Breaking News

ସଙ୍ଗୀତକାର ବିକାଶଙ୍କ ବ୍ୟଥା

ଦେ’ରେ କାଳିଆ ଦେ’ ତୋ’ ପାଦେ ଶରଣ ଦେ...। ଭଜନସମ୍ରାଟ ଭିକାରୀ ବଳଙ୍କ ଏହି ଜନପ୍ରିୟ ଭଜନ ଯିଏ ଶୁଣିଛି, ସିଏ ଅଭିଭୂତ ହୋଇଛି। ହେଲେ ଏ ଗୀତର ସ୍ବରକାର କିଏ ତାହା ଜାଣିବାକୁ ଖୁବ୍‌ କମ୍ ଶ୍ରୋତା ଚେଷ୍ଟା କରିଥାନ୍ତି।

ଦେ’ରେ କାଳିଆ ଦେ’ ତୋ’ ପାଦେ ଶରଣ ଦେ…। ଭଜନସମ୍ରାଟ ଭିକାରୀ ବଳଙ୍କ ଏହି ଜନପ୍ରିୟ ଭଜନ ଯିଏ ଶୁଣିଛି, ସିଏ ଅଭିଭୂତ ହୋଇଛି। ହେଲେ ଏ ଗୀତର ସ୍ବରକାର କିଏ ତାହା ଜାଣିବାକୁ ଖୁବ୍‌ କମ୍ ଶ୍ରୋତା ଚେଷ୍ଟା କରିଥାନ୍ତି। ଏହି ଗୀତର ସ୍ବରକାର ହେଉଛନ୍ତି ବିକାଶ ଶୁକ୍ଳା। ପାଖାପାଖି ଚାରି ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ସକ୍ରିୟ ଥିବା ବିକାଶ ୧୯୮୬ର ‘କୈବଲ୍ୟ ପସରା’ କ୍ୟାସେଟ୍‌ର ଉପରୋକ୍ତ ଗୀତରୁ ସ୍ବରକାର ଜୀବନ ଆରମ୍ଭ କରିଥିଲେ। ଏହାପରେ ଏକ ହଜାରରୁ ଅଧିକ କ୍ୟାସେଟ୍ ଓ ଆଲବମ୍‌ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସେ। ତା’ପରେ ୧୯୯୦ ମସିହାରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଯାତ୍ରା ଜଗତରେ ପ୍ରବେଶ କରନ୍ତି ସେ। ‘ଦୁଃଖ ଦେଇଗଲା ଦରଦୀ ବନ୍ଧୁ’ ଓ ‘ରାମ ବନବାସ କାହାଣୀ ଶେଷ’ ସମେତ ୫୦୦ରୁ ଅଧିକ ଯାତ୍ରା ନାଟକରେ ସ୍ବର ସଂଯୋଜନା କରିଛନ୍ତି ବିକାଶ।
ଢେର ବିଳମ୍ବରେ ବିକାଶ ଶୁକ୍ଳାଙ୍କୁ ସିନେମାରେ ସ୍ବରକାର ହେବାର ସୁଯୋଗ ମିଳିଥିଲା। ୧୯୯୯ରେ ‘ବଡ଼ଘର ବଡ଼ ଗୁମର କଥା’ ଶୀର୍ଷକ ଏକ ଓଡ଼ିଆ ଛବିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସେ। ଏଥିରେ ଉଦିତ ନାରାୟଣ, ସୁରେଶ ୱାଡେକର୍, କବିତା କୃଷ୍ଣମୂର୍ତ୍ତୀ ଓ ପାମେଲା ଜୈନ ପ୍ରମୁଖ କଣ୍ଠଦାନ କରିଥିଲେ। କିନ୍ତୁ ମହାବାତ୍ୟା ଯୋଗୁଁ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରି ନ ଥିଲା।

ଆଲବମ୍, ଯାତ୍ରା ଓ ସିନେମା ସବୁକ୍ଷେତ୍ରରେ ବେଶ୍‌ ସଫଳ ସଙ୍ଗୀତକାର ବିକାଶ ଶୁକ୍ଳା। ଭଜନ ହେଉ କି ଆଧୁନିକ, ଲୋକଗୀତ ହେଉ କି ପପ୍‌, ସବୁ ଶୈଳୀର ଗୀତ ତିଆରି କରିବାରେ ସେ ଓସ୍ତାତ। ଏଥର ସଂଗୀତ ନିର୍ଦ୍ଦେଶକ ବିକାଶଙ୍କ ସଂପର୍କରେ କିଞ୍ଚିତ୍…

ଏହାର ପ୍ରାୟ ୧୨ବର୍ଷ ପରେ ‘ମତେ ବୋହୂକରି ନେଇଯା’ ସିନେମା ଜରିଆରେ ଫିଲ୍ମ ସଙ୍ଗୀତକୁ ଫେରିଥିଲେ ବିକାଶ ଶୁକ୍ଳା। ଏହାପରେ ସେ ‘ଅଭିମାନୀ ପ୍ରିୟା ମୋର’, ‘ଚୋରି ଚୋରି ମନ ଚୋରି’, ‘ସହିଦ ରଘୁ ସର୍ଦ୍ଦାର’, ‘ଏକଲବ୍ୟ’, ‘ମୁଁ ଆଶିକ ମୁଁ ଆୱାରା’, ‘ଆଇ ଲଭ୍ ୟୁ ଡାଡି’, ‘ମାୟା ଦର୍ପଣ’ ଆଦି ସିନେମାରେ ସ୍ବର ସଂଯୋଜନା କରିଛନ୍ତି। ତାଙ୍କ ସ୍ବରରୋପିତ ‘ଲକ୍ଷ୍ୟ’ ଓ ‘ମହାନାୟକ’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା କହନ୍ତି, ‘‘ଆଲବମ୍ ହେଉ କି ଯାତ୍ରା କି ସିନେମା, ସଙ୍ଗୀତ ସଂଯୋଜନା ସବୁଠି ସମାନ। ସବୁଠି ମୋତେ ଅାତ୍ମସନ୍ତୋଷ ମିଳିଛି। ଦୁଃଖର କଥା, ‘ରଘୁ ସର୍ଦ୍ଦାର’କୁ ଶ୍ରେଷ୍ଠ ସିନେମା ସମେତ ୧୦ଟି ଅନ୍ୟ ବିଭାଗରେ ପୁରସ୍କାର ମିଳିଥିବା ବେଳେ ମୋତେ କିନ୍ତୁ ସଙ୍ଗୀତ ନିର୍ଦ୍ଦେଶନା ଲାଗି ଚୟନ କରାଗଲା ନାହିଁ। ପୁରସ୍କାର ପାଇଁ ମନରେ ଲାଳସା ନାହିଁ କି କୌଣସି ଅବସୋସ ନାହିଁ। ହେଲେ ମିଳିଥିଲେ ଖୁସି ଲାଗିଥାଆନ୍ତା।’’
-ଶିବଶଙ୍କର ଓଝା

ସୌଜନ୍ୟ-ସମ୍ୱାଦ

Comments are closed.