ନୂଆଦିଲ୍ଲୀ:  ସଂସଦ ପରିସରରେ ଗତକାଲି ଘଟିଥିବା ଧସ୍ତାଧସ୍ତି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଥାନାରେ ହୋଇଥିବା ଏଫ୍‌ଆଇଆର୍‌ କ୍ରାଇମ୍‌ ବ୍ରାଞ୍ଚ୍‌କୁ  ସ୍ଥାନାନ୍ତର କରାଯାଇଛି। କ୍ରାଇମ୍‌ ବ୍ରାଞ୍ଚ୍‌ ଖୁବ୍‌ଶୀଘ୍ର  ଦୁଇ ଆହତ ସାଂସଦଙ୍କ ବୟାନ ରେକର୍ଡ କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ  ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା ପାଇଁ ମଧ୍ୟ ଡକାଯାଇପାରେ ବୋଲି ଜଣାପଡ଼ିଛି।   କ୍ରାଇମ୍‌ ବ୍ରାଞ୍ଚ୍‌  ସଂସଦ ସଚିବାଳୟକୁ ଚିଠି ଲେଖି ଘଟଣା ଘଟିଥିବା ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାକୁ ମଧ୍ୟ ଅନୁମତି ଲୋଡ଼ିବ ବୋଲି ମଧ୍ୟ ଜଣାପଡ଼ିଛି।

ରାହୁଲ ଗାନ୍ଧୀଙ୍କୁ ଜେରା ହୋଇପାରେ
ଆହତ ସାଂସଦଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ଗୁରୁବାର ସଂସଦ ମାର୍ଗ ଥାନାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୫ (ସ୍ବେଚ୍ଛାକୃତ ଭାବେ ଆଘାତ ଦେବା), ୧୧୭ (ସ୍ବେଚ୍ଛାକୃତ ଭାବେ ଗୁରୁତର ଆଘାତ ଦେବା), ୧୨୫ (ଅନ୍ୟର ଜୀବନ କିମ୍ବା ବ୍ୟକ୍ତିଗତ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବା), ୧୩୧ (ଆପରାଧିକ ବଳ ପ୍ରୟୋଗ), ୩୫୧ (ଆପରାଧିକ ଧମକ) ଏବଂ ୩(୫) (ସାଧାରଣ ଉଦ୍ଦେଶ୍ୟ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଦୁଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଥିବା ବେଳେ ତାଙ୍କ ଉପରେ ଶାରୀରିକ ନିର୍ଯାତନା   ଅଭିଯୋଗ ଆଣି ବିଜେପି ଏତଲା ରୁଜୁ କରିଛି।  ବିଜେପି ପୁଲିସରେ ଅଭିଯୋଗ କରିବାର କିଛି ଘଣ୍ଟା ପରେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।  ଏହି  ଘଟଣାର ସାକ୍ଷୀ ଥିବା ଅନ୍ୟ ସାଂସଦଙ୍କ ବୟାନ ମଧ୍ୟ ପୁଲିସ ରେକର୍ଡ କରିବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଆହତ ବିଜେପି ସାଂସଦ   ଷଡ଼ଙ୍ଗୀ ଓ  ରାଜପୁତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆରଏମ୍ଏଲ୍‌ ହସ୍ପିଟାଲର ଡାକ୍ତର ଅଜୟ ଶୁକ୍ଳା କହିଛନ୍ତି ଯେ  ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି  ଆସିଛି ଏବଂ  ସେମାନଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିଛି।