Breaking News

ସପ୍ତର୍ଷି କୁଣ୍ଡ

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାର ଯମୁନେତ୍ରୀଠାରୁ ୧୪ କି.ମି. ଦୂର, ସମୁଦ୍ରପତ୍ତନଠାରୁ ପ୍ରାୟ ୧୬,୫୦୦ଫୁଟ ଉଚ୍ଚରେ ସ୍ଥିତ ବରଫ ପାହାଡ଼ ଘେରା ଏକ ପ୍ରାକୃତିକ ଜଳାଶୟ ପବିତ୍ର ସପ୍ତ‌ର୍ଷି କୁଣ୍ଡ ଭାବରେ ପ୍ରଖ୍ୟାତ।

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାର ଯମୁନେତ୍ରୀଠାରୁ ୧୪ କି.ମି. ଦୂର, ସମୁଦ୍ରପତ୍ତନଠାରୁ ପ୍ରାୟ ୧୬,୫୦୦ଫୁଟ ଉଚ୍ଚରେ ସ୍ଥିତ ବରଫ ପାହାଡ଼ ଘେରା ଏକ ପ୍ରାକୃତିକ ଜଳାଶୟ ପବିତ୍ର ସପ୍ତ‌ର୍ଷି କୁଣ୍ଡ ଭାବରେ ପ୍ରଖ୍ୟାତ। ବେଦ ଅନୁସାରେ ସପ୍ତ ବ୍ରହ୍ମଜ୍ଞାନୀ ଋଷି ହେଉଛନ୍ତି- କାଶ୍ୟପ, ଅତ୍ରି, ଗୌତମ, ବିଶ୍ବାମିତ୍ର, ଭରଦ୍ବାଜ, ବଶିଷ୍ଠ ଓ ଜମଦଗ୍ନି। ଧର୍ମ, କର୍ମ, ମର୍ଯ୍ୟାଦା ଆଦି ଗୁଣଗୁଡ଼ିକର ବିକାଶ ଘଟାଇ ସୃଷ୍ଟିର ସନ୍ତୁଳନ ରକ୍ଷା କରିବା ନିମିତ୍ତ ପ୍ରଜାପିତା ବ୍ରହ୍ମା ସେମାନଙ୍କୁ ସୃଷ୍ଟି କରିଥିଲେ। ଏକଦା ସେମାନେ ଏକତ୍ର ହୋଇ ହିମାଳୟର ଏକ ଉତ୍ତୁଙ୍ଗ ଶିଖରରେ ତପସ୍ୟା କରୁଥିଲେ। ଏହି ସମୟରେ ସେମାନେ ଦେଖିଲେ, ମହାନଦୀ ଗୋ‌େଲାକ ବାସିନୀ ତୀବ୍ର ବେଗରେ ଗୋଲୋକରୁ ଧରିତ୍ରୀକୁ ଅବତରଣ କରୁଛି। ସେମାନେ ଦେଖିଲେ, ଯେଉଁ ବେଗରେ ଏହି ନଦୀ ମର୍ତ୍ତ୍ୟାବତରଣ କରୁଛି, ଏହା ସୃଷ୍ଟିକୁ ପ୍ରଳୟ ଜଳରେ ନିମଗ୍ନ କରିଦେବ। ତେଣୁ ସେମାନେ ସେହି ନଦୀର ସ୍ରୋତକୁ ଅବରୋଧ କରିବା ନିମିତ୍ତ ଏକ ବିଶାଳ ଜାମୁ ବୃକ୍ଷକୁ ତା’ ସମ୍ମୁଖରେ ରଖିଦେଲେ। ଫଳରେ ନଦୀର ସ୍ରୋତ କମିଗଲା। ଜାମୁବୃକ୍ଷ ମଧ୍ୟରୁ ଧୀର ଗତିରେ ତାହା ପ୍ରବାହିତ ହେବାରୁ ତାହାର ନାମ ହେଲା ଯମୁନା। ଏବଂ ଯେଉଁ ସ୍ଥାନରେ ବେଗଗାମୀ ଯମୁନାକୁ ଜାମୁବୃକ୍ଷର ବନ୍ଧ ଦେଇ ଋଷିମାନେ ସୁସ୍ଥିର କଲେ, ତାହା ସପ୍ତ‌ର୍ଷିକୁଣ୍ଡ ନାମରେ ବିଖ୍ୟାତ ହେଲା।

ସତ୍ୟଯୁଗରେ, ପ୍ରାୟ ୫୦୦୦ ବର୍ଷ ପୂର୍ବେ, ସପ୍ତର୍ଷିମାନେ ଏହି କୁଣ୍ଡ ନିର୍ମାଣ କରିଥିଲେ। ତାହା ଆଜିପର୍ଯ୍ୟନ୍ତ ଜଳପୂର୍ଣ୍ଣ ହୋଇ ରହିଛି। ବହୁ କଷ୍ଟ ସ୍ବୀକାର କରି ଶ୍ରଦ୍ଧାଳୁମାନେ ଏହି କୁଣ୍ଡରେ ସ୍ନାନ କରିବାକୁ ଦୂର ଦୂରାନ୍ତରରୁ ଆସିଥାନ୍ତି। ସ୍ନାନପରେ ସେମାନେ ଏଠାରେ ଅବସ୍ଥିତ ଶିବଙ୍କୁ ଦର୍ଶନ କରିଥାନ୍ତି। ଏଠାରେ ସପ୍ତଋଷି ସାତଟି ହବନକୁଣ୍ଡ ନିର୍ମାଣ କରିଥିଲେ। ୬୭ଟି ତୀର୍ଥର ଜଳ ଆଣି ଏହି କୁଣ୍ଡରେ ଢାଳି ଥିବାରୁ ଏହି କୁଣ୍ଡକୁ ୬୮ତୀର୍ଥର ମର୍ଯ୍ୟାଦା ପ୍ରଦାନ କରାଯାଏ। ଅମାବାସ୍ୟା, ପୂର୍ଣ୍ଣିମା ଓ ରବିବାରରେ ସେଥିରେ ସ୍ନାନ କଲେ ମନୋକାମନା ପୂର୍ଣ୍ଣ ହେବ ବୋଲି ବିଶ୍ବାସ କରାଯାଏ। ବର୍ଷରେ ପ୍ରାୟ ଦୁଇଥର ଏଠାରେ ବିଶେଷ ମେଳା ଅନୁଷ୍ଠିତ ହୁଏ। କାର୍ତ୍ତିକ ପୂର୍ଣ୍ଣିମା ଓ ଶ୍ରାବଣ ଶେଷ ରବିବାରରେ ଏହି ମେଳା ହୁଏ।

ଅନେକଙ୍କର ବିଶ୍ବାସ ଯେ ସୂର୍ଯ୍ୟକନ୍ୟା ଯମୁନାଙ୍କର ଉଦ୍‌ଗମ ସ୍ଥଳ ଯମୁନେତ୍ରୀ। କିନ୍ତୁ ପ୍ରକୃତରେ ଯମୁନାଙ୍କର ଉଦ୍‌ଗମସ୍ଥଳ ସପ୍ତର୍ଷିକୁଣ୍ଡ। ଏଠାରୁ ବାହାରି ଯମୁନା ନଦୀ କାଳିନ୍ଦୀ ପର୍ବତ ଉପରେ ଝରି ଯମୁନେତ୍ରୀରେ ଦୃଷ୍ଟିଗୋଚର ହୁଏ। ତେଣୁ ଯମୁନାଙ୍କର ଅନ୍ୟ ନାମ କାଳିନ୍ଦୀ। ସପ୍ତର୍ଷିକୁଣ୍ଡର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି, ଏହି କୁଣ୍ଡର ଚତୁର୍ପାର୍ଶ୍ବରେ ଅସଂଖ୍ୟ ବ୍ରହ୍ମକମଳ ବୃକ୍ଷ ରହିଛି। ବ୍ରହ୍ମକମଳ ଏକ ପବିତ୍ର ପୁଷ୍ପ ଭାବରେ ପରିଗଣିତ। କୁହାଯାଏ, ଏହି କମଳପୁଷ୍ପ ଉପରେ ବସି ବ୍ରହ୍ମା ସୃଷ୍ଟି ସଂରଚନା କରିଥାନ୍ତି। ବ୍ରହ୍ମକମଳ ପୁଷ୍ପ, ଘନ ପାଇନ ଅରଣ୍ୟ ଓ ବରଫାବୃତ ଗିରିଶୃଙ୍ଗ ସପ୍ତର୍ଷି କୁଣ୍ଡର ସୌନ୍ଦର୍ଯ୍ୟ ଓ ପବିତ୍ରତାକୁ ବହୁଗୁଣିତ କରିଛନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.