Breaking News

ସତ କହୁଛି: କୁମ୍ଭ ସୁନ୍ଦରୀ

ଥରେ ଖବରକାଗଜମାନଙ୍କରେ ଦୁଇଟି ସୁବାସିତ ସାବୁନର ବିଜ୍ଞାପନ ବହୁଳ ପ୍ରସାରିତ ହେଲା। ପ୍ରଥମ ସାବୁନଟିକୁ ଏକ ନାମଜାଦା ବିଶ୍ୱବିଦ୍ୟାଳୟର ଦଶ ଜଣ ବିଶିଷ୍ଟ ବୈଜ୍ଞାନିକ ସୁପାରିସ କରିଥିଲେ। ସାବୁନରେ ବ୍ୟବହୃତ ବିଭିନ୍ନ ଉପାଦାନଗୁଡ଼ିକ ବିଶ୍ଳେଷଣ କରି...

ଶ୍ୟାମସୁନ୍ଦର ଅଗ୍ରୱାଲା

ଥରେ ଖବରକାଗଜମାନଙ୍କରେ ଦୁଇଟି ସୁବାସିତ ସାବୁନର ବିଜ୍ଞାପନ ବହୁଳ ପ୍ରସାରିତ ହେଲା। ପ୍ରଥମ ସାବୁନଟିକୁ ଏକ ନାମଜାଦା ବିଶ୍ୱବିଦ୍ୟାଳୟର ଦଶ ଜଣ ବିଶିଷ୍ଟ ବୈଜ୍ଞାନିକ ସୁପାରିସ କରିଥିଲେ। ସାବୁନରେ ବ୍ୟବହୃତ ବିଭିନ୍ନ ଉପାଦାନଗୁଡ଼ିକ ବିଶ୍ଳେଷଣ କରି ଏହା ସ୍ୱାସ୍ଥ୍ୟ ନିମନ୍ତେ ହିତକର ବୋଲି ସେମାନେ ମତାମତ ଦେଇ ଏହାକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଦ୍ୱିତୀୟ ସାବୁନଟିକୁ ଦଶ ଜଣ ବଛା ବଛା ସୁନ୍ଦରୀ ଅଭିନେତ୍ରୀ ସୁପାରିସ କରିଥିଲେ ଓ ସେମାନଙ୍କର ବିଭିନ୍ନ ଅଙ୍ଗଭଙ୍ଗୀର ଚିତ୍ର ପ୍ରକାଶ କରି ଏଥି ନିମନ୍ତେ ଏହି ସାବୁନର ଅବଦାନ ରହିଛି ବୋଲି ସେମାନେ ବର୍ଣ୍ଣନା କରିଥିଲେ। ଦେଖାଗଲା ସୁନ୍ଦରୀ ଅଭିନେତ୍ରୀମାନଙ୍କର ପସନ୍ଦ ଦ୍ୱିତୀୟ ସାବୁନର ବହୁଳ ବିକ୍ରି ହେଲା ଓ ବିଶ୍ୱବିଖ୍ୟାତ ବୈଜ୍ଞାନିକମାନଙ୍କର ସୁପାରିସ ପାଇଥିବା ପ୍ରଥମ ସାବୁନଟି ଆଦୌ ବିକ୍ରି ନ ହୋଇ ବଜାରରୁ ବିଦାୟ ନେଲା।
ବନ୍ଧୁଗଣ, ବିଶ୍ୱବିଦ୍ୟାଳୟ ଓ ବୈଜ୍ଞାନିକମାନଙ୍କର ଗଭୀର ଅନୁସନ୍ଧାନ କ’ଣ କାମକୁ ଆସିଲା? ଶେଷକୁ ଏମାନଙ୍କୁ ସୁନ୍ଦରୀ ଅଭିନେତ୍ରୀମାନଙ୍କ ଠାରୁ ହାର ମାନିବାକୁ ପଡ଼ିଲା କାରଣ ଯେଉଁଠି ସୁନ୍ଦରୀମାନଙ୍କର ପ୍ରାଦୁର୍ଭାବ ପଡ଼ିଥାଏ ସେଇଠି ପ୍ରାୟ କୌଣସି ବୁଦ୍ଧି, ବିଦ୍ୟା, ଜ୍ଞାନ, ଧର୍ମ କିମ୍ବା ପୁଣ୍ୟ କାମ କରି ନ ଥାଏ। ତା’ ନ ହୋଇଥିଲେ ପ୍ରୟାଗରାଜ କୁମ୍ଭରେ ଲକ୍ଷ ଲକ୍ଷ ଲୋକ ଶଙ୍କରାଚାର୍ଯ୍ୟଙ୍କ ଧର୍ମ ପ୍ରବଚନକୁ ନ ଶୁଣି ଜଣେ ସୁନ୍ଦରୀ ସାଧ୍ୱୀ ହର୍ଷା ରିଛାରିୟାଙ୍କୁ ଦେଖିବାକୁ ଏମିତି ଧାଇଁ ନଥାନ୍ତେ। ସୁନ୍ଦରୀ ହର୍ଷା ହେଉଛନ୍ତି ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାସନନ୍ଦ ଗିରିଙ୍କ ଅତ୍ୟନ୍ତ ପ୍ରିୟ ଶିଷ୍ୟା। ସେ ସନ୍ନ୍ୟାସିନୀ ହେଲେ ବି ଅତ୍ୟନ୍ତ ସୌଖୀନ ଜୀବନଯାପନ କରନ୍ତି ଓ ବେଶଭୂଷାକୁ ଅତ୍ୟନ୍ତ ଗୁରୁତ୍ୱ ଦିଅନ୍ତି। ସେ ସାମାଜିକ ଗଣମାଧ୍ୟମରେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ମଡେଲ, ଟିଭି ଉପସ୍ଥାପିକା ଓ ଯୋଗ ପ୍ରଶିକ୍ଷିକା ଅଟନ୍ତି। ତିରିଶ ବର୍ଷ ବୟସ୍କା ସୁନ୍ଦରୀ ହର୍ଷାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ କୋଡ଼ିଏରୁ ପଚିଶ ଲକ୍ଷ ଅନୁଗାମୀ ଅଛନ୍ତି ଯାହାକି ହୁଏତ କୁମ୍ଭରେ ଉପସ୍ଥିତ କୌଣସି ଧର୍ମଗୁରୁଙ୍କର ମଧ୍ୟ ନ ଥିବ।
କୌତୂହଳର ବିଷୟ ହେଉଛି ଯେ ହର୍ଷା ସାଧୁ ସନ୍ଥଙ୍କ ସଦୃଶ ରଥରେ ବସି ଅମୃତସ୍ନାନ ପାଇଁ ଏକ ଆଖଡ଼ା ଶୋଭାଯାତ୍ରାରେ ଯାଇଥିଲେ। ସ୍ଥିତି ଏପରି ହେଲା ଯେ ସେଠାରେ ଉପସ୍ଥିତ ଲକ୍ଷ ଲକ୍ଷ ଲୋକ ସାଧୁସନ୍ଥମାନଙ୍କୁ ନ ଦେଖି ସୁନ୍ଦରୀ ହର୍ଷାଙ୍କୁ ଦେଖିବାକୁ ଭିଡ଼ ଲଗେଇଦେଲେ। ଏ ସଂପର୍କରେ ଶଙ୍କରାଚାର୍ଯ୍ୟ ମୁକ୍ତେଶ୍ୱରାନନ୍ଦ ମହାରାଜ ବିରକ୍ତ ହୋଇ ଭୀଷଣ ପ୍ରତିକ୍ରିୟା ପ୍ରକାଶ କରିବାରୁ ହର୍ଷାଙ୍କୁ ବାଧ୍ୟ ହୋଇ କୁମ୍ଭ ମେଳାରୁ ବିଦାୟ ନେବାକୁ ପଡ଼ିଥିଲା। ପ୍ରଶ୍ନ ଉଠେ ଏଠାରେ ଏତେ ଧର୍ମ, ପୁଣ୍ୟ, ଜ୍ଞାନ ଓ ଧାର୍ମିକ ପ୍ରବଚନ ସବୁ କ’ଣ କାମକୁ ଆସିଲା? ଶେଷକୁ ସମସ୍ତଙ୍କୁ ଏକ ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟ ପାଖରେ ହାର ମାନିବାକୁ ପଡ଼ିଲା।
