Breaking News

ସବୁଆଡ଼ୁ ବିପଦ: ଆହ୍ବାନକୁ କେମିତି ମୁକାବିଲା କରିବେ?

ଜଳ, ସ୍ଥଳ ହେଉ କି ଆକାଶ। ସବୁଆଡ଼ୁ ଓଡ଼ିଶାକୁ ମାଡ଼ି ଆସୁଛି ବିପଦ। ସମୁଦ୍ର ଉପକୂଳ ଲଙ୍ଘୁଛି। ବିଷାକ୍ତ ହେଉଛି ବାୟୁ। ସ୍ଥଳ ଭାଗ କଥା ନ କହିବା ଭଲ। ପରିବେଶ ନଷ୍ଟକାରୀ ମନୁଷ୍ୟକୃତ କାର୍ଯ୍ୟକଳାପ ଏତେମାତ୍ରାରେ ବଢ଼ିଯାଇଛି ଯେ ଜୀବଜଗତ ସମ୍ପୂର୍ଣ୍ଣ ବିପଦରେ।

କେଶବ ପାଣି

ଭୁବନେଶ୍ବର: ଜଳ, ସ୍ଥଳ ହେଉ କି ଆକାଶ। ସବୁଆଡ଼ୁ ଓଡ଼ିଶାକୁ ମାଡ଼ି ଆସୁଛି ବିପଦ। ସମୁଦ୍ର ଉପକୂଳ ଲଙ୍ଘୁଛି। ବିଷାକ୍ତ ହେଉଛି ବାୟୁ। ସ୍ଥଳ ଭାଗ କଥା ନ କହିବା ଭଲ। ପରିବେଶ ନଷ୍ଟକାରୀ ମନୁଷ୍ୟକୃତ କାର୍ଯ୍ୟକଳାପ ଏତେମାତ୍ରାରେ ବଢ଼ିଯାଇଛି ଯେ ଜୀବଜଗତ ସମ୍ପୂର୍ଣ୍ଣ ବିପଦରେ। ପଲିଥିନ୍‌/ପ୍ଲାଷ୍ଟିକ୍‌ ବ୍ୟବହାର ହେଉ ଅଥବା ବୃକ୍ଷ ଛେଦନ। ପରିବେଶକୁ ଚାରିପଟୁ ମାଡ଼ି ଆସୁଥିବା ବିପଦର ମୁକାବିଲା ରାଜ୍ୟବାସୀଙ୍କ ପାଇଁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଜଳବାୟୁ ପରିବର୍ତ୍ତନ ମୁକାବିଲା ନେଇ ୨୦୨୪ରେ ଏକାଧିକ ଯୋଜନା ପ୍ରସ୍ତୁତ ସହ ମାଳ ମାଳ ପ୍ରକଳ୍ପ ଘୋଷଣା ହୋଇଛି। ରାଜ୍ୟବାସୀଙ୍କୁ ଅନେକ ସ୍ବପ୍ନ ଦେଖାଯାଇଛି। ବର୍ଷ ସିନା ସରିଗଲା; ହେଲେ ପ୍ରକୃତି କୋପରୁ ନିସ୍ତାର ମିଳିଲା ନାହିଁ। ବାତ୍ୟା ପୁଣି ମାଡ଼ ହେଲା। ବନ୍ୟାଜଳ କୂଳ ଲଙ୍ଘିଲା। ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ। ଏବେ ଆଗରେ ୨୦୨୫। ଆଖିରେ ଆଖିଏ ସ୍ବପ୍ନ ନେଇ ଇଂରାଜୀ ନୂତନ ବର୍ଷକୁ ସ୍ବାଗତ କରିବାକୁ ରାଜ୍ୟବାସୀ ପ୍ରସ୍ତୁତ ହେଉଥିବା ବେଳେ ଜଳବାୟୁ ପରିବର୍ତ୍ତନ ମୁକାବିଲା ରଣନୀତିକୁ ନେଇ ଏବେଠାରୁ ସବୁଠି ଚର୍ଚ୍ଚା।

