Breaking News

ସପ୍ତମ ହକି ଇଣ୍ଡିଆ ବାର୍ଷିକ ପୁରସ୍କାର: ଅମିତଙ୍କୁ ପର୍ଗତ ସିଂହ ସମ୍ମାନ

ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହର୍ମନପ୍ରୀତ୍ ସିଂହ ଏବଂ ମହିଳା ଦଳର ଗୋଲ୍‌ରକ୍ଷକ ସବିତା ପୁନିଆଙ୍କୁ ୨୦୨୪ ମସିହା ପାଇଁ ଶ୍ରେଷ୍ଠ ଖେଳାଳି ସମ୍ମାନ ପ୍ରଦାନ କରିଛି ହକି ଇଣ୍ଡିଆ। ନୂଆଦିଲ୍ଲୀରେ ଶନିବାର ଅନୁଷ୍ଠିତ ହକି ଇଣ୍ଡିଆର...

ଭୁବନେଶ୍ବର: ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହର୍ମନପ୍ରୀତ୍ ସିଂହ ଏବଂ ମହିଳା ଦଳର ଗୋଲ୍‌ରକ୍ଷକ ସବିତା ପୁନିଆଙ୍କୁ ୨୦୨୪ ମସିହା ପାଇଁ ଶ୍ରେଷ୍ଠ ଖେଳାଳି ସମ୍ମାନ ପ୍ରଦାନ କରିଛି ହକି ଇଣ୍ଡିଆ। ନୂଆଦିଲ୍ଲୀରେ ଶନିବାର ଅନୁଷ୍ଠିତ ହକି ଇଣ୍ଡିଆର ସପ୍ତମ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ଉଭୟଙ୍କୁ ‘ବଲ୍‌ବୀର ସିଂହ ସିନିୟର୍‌ ପ୍ଲେୟାର୍‌ ଅଫ୍ ଦି ଇୟର୍‌’ ସମ୍ମାନ ସହ ୨୫,୦୦,୦୦୦ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯାଇଛି। ପ୍ୟାରିସ୍‌ ଓ ଟୋକିଓ ଅଲିମ୍ପିକ୍ କାଂସ୍ୟ ପଦକ ବିଜେତା ଭାରତୀୟ ଦଳର ଅଂଶ ଥିଲେ ହର୍ମନପ୍ରୀତ୍‌। ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାତଛଡ଼ା କରିଥିବା ଭାରତୀୟ ଦଳର ଅଂଶ ଥିବା ସବିତା ପୁନିଆ ନିକଟରେ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଅବସରରେ ୩୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ର ମାଇଲ୍‌ଖୁଣ୍ଟ ପ୍ରତିଷ୍ଠା କରିଥ‌ିଲେ। ସବିତାଙ୍କ ପାଇଁ ମଧ୍ୟ ଶନିବାର ଖୁସି ଦ୍ବିଗୁଣିତ ହୋଇଥିଲା, କାରଣ ସେ ମଧ୍ୟ ବର୍ଷର ଶ୍ରେଷ୍ଠ ଗୋଲ୍‌ରକ୍ଷକ ଭାବେ ହକି ଇଣ୍ଡିଆ ବଲଜିତ୍ ସିଂହ ପୁରସ୍କାର ଅର୍ଜନ କରିଥିଲେ। ଏଥି ପାଇଁ ସବିତାଙ୍କୁ ଅତିରିକ୍ତ ୫,୦୦,୦୦୦ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।

ହର୍ମନପ୍ରୀତ, ସବିତା ଶ୍ରେଷ୍ଠ ଖେଳାଳି, ୧୯୭୫ ବିଶ୍ବ ବ‌ିଜେତାଙ୍କୁ ମେଜର ଧ୍ୟାନଚାନ୍ଦ ଲାଇଫ୍ ଟାଇମ୍ ପୁରସ୍କାର

ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ବର୍ଷର ଶ୍ରେଷ୍ଠ ଡିଫେଣ୍ଡର୍ ଭାବେ ହକି ଇଣ୍ଡିଆ ପର୍ଗତ ସିଂହ ପୁରସ୍କାର, ହାର୍ଦିକ ସିଂହଙ୍କୁ ଶ୍ରେଷ୍ଠ ମିଡ୍‌ଫିଲ୍ଡର ଭାବେ ହକି ଇଣ୍ଡିଆ ଅଜିତ ପାଲ୍ ସିଂହ ପୁରସ୍କାର, ଅଭିଷେକଙ୍କୁ ଶ୍ରେଷ୍ଠ ଫରୱାର୍ଡ ଭାବେ ହକି ଇଣ୍ଡିଆ ଧନରାଜ ପିଲ୍ଲେ ପୁରସ୍କାର ମିଳିଛି। ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ୨୧ ବର୍ଷରୁ କମ୍ ମହିଳା ଦଳର ଶ୍ରେଷ୍ଠ ଖେଳାଳି ଭାବେ ଦୀପିକାଙ୍କୁ ହକି ଇଣ୍ଡିଆ ଅସୁନ୍ତା ଲାକ୍ରା ପୁରସ୍କାର ଏବଂ ୨୧ ବର୍ଷରୁ କମ୍‌ ପୁରୁଷ ଦଳ ପାଇଁ ଅଭିଷେକ ସିଂହ ହୁଣ୍ଡାଲଙ୍କୁ ହକି ଇଣ୍ଡ‌ିଆ ଯୁଗରାଜ ସିଂହ ପୁରସ୍କାର ସହ ୧୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଦିଆଯାଇଛି। ସବୁଠାରୁ ବଡ଼ ଦଳଗତ ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଲାଇଫ୍ ଟାଇମ୍‌ ଆଚିଭମେଣ୍ଟ୍‌ ପୁରସ୍କାର’ ପ୍ରଦାନ କରାଯାଇଛି ୧୯୭୫ ମସିହାର ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳକୁ। ସମ୍ପୂର୍ଣ୍ଣ ଦଳର ଖେଳାଳିମାନଙ୍କୁ ୫୦,୦୦,୦୦୦ ଟଙ୍କା ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି। ଭାରତୀୟ ହକିର ୧୦୦ ବ‌ର୍ଷ ପୂର୍ତ୍ତି ଏବଂ ବିଶ୍ବକପ୍‌ ବିଜୟର ୫୦ ବର୍ଷ ପୂର୍ତ୍ତି ବି ଏହି ଅବସରରେ ପାଳନ କରାଯାଇଛି। ସୂଚନାଯୋଗ୍ୟ, ୧୯୭୫ ମସିହା ମାର୍ଚ୍ଚ ୧୫ ତାରିଖରେ କୁଆଲାଲୁମ୍ପୁରଠାରେ ଖେଳଯାଇଥିବା ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ଭାରତ ପ୍ରଥମ ଓ ଶେଷ ଥର ପାଇଁ ବିଶ୍ବକପ୍‌ ହକି ମୁକୁଟ ଜିତିଥିଲା। ଶନିବାର ଏହାର ଠିକ୍ ୫୦ ତମ ବାର୍ଷିକୀ ଥିଲା। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ଉତ୍ସବ‌ରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ସମ୍ପାଦକ ଭୋଳାନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.