Breaking News

ସଫା ସୂର୍ଯ୍ୟ

ଅକ୍‌ଟୋବର ପରଠାରୁ ବିଦେଶୀ ନିବେଶକମାନେ ଭାରତୀୟ ସେଆର୍ ବଜାରରୁ ୧.୭୨ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତ୍ୟାହାର କରିଥିବାବେଳେ ଘରୋଇ ଆନୁଷ୍ଠାନିକ ନିବେଶକମାନେ ତା’ ସ୍ଥାନରେ ସେଆର୍ ବଜାରରେ...

ଅକ୍‌ଟୋବର ପରଠାରୁ ବିଦେଶୀ ନିବେଶକମାନେ ଭାରତୀୟ ସେଆର୍ ବଜାରରୁ ୧.୭୨ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତ୍ୟାହାର କରିଥିବାବେଳେ ଘରୋଇ ଆନୁଷ୍ଠାନିକ ନିବେଶକମାନେ ତା’ ସ୍ଥାନରେ ସେଆର୍ ବଜାରରେ ଖଟାଇଛନ୍ତି ୨.୭୨ ଲକ୍ଷ କୋଟି ଟଙ୍କା। ସୀତାରମଣଙ୍କ ବଦାନ୍ୟତା ‘ସିପ୍’ ବାଟ ଦେଇ ଏହି ଧାରାକୁ ଏବେ ଦୃଢ଼ୀଭୂତ କରିବ।

ଏକ ଅର୍ଥନୀତି କାହିଁକି ଏକ ନିୟମିତ ସଂକୋଚନ ସଂପ୍ରସାରଣ ଚକ୍ର ଦେଇ ଗତି କରିବା ଦେଖାଯାଇଥାଏ, ଯାହାକୁ ‘ବ୍ୟବସାୟ ଚକ୍ର’ ରୂପେ ଅର୍ଥଶାସ୍ତ୍ର ଅଭିହିତ କରିଥାଏ? ଊନବିଂଶ ଶତାବ୍ଦୀର ବିଚକ୍ଷଣ ବ୍ରିଟିଶ୍ ଅର୍ଥନୀତିଜ୍ଞ ୱିଲିଅମ୍ ଷ୍ଟାନ୍‌ଲି ଜେଭନ୍‌ସ ଏଥିପାଇଁ ଯାହାଙ୍କୁ ଦାୟୀ କରିଥିଲେ, ସେ ହେଉଛନ୍ତି ସୌରଜଗତର ପ୍ରାଣକେନ୍ଦ୍ର- ସୂର୍ଯ୍ୟ। କିମ୍ବା ଅଧିକ ନିର୍ଦ୍ଦିଷ୍ଟ ଭାବରେ କହିଲେ- ସୂର୍ଯ୍ୟଙ୍କ ଶରୀରରେ ନିୟମିତ ଭାବରେ ଆବିର୍ଭୂତ ଓ ଅନ୍ତର୍ହିତ ହେଉଥିବା ଦାଗମାନ, ଯାହା ‘ସୌର କଳଙ୍କ’ ରୂପେ ପରିଚିତ।
ପ୍ରସିଦ୍ଧ ଜର୍ମାନ୍-ବ୍ରିଟିଶ୍ ଜ୍ୟୋତିର୍ବିଜ୍ଞାନୀ-ସଂଗୀତଜ୍ଞ ସାର୍ ୱିଲିଅମ୍ ହର୍ସ‌୍ଲଙ୍କ ଦ୍ବାରା ଏହାର ଉପସ୍ଥିତି ଆବିଷ୍କୃତ ହେବା ପରେ ଜ୍ୟୋତିର୍ବିଜ୍ଞାନୀମାନେ ପର୍ଯ୍ୟବେକ୍ଷଣ ଦ୍ବାରା ସାବ୍ୟସ୍ତ କଲେ ଯେ ସୌର କଳଙ୍କର ଆବିର୍ଭାବ-ଅନ୍ତର୍ଦ୍ଧ‌ାନ ଚକ୍ରର ଅବଧି ହେଉଛି ୧୦.