Breaking News

ସଫଳ ବିଫଳତା!

ସ୍ପେନ୍‌ର ଏକ ରେସ୍ତୋରାଁର ଦୃଶ୍ୟ। ବରାଦ କରିଥିବା କଫି ଆସିବା ଅବସରରେ, ବୃଦ୍ଧ ବ୍ୟକ୍ତି ଜଣକ ନାପକିନରେ କିଛି ଗୋଟେ ଆଙ୍କି ଚାଲିଛନ୍ତି। ପାଖରେ ବସିଥିବା ମହିଳାଜଣକ ତନ୍ମୟ ହୋଇ ଅନେଇ ରହିଛନ୍ତି। ବୃଦ୍ଧ ବ୍ୟକ୍ତିଙ୍କ କଫିପିଆ ଶେଷ ହେଲା।

ଗୌରଚନ୍ଦ୍ର ତ୍ରିପାଠୀ

ସ୍ପେନ୍‌ର ଏକ ରେସ୍ତୋରାଁର ଦୃଶ୍ୟ। ବରାଦ କରିଥିବା କଫି ଆସିବା ଅବସରରେ, ବୃଦ୍ଧ ବ୍ୟକ୍ତି ଜଣକ ନାପକିନରେ କିଛି ଗୋଟେ ଆଙ୍କି ଚାଲିଛନ୍ତି। ପାଖରେ ବସିଥିବା ମହିଳାଜଣକ ତନ୍ମୟ ହୋଇ ଅନେଇ ରହିଛନ୍ତି। ବୃଦ୍ଧ ବ୍ୟକ୍ତିଙ୍କ କଫିପିଆ ଶେଷ ହେଲା। ସଦ୍ୟ ଚିତ୍ର ଆଙ୍କିଥିବା ନାପକିନଟିକୁ ମୋଡ଼ାମୋଡ଼ି କରି ଫିଙ୍ଗିବାକୁ ଯାଉଛନ୍ତି, ମହିଳାଜଣକ ତା’ ମୂଲ୍ୟ ପ୍ରତିବଦଳରେ ସେ ନାପକିନଟିକୁ ନେବାପାଇଁ ଅନୁରୋଧ କଲେ। ବୃଦ୍ଧ ବ୍ୟକ୍ତି ଉତ୍ତର ଦେଲେ, “ତା’ ମୂଲ୍ୟ କେବଳ ୨୦,୦୦୦ ଡଲାର୍।’’ ମହିଳାଜଣକ କହିଲେ ଆପଣ ତ ତା’ ପାଇଁ କେବଳ ୨ ମିନିଟ୍ ସମୟ ଦେଇଛନ୍ତି।’’
“ନା ମାଡାମ୍, ଏହା ଆଙ୍କିବା ପାଇଁ ମୁଁ ୬୦ ବର୍ଷ ସମୟ ଦେଇଛି।’’ ଏହା କହି ବୃଦ୍ଧ ବ୍ୟକ୍ତିଜଣକ ନାପକିନଟିକୁ ମୋଡ଼ାମୋଡ଼ି କରି ପକେଟରେ ରଖିଲେ ଏବଂ ଆଗେଇ ଚାଲିଲେ। ସେ ବୃଦ୍ଧ ବ୍ୟକ୍ତି ଥିଲେ ରଙ୍ଗ ଆଉ ତୂଳିର ଯାଦୁକର- ପାବଲୋ ପିକାସୋ। ପିକାସୋ ଯେତେବେଳେ ତାଙ୍କ ପ୍ରଥମ ଘନାକୃତି ଚିତ୍ର ‘ଲେଁ ଡିମୋଜେଲ ଡିଭେନ୍ୟୁ’ ଆଙ୍କିଲେ, ଚିତ୍ର ଜଗତରେ ଏହାକୁ ‘ପ୍ରତାରଣା’ ଓ ‘ଆବର୍ଜନା’ ଭାବରେ ବର୍ଣ୍ଣନା କରାଯାଇଥିଲା। ଏହି ଚିତ୍ର ଆଜି ନ୍ୟୁୟର୍କ ସହରର ‘ମ୍ୟୁଜିଅମ ଅଫ ମଡର୍ନ ଆର୍ଟସ’ର ଶ୍ରେଷ୍ଠ କଳାକୃତି ଭାବେ ପ୍ରଦର୍ଶିତ ହେଉଛି। ୨୦୨୩ ମସିହାରେ ପିକାସୋଙ୍କ ‘ଉମେନ ଉଇଥ ୱାଚ’ ଚିତ୍ରଟି ୧୨୦୦ କୋଟି ଟଙ୍କାରେ ନିଲାମ ହୋଇଥିଲା। ପ୍ରଶ୍ନ ଉଠେ, ପିକାସୋଙ୍କ ପ୍ରଥମ ଚିତ୍ର କ’ଣ ବିଫଳ ଥିଲା? ଯଦି ନା, ତା’ହେଲେ ଆମେ ବିଫଳତା କାହାକୁ କହିବା?
