Breaking News

ସତ କହୁଛି: ନମାମି ଗଙ୍ଗେ

ଏ କଥା ସତ ଯେ ଆମ ଆସ୍ଥା ଓ ବିଶ୍ୱାସର ପ୍ରତୀକ ମା’ ଗଙ୍ଗାଜଳ ଏବେ ଅପମିଶ୍ରିତ ହୋଇ ମଳିନ ହୋଇପଡ଼ିଛି। ଏ କଥା ଆମେ କହୁନାହୁଁ, ନ୍ୟାସନାଲ ଗ୍ରିନ୍‌ ଟ୍ରିବୁନାଲ୍‌ର ପରିସଂଖ୍ୟାନ କହୁଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ କହୁଛି।

ଶ୍ୟାମସୁନ୍ଦର ଅଗ୍ରୱାଲା

ଏ କଥା ସତ ଯେ ଆମ ଆସ୍ଥା ଓ ବିଶ୍ୱାସର ପ୍ରତୀକ ମା’ ଗଙ୍ଗାଜଳ ଏବେ ଅପମିଶ୍ରିତ ହୋଇ ମଳିନ ହୋଇପଡ଼ିଛି। ଏ କଥା ଆମେ କହୁନାହୁଁ, ନ୍ୟାସନାଲ ଗ୍ରିନ୍‌ ଟ୍ରିବୁନାଲ୍‌ର ପରିସଂଖ୍ୟାନ କହୁଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ କହୁଛି। ଏମାନଙ୍କର ତଥ୍ୟ ଅନୁଯାୟୀ ପବିତ୍ର ଗଙ୍ଗାଜଳ ବର୍ତ୍ତମାନ ଏତେ ମାତ୍ରାରେ ପ୍ରଦୂଷିତ ଯେ ଏହା ପିଇବା ପାଇଁ ତ ଦୂରର କଥା ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ ହୋଇଯାଇଛି। ଏହି ଦୁଇଟି ସଂସ୍ଥା ଯଥାକ୍ରମେ ଭାରତ ସରକାରଙ୍କ ଏକ ନ୍ୟାୟିକ ଓ ବୈଧାନିକ ସଂସ୍ଥା। ଯେହେତୁ ବର୍ତ୍ତମାନ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ଦଳର ସରକାର ରାଜୁତି କରୁଛନ୍ତି, ତେଣୁ ଏଥିରେ ରାଜନୀତିର ମଧ୍ୟ କୌଣସି ସନ୍ଦେହ ଉପୁଜୁ ନାହିଁ। ପ୍ରଶ୍ନ ଉଠେ, ଏହି ଦୁଇଟି ସଂସ୍ଥାର ମତାମତ ଓ ଉପଦେଶ ଗ୍ରହଣ କରି ଶୁଦ୍ଧୀକରଣ କରିବାକୁ ଚେଷ୍ଟା କରିବା ନା ଏମାନଙ୍କୁ ଗାଳିଗୁଲଜ କରି ମା’ ଗଙ୍ଗାକୁ ଯେମିତିକୁ ସେମିତି ଅପମିଶ୍ରିତ ରଖିବା?
