Breaking News

ସତ କହୁଛି: ଭାରତରତ୍ନ

ଆଜିର ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ ଓ ଭାରତରତ୍ନ ବିଷୟ ଚର୍ଚ୍ଚାକୁ ଆସିଲେ ଗତକାଲିର ରାଜାରାଜୁଡ଼ା ସମୟର ବିଭିନ୍ନ ପଦ ଓ ଉପାଧି କଥା ମନେ ପଡ଼ିଥାଏ। ପୁରୀ ଗଜପତି ମହାରାଜା ରଣପୁରର ରାଜା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଅତି ବିଶିଷ୍ଟ ଉପାଧି ଦେଇ....

ଶ୍ୟାମସୁନ୍ଦର ଅଗ୍ରୱାଲା

ଆଜିର ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ ଓ ଭାରତରତ୍ନ ବିଷୟ ଚର୍ଚ୍ଚାକୁ ଆସିଲେ ଗତକାଲିର ରାଜାରାଜୁଡ଼ା ସମୟର ବିଭିନ୍ନ ପଦ ଓ ଉପାଧି କଥା ମନେ ପଡ଼ିଥାଏ। ପୁରୀ ଗଜପତି ମହାରାଜା ରଣପୁରର ରାଜା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଅତି ବିଶିଷ୍ଟ ଉପାଧି ଦେଇ ‘ବିରାଧିବୀରବର ଶ୍ରୀ ଶ୍ରୀ କୃଷଚନ୍ଦ୍ର ନରେନ୍ଦ୍ର ମହାପାତ୍ର’ ନାମରେ ଅଳଙ୍କୃତ କରିଥିଲେ। ଗଡ଼ଜାତ ରଣପୁର ରାଜା ମଧ୍ୟ ତାଙ୍କ ପ୍ରିୟ ବ୍ୟକ୍ତିମାନଙ୍କୁ ବିଭିନ୍ନ ଉପାଧିରେ ସମ୍ମାନିତ କରିଥିଲେ, ଯାହା ସେମାନେ ବଂଶାନୁକ୍ରମେ ସାଙ୍ଗିଆ ହିସାବରେ ବ୍ୟବହାର କରୁଥିଲେ। ଯଥା- ଶରତଚନ୍ଦ୍ର ‘ଉତ୍ତରକବାଟ’, ବୀରେନ୍ଦ୍ରନାଥ ‘ଦକ୍ଷିଣକବାଟ’, ରଘୁନାଥ ‘ବାହୁବଳେନ୍ଦ୍ର’, ଉଦୟନାଥ ‘ମତ୍ତଗଜ ସିଂହ’, ରାଜନ ‘ବଳବନ୍ତରାୟ’, ହରିହର ‘ଛୁଆଳସିଂହ’, ଅମୁକ ‘ପାହାଡ଼ସିଂହ’ ସମୁକ ‘ବଳିଆରସିଂହ’, ଢିଙ୍କି ‘ରଣବିଜୁଳି’ ଇତ୍ୟାଦି ଇତ୍ୟାଦି। ସେହି ସମୟରେ ବ୍ୟକ୍ତିମାନେ ଏହି ପଦଗୁଡ଼ିକ ତାଙ୍କ ନାମ ସହିତ ଯୋଡ଼ି ଗର୍ବରେ ଫାଟି ପଡୁଥିଲେ। ‘ରାୟବାହାଦୁର’ ଓ ‘ରାଜବାହାଦୁର’ ପରି କେତେଗୁଡ଼ିଏ ଉପାଧି ନଁା ଆଗରେ ବ୍ୟବହାର କରୁଥିବାବେଳେ ଏସବୁ ବିଶେଷ ପଦଗୁୁଡ଼ିକ ନାଁ ପଛରେ ଯୋଡ଼ି ନାମକୁ ସୁନ୍ଦର ଭାବରେ ଅଳଙ୍କୃତ କରୁଥିଲେ। ବିଭିନ୍ନ ପଦପଦବିକୁ ନେଇ ନାମଗୁଡ଼ିକ ବେଳେବେଳେ ଏକ ସୁନ୍ଦର ଦୀର୍ଘକାୟ ରୂପ ଧାରଣ କରୁଥିଲା, ଯଥା- ‘ଶ୍ରୀ ଶ୍ରୀ ଭ୍ରମରବର ଜଗବନ୍ଧୁ ବିଦ୍ୟାଧର ରାୟ ମହାପାତ୍ର’ କିମ୍ବା ‘ଶ୍ରୀ ଶ୍ରୀ ଉଦୟନାଥ ମତ୍ତଗଜ ସିଂହ ଦଳବେହେରା।’
