Breaking News

ସନ୍ଦେହ ଘେରରେ ଓଡ଼ିଶୀ ଛାତ୍ରୀଙ୍କ ଆତ୍ମହତ୍ୟା, ମୋବାଇଲ୍‌ ଖୋଲିବ ଗୁମର

ଉତ୍କଳ ସଂଗୀତ ମହାବିଦ୍ୟାଳୟ ହଷ୍ଟେଲ୍‌ରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ କ୍ୟାପିଟାଲ୍‌ ଥାନା ପୁଲିସ ଜବତ କରିଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଚଡ଼ା ଅଞ୍ଚଳର ଉତ୍କଳିକା ସ୍ବାଇଁ।

ଭୁବନେଶ୍ବର: ଉତ୍କଳ ସଂଗୀତ ମହାବିଦ୍ୟାଳୟ ହଷ୍ଟେଲ୍‌ରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ କ୍ୟାପିଟାଲ୍‌ ଥାନା ପୁଲିସ ଜବତ କରିଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଚଡ଼ା ଅଞ୍ଚଳର ଉତ୍କଳିକା ସ୍ବାଇଁ। ଏନେଇ କ୍ୟା‌ପିଟାଲ୍‌ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଛି। ତେବେ ଛାତ୍ରୀଙ୍କ ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ତାଙ୍କ ନିକଟରୁ ଏକ ମୋବାଇଲ୍‌ ଜବତ କରି ତନାଘନା ଆରମ୍ଭ କରିଛି। ସେହିପରି ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରିଛି।

ସୂଚନା ମୁତାବକ, ଓଡ଼ିଶୀ ବିଭାଗ +୨ ଦ୍ବିତୀୟ ବର୍ଷର ଛାତ୍ରୀ ଉତ୍କଳିକା ହଷ୍ଟେଲ୍‌ର ରୁମ୍‌ ନଂ-୨୧ରେ ଅନ୍ୟ ୨ଜଣ ଛାତ୍ରୀଙ୍କ ସହ ରହୁଥିଲେ। ଦୁଇଦିନ ତଳେ ସେ ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଉତ୍ସବ ପରେ ସମସ୍ତେ ଘରକୁ ଯିବା ପାଇଁ ଆବଦେନ କରିଥିଲେ। ତେବେ ରବିବାର ଦିନ ଦୁଇ ଜଣ ଛାତ୍ରୀ ଘରକୁ ଚାଲିଯାଇଥିଲେ। ହେଲେ ଉତ୍କଳିକା ଘରକୁ ନଯାଇ ହଷ୍ଟେଲ୍‌ରେ ଥିଲେ। ସକାଳ ସମୟରେ ହଷ୍ଟେଲ୍‌ ବାରଣ୍ଡା‌ରେ ବୁଲୁଥିବା ଛାତ୍ରୀମାନେ ଦେଖିଥିବାରୁ ୮ଟା ସମୟରେ ତାଙ୍କ ରୁମ୍‌କୁ ଯାଇ ଡ଼ାକିଥିଲେ। ହେଲେ ସେ କବାଟ ଖୋଲି ନଥିଲେ କି ଜବାବ ଦେଇ ନଥିଲେ। କବାଟକୁ ଜୋର୍‌ରେ ବାଡ଼େଇବାରୁ ଲକ୍‌ ଖୋଲିଯାଇଥିଲା। କବାଟ ଖୋଲିବା ପରେ ଉତ୍କଳିକା ଫ୍ୟାନ୍‌ରେ ଝୁଲୁଥିବା ଦେଖି ଛାତ୍ରୀମାନେ ପାଟିକରି ଅନ୍ୟମାନଙ୍କୁ ଡ଼ାକିଥିଲେ। ହଷ୍ଟେଲ୍‌ ପରିଚାଳିକା ଏ ସଂପର୍କରେ ତୁରନ୍ତ କଲେଜ୍‌ ଓ ପୁଲିସକୁ ଜଣାଇଥିଲେ। ଖବରପାଇ କଲେଜ କର୍ତ୍ତୃପକ୍ଷ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହକୁ ଜବତ କରାଯାଇଥିଲା। ମୃତ୍ୟୁ ପଛର କାରଣ ରହସ୍ୟରେ ଥିବା ବେଳେ ପୁଲିସ ଘଟଣା ଉପରୁ ପରଦା ହଟାଇବା ପାଇଁ ଛାତ୍ରୀଙ୍କ ମୋବାଇଲ୍‌ ଯାଞ୍ଚ କରୁଛି। ଏଥିସହ ଛୁଟି ଆବେଦନ କରିଥିବା ବେଳେ ସେ କାହିଁକି ଘରକୁ ନଯାଇ ହଷ୍ଟେଲ୍‌ରେ ରହିଥିଲେ ସେ ଦିଗକୁ ନେଇ ମଧ୍ୟ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ସିଡିଆର୍‌ ଆସିବା ପରେ ଘଟଣାର ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.