Breaking News

ସପନ ଡେଣାରେ ଉଡୁଥିବା ଦୀପ୍ତି

ମସ୍ତିଷ୍କର ଗଠନ ଠିକ୍ ହୋଇନାହିଁ ବୋଲି ଜନ୍ମରୁ ଝିଅଟି ଅନ୍ୟମାନଙ୍କ ଠାରୁ ଅଲଗା। କଥା କହିବାର ଢଙ୍ଗ, ମତ ଆଦାନପ୍ରଦାନର ଧାରା, ଅନ୍ୟମାନଙ୍କ ସହ ମିଶିବାର ଧାରା, ସବୁକିଛି ଥିଲା ଭିନ୍ନ। ଜନ୍ମରୁ ତା’ର ମୁଣ୍ଡଟି ସାଧାରଣ ଶିଶୁର ମୁଣ୍ଡଠାରୁ...

ମସ୍ତିଷ୍କର ଗଠନ ଠିକ୍ ହୋଇନାହିଁ ବୋଲି ଜନ୍ମରୁ ଝିଅଟି ଅନ୍ୟମାନଙ୍କ ଠାରୁ ଅଲଗା। କଥା କହିବାର ଢଙ୍ଗ, ମତ ଆଦାନପ୍ରଦାନର ଧାରା, ଅନ୍ୟମାନଙ୍କ ସହ ମିଶିବାର ଧାରା, ସବୁକିଛି ଥିଲା ଭିନ୍ନ। ଜନ୍ମରୁ ତା’ର ମୁଣ୍ଡଟି ସାଧାରଣ ଶିଶୁର ମୁଣ୍ଡଠାରୁ ଅସ୍ବାଭାବିକ ଭାବେ ଛୋଟ ଥିଲା, କାନ ଓ ଓଠର ଗଠନ ମଧ୍ୟ ଅନ୍ୟ ଝିଅମାନଙ୍କ ପରି ହୋଇନଥିଲା। କିନ୍ତୁ ତା’ର ମନଟା ଥିଲା ଖୁବ୍ ସରଳ। ସେ ଅନ୍ୟମାନଙ୍କ ସହ ମିଶିବାକୁ ଚାହୁଥିଲା କିନ୍ତୁ ମିଶି ପାରୁନଥିଲା, ସାଙ୍ଗ ହେବାକୁ ଚାହୁଥିଲା କିନ୍ତୁ ହୋଇ ପାରୁନଥିଲା। ତାକୁ ସମସ୍ତେ ‘ପା‌େଗଳୀ’ ବୋଲି ଡାକୁଥିଲେ, ଆଉ କେହି କେହି ‘ମାଙ୍କେଡ଼ି’। ସେ ଯେତେବେଳେ ନିହାତି ସାନ ଥିଲା, ଗାଁର ସମସ୍ତେ ତା’ ବାପା ମା’ଙ୍କୁ କହୁଥିଲେ, ‘‘ଏମିତି ଅଦ୍ଭୁତ ଜୀବ ସେମାନେ ଆଗରୁ କେବେ ଦେଖିନାହାନ୍ତି। ଏପରି ଛୁଆ ଘରେ ରହିଲେ ନିଶ୍ଚୟ ଅମଙ୍ଗଳ ହେବ। ତାକୁ ବରଂ କୌଣସି ଅନାଥାଳୟରେ ଛାଡ଼ିଦେଇ ଆସିଲେ ଭଲହେବ। ଝିଅଟି ଖୁବ୍‌ କମ୍‌ କଥାବାର୍ତ୍ତା କରୁଥିଲା, ଏକା ଏକା ରହିବାକୁ ବାଧ୍ୟ ହେଉଥିଲା। ଗାଁର ଅନ୍ୟ ପିଲାମାନେ ଓ ସେମାନଙ୍କର ବାପାମା’ଙ୍କ କଟୁକଥା ଶୁଣି ମଝିରେ ମଝିରେ ନିଭୃତରେ ବସି କାନ୍ଦୁଥିଲା। ଝିଅଟି ଯେତେବେଳେ ଏକୁଟିଆ ବସି କାନ୍ଦୁଥିଲା, ସେତେବେଳେ ତା’ର ମାଆ ଆସି ତାକୁ କୋଳକୁ ଟାଣିନେଇ ଗେଲ କରୁଥିଲେ ଆଉ ସାଧ୍ୟମତେ ଝିଅର ମନପସନ୍ଦର ଖାଦ୍ୟ ରାନ୍ଧି ଖୁଆଇ ତାକୁ ଭୁଲାଇବାକୁ ଚେଷ୍ଟା କରୁଥିଲେ। ବନ୍ଧୁହୀନ ନିଃସଙ୍ଗ, ଶାନ୍ତ ନିରୀହ ଝିଅଟିର ଲୁହ ହୁଏତ କିଛି ସମୟ ପାଇଁ ଶୁଖି ଯାଉଥିଲା। କିନ୍ତୁ ପୁଣି ତାକୁ ଶୁଣିବାକୁ ପଡୁଥିଲା ପାଗେଳୀ, ମାଙ୍କେଡ଼ି ଇତ୍ୟାଦି ଇତ୍ୟାଦି। ଯେଉଁମାନଙ୍କୁ ଆପଣାର ମନେ କରୁଥିଲା, ସେମାନେ ହିଁ ତାକୁ ବିଦ୍ରୂପ କରୁଥିଲେ, ଆଘାତ ଦେଉଥିଲେ। ଅସହାୟ ହୋଇ କାନ୍ଦୁଥିଲା ସେ।

