Breaking News

ସତ କହୁଛି: ଅମୃତ ସେବନ

ଭାରତବର୍ଷରେ ‘ଅମୃତ’ ନାମରେ ପ୍ରସ୍ତୁତ ଏକ ମଦକୁ ଆପଣମାନେ କିଭଳି ଗ୍ରହଣ କରିପାରୁଛନ୍ତି? ଅମୃତ ହେଉଛି ଆମ ସନାତନ ଧର୍ମରେ ବର୍ଣ୍ଣିତ ସମୁଦ୍ର ମନ୍ଥନରୁ ଉତ୍ପନ୍ନ ଚଉଦ ରତ୍ନ ମଧ୍ୟରୁ ଅନ୍ୟତମ ରତ୍ନ, ଯାହା ସ୍ୱର୍ଗରେ ଦେବତାମାନଙ୍କୁ ଅମରତ୍ୱ ପ୍ରଦାନ କରିଥାଏ।

ଶ୍ୟାମସୁନ୍ଦର ଅଗ୍ରୱାଲା

ଭାରତବର୍ଷରେ ‘ଅମୃତ’ ନାମରେ ପ୍ରସ୍ତୁତ ଏକ ମଦକୁ ଆପଣମାନେ କିଭଳି ଗ୍ରହଣ କରିପାରୁଛନ୍ତି? ଅମୃତ ହେଉଛି ଆମ ସନାତନ ଧର୍ମରେ ବର୍ଣ୍ଣିତ ସମୁଦ୍ର ମନ୍ଥନରୁ ଉତ୍ପନ୍ନ ଚଉଦ ରତ୍ନ ମଧ୍ୟରୁ ଅନ୍ୟତମ ରତ୍ନ, ଯାହା ସ୍ୱର୍ଗରେ ଦେବତାମାନଙ୍କୁ ଅମରତ୍ୱ ପ୍ରଦାନ କରିଥାଏ। ଏହି ଭଳି ଏକ ପବିତ୍ର ପାନୀୟ ନାଁରେ ବାଙ୍ଗାଲୋର ଡିଷ୍ଟିଲାରିରୁ ଉତ୍ପନ୍ନ ଏକ ସିଙ୍ଗଲ ମଲ୍‌ଟ ହ୍ୱିସକି ଉଭୟ ସରକାର ଓ ଜନସାଧାରଣଙ୍କ ଦ୍ୱାରା କିଭଳି ଗ୍ରହଣୀୟ ହୋଇପାରିଛି ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କେବଳ ‘ଅମୃତ’ ନୁହେଁ ଆମ ଦେଶରେ ପ୍ରସ୍ତୁତ ଅନ୍ୟ ଏକ ପ୍ରସିଦ୍ଧ ମଦର ନାଁ ହେଉଛି ‘ଇନ୍ଦ୍ରୀ’, ଯାହା ପୃଥିବୀର ଅନ୍ୟତମ ସିଙ୍ଗଲ ମଲ୍‌ଟ ହ୍ୱିସକି ବୋଲି ପରିଚୟ ଲାଭ କରିଛି। ‘ଇନ୍ଦ୍ରୀ’ ଶବ୍ଦ ସ୍ୱର୍ଗରେ ଦେବତାମାନଙ୍କର ରାଜା ଇନ୍ଦ୍ରଙ୍କ ନାମ ସହିତ ଏକ ଭ୍ରମ ସୃଷ୍ଟି କରୁଛି। ମଦମାନଙ୍କର ଏହିଭଳି ନାମକରଣ ଆମ ଭାରତୀୟ ସଂସ୍କୃତିର ଅବମାନନା ନୁହେଁ କି?
