Breaking News

ସବୁର ଊର୍ଦ୍ଧ୍ବରେ ପ୍ରେମ ଓ ଭକ୍ତି

ଜଣେ ଧାର୍ମିକ ବ୍ୟକ୍ତି ପ୍ରଭୁ ଯୀଶୁଙ୍କୁ ଖାଇବାକୁ ନିମନ୍ତ୍ରଣ କରିଥିଲେ। ହଠାତ୍ ସେଠାରେ ପହଞ୍ଚିଗଲେ ଏପରି ଜଣେ ମହିଳା, ଯାହାଙ୍କର ନାଆଁ ଶୁଣିଲେ ସମସ୍ତେ ନାକ ଟେକୁଥିଲେ।

ଜଣେ ଧାର୍ମିକ ବ୍ୟକ୍ତି ପ୍ରଭୁ ଯୀଶୁଙ୍କୁ ଖାଇବାକୁ ନିମନ୍ତ୍ରଣ କରିଥିଲେ। ହଠାତ୍ ସେଠାରେ ପହଞ୍ଚିଗଲେ ଏପରି ଜଣେ ମହିଳା, ଯାହାଙ୍କର ନାଆଁ ଶୁଣିଲେ ସମସ୍ତେ ନାକ ଟେକୁଥିଲେ। ସାରା ସହର ପାଇଁ ମହିଳା ଜଣକ ଥିଲେ ପାପିନୀ ଓ ଅପବିତ୍ରା। ପ୍ରଭୁ ଯୀଶୁ  ଆସିଛନ୍ତି ବୋଲି ଜାଣିଲା ପରେ ମହିଳା ଜଣକ ନିଜକୁ ରୋକି ପାରି ନ ଥିଲେ। ଶ୍ରଦ୍ଧା ଓ ଭକ୍ତିରେ ଗଡ଼ି ଯାଇଥିଲେ ସେହି ତ୍ରାଣକର୍ତ୍ତାଙ୍କ ପଦପ୍ରାନ୍ତରେ। ଅସରନ୍ତି ଅଶ୍ରୁର ଧାରାରେ ସେ ଧୋଇ ଦେଇଥିଲେ ପ୍ରଭୁ ଯୀଶୁଙ୍କର ଦୁଇ ପାଦ। ନିଜର କେଶରେ ତାଙ୍କର ପବିତ୍ର ପାଦକୁ ପୋଛି ଦେଇ ତାହାକୁ  ଚୁମ୍ବନରେ ଅଭିଷିକ୍ତ କରିବାକୁ ଲାଗିଲେ। ଏହା ଦେଖି, ପ୍ରଭୁ ଯୀଶୁଙ୍କୁ ନିମନ୍ତ୍ରଣ କରିଥିବା ବ୍ୟକ୍ତିଜଣକ ଇତସ୍ତତ ହୋଇ ନିଜକୁ ନିଜେ କହିଲେ- ଯଦି ଯୀଶୁ ଦିବ୍ୟପୁରୁଷ, ସେ ନିଶ୍ଚିତ ଜାଣିଥିବେ ଯେ ଯେଉଁ ନାରୀ ତାଙ୍କୁ ସ୍ପର୍ଶ କରୁଛି,  ସେ ଜଣେ ପାପିନୀ!

ସେହି ବ୍ୟକ୍ତିଙ୍କର ମନର ଦ୍ବନ୍ଦ୍ବ ଦୂର କରିବା ପାଇଁ, ପ୍ରଭୁ ଯୀଶୁ ତାଙ୍କୁ ବୁଝାଇଲେ- ଦୁଇଜଣ ବ୍ୟକ୍ତି ଜଣେ ଧନୀ ଲୋକଙ୍କ ଠାରୁ ଅର୍ଥ ଧାର ନେଇଥିଲେ। ଜଣେ ନେଇଥିଲେ ୫୦ ଦିନାର ଓ ଆର ଜଣକ ୫୦୦ ଦିନାର। ସେମାନେ ପରିଶୋଧ ନ କରି ପାରିବାରୁ, ଧନୀଲୋକ ଜଣକ ଦୁଇଜଣଙ୍କୁ କ୍ଷମା କରିଦେଲେ। ଏହା କହି ପ୍ରଭୁ ଯୀଶୁ ପଚାରିଲେ- ଏବେ କୁହ, ସେମାନଙ୍କ ମଧ୍ୟରୁ କିଏ ସେହି ଧନୀକଙ୍କ ପ୍ରତି ଅଧିକ କୃତାର୍ଥ ଭାବ ପ୍ରଦର୍ଶନ କରିବ? ବ୍ୟକ୍ତି ଜଣକ  ଉତ୍ତର ଦେଲେ- ମୁଁ ଭାବୁଛି, ସେ ଯାହାକୁ ଅଧିକ କ୍ଷମା କରିଛନ୍ତି।

ଏଥର ପ୍ରଭୁ ଯୀଶୁ କହିଲେ- ତୁମେ ଠିକ୍ ବିଚାର କରିଛ। ସେହିପରି, ଏହି ଅନୁତାପରେ ଜର୍ଜରିତା ନାରୀଙ୍କୁ ମୁଁ କ୍ଷମା କରିଛି। ତେଣୁ ତାଙ୍କର ମୋ ପ୍ରତି ଅଧିକ ପ୍ରେମ ଓ ଭକ୍ତି ରହିବା ସ୍ବାଭାବିକ, ଯାହା ସେ ସ୍ବତଃସ୍ଫୂର୍ତ୍ତ ଭାବେ ପ୍ରଦର୍ଶନ କରିଛନ୍ତି। ବାଇବେଲ ବର୍ଣ୍ଣିତ ପ୍ରଭୁ ଯୀଶୁଙ୍କ ଜୀବନର ଏହି ଛୋଟ ଉପାଖ୍ୟାନ ଆମକୁ ପୁନର୍ବାର ସୂଚାଇ ଦିଏ, ଯେ ଈଶ୍ବରଙ୍କ ଦୃଷ୍ଟିରେ ସମସ୍ତେ ସମାନ। କେହି ଛୋଟ କି ବଡ଼ ନୁହନ୍ତି। ପ୍ରେମ ଓ ଭକ୍ତି ହିଁ ଆମକୁ ପାପ-ପୁଣ୍ୟର ପାର୍ଥକ୍ୟର ଊର୍ଦ୍ଧ୍ବକୁ ନେଇ ଈଶ୍ବରଙ୍କର ନିକଟତର କରାଏ। ପ୍ରଭୁ ଯୀଶୁଙ୍କ ପବିତ୍ର ଜନ୍ମ ଦିବସ ଆମକୁ ପୁନର୍ବାର ମନେ ପକାଇ ଦିଏ- ଆଧ୍ୟାତ୍ମିକ ସାଧନାରେ ବିକାରଶୂନ୍ୟ ପ୍ରେମ ଓ ଭକ୍ତିର ଅନେକ ମହତ୍ତ୍ବ ଥାଏ।

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.