୪୫ ବର୍ଷ। ଜେଭନ୍‌ସ ୧୭୨୧ରୁ ୧୮୭୮ ମଧ୍ୟରେ ଦେଖାଯାଇଥିବା ବ୍ୟବସାୟ ଚକ୍ରମାନଙ୍କର ରେକର୍ଡ ଅନୁଶୀଳନ କରି ଦେଖିବାକୁ ପାଇଲେ ଯେ ଏଗୁଡ଼ିକର ହାରାହାରି ଅବଧି ହେଉଛି ୧୦.୪୬ ବର୍ଷ। ଉଭୟ ଅବଧି ମଧ୍ୟରେ ଏହି ସାମଞ୍ଜସ୍ୟ କେବଳ ବିଶୁଦ୍ଧ ସଂଯୋଗ ବୋଲି ଜେଭନ୍‌ସ ବିଶ୍ବାସ କଲେନାହିଁ। ଏ ଉଭୟଙ୍କ ମଧ୍ୟରେ ଏକ କାର୍ଯ୍ୟ-କାରଣ ସଂପର୍କ ରହିଛି ବୋଲି ତାଙ୍କୁ ମନେ ହେଲା। ସେ ଭାବିଲେ ସୌର କଳଙ୍କ ପାଣିପାଗ ଚକ୍ର ସୃଷ୍ଟି କରିଥାଏ, ପାଣିପାଗ ଚକ୍ର ବୃଷ୍ଟିପାତ ଚକ୍ର ସୃଷ୍ଟି କରିଥାଏ, ବୃଷ୍ଟିପାତ ଚକ୍ର ଶସ୍ୟ ଚକ୍ର ସୃଷ୍ଟି କରିଥାଏ ଏବଂ ଶସ୍ୟ ଚକ୍ର ପ୍ରଭାବରେ ବ୍ୟବସାୟ ଚକ୍ର ସୃଷ୍ଟି ହୋଇଥାଏ। ଜେଭନ୍‌ସଙ୍କ ଅନୁସାରେ ତେଣୁ ଅର୍ଥନୀତିରେ ସାମୟିକ ଭାବରେ ଦେଖାଦେଉଥିବା ଶିଥିଳତାର କାରଣ ପୃଥିବୀରେ ନିହିତ ନ ଥାଇ ନିହିତ ଥିଲା ସୂର୍ଯ୍ୟପୃଷ୍ଠରେ।
ପରବର୍ତ୍ତୀ ସମୟରେ ଆମେରିକାରେ ଆରମ୍ଭ ହୋଇ ୧୯୩୦ ଦଶକରେ ପ୍ରାୟ ସାରା ପୃଥିବୀର ଅର୍ଥନୀତି ଯେତେବେଳେ ‘ମହାଅବପାତ’ ରୂପେ କୁଖ୍ୟାତ ଏକ ଭୀଷଣ ମାନ୍ଦା ଅବସ୍ଥା ଦ୍ବାରା କବଳିତ ହେଲା, ସେତେବେଳେ ମହାନ ବ୍ରିଟିଶ୍ ଅର୍ଥନୀତିଜ୍ଞ ଜନ୍ ମେନାର୍ଡ କେନ୍‌ସ ଏହାର କାରଣ ରୂପେ ଯାହାକୁ ପ୍ରଦର୍ଶିତ କଲେ, ତାହା ହେଉଛି ସଂପୂର୍ଣ୍ଣ ରୂପେ ପୃଥିବୀ ପୃଷ୍ଠରେ ଘଟୁଥିବା ଏକ ଘଟଣା, ଯାହାକୁ ପ୍ରକୃତରେ ଏହାର ଶହେ ବର୍ଷରୁ ଅଧିକ କାଳ ତଳେ ପ୍ରଥମେ ଆଉ ଜଣେ ପ୍ରସିଦ୍ଧ ବ୍ରିଟିଶ୍ ଅର୍ଥନୀତିଜ୍ଞ ଥମାସ୍ ରବର୍ଟ ମାଲ୍‌ଥସ୍ ଆବିଷ୍କାର କରିଥିଲେ। ମାନ୍ଦା ଅବସ୍ଥାର ସେଇ କାରଣଟି ହେଲା- ଲୋକମାନେ ସେମାନଙ୍କ ଆୟକୁ ସଂପୂର୍ଣ୍ଣ ରୂପେ ବଜାରରେ ଖର୍ଚ୍ଚ ନ କରି ଏହାର ଏକ ଅଂଶ ସଞ୍ଚୟ କରିବା। ଏହା ଫଳରେ ଅର୍ଥନୀତିରେ ଉତ୍ପାଦିତ ହେଉଥିବା