ଉପାଧି ସମ୍ମାନସୂଚକ ହୋଇଥିବା ବେଳେ ଅନେକ ଉପାଧି ଏମିତି ଥିଲା ଯାହା ଅପମାନସୂଚକ, କିନ୍ତୁ ରାଜାଙ୍କ ହୁକୁମରେ ଲୋକମାନେ ବାଧ୍ୟ ହୋଇ ବ୍ୟବହାର କରୁଥିଲେ। ଜୟପୁର ରାଜ୍ୟରେ କୌଣସି ବ୍ୟକ୍ତି ଜିଲାବି ମିଠା ଚୋରି କରିଥିବାରୁ ତାକୁ ତା’ର ନାମ ପଛପଟେ ‘ଜିଲାବି ଚୋର’ ପଦ ଯୋଡ଼ିବାକୁ ବାଧ୍ୟ କରାଯାଇଥିଲା ଏବଂ ତା’ର ଜମି ଓ ଘର କାଗଜପତ୍ର ସବୁ ସେହି ନାମକୁ ପରିବର୍ତ୍ତନ ହୋଇଯାଇଥିଲା। ଚଢ଼େଇ ମାରୁ ଥିବାରୁ ‘ଚିଡ଼ିମାର୍‌’ ପଦ ବ୍ୟବହୃତ ହେଉଥିଲା। ଅନେକ ପୁରସ୍କାରକୁ ମଧ୍ୟ ସ୍ୱତନ୍ତ୍ର ଭାବରେ ନାମକରଣ ଦ୍ୱାରା ଗୋଟିଏ ଗୋଟିଏ ନିଷ୍ଠୁର ସତ୍ୟକୁ ଉପସ୍ଥାପନା କରାଯାଉଥିଲା। ବ୍ରିଟିସ ଶାସନ ସମୟରେ ଖୋର୍ଦ୍ଧାର ଦଳବେହେରାଙ୍କୁ ଧରେଇ ଦେଇ ଯେଉଁ ବ୍ୟକ୍ତି ନ’ଶହ ଅନେଶତ ବାଟି ଜମି ପୁରସ୍କାର ପାଇଥିଲେ ତା’ର ନଁା ରଖାଯାଇଥିଲା ‘ନମକହାରାମ୍ ଜାଗିର’। ଯେହେତୁ ବ୍ୟକ୍ତି ଜଣକ ଦଳବେହେରାଙ୍କ ବିଶ୍ୱସ୍ତ ହୋଇ ମଧ୍ୟ ନମକହାରାମି କରି ତାଙ୍କୁ ଧରେଇ ଦେଇଥିଲା, ସେ ପୁରସ୍କାରର ନାମ ହିଁ ତା’ର କୃତକର୍ମର ପରିଚୟ ଦେଇଥିଲା- ‘ନମକହାରାମ୍ ଜାଗିର’।
ଯାହାହେଉ ଦେଶ ସ୍ୱାଧୀନ ହେଲା ଆଉ ଏସବୁ ଉପାଧି, ପଦ, ପଦବି ପ୍ରାୟ ଉଠିଗଲା। ନାମକୁମାତ୍ର କେତେଗୁଡ଼ିଏ ସାଙ୍ଗିଆ କେବଳ ପୁରୁଷାନୁକ୍ରମେ ରହିଗଲା। ସେ ବି ପ୍ରାୟ ବିଲୁପ୍ତ ହେବା ଉପରେ। ଦେଶର ନୂଆ ସଂବିଧାନ ଅନୁଯାୟୀ ସବୁ ପୁରୁଣା ଉପାଧି, ପଦ, ପଦବି ବିସର୍ଜନ କରାଯାଇ ସରକାର ନୂଆ ବେସାମରିକ ଉପାଧି ଯଥା- ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ, ଓ ଭାରତରତ୍ନ ଇତ୍ୟାଦି ଦେବାକୁ ସ୍ଥିର କଲେ। ୧୯୫୪ ମସିହାରେ ପ୍ରଥମଥର ପାଇଁ ‘ଭାରତରତ୍ନ’ ସମ୍ମାନର ଶୁଭ ଦିଆଗଲା। ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ସି. ରାଜଗୋପାଲଚାରୀ ଓ ସି. ଭି. ରମଣ ସର୍ବପ୍ରଥମେ ଏହି ଉପାଧିରେ ସମ୍ମାନିତ ହୋଇଥିଲେ।