୨୦୨୪ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୫୫୯ ବର୍ଗକିମି ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିପାଇଛି। ଏଥିରେ ଜଙ୍ଗଲ ଅଞ୍ଚଳ ୧୫୧.୮୯ ବର୍ଗ କିମି ଏବଂ ବୃକ୍ଷ ଅଞ୍ଚଳ ୪୦୬.୬୮ ବର୍ଗକିମି ରହିଛି। ସାମୂହିକ ଭାବେ ଜଙ୍ଗଲ ବଢ଼ିବା ଖୁସିର ବିଷୟ ହୋଇଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ୨୦୨୧ ତୁଳନାରେ ୨୦୨୩ରେ ୬୧.୯୪ ବର୍ଗକିମି ଜଙ୍ଗଲ କମିବା ଚିନ୍ତାର ବିଷୟ। ଭୁବନେଶ୍ବର, କଟକ, ବାଲେଶ୍ବର, ଅନୁଗୁଳସମ୍ବଲପୁର, ରାଉରକେଲା, ପୁରୀ ପରି ସହରରେ ବିକାଶ କାର୍ଯ୍ୟ ପାଇଁ ଗଛ କଟାଯିବା ଏବଂ ତାପମାତ୍ରା ବଢ଼ିବା ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଗୋଟିଏ ସମୟରେ ଟିଟିଲାଗଡ଼କୁ ତତଲାଗଡ଼ ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନ ସମୟରେ ବଲାଙ୍ଗୀରସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ସହରର ତାପମାତ୍ରା ଫେବ୍ରୁଆରିରୁ ତତଲା ତାୱାରେ ଭାଜି ହେଉଛି। ଓଡ଼ିଶା ଉପକୂଳରେ ବାତ୍ୟା ପ୍ରତିରୋଧ ହେନ୍ତାଳ ବଣ ବୃଦ୍ଧି କରିବାକୁ ରାଜ୍ୟ ସରକାର ଯେଉଁ ସ୍ବପ୍ନ ଦେଖାଇଛନ୍ତି ତାହାକୁ ପୂରଣ କରିବା ୨୦୨୫ର ସବୁଠାରୁ ବଡ଼ ଆହ୍ବାନ ହେବ।

ହ୍ବାନକୁ କେମିତି ମୁକାବିଲା କରିବେ?
ବାୟୁ ପ୍ରଦୂଷଣ ବଢ଼ୁଛି, ସମୁଦ୍ର ଉପକୂଳ ଖାଉଛି
ବାଘ, ହାତୀ, କଲରାପତରିଆଙ୍କୁ ସୁରକ୍ଷା ଦେବେ ତ?