ଈଶ୍ବରଙ୍କ ରଚନା କିନ୍ତୁ ବଡ଼ ବିଚିତ୍ର। ସେହି ଝିଅଟି ଯାହା କରିପାରେ ଅନ୍ୟ କେହି ତାହା ପାରନ୍ତିନାହିଁ। ଆଉ ଝିଅଟିର ସେହି ଅସାଧାରଣ କ୍ଷମତା ପ୍ରଥମେ ୨୦୧୦ ମସିହାରେ ଆବିଷ୍କାର କରନ୍ତି ଗ୍ରାମ୍ୟ ଉନ୍ନୟନ ଅନୁଷ୍ଠାନ (ଆର୍‌ଡିଏଫ୍‌)ର ପିଇଟି ପ୍ରଶିକ୍ଷକ ବିୟାନି ଭେଙ୍କଟେଶ୍ବରାଲୁ। ସେହି ଅସ୍ବାଭାବିକ ମନେ ହେଉଥିବା ଝିଅଟି ଦୌଡ଼ରେ ଅନାୟାସରେ ହରାଇ ଦେଉଥିଲା ସୁସ୍ଥ ସବଳ ସାଧାରଣ ଝିଅମାନଙ୍କୁ। କିନ୍ତୁ ସମସ୍ୟା ହେଲା ଯେ, ଝିଅଟି ମାନସିକ ଆଘାତ ପାଇ ପାଇ ପଥର ହୋଇଯାଇଛି। ସେ କାହାରି ସାଥିରେ କଥା ହେବାକୁ ମଧ୍ୟ ଚାହେନାହିଁ। ଧୀରେ ଧୀରେ ବିୟାନି ଝିଅର ନିକଟବର୍ତ୍ତୀ ହେବାପାଇଁ ଚେଷ୍ଟା କଲେ। ତାକୁ ଟ୍ରାକ୍‌ରେ ଦୌଡ଼ିବାର ନିୟମ କାନୁନ ବୁଝାଇବାରେ ଲାଗିଲେ। ତଥାପି ଝିଅଟିର ବାରମ୍ବାର ଭୁଲ୍‌ ହେଲା। ରାଜ୍ୟସ୍ତରୀୟ ୧୦୦ ମିଟର୍‌ ଦୌଡ଼ରେ ପ୍ରଥମସ୍ଥାନ ଅଧିକାର କରି ମଧ୍ୟ ପଦକ ପାଇବାରୁ ବଞ୍ଚିତ ହେଲା, କାରଣ ଟ୍ରାକ୍ ଚେଞ୍ଜ କରିଥିବାରୁ ଡିସ୍‌କ୍ବାଲିଫାଏଡ୍‌ ହୋଇଗଲା। ତଥାପି ବିୟାନି ହାରି ନ ଯାଇ ଲଗାତାର ଟ୍ରେନିଂ ଦେବାକୁ ଲାଗିଲେ।