ଦ୍ରବ୍ୟମାନଙ୍କର ଏକ ଅଂଶ ବିକ୍ରି ନ ହୋଇ ବଳି ପଡ଼ିଥାଏ, ଅର୍ଥାତ୍ ବଜାରରେ ସାମଗ୍ରିକ ଚାହିଦା ତୁଳନାରେ ସାମଗ୍ରିକ ଯୋଗାଣ ଅଧିକ ହୋଇଥାଏ, ଯାହାକୁ ମାଲ୍‌ଥସ୍ ‘ଅତିଉତ୍ପାଦନ’ ରୂପେ ନାମିକ କରିଥିଲେ। ଏଭଳି ଏକ ଅବସ୍ଥାର ସମ୍ମୁଖୀନ ହେଲେ ଶିଳ୍ପୋଦ୍ୟୋଗୀମାନେ ସେମାନଙ୍କର ନିବେଶ ଓ ଉତ୍ପାଦନ ସଂକୁଚିତ କରିବାକୁ ବାଧ୍ୟ ‌େହାଇଥାନ୍ତି, ଯାହାର ଫଳ ସ୍ବରୂପ ନିଯୁକ୍ତି ସୃଷ୍ଟିରେ ମଧ୍ୟ ସଂକୋଚନ ଘଟିଥାଏ।
କେନ୍‌ସ ଏ ସମସ୍ୟାର ସମାଧାନ ନିମିତ୍ତ ଯେଉଁ ସୂତ୍ର ବାହାର କରିଥିଲେ, ତାହା ହେଲା ଏପରି ସମୟରେ ସରକାର ବିଭିନ୍ନ ଉପାୟରେ ସେଭଳି ନାଗରିକମାନଙ୍କ ନିକଟରେ ଅଧିକ କ୍ରୟ ଶକ୍ତି ଉପଲବ୍‌ଧ କରାଇବା, ଯେଉଁମାନେ ତାହାକୁ ବଜାରରେ ଖର୍ଚ୍ଚ କରି ସାମଗ୍ରିକ ଚାହିଦାରେ ବୃଦ୍ଧି ଘଟାଇବେ। ତାହା ଶିଳ୍ପବାଣିଜ୍ୟ ଉଦ୍ୟୋଗୀମାନଙ୍କୁ ନିବେଶ ଓ ଉତ୍ପାଦନରେ ସଂପ୍ରସାରଣ ଘଟାଇ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାକୁ ପ୍ରବୃତ୍ତ କରିବ।
ଭାରତରେ ନିକଟ ଅତୀତରେ ଘରୋଇ କ୍ଷେତ୍ରରେ ପୁଞ୍ଜି ନିବେଶରେ ଯେଉଁ କୁଣ୍ଠା ଦେଖାଯିବାରେ ଲାଗିଛି, ତାହା ପଛରେ ଜେଭନୀୟ ସୌର କଳଙ୍କର ପ୍ରଭାବ କାର୍ଯ୍ୟ କରୁଛି କି ନାହିଁ ଜଣାନାହିଁ, କିନ୍ତୁ ଭାରତୀୟ କର୍ପୋରେଟ୍ କ୍ଷେତ୍ର ଯାହା ଦିଗରେ ଏଥିପାଇଁ ଅଭିଯୋଗର ଅଙ୍ଗୁଳି ନିର୍ଦ୍ଦେଶ କରିଆସିଛି, ତାହା ହେଉଛି ସଂପୂର୍ଣ୍ଣ ରୂପେ ମାଲ୍‌ଥସୀୟ: ସହରୀ ଖାଉଟି ଖର୍ଚ୍ଚରେ ଶିଥିଳତା। ସହରାଞ୍ଚଳର ଖାଉଟିମାନଙ୍କର ଖର୍ଚ୍ଚ ଅଧିକାଂଶ ଖାଉଟି ଦ୍ରବ୍ୟ ଉତ୍ପାଦନକାରୀ କଂପାନିମାନଙ୍କ ପାଇଁ ଚାହିଦାର ମେରୁଦଣ୍ଡ ହୋଇଥିବାରୁ ଏହା ସେମାନଙ୍କ ପାଇଁ ନିରୁତ୍ସାହ ସୃଷ୍ଟି କରିଥାଏ, ଯାହା ଜଟିଳ ପାରସ୍ପରିକ ସଂପର୍କ ମାଧ୍ୟମରେ ଅନ୍ୟ କ୍ଷେତ୍ରର କଂପାନିମାନଙ୍କୁ ମଧ୍ୟ ସଂକ୍ରମିତ କରିଥାଏ। ସେମାନଙ୍କର ଏହି ନିବେଶ କୁଣ୍ଠା ଦୂର ନ ହେଲେ ଭାରତ ଆଉ ଦୁଇ ଦଶନ୍ଧି ମଧ୍ୟରେ ଏକ ବିକଶିତ ଦେଶରେ ପରିଣତ ହେବା ପାଇଁ ଲୋଡ଼ା ୮ ଶତାଂଶ ଅଭିବୃଦ୍ଧି ହାର ହାସଲ କରିବା ସମ୍ଭବ ହେବନାହିଁ।
ଏହି ପରିପ୍ରେକ୍ଷୀରେ ତେଣୁ ଏଥରର ବଜେଟ୍‌ରେ ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁସବୁ ପଦକ୍ଷେପମାନ ଘୋଷଣା କରିଛନ୍ତି, ସେଥିମଧ୍ୟରେ ବୋଧହୁଏ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଉପରୋକ୍ତ ମାଲ୍‌ଥସୀୟ ପ୍ରତିବନ୍ଧକ ହଟାଇବା ନିମିତ୍ତ ସେ ଅବଲମ୍ବନ କରିଥିବା କୌଶଳ। ସିଧାସଳଖ କହିଲେ, ସୀତାରମଣ ବ୍ୟକ୍ତିଗତ ଆୟକର ହାରରେ ଯେଉଁ ପରିବର୍ତ୍ତନ ଘୋଷଣା କରିଛନ୍ତି, ତାହା ଦ୍ବାରା ଏବେ ଦେଶର ବେତନଭୋଗୀମାନଙ୍କ ପାଖରେ ବଜାରରେ ଖର୍ଚ୍ଚ କରିବା ପାଇଁ ଆଉ ଅତିରିକ୍ତ ଏକ ଲକ୍ଷ କୋଟି ଟଙ୍କା ଉପଲବ୍‌ଧ ହେବ। ଏହାର କାରଣ ହେଲା ଏଣିକି ବାର୍ଷିକ ୧୨.୭୫ ଲକ୍ଷ ଟଙ୍କା ଯାଏ ଆୟ କରୁଥିବା, ଅର୍ଥାତ୍ ମାସିକ ଏକ ଲକ୍ଷ ଟଙ୍କାରୁ କିଛି ଅଧିକ ଆୟ କରୁଥିବା ବେତନଭୋଗୀମାନଙ୍କୁ ଆଦୌ ଆୟକର ପୈଠ କରିବାକୁ ପଡ଼ିବ ନାହିଁ। ଯଦି ଏହି ଏକ ଲକ୍ଷ କୋଟି ଟଙ୍କା ଅତିରିକ୍ତ ଉପଲବ୍‌ଧ ରାଶିର ମାତ୍ର ଏକ-ତୃତୀୟାଂଶ ମଧ୍ୟ ବଜାରରେ ଖର୍ଚ୍ଚ ହୁଏ, ତାହା ସାମଗ୍ରିକ ଚାହିଦା ପାଇଁ ଏକ ଶକ୍ତିଶାଳୀ ଉତ୍‌କ୍ଷେପକ ରୂପେ କାର୍ଯ୍ୟ କରିବ।
