ସତ ହେବ କି ଆମେରିକାର ରିପୋର୍ଟ: ଭାରତ ଉପରେ ଆଟାକ୍ କରିବନି ତ ଚୀନ? ସାଟେଲାଇଟ୍ ଚିତ୍ରରୁ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ: କିଛିଦିନ ତଳେ ଆମେରିକାର ପ୍ରତିରକ୍ଷା ବିଭାଗ ଚୀନ ଓ ଭାରତର ସମ୍ଭାବ୍ୟ ଯୁଦ୍ଧକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା। ବେଜିଂ ତାଇୱାନ ସହିତ ଅରୁଣାଚଳ ପ୍ରଦେଶକୁ ନିଜର କୋର ଅଫ୍ ଇଣ୍ଟରେଷ୍ଟରେ ରଖିଛି ବୋଲି କହିଥିଲା ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ। ଯାହାକୁ ପରେ ଚୀନ ଖଣ୍ଡନ କରିଥିଲା। ହେଲେ ଏବେ ଲାଗୁଛି ଚୀନ ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି। ହେଲେ ତାହା ଅରୁଣାଚଳ ପ୍ରଦେଶରୁ ନୁହେଁ ବରଂ ଲଦାଖରୁ।
ପୂର୍ବ ଲଦାଖରେ ସୀମା ଆରପଟେ ଚୀନ ତିଆରି କରୁଛି ବଡ଼ ଷଡ଼ଯନ୍ତ୍ର। ଯାହାର ସ୍ୱରୂପ ଏବେ ମିଡିଆ ସାମ୍ନାକୁ ଆସିଛି। ନୂଆ ଉଚ୍ଚ-ରିଜୋଲ୍ୟୁସନ୍ ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ ଚୀନ୍ ବିବାଦୀୟ ପୂର୍ବ ଲଦାଖ୍ ଅଞ୍ଚଳର ପାଙ୍ଗୋଙ୍ଗ୍ ସୋରେ ତା’ର ସ୍ଥାୟୀ ସାମରିକ ଘାଟିକୁ ତିଆରି କରୁଛି। ୧୯୬୨ ଯୁଦ୍ଧ ପରଠାରୁ ଚୀନ୍ ସିରିଜାପ୍ ପୋଷ୍ଟ ନିକଟରେ ଏହି ସ୍ଥାନକୁ ନିୟନ୍ତ୍ରଣ କରିଆସୁଛି। ଯୁଦ୍ଧ ପୂର୍ବରୁ ଏହା ଭାରତର ଅଂଶ ଥିଲା।
ସାଟେଲାଇଟ୍ ଚିତ୍ରରୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ଏକାଧିକ ସ୍ଥାୟୀ ପ୍ରକଳ୍ପ ଉପରେ ହେଉଥିବା ନୂଆ ନିର୍ମାଣ ପାଙ୍ଗୋଙ୍ଗ ଲେକ୍ର କିଛି ମିଟର ଦୂରରେ ହେଉଛି। ଏହା ଚୀନ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ ବର୍ତ୍ତମାନ ବଫର ଜୋନ୍ ନିକଟରେ ଅଧିକ ସାମରିକ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଏହା ଚୀନର ପିପୁଲ୍ସ ଲିବରେସନ ଆର୍ମି୍କୁ ସୁବିଧା ପ୍ରଦାନ କରିବ।
୨୦୧୩ ମସିହାରେ ଚୀନ୍ ଏହି ଅଞ୍ଚଳରେ ଏକ ରୋଡ୍ ନେଟୱାର୍କ ସ୍ଥାପନ କରିଥିଲା, ଯାହାକୁ ପ୍ରାରମ୍ଭରେ ଉଭୟ ପକ୍ଷ ପାଟ୍ରୋଲିଂ ପାଇଁ ବ୍ୟବହାର କରୁଥିଲେ। କିନ୍ତୁ, ମେ ୨୦୨୦ ର ସୈନ୍ୟ ସଂଘର୍ଷ ପରଠାରୁ, ଭାରତୀୟ ପାଟ୍ରୋଲିଂ ଦଳକୁ ଏଠାରେ ପାଟ୍ରୋଲିଂ କରିବାକୁ ଅନୁମତି ଦିଆଯାଉ ନାହିଁ।
୨୦୨୦ ମସିହାରୁ, ସୈନିକଙ୍କୁ ରଖିବା ପାଇଁ ଅସ୍ଥାୟୀ ଭିତ୍ଥିଭୂମିର ବ୍ୟବହାର କରାଯାଉଛି। ତା ସହିତ ହ୍ରଦ ପାର ହୋଇ ଯିବା ଆସିବା କାମକୁ ସହଜ କରିବା ପାଇଁ ଡଙ୍ଗା ଏବଂ ଏକ ଘାଟ ବି ତିଆରି ହୋଇଛି। ଡିସେମ୍ବର ୨୮ ତାରିଖରେ ସ୍ପେଶ୍ ଇଣ୍ଟେଲିଜେନ୍ସ ଫାର୍ମ ଭା୍ଟୋର ଦ୍ୱାରା ପ୍ରଦାନ କରାଯାଇଥିବା ଚିତ୍ରଗୁଡ଼ିକରେ ଅସ୍ଥାୟୀ ବାସସ୍ଥାନ ଏବଂ ନୂଆ ନିର୍ମାଣ ସ୍ଥାନ ଥିବା ସ୍ପଷ୍ଟ ଦେଖା ଯାଉଛି। ଗତ ବର୍ଷ ଜୁନ୍ ୨ ତାରିଖରେ ନିଆଯାଇଥିବା ଚିତ୍ରରେ ଘାଟ ପାଖରେ ଦେଖାଯାଇଥିବା ଡଙ୍ଗାଗୁଡ଼ିକୁ ଏବେ ଘୋଡାଇ ଦିଆଯାଇଛି ଏବଂ ପାଣିଠାରୁ ଦୂରରେ ରଖାଯାଇଛି। ସମ୍ଭବତଃ ଶୀତ ଚାଲିଥିବାରୁ ହ୍ରଦର ପାଣି ଜମାଟ ବାନ୍ଧିବାର ଆଶଙ୍କା ଥିବାରୁ ଡଙ୍ଗାଗୁଡ଼ିକୁ ଦୂରେଇ ରଖାଯାଇଛି।