ମୋରାରଜୀ ଦେଶାଇଙ୍କ ଜନତା ସରକାର ଏହି ପଦ୍ମ ପୁରସ୍କାରଗୁଡ଼ିକ ରାଜନୈତିକ ଓ ଏଗୁଡ଼ିକର କୌଣସି ଆବଶ୍ୟକତା ନାହିଁ ବୋଲି କହି ବନ୍ଦ କରିଦେଇଥିଲେ କିନ୍ତୁ ୧୯୯୧ ମସିହାରେ ତାଙ୍କୁ ଯେତେବେଳେ ଭାରତରତ୍ନ ଉପାଧି ଯଚାଗଲା ତାକୁ ସେ ଆନନ୍ଦର ସହ ଗ୍ରହଣ କରିନେଇଥିଲେ। ଭାରତରତ୍ନ ସମ୍ମାନ ପ୍ରତ୍ୟାଖ୍ୟାନର ମଧ୍ୟ ଏକ ବିଶିଷ୍ଟ ଉଦାହରଣ ରହିଛି। ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ଓ ଭାରତବର୍ଷର ପ୍ରଥମ ଶିକ୍ଷା ମନ୍ତ୍ରୀ ଅବୁଲ କାଲାମ ଆଜାଦ ଏକମାତ୍ର ବ୍ୟକ୍ତି ଯେ କି ସେ ବଞ୍ଚିଥିବା ସମୟରେ ଭାରତରତ୍ନ ସମ୍ମାନ ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସରକାରରେ ଥାଇ ସରକାରଙ୍କ ଦ୍ୱାରା ପ୍ରଦତ୍ତ କୌଣସି ସମ୍ମାନ ଗ୍ରହଣ କରିବାକୁ ତାଙ୍କ ବିବେକ ତାଙ୍କୁ ବାଧା ଦେଉଛି ବୋଲି ସେ କହିଥିଲେ। ଅବଶ୍ୟ ତାଙ୍କ ମୃତ୍ୟୁ ପରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା, ଯାହାକୁ ପ୍ରତ୍ୟାଖ୍ୟାନ କରିବାକୁ ସେ ଆଉ ଦୁନିଆରେ ନ ଥିଲେ।
କ୍ରମଶଃ ଭାରତରତ୍ନ ଉପାଧି ଏକ ରାଜନୈତିକ ରଙ୍ଗ ଧାରଣ କଲା। ବିଭିନ୍ନ ସମୟରେ ଶାସକ ଦଳ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏହାକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଲାଗିଲେ। ଅବସ୍ଥା ଏମିତି ହେଲାଣି ଯେ ବର୍ତ୍ତମାନ ଦେଶର ପ୍ରାୟ ସମସ୍ତ ରାଜନୈତିକ ଦଳ ଗୋଟିଏ ପରେ ଗୋଟିଏ ନେତାଙ୍କ ନାମ ଭାରତରତ୍ନ ପାଇଁ ଦାବି କରି ବସିଲେଣି। ବିଜେଡି ପାର୍ଟି ବିଜୁ ପଟ୍ଟନାୟକ, ବହୁଜନ ପାର୍ଟି କାଂଶିରାମ, କମ୍ୟୁନିଷ୍ଟ ପାର୍ଟି ଜ୍ୟୋତି ବସୁ, ଡି.ଏମ୍.କେ ପାର୍ଟି କରୁଣାନିଧି, ସମାଜବାଦୀ ପାର୍ଟି ମୁଲାୟମ ସିଂହ ଯାଦବ ଓ ସୋସିଆଲିଷ୍ଟମାନେ ରାମମନୋହର ଲୋହିଆଙ୍କ ନାମ ସୁପାରିସ କରିସାରିଲେଣି। ଏବେ ବିଜେପି ପାର୍ଟିର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଓଡ଼ିଶାର ନବୀନ ପଟ୍ଟନାୟକ ଓ ବିହାରର ନୀତୀଶ କୁମାରଙ୍କୁ ଭାରତରତ୍ନ ଉପାଧି ଦେବା ପାଇଁ ପ୍ରସ୍ତାବ ରଖି ଅନ୍ୟ ଏକ ରାଜନୈତିକ ଚଞ୍ଚକତା ସୃଷ୍ଟି କରିଛନ୍ତି।
ବନ୍ଧୁଗଣ, ମହାତ୍ମା ଗାନ୍ଧୀଙ୍କୁ କୌଣସି ସରକାର କି ସଂସ୍ଥା ‘ମହାତ୍ମା’ ଉପାଧି ଦେଇ ନ ଥିଲେ। ଧୀରେ ଧୀରେ ଜନମାନସରେ ଏହି ଉପାଧି ଏମିତି ଓତପ୍ରୋତ ଭାବେ ଜଡ଼ିତ ହୋଇଗଲା ଯେ ଲୋକେ ତାଙ୍କୁ କେବଳ ଗାନ୍ଧୀ ନୁହେଁ ମହାତ୍ମା ଗାନ୍ଧୀ ବୋଲି କହିବାରେ ଲାଗିଲେ। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କୁ କୌଣସି ଅନୁଷ୍ଠାନ ବିଶ୍ୱକବି ଉପାଧି ଦେଇନାହିଁ। ଆଜି କିନ୍ତୁ ବିଶ୍ୱକବି ଉପାଧି ବ୍ୟତୀତ ରବୀନ୍ଦ୍ରନାଥଙ୍କ ନାମ ଅଧୁରା ଲାଗେ। ପୌରାଣିକ ଯୁଗରେ ମହର୍ଷି ବଶିଷ୍ଠ, ଦେବର୍ଷି ନାରଦ ଓ ରାଜର୍ଷି ଜନକ ଆଦି ଏକ ଏକ ପୂର୍ଣ୍ଣାଙ୍ଗ ନାମର ପରିଚୟ ଦେଇଥାଏ। ଲୋକମାନ୍ୟ ଓ ବାଲ ଗଙ୍ଗାଧର ପରସ୍ପର ପରିପୂରକ ମନେ ହୁଅନ୍ତି। ଉତ୍କଳମଣି ବିନା ଗୋପବନ୍ଧୁଙ୍କ ନାମ ସଂପୂର୍ଣ୍ଣ ପରିଚୟ ଦିଏ ନାହିଁ। ବଳଦେବ ରଥଙ୍କ ନାମ ଆସିଲେ କବିସୂର୍ଯ୍ୟ ଉପାଧି ଆପେ ଆପେ ଯୋଡ଼ି ହୋଇଯାଏ। ସେହିପରି ସନ୍ଥକବି ଭୀମଭୋଇ, କୁଳବୃଦ୍ଧ ମଧୂସୂଦନ, ଦେଶବନ୍ଧୁ ଚିତ୍ତରଞ୍ଜନ ଇତ୍ୟାଦି ଉପାଧି ସହ ନାମ ଜନମାନସରେ ଯୋଡ଼ି ହୋଇଆସିଛି। ଏହାର ଟିକିଏ ବି ବ୍ୟତିକ୍ରମ ହେଲେ ଖାପଛଡ଼ା ଲାଗିଥାଏ। ଆପଣଙ୍କୁ ଭାରତରତ୍ନ ତାଲିକାଭୁକ୍ତ ଅଧିକାଂଶ ବ୍ୟକ୍ତିଙ୍କ ନାମ ସହିତ ଭାରତରତ୍ନ ଯୋଡ଼ି ଉଚ୍ଚାରଣ କଲେ ସେମିତି ଏକ ସଂପୂର୍ଣ୍ଣ ପରିଚୟର ଅନୁଭବ ଲାଗୁଛି କି? ଯଦି ନ ଲାଗୁଛି ତେବେ ବର୍ଷ ବର୍ଷ ଧରି କାହିଁକି ଏ ପ୍ରହସନ ଚାଲିଛି?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭`

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.