‘ଅମୃତ’ ହେଉ କି ‘ଇନ୍ଦ୍ରୀ’ ହେଉ, ଏହି ମଦ ବୋତଲମାନଙ୍କ ଉପରେ ଭାରତ ସରକାରଙ୍କ ତରଫରୁ ଏକ ବୈଧାନିକ ସତର୍କତା ମଧ୍ୟ ଲେଖାଯାଇଛି। ଏହି ସତର୍କତାଟି ହେଉଛି- “ଏହାର ସେବନ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଅଟେ।” ଥରେ ଭାବନ୍ତୁ ତ ‘ଅମୃତ’ ଯାହାକୁ ସେବନ କରିବା ନିମନ୍ତେ ଦେବତା ଓ ରାକ୍ଷସଙ୍କ ଭିତରେ କଳି ହୋଇଥିଲା ଆଉ ଯାହାର ସେବନ ଆମକୁ ଚିରଞ୍ଜୀବୀ କରେଇବା କଥା ତାହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ କିପରି ହୋଇ ପଡ଼ିଲା? ପୁଣି ସତର୍କ କରି ଦିଆଯାଇଛି ଯେ, ସାବଧାନ ଏହାକୁ ପିଇ ଗାଡ଼ି ଚଲାନ୍ତୁ ନାହିଁ, ଅର୍ଥାତ୍‌ ଏହାକୁ ପିଇ ଗାଡ଼ି ଚଲେଇଲେ ଦୁର୍ଘଟଣା ହୋଇପାରେ ଓ ଆପଣଙ୍କ ପ୍ରାଣ ଚାଲି ଯାଇପାରେ। ଅମୃତ ପିଇଲେ ପ୍ରାଣ କେମିତି ଚାଲିଯିବ? ଏ କଥା ଭାବିଲେ ମୁଣ୍ଡଟା ପୂରା ଟିଣ ହୋଇଯାଉଛି।
ଏହି ଭଳି ଧାର୍ମିକ ନାମକରଣ ସବୁ ମଦ୍ୟପାନକୁ ଅଧିକ ଉତ୍ସାହିତ କରୁନାହିଁ କି? ଭାରତ ସରକାର ମଦମାନଙ୍କର ଏ ଭଳି ନାମକରଣକୁ ବିରୋଧ କରୁ ନଥିବା ବେଳେ ଆସନ୍ନ ଆଇପିଏଲ ମ୍ୟାଚରେ ମଦ୍ୟପାନ ଓ ଗୁଟଖା ସେବନର ବିଜ୍ଞାପନର ପ୍ରସାରଣକୁ ବନ୍ଦ କରିବା ପାଇଁ ଅନୁରୋଧ କରୁଛନ୍ତି। ଭାରତ ସରକାରଙ୍କ ଅନୁରୋଧ କିଏ ବା ପ୍ରତ୍ୟାଖ୍ୟାନ କରିବ? ଏହାକୁ କୁହନ୍ତି ମାର ମାର ଭଣ୍ଡାରିଆକୁ ମାର। ସରକାର ଉଭୟ ମଦ୍ୟ ପ୍ରସ୍ତୁତି ଓ ବିକ୍ରୟକୁ ଉତ୍ସାହିତ କରୁଥିବା ବେଳେ ଏହାର ବିଜ୍ଞାପନକୁ ନାମକୁ ମାତ୍ର କେବଳ ସାମୟିକ ଭାବେ ବିରୋଧ କରୁଛି। ଏହା ଧର୍ମକୁ ଆଖିଠାର ସଦୃଶ ନୁହେଁ କି?