ବିଫଳତାକୁ ନେଇ ଆମ ଚିନ୍ତାଧାରା ସମ୍ପୂର୍ଣ୍ଣ ରୂପେ ବିଭ୍ରାନ୍ତିକର। କବି ଆମାଣ୍ଡା ଗୋର୍ମାନଙ୍କ ଅନୁସାରେ ଯାହା ବିଫଳ ଭଳି ଦେଖାଯାଉଛି ତାହା ସରଳ ଭାଷାରେ ଏକ ଅସମ୍ପୂର୍ଣ୍ଣ ପ୍ରକ୍ରିୟା ହୋଇପାରେ। ସମସ୍ତ ବିଫଳତା ଆପେକ୍ଷିକ। ବିଫଳତାର କୌଣସି ପ୍ରକୃତ ରୂପ ନାହିଁ, କୌଣସି ମୂଳ କାରଣ ନାହିଁ। ଆମେରିକୀୟ ଦାର୍ଶନିକ କୋଷ୍ଟିକା ବ୍ରାଡାଟାନ୍, ତାଙ୍କ ପୁସ୍ତକ ‘ଇନ୍ ପ୍ରେଜ ଅଫ୍ ଫେଲ୍ୟୁଅର୍’ରେ କହିଛନ୍ତି, ‘ବିଫଳତାକୁ ଗମ୍ଭୀରତାର ସହ ନିଅ, ବିଫଳତା ପୁନର୍ଜୀବନର ଏକ ଶିକ୍ଷା ହୋଇପାରେ; ଏହା ନ ଆସୁ ବୋଲି ଚାହିଁବା ଉଚିତ ନୁହେଁ।’ ଦାର୍ଶନିକ ଡାନିଏଲ ଡେନେଟ୍ ବିଫଳତାକୁ ‘ଭୁଲ୍ କରିବା’ ବୋଲି କହିବାକୁ ପସନ୍ଦ କରନ୍ତି। ବିଫଳତା ଡାନିଏଲଙ୍କ ପାଇଁ ଏକ କଳାକୃତି। ପ୍ରାୟ ଚାରି ଶହ ବର୍ଷ ପୂର୍ବରୁ, ବିଜ୍ଞାନ ଦର୍ଶନର ପିତାମହ ଫ୍ରାନ୍‌ସିସ୍ ବେକନ୍ ଲକ୍ଷ୍ୟ କରିଥିଲେ ଯେ ଦ୍ୱନ୍ଦ୍ୱ ଅପେକ୍ଷା ତ୍ରୁଟିରୁ ସତ୍ୟର ପରିପ୍ରକାଶ ସହଜ ହୁଏ। ସିଗମଣ୍ଡ ଫ୍ରଏଡ୍ ତ୍ରୁଟିର ଆଉ ଜଣେ ପ୍ରେମୀ ଥିଲେ। ଫ୍ରଏଡ୍‌ଙ୍କ ମତରେ ବିଫଳତା ଜଟିଳ ଜୀବନର ଅନ୍ତର୍ଦୃଷ୍ଟି ପାଇବାପାଇଁ ସୁଯୋଗ ପ୍ରଦାନ କରେ। ଚୀନ୍ ଲେଖକ ଓ ଦାର୍ଶନିକ ଲାଓତ୍‌ ସୁ ଠିକ୍‌ ସେହି କଥା କହିଥିଲେ, ‘ବିଫଳତା ଏକ ସୁଯୋଗ।’