ଅମୂଲ୍ୟ ରତ୍ନକୁ ସାଧାରଣ ମନୁଷ୍ୟ ଚିହ୍ନି ପାରନ୍ତିନାହିଁ, କିନ୍ତୁ ତାହାର ଦ୍ୟୁତି ସଠିକ୍‌ ଜହୁରୀର ଦୃଷ୍ଟି ଆଢୁଆଳରେ ରହେନାହିଁ। ୨୦୧୯ ମସିହାରେ ଖାମ୍ବାମର ଷ୍ଟେଟ୍‌ ମିଟ୍‌ରେ ଝିଅଟି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସ୍ପୋର୍ଟସ୍‌ ଅଥରିଟି ଅଫ୍‌ ଇଣ୍ଡିଆ)ର କୋଚ୍‌ ଏନ୍‌. ରମେଶଙ୍କର ଦୃଷ୍ଟି ଆକର୍ଷଣ କଲା। ସେ ଝିଅଟିର ଘରକୁ ଗଲେ। ଝିଅକୁ ହାଇଦ୍ରାବାଦର SAI Centreକୁ ଟ୍ରେନିଂ ଲାଗି ପଠାଇବା ପାଇଁ ଝିଅର ବାପା ଯୋଧାଗିରି ଓ ମାଆ ଧନଲକ୍ଷ୍ମୀଙ୍କୁ ରାଜି କରାଇବାରେ ସକ୍ଷମ ହେଲେ। ପୁଣି ମୂଳରୁ ଆରମ୍ଭ ହେଲା ସେହି ଝିଅର ସଂଗ୍ରାମ। ହାଇଦ୍ରାବାଦ ଯିବାପାଇଁ ବସ୍ ଭଡ଼ା ମଧ୍ୟ ନଥିଲା ଗରିବ ବାପାମା’ଙ୍କ ପାଖରେ। ସବୁ ଯୋଗାଡ଼ ହେଲା, ହେଲେ ଝିଅଟି ସାଧାରଣ ନଥିବାରୁ ତାକୁ ପ୍ରଶିକ୍ଷଣ ଦେବା ସହଜ ନଥିଲା। ଦୌଡ଼ର ବିଭିନ୍ନ ଟ୍ୟାକ୍‌ଟିସ୍, ପ୍ରତିଯୋଗିତା ପ୍ରତି ଫୋକସ୍ କରିବା ଇତ୍ୟାଦି ସହ ଅନ୍ୟାନ୍ୟ ସବୁ ବିଷୟ ତାକୁ ବୁଝାଇବା କଷ୍ଟ ଥିଲା। କୋଚ୍ ଓ ଅନ୍ୟାନ୍ୟ ସହପାଠିନୀମାନେ ତା’ ପାଖରେ ଛିଡ଼ା ହେଲେ। ଧୀରେ ଧୀରେ ଝିଅଟି ସହଜ ହେବାକୁ ଲାଗିଲା, ମନପ୍ରାଣ ଦେଇ ଶିଖିବାକୁ ଲାଗିଲା ଦୌଡ଼ିବାର କଳାକୌଶଳ। ଧୀରେ ଧୀରେ ଦୌଡ଼ିବା ତାକୁ ଭଲ ଲାଗିଲା। ହୁଏତ ପ୍ରତିଶୋଧର ଅବଲମ୍ବନ ଭାବେ ସେ ଗ୍ରହଣ କରିନେଲା ଦୌଡ଼କୁ। ଆମ ଦେଶରେ ଅସାଧାରଣ ପ୍ରତିଭା ସତ୍ତ୍ୱେ ଦାରିଦ୍ର୍ୟ ଏକ ବିରାଟ ପ୍ରତିବନ୍ଧକ ଭାବରେ ଛିଡ଼ା ହୋଇଥାଏ, ସେହି ଝିଅଟି କ୍ଷେତ୍ରରେ ମଧ୍ୟ ତାହା ଘଟୁଥିଲା। କିନ୍ତୁ ଦିନେ ମନକୁ ମନ ଏକା ଏକା ଷ୍ଟାଡିଅମ୍‌ରେ ଅଭ୍ୟାସ କରୁଥିବା ବେଳେ ଦୂରରୁ ତାକୁ ଲକ୍ଷ୍ୟ କରୁଥିଲେ ପୁଲେଲ୍ଲା ଗୋପିଚାନ୍ଦ। ମୁଗ୍ଧ ବିସ୍ମୟରେ କିଛି ସମୟ ଝିଅଟିକୁ ଚାହିଁ ରହିବା ପରେ ସେ ଝିଅର କୋଚ୍‌ ରମେଶ ବାବୁଙ୍କ ସହ କଥାହେଲେ। ରମେଶଙ୍କ ପାଖରୁ ଜାଣିବାକୁ ପାଇଲେ ଯେ, ଝିଅଟି କେବେହେଲେ କ୍ଳାନ୍ତି, ଭୋକ, ବ୍ୟଥା ବା ବିଶ୍ରାମର କଥା କୁହେନାହିଁ। ସେ କେବଳ ତା’ର ଅପରିଣତ ମସ୍ତିଷ୍କକୁ ଯେତେଟା ସମ୍ଭବ କାମରେ ଲଗାଇ କୋଚ୍‌ଙ୍କ କଥା ଶୁଣେ, ବୁଝିବାକୁ ଚେଷ୍ଟା କରେ, ଆଉ ଟ୍ରାକ୍‌ରେ ସେସବୁକୁ ପ୍ରୟୋଗ କରି କେବଳ ଦୌଡ଼ିବାକୁ ଚାହେ। ଏସବୁ ଶୁଣି ସାରିବା ପରେ ଗୋପିଚାନ୍ଦ ମୈତ୍ର ଫାଉଣ୍ଡେସନ୍‌ ମାଧ୍ୟମରେ ସେହି ଝିଅଟିକୁ ସ୍ପନ୍‌ସର୍‌ କରିବାର ନିଷ୍ପତ୍ତି ନିଅନ୍ତି।