ନୀଳନୟନା ଷୋଡ଼ଷୀ ମୋନାଲିସା ଏହାର ଏକ ଜ୍ୱଳନ୍ତ ଉଦାହରଣ। ମୋନାଲିସା ଜଣେ ମାଳିନୀ ଯିଏ କି ପ୍ରୟାଗରାଜ ମହାକୁମ୍ଭରେ ମାଳା ଓ ରୁଦ୍ରାକ୍ଷ ବିକିବାକୁ ଆସିଥିଲା। ଆଖି ଦୁଇଟି ତା’ର ଥିଲା ଏକ ସୀମାହୀନ ନୀଳସାଗର ସଦୃଶ, ଯେଉଁଠି ବୁଡ଼ ପକାଇବାକୁ ଲକ୍ଷ ଲକ୍ଷ ଲୋକ ଧାଡ଼ି ବାନ୍ଧିବାରେ ଲାଗିଲେ। ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁମାନେ ସଙ୍ଗମର ଜଳସ୍ନାନ ଛାଡ଼ି ମୋନାଲିସାର ନେତ୍ରସ୍ନାନରେ ଉବୁଟୁବୁ ହେବାକୁ ଚାହିଁଲେ। କୋଟି କୋଟି ଜନସମୁଦ୍ର ଭିତରେ ମୋନାଲିସା ପାଲଟିଗଲା ଏକ ରୋମାଞ୍ଚକର ଆକର୍ଷଣ। କିଏ ତାକୁ ବିଶ୍ୱସୁନ୍ଦରୀ ଐଶ୍ବର୍ଯ୍ୟା ରାୟ କହିଲା ତ କିଏ ତାକୁ ଭାରତର ଆଞ୍ଜେଲିନା ଜୋଲି କହିଲା ତ ଆଉ କିଏ ତାକୁ ଲିଓନାର୍ଡ ଡା’ ଭିନ୍‌ସିଙ୍କ ଚିତ୍ର ମୋନାଲିସା ସହିତ ତୁଳନୀୟା ବୋଲି କହିଲା।
ସାମାଜିକ ଗଣମାଧ୍ୟମରେ ମୋନାଲିସାର ହସହସ ଚିତ୍ର ଘୂରି ବୁଲିଲା। ମେଳାର ନାହିଁ ନ ଥିବା ଭିଡ଼ ଭିତରେ ଏହି ସୌନ୍ଦର୍ଯ୍ୟ ପିପାସୁମାନେ ମୋନାଲିସାର ସାମାନ୍ୟ ଝଲକଟିଏ ପାଇବା ପାଇଁ ପାଗଳ ହୋଇଉଠିଲେ। ସତେ ଯେମିତି ଏହାର ଦର୍ଶନରେ ସେମାନଙ୍କର ଯୁଗ ଯୁଗର ପାପ କ୍ଷୟ ହୋଇଯିବ ଓ ଜନ୍ମ ଜନ୍ମର ତୃଷ୍ଣା ମେଣ୍ଟିଯିବ। ଲୋକମାନେ ସାଧୁସନ୍ଥମାନଙ୍କର ପ୍ରବଚନ ଛାଡ଼ି ମୋନାଲିସାର ସାମାନ୍ୟ ସହଚର୍ଯ୍ୟ ଖୋଜିବାରେ ଲାଗିଲେ। ଶେଷକୁ ସ୍ଥିତି ଏମିତି ଅସମ୍ଭାଳ ହେଲା ଯେ କୁମ୍ଭମେଳା କର୍ତ୍ତୃପକ୍ଷ ଓ ପ୍ରଶାସନକୁ କଠୋର ନିଷ୍ପତ୍ତି ନେବାକୁ ହେଲା ଏବଂ ମୋନାଲିସାକୁ ମେଳାରୁ ବିଦାୟ ନେବାକୁ ପଡ଼ିଲା। ସଂକ୍ଷେପରେ କହିବାକୁ ଗଲେ, ସୁନ୍ଦରୀ ଷୋଡ଼ଷୀର ନୀଳନୟନର ଆକର୍ଷଣ ଆଗରେ ସାଧୁସନ୍ଥମାନଙ୍କର ଦର୍ଶନ ଓ ପ୍ରବଚନକୁ ହାର ମାନିବାକୁ ପଡ଼ିଲା।
