୟ ସମୃଦ୍ଧ ହେବ ନାହିଁ। ଶିଶୁଙ୍କ ପାଇଁ ଏବେ ମଧ୍ୟ ଶ୍ରୀ ଦାଶଙ୍କ କଲମ ଚାଳନା ଜାରି ରହିଥିବାରୁ ଜିତୁ ବାବୁଙ୍କ ପ୍ରତି ତାଙ୍କ ଶ୍ରଦ୍ଧା ଓ ସମ୍ମାନ ରହିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟବକ୍ତା ସାହିତ୍ୟିକ ତଥା ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ, ଦାଶ ବେନହୁରଙ୍କ ଜୀବନ ସମୃଦ୍ଧ ହେଉ ବୋଲି କହିଥିଲେ। ଏଥିସହିତ ତାଙ୍କ ଜୀବନ ଆଲୋକର ବାହକ ହେଉ ବୋଲି ସେ ମତ ଦେଇଥିଲେ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ଶ୍ରୀ ଦାଶଙ୍କ ନାମ ପଛର ରହସ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ‘ବେନହୁର’ ଚରିତ୍ର ଭଳି ସେ ସଂଗ୍ରାମ ଜାରି ରଖିଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ। ଅନ୍ୟତମ ଅତିଥି ପୂର୍ବତନ ପ୍ରଶାସକ ନିରଞ୍ଜନ ସାହୁ, ଜୀବନ ବଢ଼ିବା ସହିତ ତାଙ୍କର ଖ୍ୟାତି ବଢ଼ୁ ବୋଲି କହିଥିଲେ। ଏହି ଅବସରରେ ଶ୍ରୀ ଦାଶ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ଶ୍ରୀ ଦାଶଙ୍କ ଦୀର୍ଘ ଜୀବନ କାମନା କରିଥିଲେ।

ଏହି ଅବସରରେ ଦାଶ ବେନହୁରଙ୍କ ରଚିତ ପୁସ୍ତକ ‘ଜଙ୍ଗଲର ଡାକ’ ଓ ‘ପ୍ରବନ୍ଧ ପ୍ରବାହ’ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ସଂପାଦକ ଦେବ ପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିଲେ। ସଂଯୋଜନା କରିଥିଲେ ଭାଷାବିତ୍‌ ଦେବାଶିଷ ମହାପାତ୍ର। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସନ୍ଧ୍ୟାରେ ଅତିଥି ଭାବେ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଦର୍ଶନ ଦାସ ଓ ୨୦୨୫ର ଶ୍ରେଷ୍ଠ ଓଡ଼ିଆଣୀ ରୀତା ଶଙ୍ଖୁଆ, ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ସମେତ ବହୁ ବ୍ୟକ୍ତି ଶୁଭେଚ୍ଛା ଜଣାଇଥିଲେ। ଅମିୟ ମହାନ୍ତି ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଯୁଗ୍ମ ସଂପାଦିକା ମୀନାକ୍ଷୀ ପଟ୍ଟନାୟକ, କାର୍ଯ୍ୟକ୍ରମ ସଂପାଦିକା ରଶ୍ମିତା ରଥ, ଶ୍ବେତପଦ୍ମା ମିଶ୍ର ଓ ଯୁଗ୍ମ ସଂପାଦକ ପ୍ରଫୁଲ୍ଲ ଦେ ସହଯୋଗ କରିଥିଲେ।

 

 

 

ସୌଜନ୍ୟ – ସମ୍ବାଦ

Comments are closed.