Breaking News

ସତ କହୁଛି: ବିଳମ୍ବିତ ନ୍ୟାୟ

ବୃଦ୍ଧାଙ୍କର ଏକ ଜମିଜମା ମାମଲା ଗତ ପଚିଶ ବର୍ଷ ହେଲା ଧରି ଚାଲିଥିଲା। ଶେଷକୁ ମାଜିଷ୍ଟ୍ରେଟ ତାଙ୍କ ସପକ୍ଷରେ ରାୟ ଶୁଣେଇ ପଚାରିଲେ “ମାଉସୀ, ତୁ ଏବେ ଖୁସୀ ତ?” ମାଉସୀ କହିଲା “ହଁ ରେ ପୁଅ, ମୁଁ ବହୁତ ଖୁସୀ, ତୋତେ ଆଶୀର୍ବାଦ ଦେଉଛି, ତୁ ଶୀଘ୍ର ଚପରାସୀ ହୋଇଯା।”...

ଶ୍ୟାମସୁନ୍ଦର ଅଗ୍ରୱାଲା

ବୃଦ୍ଧାଙ୍କର ଏକ ଜମିଜମା ମାମଲା ଗତ ପଚିଶ ବର୍ଷ ହେଲା ଧରି ଚାଲିଥିଲା। ଶେଷକୁ ମାଜିଷ୍ଟ୍ରେଟ ତାଙ୍କ ସପକ୍ଷରେ ରାୟ ଶୁଣେଇ ପଚାରିଲେ “ମାଉସୀ, ତୁ ଏବେ ଖୁସୀ ତ?” ମାଉସୀ କହିଲା “ହଁ ରେ ପୁଅ, ମୁଁ ବହୁତ ଖୁସୀ, ତୋତେ ଆଶୀର୍ବାଦ ଦେଉଛି, ତୁ ଶୀଘ୍ର ଚପରାସୀ ହୋଇଯା।” ବୃଦ୍ଧାଙ୍କ ଓକିଲ କହିଲେ “ମାଉସୀ, ତୁ ଏମିତି କ’ଣ କହୁଛୁ? ସେ ପରା ମାଜିଷ୍ଟ୍ରେଟ ଆଉ ଚପରାସୀ ହୋଇଯିବେ କ’ଣ?” ମାଉସୀ କହିଲା “ପୁଅରେ ଆଜିକି ପଚିଶ ବର୍ଷ ତଳେ ଯେତେବେଳେ ଏ ମାମଲା ଆରମ୍ଭ ହେଲା, ଅଫିସ ଚପରାସୀ ମୋତେ କହିଲା “ନାନୀ, ପାଞ୍ଚଶହ ଟଙ୍କା ଦିଏ ମୁଁ ତୋ’ କେସ୍‌କୁ ରଫାଦଫା କରିଦେବି। ମୁଁ ଚଣ୍ଡାଳୁଣୀ ତା’ କଥା ଶୁଣିଲି ନାହିଁ। ଫୁଟାଣି ଦେଖେଇ କେସ୍ ଲଢ଼ିଲି। ୟା’ ଭିତରେ ପଚିଶ ବର୍ଷ ବିତିଗଲା। ଟଙ୍କା ପଚାଶ ହଜାର ଖର୍ଚ୍ଚ ହୋଇଗଲା, ନାନୀରୁ ମାଉସୀ ହୋଇଗଲି ଆଉ ଏବେ ଯାଇ ମାମଲା ରଫାଦଫା ହେଲା।” ପୁଅରେ, ତୁ କହ କିଏ ବଡ଼? ମାଜିଷ୍ଟ୍ରେଟ ନା ଚପରାସୀ?”