ତା’ପରେ ଝିଅଟି କେବଳ ଦୌଡ଼ିଲା ନାହିଁ, ସତେ ଯେମିତି ସବୁ ବ୍ୟଙ୍ଗ ବିଦ୍ରୁପକୁ ପଛ କରି, ତା’ର ଜିଦ୍‌ ଓ ସରଳ ମନ ନେଇ ସେ ଉଡ଼ିବାକୁ ଲାଗିଲା। ସ୍ବର୍ଣ୍ଣପଦକ ସହିତ ବିଶ୍ବ ରେକର୍ଡ଼ ମଧ୍ୟ ହାସଲ କଲା ସେହି ଝିଅ ଅର୍ଥାତ୍ ଦୀପ୍ତି। ବିଶ୍ବ ପାରା ଆଥ୍‌ଲେଟିକ୍‌ସ ଚାମ୍ପିଅନ୍‌ସିପ୍‌ରେ ମହିଳାମାନଙ୍କର ଟି-୨୦ ବିଭାଗରେ ଚମ୍ପିୟାନ ହେଲା ଦୀପ୍ତି। ଦିନେ ଯେଉଁ ଝିଅ ବ୍ୟଙ୍ଗ ବିଦ୍ରୁପର ଶିକାର ହୋଇ ନିଜ ଭିତରେ ସାଙ୍କୁଡ଼ି ରହି କ୍ରମଶଃ ହତାଶା ଭିତରେ ହଜିଯିବାକୁ ବସିଥିଲା, ସେହି ଝିଅ ଦୀପ୍ତି ମାତ୍ର ୫୫.୦୭ ସେକେଣ୍ଡ୍‌ରେ ୧୦୦ ମିଟର୍‌ ଦୌଡ଼ରେ ଏକ ବିରଳ ରେକର୍ଡର ଅଧିକାରିଣୀ ହୋଇ କେବଳ ବାପାମା’ କିମ୍ବା କୋଚ୍‌ଙ୍କୁ ନୁହେଁ, ସମଗ୍ର ଭାରତବର୍ଷକୁ ଗୌରବାନ୍ବିତ କରିଛି ଦୀପ୍ତି।
ଉପସ୍ଥାପନା: ପ୍ରଦୀପ କୁମାର ରାୟ

ସୌଜନ୍ୟ-ସମ୍ୱାଦ

Comments are closed.