ଓଡ଼ିଶାରେ ଜଙ୍ଗଲ ନିଆଁ ୨୦୨୧ ତୁଳନାରେ କମିଥିଲେ ମଧ୍ୟ ନିୟନ୍ତ୍ରଣ ଭିତରକୁ ଆସିପାରି ନାହିଁ। ମନୁଷ୍ୟକୃତ ନିଆଁ ଯୋଗୁଁ ଦେଶର ‌ଶୀର୍ଷ ୨୦ ଜିଲ୍ଲା ମଧ୍ୟରେ ରାୟଗଡ଼ା, କନ୍ଧମାଳ, ମାଲକାନଗରି ଓ କୋରାପୁଟ ଜିଲ୍ଲା ରହିବା ଅତ୍ୟନ୍ତ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଭୁବନେଶ୍ବର, ପାରାଦୀପ, ଅନୁଗୁଳ, ତା‌ଳଚେର, କଳିଙ୍ଗନଗର, ରାଉରକେଲା, କଟକ ପରି ସହରର ବାୟୁ ପ୍ରଦୂଷିତ ବୋଲି କେନ୍ଦ୍ର ସରକାର କହି ଆସୁଥିଲେ। ମାତ୍ର ଆଜି ଦିନରେ ବ୍ୟାସନଗର, ବାଲେଶ୍ବର, ବାରିପଦା, କେନ୍ଦୁଝରର ବାୟୁରେ ଧୂଳିକଣା ଭର୍ତ୍ତି ହୋଇଗଲାଣି। ଶିଳ୍ପାନୁଷ୍ଠାନ ସଂଖ୍ୟା ବୃଦ୍ଧି, ଧୂଆଁଧୂଳି ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ନ ଯିବା, ଗାଡ଼ିମୋଟର ଚଳାଚଳ ଉପରେ ରୋକ ଲଗା ନ ଯିବା ଦ୍ବାରା ଏବେ ପରିବେଶ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି। ପରିବେଶ ହାନୀକାରକ ସାଜିଥିବା ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ୪ ବର୍ଷ ତଳୁ କଟକଣା ଲଗାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ୨୦୨୫ରେ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ କଟକଣା ଲାଗୁ ଏବଂ ବାୟୁ ପ୍ରଦୂଷଣ ରୋକିବାରେ ନୂଆ ସରକାର ସଫଳ ହେବେ କି ନାହିଁ ତାହା ଉପରେ ନଜର ରହିଛି। ଜଳବାୟୁ ପରିବର୍ତ୍ତନ ସହ ଓତଃପ୍ରୋତ ଭାବେ ଜଡ଼ିତ ହୋଇରହିଥିବା ଜୈବମଣ୍ଡଳ ଓ ଜୀବଜନ୍ତୁଙ୍କ ସୁରକ୍ଷା ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଯାଉଛି। କାରଣ ୨୦୧୮ରେ ବିଫଳ ହୋଇଥିବା ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣକୁ ଭୁଲି ୨୦୨୪ରେ ପୁଣିଥରେ ଅଣ୍ଟା ଭିଡ଼ିଥିଲା ବନ ବିଭାଗ। ସାତକୋଶିଆକୁ ବାଦ୍‌ ଦେଇ ଶିମିଳିପାଳ ବ୍ୟାଘ୍ର ଉଦ୍ୟାନକୁ ମହାରାଷ୍ଟ୍ରରୁ ଦୁଇଟି ବାଘୁଣୀ ଅଣାଯାଇଥିଲେ ମଧ୍ୟ ବେଶି ଦିନ ଶିମିଳିପାଳରେ ରହି ନଥିଲା ବାଘୁଣୀ ‘ଜୀନତ୍‌’। ଚମ୍ପଟ୍‌ ମାରିବା ସହ ତିନି ରାଜ୍ୟ ଘୂରିବା ପରେ ଏବେ ଟ୍ରାଙ୍କୁଲାଇଜ୍‌ କରାଯାଇଛି। ପ୍ରକଳ୍ପକୁ ନେଇ ସମସ୍ତେ ଆଶଙ୍କାରେ ରହିଥିବା ବେଳେ ଆଗକୁ ଡେବ୍ରିଗଡ଼ ଓ ସାତକୋଶିଆରେ ବ୍ୟାଘ୍ର ବଂଶ ପୁନରୁଦ୍ଧାରରେ କଳା ବାଦଲ ଘୋଟି ଆସିଛି। ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇବେ ନା ଅଧାରୁ ଛାଡ଼ିବେ ତାହାକୁ ନେଇ ଶଙ୍କା ପ୍ରକାଶ ପାଇଛି।

କେବଳ ମହାବଳ କାହିଁକି, ହାତୀଙ୍କ ସ୍ଥିତି ତଦ୍ରୁପ। କାଗଜପତ୍ରରେ ରାଜ୍ୟରେ ହାତୀସଂଖ୍ୟା ବଢ଼ିଥିବା ଦର୍ଶାଯାଉଛି। ୨୦୨୪ ଗ୍ରୀଷ୍ମ ଓ ଶୀତଋତୁରେ ହୋଇଥିବା ଗଣନା ରିପୋର୍ଟରେ ହାତୀଙ୍କ ସଂଖ୍ୟା ବଢ଼ିଛନ୍ତି ସତ। ମାତ୍ର ବାସ୍ତବ ସ୍ଥିତି ସମ୍ପର୍କରେ କାହାକୁ ଜଣା ନାହିଁ। କାରଣ ‌ଯେତିକି ବଢ଼ି ନାହାନ୍ତି ତାହାର ଦୁଇ ଗୁଣ ହାତୀଙ୍କ ଜୀବନ ଯାଇଛି। କେବଳ ୨୦୨୪ରେ ପାଖାପାଖି ୭୬ଟି ହାତୀଙ୍କ ଜୀବନ ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ହାତୀ ମୁଣ୍ଡ ଗଡ଼ିବାର ଚିତ୍ର ଏବର୍ଷ ସାମ୍ନାକୁ ଆସିଥିବାରୁ ୨୦୨୫ରେ କମିବା ନେଇ ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି। କଲରାପତରିଆଙ୍କ କଥା ନ କହିବା ଭଲ। ପ୍ରତିବର୍ଷ ଶିକାରୀଙ୍କ ପଞ୍ଝାରେ ହାରାହାରି ୧୫ରୁ ୨୦ଟି କଲରାପତରିଆଙ୍କ ଜୀବନ ଯାଉଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.