ଭୁବନେଶ୍ବର: ଦେଶର ପ୍ରାୟ ପ୍ରତିଟି ପ୍ରାପ୍ତବୟସ୍କ ଲୋକଙ୍କ ପାଖରେ ବ୍ୟାଙ୍କ ଖାତା ପହଞ୍ଚିବା ପରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ତ୍ବରାନ୍ବିତ ହୋଇଛି। ଲୋକମାନେ ନିଜ ସଞ୍ଚୟ ରାଶିକୁ ବ୍ୟାଙ୍କ ଭଳି ସଂଗଠିତ କ୍ଷେତ୍ରରେ ଜମା କରିପାରୁଛନ୍ତି।  ପାରମ୍ପରିକ ଭାବେ ଭାରତୀୟମାନଙ୍କ ରହିଥିବା ସଞ୍ଚୟ ମାନସିକତାରୁ ମଧ୍ୟ ବଳ ମିଳିଛି। ଏହାର ପ୍ରଭାବରେ ଦେଶର ସଞ୍ଚୟ ହାର ୩୧ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଅନ୍ତର୍ଜାତୀୟ ହାରଠାରୁ ଅଧିକ। ସଞ୍ଚୟ କ୍ଷେତ୍ରରେ ଦେଶ ଭଲ ଅଗ୍ରଗତି କରିଥିବା ବେଳେ ଓଡ଼ିଶାର ପ୍ରଦର୍ଶନ କିନ୍ତୁ ନୈରାଶ୍ୟଜନକ ରହିଛି। ରାଜ୍ୟର ସଞ୍ଚୟ ହାର ୩୦ ପ୍ରତିଶତ ରହିଛି ଯାହା ଜାତୀୟ ହାରଠାରୁ ସାମାନ୍ୟ କମ୍। ଏହି ବିଷୟରେ ଓଡ଼ିଶା ତଳ ଆଡ଼ୁ ଷଷ୍ଠ ସ୍ଥାନରେ ରହିଛି ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି।

ରିପୋର୍ଟ ଅନୁଶୀଳନରୁ ଜଣାପଡ଼ିଛି ଯେ ଓଡ଼ିଶାଠାରୁ କେବଳ ରାଜସ୍ଥାନ (୨୮%), ଝାଡ଼ଖଣ୍ଡ (୨୭%), ଆସାମ (୨୨%), ଉତ୍ତରପ୍ରଦେଶ (୧୬%) ଓ ବିହାର (-୬%)ର ସଞ୍ଚୟ ହାର ଖରାପ ରହିଛି। ଅନ୍ୟ ସବୁ ରାଜ୍ୟ ଓଡ଼ିଶାଠାରୁ ଉପରେ ରହିଛନ୍ତି। ଗୋଆର ସଞ୍ଚୟ ହାର ଦେଶରେ ସର୍ବାଧିକ ୪୯ ପ୍ରତିଶତ ରହିଛି। ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଗୁଜରାଟ (୪୧%), ହରିୟାଣା (୪୦%), କର୍ଣ୍ଣାଟକ (୩୯%), ମହାରାଷ୍ଟ୍ର (୩୮%) ଓ କେରଳ (୩୮%) ଆଗରେ ରହିଛନ୍ତି। ଦେଶରେ ଲୋକମାନେ ସାଧାରଣତଃ ବ୍ୟାଙ୍କ ଜମା ଓ ଘରେ ନଗଦ ରାଶି ଭାବେ ସଞ୍ଚୟ ରଖୁଥିଲେ। କିନ୍ତୁ ଗତ କିଛିବର୍ଷ ମଧ୍ୟରେ ସେଥିରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲୋକମାନେ ଅଧିକ ରିଟର୍ଣ୍ଣ ପାଇବା ଆଶାରେ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ ବଢ଼ାଇବା ଆରମ୍ଭ କରିଛନ୍ତି।

ମୋଟ ସଞ୍ଚୟରେ ପରିବାର ସଞ୍ଚୟର ଭାଗ ୨୦୧୩-୧୪ରେ ଥିଲା ୩୬ ପ୍ରତିଶତ। ୨୦୨୪ ସୁଦ୍ଧା ତାହା ୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ କମ୍ପାନିଗୁଡ଼ିକ ଷ୍ଟକ୍ ବଜାରରୁ ୧୦ ଗୁଣା ଅଧିକ ପାଣ୍ଠି ପାଇଛନ୍ତି। ୨୦୧୩-୧୩ରେ ଷ୍ଟକ୍ ବଜାରରୁ କମ୍ପାନିଗୁଡ଼ିକ ୧୨,୦୬୮ କୋଟି ଟଙ୍କା ଆଣିଥିଲେ। ୨୦୨୪ର ଅକ୍ଟୋବର ସୁଦ୍ଧା ଷ୍ଟକ୍ ବଜାରରୁ କମ୍ପାନିଗୁଡ଼ିକ ୧.୨୧ ଲକ୍ଷ କୋଟି ଟଙ୍କା ହାସଲ କରିଛନ୍ତି। ଷ୍ଟକ୍ ବଜାର କାରବାରରେ ଯେଉଁ ଉତ୍ସାହ ଦେଖିବାକୁ ମିଳୁଛି ତାହା ପଛରେ ଭାରତୀୟ ପରିବାରଗୁଡ଼ିକର ବଡ଼ ହାତ ରହିଛି। ସେମାନଙ୍କ ପାଇଁ କମ୍ପାନିଗୁଡ଼ିକ ଷ୍ଟକ୍ ବଜାରରୁ ବିପୁଳ ପାଣ୍ଠି ପାଇପାରୁଛନ୍ତି।