ରାଉରକେଲା/କୁଆରମୁଣ୍ଡା: କଠିନ ପରିଶ୍ରମ ଯୋଗୁ ସଫଳତାର ଗୋଟିଏ ପରେ ଗୋଟିଏ ଶିଢ଼ି ଚଢ଼ି ଚାଲିଛନ୍ତି। ଏମୁ, କୁକୁଡ଼ା ଓ ଘୁଷୁରି ପାଳନ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି। ଏମିତି ଜଣେ ସଫଳ ଚାଷୀ ହେଲେ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡାର ସେଲିନା ଖାଲ୍‌ଖୋ। ପ୍ରଥମେ ଏମୁ ପକ୍ଷୀ ପରେ ଘୁଷୁରି, ଦେଶୀ କୁକୁଡ଼ା ଓ ସୋନାଲି କୁକୁଡ଼ା ପାଳନ କରୁଛନ୍ତି। ପୂର୍ବରୁ ସେ ନିଜେ ସବୁ କିଛି କରୁଥିଲେ। କାମ ବଢ଼ିବାରୁ ଅନ୍ୟ ୨/୩ ଜଣ ମହିଳାଙ୍କୁ ତାଙ୍କ ଫାର୍ମରେ ନିଯୁକ୍ତି ଦେଇଛନ୍ତି। ଏହି କାମରେ ସ୍ବାମୀ ରାଜେଶ ମଧ୍ୟ ତାଙ୍କୁ ସହାୟତା‌ କରୁଛନ୍ତି। ଏମୁପକ୍ଷୀ, କୁକୁଡ଼ା ଓ ଘୁଷୁରି ପାଳନ କରି ବର୍ଷକୁ ପ୍ରାୟ ‌ଅଢ଼େଇରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ଏମିତି କାମ କରି ସେଲିନା ସ୍ଥାନୀୟ ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ସେଲିନା କହିଛନ୍ତି, ପରିଶ୍ରମ ଫଳ କେବେ ବୃଥା ଯାଏନି। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ କଠିନ ପରିଶ୍ରମ ଓ ଧୈର୍ଯ୍ୟ ଦରକାର। ଯାହାକୁ ସେ ପ୍ରମାଣିତ କରି ଦେଖେଇଛନ୍ତି। ମହିଳାମାନେ ପୁରୁଷମାନଙ୍କଠୁ କୌଣସି ଗୁଣରେ କମ୍‌ ନୁହନ୍ତି। ତେଣୁ ଯେଉଁକାମ କରନ୍ତୁ, ତାକୁ ସଠିକ୍‌ ଢଙ୍ଗରେ କରନ୍ତୁ, ନିଶ୍ଚିତ ଭାବେ ସଫଳତା ପାଇବେ।

ସ୍ବାମୀଙ୍କ ଉପରେ ନିର୍ଭର ନକରି ନିଜେ କିଛି ରୋଜଗାର କରିବାକୁ ନିଷ୍ପତ୍ତି ନେଇଥିଲେ। ଛତୁ, ଧୂପକାଠି, ପାମ୍ପଡ଼, ମାଛ ଚାଷ ପ୍ରାୟ ଅଧିକାଂଶ ମହିଳା କରୁଛନ୍ତି। ଏସବୁ ନ କରି ସେ ଏମୁ ପକ୍ଷୀ ପାଳନ କରିବାକୁ ମନସ୍ଥ କରିଥିଲେ। ତାଙ୍କ ସ୍ବାମୀ ରାଜେଶଙ୍କୁ କିଛି ଏମୁ ପକ୍ଷୀ ଆଣିବାକୁ କହିଥିଲେ। ଗତ ୨୦୨୦ରେ ତାଙ୍କ ସ୍ବାମୀ ରାଜେଶ ଗୁଜୁରାଟରୁ ୧୪ଟି ଏମୁ ପକ୍ଷୀ କିଣି ଆଣିଥିଲେ। ସେଗୁଡ଼ିକ ବଢ଼ିବା ପରେ ପ୍ରତ୍ୟେକ ଏମୁ ପକ୍ଷୀକୁ ୧୨ରୁ ୧୪ ହଜାର ଟଙ୍କାରେ ଭୁବନେଶ୍ବର, ଛତିଶଗଡ, ଝାଡ଼ଖଣ୍ଡରେ ବିକୁଛନ୍ତି। ଅଣ୍ଡା ଗୋଟାକୁ ୨ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଅଣ୍ଡାରୁ ଛୁଆ ବାହାର କରିବାରୁ ହ୍ୟାଚିଂ ମେସିନ୍‌ ତାଙ୍କୁ ସରକାର ରିହାତି ମୂଲ୍ୟରେ ଯୋଗାଇ ଦେଇଛନ୍ତି। ନଷ୍ଟ ହୋଇଯାଉଥିବା ଅଣ୍ଡାଗୁଡ଼ିକୁ ଫୋପାଡ଼ି ନ ଦେଇ ସାଇତି ରଖୁଛନ୍ତି। ସେହି ଅଣ୍ଡାଗୁଡ଼ିକ ଉପରେ ତାଙ୍କ ସ୍ବାମୀ ସୂକ୍ଷ୍ମ ଖୋଦେଇ ଚିତ୍ର ଆଙ୍କୁଛନ୍ତି। ଯାହାକୁ ବଜାରରେ ବିକିବାକୁ ଲକ୍ଷ୍ୟ ରଖିଛନ୍ତି। ସେମିତି ଦେଶୀ ଓ ସୋନାଲି କୁକୁଡ଼ାର ବେଶ୍‌ ଚାହିଦା ଥିବାରୁ ସେଥିରୁ ମଧ୍ୟ ଭଲ ଦି’ ପଇସା ରୋଜଗାର କରୁଛନ୍ତି।

ତାଙ୍କ ଫାର୍ମରେ କାମ କରୁଥିବା ଆଶ୍ରିତା ଏକ୍କା ଓ ଜ୍ୟୋତି ବାଖ୍‌ଲା କହିଛନ୍ତି, ସେଲିନାଙ୍କ ଫାର୍ମରେ କାମ କରି ଆମେ ଦି’ ପଇସା ରୋଜଗାର କରିପାରୁଛୁ। ତାଙ୍କ ଭଳି ପରିଶ୍ରମ କରି ଆଗାମୀ ଦିନରେ ଆମେ ନିଜ କୁକୁଡ଼ା ଫାର୍ମ କରିବାକୁ ଲକ୍ଷ୍ୟ ରଖିଛୁ। ସେଲିନା କହିଛନ୍ତି, ପରିଶ୍ରମ ଫଳ କେବେ ବୃଥା ଯାଏନି। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ କଠିନ ପରିଶ୍ରମ ଓ ଧୈର୍ଯ୍ୟ ଦରକାର। ଯାହାକୁ ସେ ପ୍ରମାଣିତ କରି ଦେଖେଇଛନ୍ତି। ମହିଳାମାନେ ପୁରୁଷମାନଙ୍କଠୁ କୌଣସି ଗୁଣରେ କମ୍‌ ନୁହନ୍ତି। ତେଣୁ ଯେଉଁକାମ କରନ୍ତୁ, ତାକୁ ସଠିକ୍‌ ଢଙ୍ଗରେ କରନ୍ତୁ, ନିଶ୍ଚିତ ଭାବେ ସଫଳତା ପାଇବେ।