ବନ୍ଧୁଗଣ, ଆଜି ଭାରତବର୍ଷରେ କୋର୍ଟ ଆଉ ସରକାରୀ ଦପ୍ତରମାନଙ୍କରେ କୋଟି କୋଟି ଏମିତି କେସ୍ ଗଡ଼ି ଚାଲିଛି। ଲୋକେ ‘ଭାଇନା’ରୁ ‘ମଉସା’ ଆଉ ‘ନାନୀ’ରୁ ‘ମାଉସୀ’ ହୋଇଗଲେଣି, କିନ୍ତୁ କେସ୍ ଫଇସଲା ହେବାର ନଁା ଗନ୍ଧ ନେଉନାହିଁ। ଯାହା ଲାଗୁଛି କେବଳ ଗରିବ ଓ ମଧ୍ୟବିତ୍ତ ଲୋକମାନେ ହିଁ ବର୍ଷ ବର୍ଷ ଧରି ହଇରାଣ ହରକତ ହେଉଛନ୍ତି ଆଉ ବଡ଼ବଡ଼ିଆମାନେ ତୁରନ୍ତ ଖଲାସ ହୋଇଯାଉଛନ୍ତି। ତା’ ନ ହୋଇଥିଲେ ତେଲୁଗୁ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ନଁାରେ ମାମଲା ସକାଳ ଦଶଟା ବେଳେ ଆରମ୍ଭ ହେଲା, ଅପରାହ୍‌ଣ ବାରଟା ବେଳେ ତାଙ୍କୁ ଗିରଫ କରାଗଲା, ଚାରିଟା ବେଳେ ତଳକୋର୍ଟ ତାଙ୍କୁ ଚଉଦ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠେଇଦେଲା, ଆଉ ପାଞ୍ଚଟା ବେଳେ ହାଇକୋର୍ଟ ଜାମିନ ଦେଇଦେଲା। ଗୋଟିଏ ଦିନରେ ମାମଲା ଆରମ୍ଭ ଆଉ ଶେଷ ହୋଇଗଲା।
ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ପ୍ରଥମେ ଅଭିଯୋଗ ଆସିଲା ଯେ ଗତ ଡିସେମ୍ବର ମାସ ଚାରି ତାରିଖ ଦିନ ପୁଷ୍ପା-୨ ଚଳଚ୍ଚିତ୍ର ପ୍ରଦର୍ଶନ ହେଉଥିବା ବେଳେ ହାଇଦରାବାଦର ଜଣାଶୁଣା ସନ୍ଧ୍ୟା ଥିଏଟର୍‌ରେ ସେ ଅଚାନକ ପହଁଚି ଥିଲେ। ଏଥିପାଇଁ ସେ କୌଣସି ସୂଚନା ଦେଇ ନ ଥିଲେ କି ପୁଲିସର ଅନୁମତି ମଧ୍ୟ ନେଇ ନ ଥିଲେ, ତେଣୁ ଭିଡ଼ ନିୟନ୍ତ୍ରଣ ନିମନ୍ତେ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା। ଅଲ୍ଲୁକୁ ଦେଖିବା ପାଇଁ ହଠାତ୍ ପ୍ରବଳ ଜନସମାଗମ ହୋଇ ଉଠିଲା। ଠେଲାପେଲା ଓ ଦଳାଚକଟାରେ ଅନେକ ଲୋକ ଆହତ ହେଲେ ଓ ଜଣେ ତିରିଶ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ଘଟିଲା।
ଆଶ୍ଚର୍ଯ୍ୟର କଥା ଯେ ଏହି ଘଟଣା ଘଟିବାର ଦିନକ ପରେ ଥିଏଟର୍ ତରଫରୁ ଏକ ଚିଠି ଜାରି କରାଯାଇ କୁହାଗଲା ଯେ ଅଲ୍ଲୁ ଅର୍ଜୁନ ଆସିବା ପାଇଁ ଦୁଇ ଦିନ ପୂର୍ବରୁ ସୂଚନା ଦେଇଥିଲେ ଏବଂ ସେମାନେ ତୁରନ୍ତ ଏ ବିଷୟ ପୁଲିସକୁ ଜଣେଇ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଚିଠି ଦ୍ୱାରା ଅନୁରୋଧ ମଧ୍ୟ କରିଥିଲେ। ଏହା ଉପରେ ପୁଲିସ ସଫେଇ ଦେଇ କହୁଛି ଯେ ଆମ ପାଖକୁ ଏମିତି ଅନେକ ଚିଠି ଆସୁଛି, ଆଉ ସବୁ ଚିଠି ଉପରେ କ’ଣ ଆମେ ପଦକ୍ଷେପ ଗ୍ରହଣ କରିବୁ ନା’ କ’ଣ? ଯଦି ଅଲ୍ଲୁ ଅର୍ଜୁନ ଆସିବାର ଥିଲା, ତେବେ ଥିଏଟର୍ କର୍ତ୍ତୃପକ୍ଷ ଆମକୁ ସାକ୍ଷାତ କରି ଜଣେଇଥିଲେ ଆମେ କଥାକୁ ଗୁରୁତ୍ୱର ସହ ଗ୍ରହଣ କରି ପଦକ୍ଷେପ ନେଇଥାନ୍ତୁ। ତା’ ନ କରି କେବଳ ଚିଠିଟିଏ ଦେଇଦେଲେ କ’ଣ ପୁଲିସ ବନ୍ଦୋବସ୍ତ ହୋଇଯିବ?