ଏହି ଶ୍ରେଣୀର ଆୟକାରୀମାନେ ମଧ୍ୟ କ୍ଷୁଦ୍ର ଓ ମଧ୍ୟମ ନିବେଶକ ରୂପେ କାର୍ଯ୍ୟ କରିଥାନ୍ତି ଏବଂ ଏଥିପାଇଁ ସାଧାରଣତଃ ମ୍ୟୁଚୁଆଲ୍ ଫଣ୍ଡ୍‌ମାନଙ୍କୁ ମାଧ୍ୟମ ରୂ‌େପ ବ୍ୟବହାର କରିଥାନ୍ତି। ଅନେକ ମ୍ୟୁଚୁଆଲ୍ ଫଣ୍ଡ୍ ଏଭଳି ନିବେଶକମାନଙ୍କୁ ଆକର୍ଷିତ କରିବା ପାଇଁ ‘ସିଷ୍ଟେମାଟିକ୍ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍’ (‘ସିପ୍‌’) ନାମକ ଏକ ବିଶେଷ ସୁବିଧାଜନକ ନିବେଶ ଯୋଜନା କାର୍ଯ୍ୟକାରୀ କରିଥାନ୍ତି। ଏହା ଅନୁସାରେ ନିବେଶକମାନଙ୍କୁ ଏକାଥରେ ଏକ ବୃହତ୍ ରାଶି ନିବେଶ ନ କରି ନିୟମିତ ଭାବରେ କ୍ଷୁଦ୍ର ପରିମାଣର ଅର୍ଥ ନିବେଶ କରିବାକୁ ହୋଇଥାଏ। ଉପରୋକ୍ତ ଆୟକର ଛାଡ଼ ଯୋଗୁଁ ଆୟକାରୀଙ୍କ ପାଖରେ ପ୍ରତି ମାସରେ ‌େଯଉଁ ଆୟ ଉଦ୍‌ବୃତ୍ତ ହେବ, ତାହାର ଏକ ଅଂଶ ସେ ଏହି ‘ସିପ୍’ରେ ନିବେଶ କରିବାର ଦୃଢ଼ ସମ୍ଭାବନା ରହିଛି। ନିକଟରେ ବୈଦେଶିକ ପୁଞ୍ଜି ନିବେଶକାରୀମାନେ ଭାରତୀୟ ସେଆର୍ ବଜାରରୁ ଯେଉଁଭଳି ନିବେଶ ପ୍ରତ୍ୟାହାର କରିବା ଦେଖାଯାଇଛି, ମ୍ୟୁଚୁଆଲ୍ ଫଣ୍ଡ୍‌ମାନେ ‘ସିପ୍’ ମାଧ୍ୟମରେ ସଂଗ୍ରହ କରୁଥିବା ସମ୍ବଳ ଦ୍ବାରା ସେଥିଯୋଗୁଁ ସୃଷ୍ଟି ହେଉଥିବା ଶୂନ୍ୟସ୍ଥାନ ପୂରଣ କରିବାରେ ସକ୍ଷମ ହେବେ। ବାସ୍ତବରେ ଅକ୍‌ଟୋବର ପରଠାରୁ ବିଦେଶୀ ନିବେଶକମାନେ ଭାରତୀୟ ସେଆର୍ ବଜାରରୁ ୧.୭୨ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତ୍ୟାହାର କରିଥିବାବେଳେ ଘରୋଇ ଆନୁଷ୍ଠାନିକ ନିବେଶକମାନେ ତା’ ସ୍ଥାନରେ ସେଆର୍ ବଜାରରେ ଖଟାଇଛନ୍ତି ୨.୭୨ ଲକ୍ଷ କୋଟି ଟଙ୍କା। ସୀତାରମଣଙ୍କ ବଦାନ୍ୟତା ‘ସିପ୍’ ବାଟ ଦେଇ ଏହି ଧାରାକୁ ଏବେ ଦୃଢ଼ୀଭୂତ କରିବ।
ତାଙ୍କର ଏହି ଉଦ୍ୟମ ଫଳବତୀ ହୋଇ ଯଦି ଭାରତୀୟ ଅର୍ଥନୀତି ଶିଥିଳତା ତ୍ୟାଗ କରିବାରେ ସଫଳ ହୁଏ, ତେବେ କୁହାଯାଇପାରିବ ଯେ ସୀତାରମଣ ସୂର୍ଯ୍ୟଙ୍କର କଳଙ୍କ ସଫା କରିବାରେ ସଫଳ ହୋଇଛନ୍ତି।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.