ରାତିଦିନ ବିଭିନ୍ନ ବିଜ୍ଞାପନ ଗଣମାଧ୍ୟମରେ ସୁରାପାନ ଓ ଗୁଟଖା ସେବନକୁ ଯଥାକ୍ରମେ ଶୁଦ୍ଧ ପାନୀୟ ଜଳ ଓ ସୁବାସିତ ଅଳେଇଚ ଦାନା କହି ବିକ୍ରି କରିଆସୁଛି। ଚଳଚ୍ଚିତ୍ରର ସୁପ୍ରସିଦ୍ଧ ନାୟକ ନାୟିକାମାନେ ଏହାକୁ ସେବନ କରି ଅଦ୍ଭୁତ କଳାକୌଶଳ ପ୍ରଦର୍ଶନ କରୁଛନ୍ତି। ଏହାର ବାସ୍ନାରେ ନାୟିକାମାନେ ଆକର୍ଷିତ ହୋଇପଡ଼ି ନାୟକଙ୍କ ପାଖରେ ନିଜକୁ ସମର୍ପଣ କରିଦେଉଛନ୍ତି। ଏହାର ସ୍ୱାଦରେ ଶରୀରରେ ଅଦ୍ଭୁତ ରୋମାଞ୍ଚ ସୃଷ୍ଟି ହୁଏ ବୋଲି ଦର୍ଶାଯାଉଛି କିନ୍ତୁ ଶେଷ ଦୃଶ୍ୟରେ ଏହା କେବଳ ଶୁଦ୍ଧ ପାନୀୟ ଜଳ ଓ କିମ୍ବା ମସଲାଯୁକ୍ତ ଅଳେଇଚ ଦାନା ବୋଲି କୁହାଯାଉଛି। ଇଂରେଜୀରେ ଏହାକୁ ‘ଅଷ୍ଟ୍ରିଚ୍ ସିଣ୍ଡ୍ରୋମ’ ବୋଲି କୁହାଯାଇଥାଏ। ବିପଦରୁ ମୁକ୍ତ ହେବା ପାଇଁ ଅଷ୍ଟ୍ରିଚ ପକ୍ଷୀ ଯେପରି ବାଲିରେ ମୁହଁ ଲୁଚେଇ ଦେଇ ନିଜକୁ ନିଜେ ଠକିଥାଏ, ଆମ ସରକାର ସେମିତି ଶୁଦ୍ଧ ଜଳ ଓ ଅଳେଇଚ ଦାନା ଭିତରେ ମୁହଁ ଲୁଚେଇଦେଇ ଆସଲି ମଦ ଓ ଗୁଟଖାକୁ ଦେଖିପାରିନଥାନ୍ତି।
ବନ୍ଧୁଗଣ, ବର୍ତ୍ତମାନ ମଦ୍ୟପାନର ଭୟଙ୍କର ପ୍ରଭାବ ପ୍ରତ୍ୟହ ଖବରକାଗଜମାନଙ୍କରେ ପ୍ରକାଶିତ ହେବାରେ ଲାଗିଛି। ମଦୁଆ ସ୍ୱାମୀ ମାଂସ ରାନ୍ଧିଲାନି ବୋଲି ସ୍ତ୍ରୀକୁ ହତ୍ୟା କରିଦେଉଛି। ମଦୁଆ ପୁଅ ଟଙ୍କା ଦେଲାନି ବୋଲି କାଠ ଫାଳିଆରେ ବାପାର ମୁଣ୍ଡ ଫଟେଇ ଦେଉଛି। ମଦୁଆ ଭାଇ ମଦ୍ୟପାନ କରି ଭଉଣୀକୁ ଧର୍ଷଣ କରିପକଉଛି। ସଦ୍ୟ ଘଟିଥିବା ଏକ ଘଟଣା ଅନୁଯାୟୀ ମଦ୍ୟପାନ କରି ଜଣେ ଯୁବକ ଗାଡ଼ି ଦୁର୍ଘଟଣାରେ ଅଟୋରେ ଯାଉଥିବା ଜଣେ ମହିଳାଙ୍କୁ ହତ୍ୟା ଓ ଚାରିଜଣଙ୍କୁ ରକ୍ତାକ୍ତ କରି ରାସ୍ତା ଉପରେ ଛିଡ଼ାହୋଇ ଆହୁରି ଅଧିକ ମଦ ପିଇବା ପାଇଁ ଜିଦ କରି ବସୁଛି। ଏହି ଭଳି ମଦର ଦୁଷ୍ପ୍ରଭାବ ସଂପର୍କରେ ରାତିଦିନ ବାଟଘାଟରୁ ଆରମ୍ଭ କରି ଗଣମାଧ୍ୟମରେ ଆଲୋଚନାର ଅଭାବ ନାହିଁ କିନ୍ତୁ ଏହାର ପ୍ରସାର ରୋକିବାକୁ କାହାର ଜୁ ନାହିଁ।