ବନ୍ଧୁଗଣ, ଥରେ ଈଶ୍ୱରୀୟ ବୈଜ୍ଞାନିକ ହିସାବରେ ସୁପରିଚିତ ଆଇନଷ୍ଟାଇନ କହିଥିଲେ ଯେ ଧର୍ମ ଯଦି ଅନ୍ଧ ହୁଏ ତେବେ ବିଜ୍ଞାନ ହେଉଛି ଛୋଟା। ଅର୍ଥାତ୍‌ ଧର୍ମ ଓ ବିଜ୍ଞାନ କେହି ସ୍ୱୟଂ ସମ୍ପୂର୍ଣ୍ଣ ନୁହନ୍ତି। ଦୁହେଁ ପରିପୂରକ। ତେଣୁ ପରସ୍ପର ସହିତ ଝଗଡ଼ା ନ କରି ଛୋଟା ଯଦି ଅନ୍ଧ କାନ୍ଧରେ ବସି ଦିଗଦର୍ଶନ ଦିଅନ୍ତା ତେବେ ଉଭୟ ଆନନ୍ଦରେ ଚଳପ୍ରଚଳ କରିପାରନ୍ତେ। ମହାକୁମ୍ଭ ଓ ଗଙ୍ଗାଜଳ ଆମର ଧର୍ମ ଓ ଆସ୍ଥା ସହିତ ଜଡ଼ିତ। ଗ୍ରିନ ଟ୍ରିବୁନାଲ ଓ ପ୍ରଦୂଷଣ ବୋର୍ଡର ତଥ୍ୟ ଅନୁସନ୍ଧାନ ଓ ବିଜ୍ଞାନ ଆଧାରିତ। ଏହାକୁ ଆସ୍ଥା ବନାମ ବିଜ୍ଞାନ ନ କରି ଯଦି ଆସ୍ଥା ଓ ବିଜ୍ଞାନର ମିଳନ କରାଯାଇପାରନ୍ତା ତେବେ ଆଗାମୀ ପିଢ଼ି ପାଇଁ ଏହା ଏକ ଯୁକ୍ତିଯୁକ୍ତ ଧର୍ମ ଭାବନା ସୃଷ୍ଟି କରିବାରେ ସାହାଯ୍ୟ କରନ୍ତା। ଏହି ଭାବନା ଆଗକୁ ଆସୁଥିବା ଅନେକ ଧାର୍ମିକ ମହାକୁମ୍ଭର ସ୍ୱାସ୍ଥ୍ୟଗତ ଦିଗ ପ୍ରତି ଆଉ ଅଙ୍ଗୁଳି ନ ଉଠେଇ ମା’ ଗଙ୍ଗାର ପବିତ୍ରତାର ପ୍ରଶ୍ନବାଚୀ ଉପରେ ସବୁଦିନ ପାଇଁ ପୂର୍ଣ୍ଣଛେଦ ପକାଇପାରନ୍ତା। କିନ୍ତୁ ତା’ ନ କରି ଏହାକୁ ଯଦି ସନାତନ ଧର୍ମର ଆସ୍ଥା ଓ ବିଶ୍ୱାସ ଉପରେ ଆକ୍ରମଣ କହି ହେୟଜ୍ଞାନ କରିବା ତେବେ ଏହା ମା’ ଗଙ୍ଗାକୁ ସବୁଦିନ ପାଇଁ ପ୍ରଦୂଷିତ ଓ କଳୁଷିତ କରି ରଖିବା ସହିତ ସମାନ ହେବ ନାହିଁ କି?
ଇତିହାସ ଏହି ହେୟଜ୍ଞାନ ଓ ଆକ୍ରମଣର ସାକ୍ଷୀ ରହିଛି। ଷୋଡ଼ଶ ଶତାବ୍ଦୀରେ ଯେତେବେଳେ ନିକୋଲାସ କୋପରନିକସ କହିଲେ ଯେ ସୂର୍ଯ୍ୟ ସ୍ଥିର ଓ ପୃଥିବୀ ଘୂର୍ଣ୍ଣାୟମାନ ସେତେବେଳେ ଖ୍ରୀଷ୍ଟଧର୍ମର ଆରାଧ୍ୟ ଗୁରୁମାନେ ଏହାକୁ ସେମାନଙ୍କ ଧର୍ମର ଆସ୍ଥା ଓ ବିଶ୍ୱାସ ଉପରେ ଆକ୍ରମଣ କହି ତିରସ୍କାର କରିଥିଲେ ଓ ତାଙ୍କୁ ଗାଳିଗୁଲଜ କରି ଏହିପରି ଅଧର୍ମୀ ମତାମତକୁ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ। କୋପରନିକସ କିନ୍ତୁ ନିଜ ଅନୁସନ୍ଧାନରେ ଅଟଳ ରହିଥିଲେ ଓ ଏହି ଚର୍ଚ୍ଚମାନଙ୍କ ନିର୍ଦ୍ଦେଶକୁ କର୍ଣ୍ଣପାତ କରିନଥିଲେ। ପରବର୍ତ୍ତୀ ସମୟରେ ଏହି ସତ୍ୟ ଯେତେବେଳେ ଗାଲିଲିଓ ଦୋହରାଇଲେ ସେତେବେଳର ରୋମାନ ଚର୍ଚ୍ଚର ଧର୍ମଗୁରୁମାନେ ମଧ୍ୟ ଏହି ଅଧର୍ମୀ ମତାମତକୁ ସହ୍ୟ ନ କରିପାରି ତାଙ୍କୁ ବନ୍ଦୀ କରି ରଖିଲେ, ଯେଉଁଠି ସେ ରୋଗଗ୍ରସ୍ତ ହୋଇ ଅକାଳ ମୃତ୍ୟୁବରଣ କରିଥିଲେ।
ଶେଷକୁ ଏହି ମତାମତ ସତ୍ୟ ଓ ବିଜ୍ଞାନସମ୍ମତ ବୋଲି ପ୍ରମାଣିତ ହେଲା। ସମଗ୍ର ବିଶ୍ୱବାସୀଙ୍କର ଆସ୍ଥା ଓ ବିଶ୍ୱାସର ଏକ ବିରାଟ ପରିବର୍ତ୍ତନ ଘଟିଲା। ବିଂଶ ଶତାବ୍ଦୀର ଶେଷ ଆଡ଼କୁ ଯେଉଁ ଖ୍ରୀଷ୍ଟଧର୍ମ ଏମାନଙ୍କୁ ତିରସ୍କାର କରି ଦଣ୍ଡବିଧାନ କରିଥିଲା ତାହାର ପ୍ରମୁଖ ଧର୍ମଗୁରୁ ଜନ୍‌ ପୋପ୍‌ ପଲ୍‌ ତାଙ୍କ ପୂର୍ବ ପୁରୁଷମାନଙ୍କର ଭୁଲ୍‌ ପାଇଁ ଏମାନଙ୍କ ପାଖରେ କରହସ୍ତ ଯୋଡ଼ି କ୍ଷମା ପ୍ରାର୍ଥନା କରିଥିଲେ।
ବନ୍ଧୁଗଣ, ଦୁଇ ଯୁକ୍ତ ଦୁଇ ଚାରି ହୋଇଥାଏ। ଏହା ସତ୍ୟ ଓ ଗଣିତ ବିଜ୍ଞାନ ଅଟେ। ଆପଣଙ୍କ ଶ୍ରଦ୍ଧା ଓ ଭକ୍ତି ଏହାର ସାମାନ୍ୟତମ ପରିବର୍ତ୍ତନ କରିପାରିବ ନାହିଁ। ଆଉ ଯଦି ଆପଣ ଏହାକୁ ସ୍ୱୀକାର ନ କରି ଏକ ବିକଳ୍ପ ସଂଖ୍ୟା ପାଇଁ ଜିଦ୍‌ କରି ବସନ୍ତି ତେବେ ଭବିଷ୍ୟତରେ ଏହା ଆପଣଙ୍କୁ ହିଁ ଲୋକହସା କରେଇବ। ଥରେ ଜଣେ ଟ୍ୟୁସନ ମାଷ୍ଟ୍ରାଣୀ ଜଣେ ଧନିକଙ୍କ ପାଞ୍ଚ ବର୍ଷୀୟା ଅଳିଅଳ କନ୍ୟାକୁ ଗଣିତ ପଢ଼ାଉଥିଲେ। ମାଷ୍ଟ୍ରାଣୀ ଯେତେ ଦୁଇ ଯୁକ୍ତ ଦୁଇ ଚାରି ହେବ ବୋଲି କହୁଥାନ୍ତି ସେ ଶୁଣିବାକୁ ପ୍ରସ୍ତୁତ ନ ଥାଏ ଏବଂ ଦୁଇ ପାଖରେ ଦୁଇ ରଖି ବାଇଶ କାହିଁକି ନ ହେବ ବୋଲି ଜିଦ୍ କରି କହୁଥାଏ। ଶେଷକୁ ମାଷ୍ଟ୍ରାଣୀ ବିରକ୍ତ ହୋଇ ତାକୁ ଗୋଟେ ଶକ୍ତ ଚଟକଣି ପକେଇଦେଲେ। କନ୍ୟାଟି କାନ୍ଦି କାନ୍ଦି ଯାଇ ବାପାଙ୍କ ପାଖରେ ଅଭିଯୋଗ କଲା। ବାପା କନ୍ୟାର ଭୁଲ୍‌ଟିକୁ ସ୍ୱୀକାର ନ କରି ମାଷ୍ଟ୍ରାଣୀଙ୍କୁ କହିଲେ, “ଯଦି ମୋ ଅଳିଅଳ ଝିଅଟି ଦୁଇ ଯୁକ୍ତ ଦୁଇ ବାଇଶ କହୁଛି ତାକୁ ମାନି ନେଉନାହାନ୍ତି କାହିଁକି? ତାକୁ ଆପଣଙ୍କର ତାଗିଦ କରିବା ଓ ମାଡ଼ ଦେବା କ’ଣ ଦରକାର ଥିଲା?” ମାଷ୍ଟ୍ରାଣୀ ଜଣକ ନଛୋଡ଼ବନ୍ଦା ଥିଲେ ଓ ଗଣିତକୁ ବାପଝିଅଙ୍କ ଶ୍ରଦ୍ଧା ସଂପର୍କ ଭିତରେ ବଳି ପକେଇଦେବାକୁ ଚାହୁଁ ନଥିଲେ। ଶେଷକୁ ବାପା ବିରକ୍ତ ହୋଇ ମାଷ୍ଟ୍ରାଣୀଙ୍କୁ ମାସକୁ ଦୁଇ ହଜାର ହିସାବରେ ଦୁଇମାସର ଦରମା ଚାରିହଜାର ଟଙ୍କା ଦେଇ ଚାକିରିରୁ ବରଖାସ୍ତ କରିଦେଲେ। ମାଷ୍ଟ୍ରାଣୀ କହିଲେ, “ମହାଶୟ, ଆପଣ ମୋତେ ବରଖାସ୍ତ କରିଦେଇପାରନ୍ତି କିନ୍ତୁ ମାସକୁ ଦୁଇ ହଜାର ହିସାବରେ ଦୁଇ ମାସର ଚାରି ହଜାର ଟଙ୍କା ନୁହେଁ, ମୁଁ ବାଇଶ ହଜାର ଟଙ୍କା ନେବି। ମୁଁ ଯଦି ଭୁଲ୍‌ କହୁଛି ତେବେ ଆପଣ ଆପଣଙ୍କ ଅଳିଅଳ କନ୍ୟାକୁ ପଚାରନ୍ତୁ।” ଝିଅଟି ମାଷ୍ଟ୍ରାଣୀଙ୍କ କଥାରେ ଏକମତ ହୋଇ ବାପାଙ୍କୁ ସଠିକ୍‌ ହିସାବ କରି ବାଇଶ ହଜାର ଟଙ୍କା ଦେବା ପାଇଁ କହିଲା। ବାପା ଚୁପ୍‌ଚାପ୍‌ ବାଇଶ ହଜାର ଟଙ୍କା ଗଣିବାକୁ ବାଧ୍ୟ ହୋଇଥିଲେ।
ବନ୍ଧୁଗଣ, ଏହା ସତ୍ୟ ଓ ବିଜ୍ଞାନ ଆଧାରିତ ଯେ ଆମର ପ୍ରିୟ ଗଙ୍ଗାନଦୀ ବର୍ତ୍ତମାନ ମଳିନ ପଡ଼ିଯାଇଛି। କିଂବଦନ୍ତି କୁହେ ଯେ ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଏକ କୈବର୍ତ୍ତର ନୌକାରେ ଏହାକୁ ନମନ କରି ପାର ହୋଇଥିଲେ। ଦୁର୍ଭାଗ୍ୟକୁ ପ୍ରଭୁ ରାମଚନ୍ଦ୍ରଙ୍କର ଏହି ପ୍ରିୟ ନଦୀ ବିଷ୍ଣୁପଦୀ ବର୍ତ୍ତମାନ କଳୁଷିତ ହୋଇଯାଇଛି। ଏହାକୁ ସ୍ୱୀକାର ନ କରି ଯେଉଁମାନେ ଏହାର ଗବେଷକମାନଙ୍କୁ ଅଧର୍ମୀ ବୋଲି କହି ଗାଳିଗୁଲଜ କରୁଛନ୍ତି ଭବିଷ୍ୟତକୁ ସେଇମାନେ ହିଁ ଆମ ପବିତ୍ର ମା’ ଗଙ୍ଗାଜଳ ପାଇଁ ଅଧିକ ବିପଦ ସୃଷ୍ଟି କରିବେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.