ବିଫଳତାର ଇତିହାସ ମାନବଜାତି ପରି ପୁରୁଣା। ମହାଭାରତ ରଣାଙ୍ଗନରେ ମହାବୀର କର୍ଣ୍ଣଙ୍କ ପତନ ବିଫଳତା ନୁହଁ, ଚରମ ଆତ୍ମୋତ୍ସର୍ଗର ନିଦର୍ଶନ। ଗୌତମ ବୁଦ୍ଧ ଜ୍ଞାନର ଆହରଣ ପାଇଁ ରାଜକୀୟ ସୁଖସମ୍ପଦ, ସ୍ତ୍ରୀ ଓ ସନ୍ତାନକୁ ଛାଡ଼ି ସନ୍ନ୍ୟାସୀ ସାଜିଥିଲେ, ଯାହା ସାଂସାରିକ ଜଞ୍ଜାଳ ବହନରେ ବିଫଳତା ନୁହେଁ, ପରମ ଜ୍ଞାନ ଲାଭର ଉଦାହରଣ। ପ୍ରାଚୀନ ଗ୍ରିକ୍‌ ଦର୍ଶନରେ, କେବଳ ସଫଳ ଲୋକଙ୍କୁ ପ୍ରଶଂସା ନକରି, ପରାଜିତମାନଙ୍କ ପ୍ରତି ସମ୍ମାନ ଓ ସମବେଦନା ପ୍ରଦର୍ଶନ କରାଯାଉଥିଲା। ପ୍ରଭୁ ଯୀଶୁଙ୍କ ଦୃଷ୍ଟିରେ, ଦୁର୍ଭାଗ୍ୟବାନ୍ ଓ ଅସଫଳ ବ୍ୟକ୍ତି ବିତ୍ତଶାଳୀ ଲୋକଙ୍କ ଅପେକ୍ଷା ଅଧିକ ସଫଳ। ପାଶ୍ଚାତ୍ୟ ଦର୍ଶନର ଜନକ ସକ୍ରେଟିସ୍ କହିଛନ୍ତି ଯେ, “ପତନ ବିଫଳତା ନୁହେଁ। ବିଫଳତା ସେତେବେଳେ ଆସେ, ଯେତେବେଳେ ତୁମେ ଯେଉଁଠି ପଡ଼ିଛ, ସେଇଠି ପଡ଼ିରହ।” ବିଫଳତାର ଅର୍ଥ ନୁହେଁ, ଆପଣ ବିଫଳ ହେଲେ। ଏହାର ଅର୍ଥ ହେଲା, ଏତେବେଳେ ଯାଏ ଆପଣ ସଫଳ ହୋଇପାରି ନାହାନ୍ତି, ଆପଣ ଅନେକ କିଛି ଶିକ୍ଷା ଲାଭ କରିଛନ୍ତି, ଫଳାଫଳ ପାଇଁ ଆଉ କିଛି ସମୟ ଲାଗିବ।
ବିଫଳତାକୁ ନେଇ ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ରହିଛି। ଦାର୍ଶନିକ ମାର୍କସ୍ ଅରେଲିଅସ୍ ମତ ରଖନ୍ତି, ବିଫଳତା ହେଉଛି ପୁଣିଥରେ ଆରମ୍ଭ କରିବାର ଏକ ସୁଯୋଗ। ‘ମୁ ସିଗମା’ ନାମକ ତଥ୍ୟ ବିଶ୍ଳେଷଣ ଫାର୍ମର ଏକ ରିପୋର୍ଟ ଦର୍ଶାଏ ଯେ ଦ୍ରୁତ ଓ କ୍ରମାଗତ ବିଫଳତା ହେଉଛି ବ୍ୟବସାୟର ଅନେକ କ୍ଷେତ୍ରରେ ସଫଳତାର ଚାବିକାଠି। ଅଗଷ୍ଟାଇନ, ଡାରଵିନ ଓ ଫ୍ରଏଡ ନିଜ ନିଜ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବା ପାଇଁ ବିଫଳତାର