ସରକାର ମଦର ପ୍ରସାର ବନ୍ଦ କରିବେ କ’ଣ, କିଭଳି ନୂଆ ନୂଆ ଜିନିଷରୁ ଆହୁରି ଉତ୍କୃଷ୍ଟ ମଦ୍ୟ ପ୍ରସ୍ତୁତି ହୋଇପାରିବ ତାହା ଉପରେ ଗବେଷଣାରେ ବ୍ୟସ୍ତ ରହୁଛନ୍ତି। ଏହି ପରି ଏକ ଗବେଷଣା ଅନୁଯାୟୀ କେବଳ ମହୁଲରୁ ନୁହେଁ ମାଣ୍ଡିଆରୁ ମଧ୍ୟ ଉତ୍କୃଷ୍ଟ ମଦ୍ୟ ପ୍ରସ୍ତୁତି କରିବାର ଯୋଜନା ଆରମ୍ଭ ହୋଇଯାଇଛି। ଏଣେ ଶ୍ରୀଅନ୍ନ ଯୋଜନାରେ ମାଣ୍ଡିଆକୁ ଅନ୍ତର୍ଭୁକ୍ତ କରେଇ ମାଣ୍ଡିଆକୁ ଓଡ଼ିଶାର ଏକ ପୌଷ୍ଟିକ ଆହାର ରୂପେ ଗ୍ରହଣ କରିବା ନିମନ୍ତେ ପ୍ରଚାର ଚାଲୁଥିବା ବେଳେ ତେଣେ ଏଥିରୁ ପୌଷ୍ଟିକ ମଦ୍ୟ ପ୍ରସ୍ତୁତି ହେବାର ଯୋଜନା ଚାଲିଛି। ଅମୃତ ଓ ଇନ୍ଦ୍ରୀ ସଦୃଶ ଶ୍ରୀଅନ୍ନ ପୌଷ୍ଟିକ ମଦ ଆହୁରି ଆକର୍ଷଣୀୟ ହେବ ନାହିଁକି?
କୌତୂହଳର ବିଷୟ ଯେ ସରକାର ରାଜସ୍ୱ ବୃଦ୍ଧି ପାଇଁ ନିଶା ସେବନକୁ ପ୍ରୋତ୍ସାହନ ଦେଉଥିବା ବେଳେ ନିଶା ନିବାରଣ ନିମନ୍ତେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠିର ମଧ୍ୟ ବ୍ୟବସ୍ଥା କରିଛନ୍ତି। ବୋଧହୁଏ ସରକାର ଗୋଟିଏ ହାତରେ ନିଶାର ବେଉସା କରି ଅନ୍ୟ ହାତରେ ଧର୍ମର ପାଳନ କରିବାର ଅଭିନୟ କରୁଛନ୍ତି। ଥରେ ଡକାଏତମାନେ ଜଙ୍ଗଲରେ ଏକ କବି ସମ୍ମିଳନୀ କଲେ। କବିମାନଙ୍କୁ ଡାକି ପୁରସ୍କୃତ କଲେ ଓ ତାଙ୍କ କବିତା ଆବୃତ୍ତିରେ ମୁଗ୍‌ଧ ହୋଇ ଯଥେଷ୍ଟ ଧନରାଶି ଦେଇ ବିଦାୟ ଦେଲେ। ରାତିରେ କବିମାନେ ଘରକୁ ଫେରୁଥିବା ବେଳେ ସେହି ଡକାଏତମାନେ ରାସ୍ତାରେ ତାଙ୍କୁ ଅଟକେଇ ସବୁ ଧନରାଶି ଲୁଟତରାଜ କରି ନେଇଗଲେ। କବିମାନେ ପ୍ରଶ୍ନ କଲେ, “ଆପଣମାନେ ଆମକୁ ଦେଲେ କାହିଁକି ଆଉ ପୁଣି ନେଲେ କାହିଁକି?” ଡକାଏତମାନେ କହିଲେ, “ଦେବା ହେଉଛି ଆମର ଧର୍ମ ଆଉ ନେବା ହେଉଛି ଆମର ବେଉସା। ଉଭୟ ଧର୍ମ ଓ ବେଉସାରେ ଆମେ କେଭେଁ ଅବହେଳା କରୁନାହୁଁ।”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.