କେବଳ ସାଧାରଣ ଲୋକ ନୁହନ୍ତି, କୁମ୍ଭରେ ଏହି ଅପରୂପା ସୁନ୍ଦରୀମାନଙ୍କର ପ୍ରଭାବ ଅନେକ ସାଧୁସନ୍ଥମାନଙ୍କ ଉପରେ ମଧ୍ୟ ପ୍ରଭାବ ପକେଇବାର ଖବର ଆସିଛି। ରୁଷିଆର ଏକ ସୁନ୍ଦରୀଙ୍କ ଆକର୍ଷଣରେ ଜଣେ ବାବା ଅଘୋରୀ ନିଜର ତପସ୍ୟା ଭଙ୍ଗ କରି ବାବାରୁ ବର ହୋଇଯାଇଛନ୍ତି। ଅଘୋରୀ ବାବା ଏହି ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟରେ ଆତ୍ମହରା ହୋଇପଡ଼ି ନିଜର ଦୀର୍ଘକାଳୀନ ବ୍ରହ୍ମଚର୍ଯ୍ୟ ବ୍ରତ ତ୍ୟାଗ କରିବାକୁ ବାଧ୍ୟ ହୋଇଛନ୍ତି। ଅତଏବ ଅଘୋରୀ ପରି ଶୈବ ଧର୍ମର ଏକ କଠୋର ତାନ୍ତ୍ରିକ ବାବାଙ୍କୁ ମଧ୍ୟ ଶେଷରେ ସୁନ୍ଦରୀଙ୍କ ପାଖରେ ହାର ମାନିବାକୁ ପଡ଼ିଛି।
ମୋ’ର ଜଣେ ସମ୍ପର୍କୀୟ ଭାଇଙ୍କ କଥା କହୁଛି। ଭାଇ ତ ନୁହେଁ, ବନ୍ଧୁ କୁହାଯାଇପାରେ। ସେ ସର୍ବଦା ସାଧୁ, ସନ୍ଥ ଓ ଧାର୍ମିକ ପ୍ରବଚନରେ ରୁଚି ରଖନ୍ତି। ଥରେ ଆମ ସମାଜରେ ଜଣେ ପ୍ରୌଢ଼ ବ୍ୟକ୍ତି ଏକ ନବବିବାହିତା ଯୁବତୀଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇପଡ଼ି ତାକୁ କୌଣସି ମତେ ଫୁସଲାଫୁସୁଲି କରି ଫେରାର ହୋଇଗଲେ। ଏ କଥା ଶୁଣି ଭାଇ କ୍ରୋଧାନ୍ୱିତ ହୋଇପଡ଼ିଲେ ଆଉ କହିଲେ, “ଯୁଗ କ’ଣ ହୋଇଗଲା? ବୟସର କାଣ୍ଡଜ୍ଞାନ ମଧ୍ୟ ଲୋକଙ୍କର ରହିଲା ନାହିଁ। ଏହା ପ୍ରୌଢ଼ଙ୍କର ଏକ ଅକ୍ଷମଣୀୟ ଅପରାଧ।” ଏ କଥାର ମାସକ ପରେ ଦୈବାତ ଗୋଟେ ବିଭାଘର ଭୋଜିରେ ସେହି ସୁନ୍ଦରୀଙ୍କୁ ଦେଖେଇ ମୁଁ ଭାଇଙ୍କୁ କହିଲି, “ଭାଇ, ଏ ହେଉଛି ସେହି ଯୁବତୀ ଯିଏ ପ୍ରୌଢ଼ ବ୍ୟକ୍ତିଙ୍କ ସହିତ ଫେରାର ହୋଇଯାଇଥିଲା।” ଭାଇ ତାକୁ ଦୁଇ ମିନିଟ କାଳ ଅପଲକ ନୟନରେ ଦେଖିଲେ ଓ ଏକ ଦୀର୍ଘଶ୍ୱାସ ପକେଇ କହିଲେ, “ଭାଇ, ସେ ପ୍ରୌଢ଼ଙ୍କର କିଛି ଭୁଲ୍ ନାହିଁ। ମୁଁ ତାଙ୍କୁ କ୍ଷମା କରିଦେଉଛି।”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.