ସଡ଼କ ଦୁର୍ଘଟଣାରେ ଚାଲିଗଲା ୮ ଜୀବନ: ଆଠଗଡ଼ରେ ଭ୍ୟାନ୍ ଧକ୍କାରେ ୨ କଲେଜ ଛାତ୍ର ମୃତ
କଟକ, ନୂଆପଡ଼ା, ବଲାଙ୍ଗୀର ଓ ଝାରସୁଗୁଡ଼ା ଜିଲ୍ଲାରେ ପୃଥକ ସଡ଼କ ଦୁର୍ଘଟଣା ଘଟି ୮ ଜଣଙ୍କର ଜୀବନ ଯାଇଛି। କଟକ ଜିଲ୍ଲା ଆଠଗଡ଼ର କନ୍ଦରପୁରରେ ଏକ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଦୁଇଜଣ କଲେଜ ଛାତ୍ର ପ୍ରାଣ ହରାଇଛନ୍ତି।
ଆଠଗଡ଼/ନୂଆପଡ଼ା/ବଲାଙ୍ଗୀର/ଝାରସୁଗୁଡ଼ା: କଟକ, ନୂଆପଡ଼ା, ବଲାଙ୍ଗୀର ଓ ଝାରସୁଗୁଡ଼ା ଜିଲ୍ଲାରେ ପୃଥକ ସଡ଼କ ଦୁର୍ଘଟଣା ଘଟି ୮ ଜଣଙ୍କର ଜୀବନ ଯାଇଛି। କଟକ ଜିଲ୍ଲା ଆଠଗଡ଼ର କନ୍ଦରପୁରରେ ଏକ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଦୁଇଜଣ କଲେଜ ଛାତ୍ର ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଅଂଶୁମାନ ଦାସ (୧୭) ଓ ସୌମ୍ୟରଞ୍ଜନ ବେହେରା (୧୭)। ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଲୁକୁପାଲି ଛକ ୩୫୩ ନଂ ଜାତୀୟ ରାଜପଥରେ ଭାଇଭଉଣୀଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀର ସଇଁତଳାରେ କାର୍ ଧକ୍କାରେ ୨ ଜଣ ଯୁବକ ଓ ଝାରସୁଗୁଡ଼ା ବଡ଼ମାଳ ଥାନା ଖେରୁଆଲ ନିକଟରେ ଟ୍ରେଲର୍ ଧକ୍କାରେ ଜଣେ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି। ବୁଧବାର ଅପରାହ୍ଣ ୩ଟାରେ ନୂଆପଡ଼ା କୋମନା ବ୍ଲକ୍ ବାଟିବାହାଳ ଗ୍ରାମର ସଞ୍ଜୁ ସାହୁ (୨୪)ଙ୍କ ଦେହ ଅସୁସ୍ଥ ଥିବାରୁ ଭାଇ ସୁମନ୍ତ ସାହୁ (୨୬) ତାଙ୍କୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଆଣୁଥିଲେ।
ଆଠଗଡ଼ରେ ଭ୍ୟାନ୍ ଧକ୍କାରେ ୨ କଲେଜ ଛାତ୍ର ମୃତ
ନୂଆପଡ଼ାରେ ଭାଇ, ଭଉଣୀଙ୍କ ସହ ୩ ଜଣଙ୍କ ମୃତ୍ୟୁ
ବଲାଙ୍ଗୀରରେ କାର୍ ଧକ୍କାରେ ଆଖି ବୁଜିଲେ ୨ ଯୁବକ
ଟ୍ରେଲର୍ ଧକ୍କାରେ ବାଇକ୍ ଆରୋହୀଙ୍କ ପ୍ରାଣ ଗଲା
ଅନ୍ୟପଟେ ଛତିଶଗଡ଼ ରାଜ୍ୟ ଚୁରକିଦାଦର ପାରସରାମ ନାଗେଶ (୩୦)ଙ୍କ ସହ ୪ ଜଣ ଏକ ବାଇକ୍ରେ କୋମନା ଥାନା ସଲଙ୍ଗିପଡ଼ା ଯାଉଥିଲେ। ୩୫୩ ନଂ ଜାତୀୟ ରାଜପଥ ଲୁକୁପାଲି ଛକରେ ଉଭୟ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସମସ୍ତ ୬ ଜଣ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଆହତମାନଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ସୁମନ୍ତ ସାହୁ ଓ ପାରସରାମ ନାଗେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସଞ୍ଜୁଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାୟପୁର ନିଆଯାଉଥିବା ସମୟରେ ବାଟରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟ ୩ ଜଣ ଯୁବକ ଏବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଅନ୍ତର୍ଗତ ମହଗାଁ ଛକ ନିକଟରେ କାର୍ ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ ଟିଟିଲାଗଡ଼ ସହର ନିକଟ ଭିର୍କାପଡ଼ା ଗାଁର ରାଜନ ରତେଇ (୩୦) ଓ ଭୁସଲାଡ଼ ଗାଁର ମନୋଜ ବନ୍ଛୋର (୧୭)। ରାଜନ ଓ ମନୋଜ ମଙ୍ଗଳବାର ରାତିରେ ବାଇକ୍ (ଓଡି୦୩ ଏଫ-୫୦୦୬)ରେ ସଇନ୍ତଳାରୁ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ଭବାନୀପାଟଣା ପଟୁ ବଲାଙ୍ଗୀର ଅଭିମୁଖେ ଆସୁଥିବା କାର୍ (ଓଡି୧୭ ଏଏ ୦୦୮୪) ମହଗାଁ ଛକ ନିକଟରେ ସେମାନଙ୍କୁ ଧକ୍କା ଦେଇଥିଲା। ପୁଲିସ ଘଟଣାସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଝାରସୁଗୁଡ଼ା ବଡ଼ମାଳ ଥାନା ଖେରୁଆଲ ନିକଟରେ ଟ୍ରେଲର୍ (ସିଜି୦୭ ବିଆର୍-୮୦୪୧) ଧକ୍କାରେ ବାଇକ୍ (ଓଡି୧୫ ୱାଇ-୬୧୩୬) ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ତେଲିମ୍ ଗ୍ରାମର ଆଶିଷ ଜୟପୁରିଆ (୧୯)।
ସୌଜନ୍ୟ-ସମ୍ୱାଦ
Comments are closed.