ମଞ୍ଚରୁ ହିଁ ଲମ୍ଫ ମାରିଛନ୍ତି। ସଫଳତାର ଆଲୋକ ଦେଖିବା ପାଇଁ ବିଫଳତାର ଅନ୍ଧକାରମୟ ଟନେଲ୍ ଭିତରଦେଇ ଲତା ମଙ୍ଗେସକର, ଅମିତାଭ ବଚ୍ଚନ, ମେରିଲିନ ମୁନରୋ, ଷ୍ଟିଫେନ କିଙ୍ଗ, ଆଇଜାକ ନିଉଟନ, ଥୋମାସ ଏଡିସନ, ଆବ୍ରାହମ ଲିଙ୍କନଙ୍କ ପରି ବିଶ୍ବର ବହୁ ସଫଳ ବ୍ୟକ୍ତିଙ୍କୁ ଗତି କରିବାକୁ ପଡ଼ିଛି।
ଆପଣ ଯଦି ବିଫଳ ହେଉଛନ୍ତି, ତା’ହେଲେ ମନେ ରଖନ୍ତୁ ଆପଣ ଠିକ୍ ମାର୍ଗରେ ଚାଲିଛନ୍ତି। ବିଫଳତାର ପ୍ରତ୍ୟେକ ପାହାଚରେ ସାଉଁଟି ଚାଲନ୍ତୁ ଶକ୍ତି, ଆତ୍ମବିଶ୍ବାସ, ଜ୍ଞାନ ଓ ଅନୁଭୂତି। ଠିକ୍ ସମୟରେ ଠିକ୍ ବିଫଳତା ଆପଣଙ୍କ ପାଇଁ ନିଶ୍ଚିତ ଭାବରେ ନେଇ ଆସିବ ଅଭିଳଷିତ ସଫଳତା। ବିଫଳତା ହେଉଛି ଜୀବନର କଠିନ ସମୟ ପାଇଁ ଏକ ପ୍ରସ୍ତୁତି। ବିଫଳତା ବିଳମ୍ବର ସଙ୍କେତ ହୋଇପାରେ, ପରାଜୟର ନୁହେଁ। ବିଫଳତାକୁ ଏକ ନିର୍ଣ୍ଣାୟକ ଶେଷ ବିନ୍ଦୁ ଭାବରେ ଦେଖିବା ପରିବର୍ତ୍ତେ, ଏହାକୁ ନିଜର ଆକାଂକ୍ଷା ହାସଲ କରିବା ଏବଂ ପୂର୍ଣ୍ଣ ସମ୍ଭାବନାକୁ ସାକାର କରିବା ଯାତ୍ରାରେ ଏକ ମୂଲ୍ୟବାନ ପାହାଚ ଭାବରେ ଗ୍ରହଣ କରନ୍ତୁ। “ମୁଁ କିଛି ନକରି ସଫଳ ହେବାକୁ ଚେଷ୍ଟା କରିବା ପରିବର୍ତ୍ତେ କିଛି ମହାନ କାମ କରିବାକୁ ଚେଷ୍ଟା କରି ବିଫଳ ହେବାକୁ ପସନ୍ଦ କରିବି”- ରବର୍ଟ ସାଲାଙ୍କ ଏହି ଚିନ୍ତାଧାରାକୁ ପାଥେୟ କରି ଆଗେଇ ଚାଲନ୍ତୁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୦୪୨୫୨୭

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.