ୟା’ ଭିତରେ ଅଲ୍ଲୁ ଅର୍ଜୁନ ମୃତକ ପରିବାରକୁ ପଚିଶ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିସାରିଲେଣି ଓ ମୃତକଙ୍କ ସ୍ୱାମୀ ମଧ୍ୟ ତାଙ୍କର ଏଫ୍‌ଆଇଆର୍ ପ୍ରତ୍ୟାହାର କରିବାକୁ ରାଜି ହୋଇଗଲେଣି। ସ୍ୱାମୀଙ୍କ କହିବା ଅନୁଯାୟୀ “ମୁଁ ମୋ’ର ପତ୍ନୀ ଓ ଦୁଇ ପିଲାଙ୍କୁ ନେଇ ପ୍ରିମିଅର୍ ଶୋ’ ଦେଖିବାକୁ ଯାଇଥିଲି। ହଠାତ୍ ଦଳାଚକଟା ହେଲା ଓ ମୋ’ ପତ୍ନୀଙ୍କ ଜୀବନ ଚାଲିଗଲା। ଏଥିରେ ଅଲ୍ଲୁ ଅର୍ଜୁନଙ୍କ ଦୋଷ ରହିଲା କେଉଁଠି?” ଘଟଣା ଗୋଟିଏ ଦୁଇଟି ଦିନରେ ଏମିତି ଘଟିଚାଲିଲା ଯେ ଦିନ ସରିଲା ବେଳକୁ ଅଲ୍ଲୁ ଅର୍ଜୁନଙ୍କ ଜାମିନ ହୋଇଯାଇଥିଲା।
ଦୁଇ ହଜାର ଦୁଇ ମସିହା କଥା। ଅଲ୍ଲୁ ଅର୍ଜୁନ ସମକକ୍ଷ ଅନ୍ୟ ଏକ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ସଲ୍‌ମାନ ଖାନ୍ ରାତିଅଧରେ ତାଙ୍କ ଦାମୀ ଟୟାଟା ଲ୍ୟାଣ୍ଡ୍ କ୍ରୁଜର ଗାଡ଼ି ଚଳେଇ ଯାଉଥିବା ବେଳେ ବାନ୍ଦ୍ରା ଅଞ୍ଚଳରେ ଫୁଟ୍‌ପାଥ ଉପରେ ଶୋଇଥିବା ଲୋକମାନଙ୍କ ଉପରେ ଗାଡ଼ି ଚଢ଼େଇଦେଲେ। ଜଣଙ୍କ ମୃତ୍ୟୁ ହେଲା ଓ ଅନ୍ୟମାନେ ଗୁରୁତର ଆହତ ହେଲେ। ମାମଲା ରୁଜୁ ହେଲା। ବାନ୍ଦ୍ରା ପୁଲିସ ତାଙ୍କୁ ଯେଉଁଦିନ ଗିରଫ କଲେ ସେହିଦିନ ହିଁ ଛାଡ଼ିଦେଲେ। ହୋହଲ୍ଲା ହେବାରୁ ଦିନକ ପରେ ତାଙ୍କ ବିରୋଧରେ ମୋଟର ଭେହିକଲ୍ ଆକ୍‌ଟ ଓ ମଦ୍ୟପାନର ଅଭିଯୋଗ ଥିବାରୁ ବମ୍ବେ ପ୍ରୋହିବିସନ ଆକ୍‌ଟ ଲଗାଯାଇ ଭାରତୀୟ ପିଙ୍ଗଳ ଆଇନ ଅନୁଯାୟୀ ମାମଲା ରୁଜୁ ହେଲା। ସେସନସ୍ କୋର୍ଟ ରାୟ ପ୍ରକାଶ ପାଇଲା ଓ ସଲ୍‌ମାନ ଖାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡ ଘୋଷଣା କରାଗଲା। ସେହି ଦିନ ହିଁ ଭାରତବର୍ଷର ପ୍ରଖ୍ୟାତ ଓକିଲ ହରିଶ ସାଲଭେଙ୍କ ମାଧ୍ୟମରେ ବମ୍ବେ ହାଇକୋର୍ଟ ତାଙ୍କ ଜେଲ୍‌ ଦଣ୍ଡକୁ ସ୍ଥଗିତ ରଖି ଜାମିନ ଦେଇଦେଲେ। ଆଶ୍ଚର୍ଯ୍ୟର କଥା ଯେ ଏହି ଜାମିନ ମିଳିବା ପର୍ଯ୍ୟନ୍ତ ସେସନସ୍ କୋର୍ଟ ରାୟର ନକଲ ହସ୍ତଗତ ହୋଇ ନ ଥିଲା। ହରିଶ ସାଲଭେ ଯୁକ୍ତି କରି କହିଥିଲେ ଯେ ତାଙ୍କର ଅପିଲ ମୌଖିକ ରାୟ ଉପରେ ପର୍ଯ୍ୟବସିତ ଯାହା କି ରାୟର କପି ପାଇବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇପାରିବ ନାହିଁ। ବମ୍ବେ ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରି ସଲ୍‌ମାନ ଖାନ୍‌ଙ୍କ ଦଣ୍ଡକୁ ସ୍ଥଗିତ ରଖି ତୁରନ୍ତ ଜାମିନ ଦେଇଦେଲେ।
ବନ୍ଧୁଗଣ, ଆଇନ ଆଗରେ ସମସ୍ତେ ସମାନ କିନ୍ତୁ ଜଣଙ୍କ ପାଇଁ ଆଇନ ଯଦି ଦିନକ ଭିତରେ ଲାଗୁ ହୋଇ ଫଇସଲା ହୋଇଯାଉଛି ଗରିବ ଓ ମଧ୍ୟବିତ୍ତମାନଙ୍କ ପାଇଁ ବିଭିନ୍ନ ସରକାରୀ ଦପ୍ତର ଆଉ କୋର୍ଟରେ ମାମଲା ଫଇସଲା ନ ହୋଇ ବର୍ଷ ବର୍ଷ ଧରି ଗଡ଼ି ଚାଲୁଛି। ଏପରିକି ହାଇକୋର୍ଟରୁ ଜାମିନ ପାଇ ମଧ୍ୟ ସରକାରଙ୍କ ଅବହେଳା ଯୋଗୁଁ ଶହ ଶହ କଏଦୀ ଜେଲ୍‌ରେ ରହିଥିବାର ନଜିର ରହିଛି। କଥାରେ ଅଛି ବିଳମ୍ବିତ ନ୍ୟାୟ ନ୍ୟାୟର ପରିପନ୍ଥୀ ଅଟେ। ଥରେ ଜଣେ ମହିଳା ନିଜର ସୌନ୍ଦର୍ଯ୍ୟ ହାନି ହୋଇଯିବା ଭୟରେ ଶିଶୁ ପୁତ୍ରକୁ ସ୍ତନ୍ୟପାନ କରେଇବାକୁ ମନା କରିଦେଲେ। ସ୍ୱାମୀ ବାଧ୍ୟ ହୋଇ ଅଦାଲତର ଆଶ୍ରୟ ନେଲେ। ସ୍ୱାମୀଙ୍କ ଯୁକ୍ତିକୁ ଗ୍ରହଣ କରି ଅଦାଲତ ମହିଳାଙ୍କୁ ସ୍ତନ୍ୟପାନ କରେଇବା ପାଇଁ ନିର୍ଦ୍ଦେଶ ଦେଲେ। ଦୁର୍ଭାଗ୍ୟର କଥା ଯେ, ଏହି ନିର୍ଦ୍ଦେଶ ପହଞ୍ଚିଲା ବେଳକୁ ପଚିଶ ବର୍ଷ ବିତିଯାଇଥିଲା। ସେତେବେଳକୁ ମା’ର ଥନ ଶୁଖିଗଲାଣି ଆଉ ପୁଅକୁ ପଚିଶ ପୂରି ଛବିଶ ଚାଲିଲାଣି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.