Breaking News

ସବୁ କ୍ଷେତ୍ରରେ ସରକାର ବିଫଳ: କଂଗ୍ରେସ

ବିଧାନସଭାରେ ସରକାରଙ୍କୁ ଘେରିବା ପାଇଁ ପ୍ରସଙ୍ଗ ସ୍ଥିର କରିଛି କଂଗ୍ରେସ। ଆଜି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବିଧାୟକମାନଙ୍କ ବୈଠକ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଥିଲା।

ଭୁବନେଶ୍ବର: ବିଧାନସଭାରେ ସରକାରଙ୍କୁ ଘେରିବା ପାଇଁ ପ୍ରସଙ୍ଗ ସ୍ଥିର କରିଛି କଂଗ୍ରେସ। ଆଜି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବିଧାୟକମାନଙ୍କ ବୈଠକ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଥିଲା। କେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଦଳ ପ୍ରାଥମିକତା ଭିତ୍ତିରେ ଗୃହରେ ଉଠାଇବ, ତାହାର ଯୋଜନା ପ୍ରସ୍ତୁତ ହୋଇଛି। ବାରବାଟୀରେ ଆନ୍ତର୍ଜାତିକ ମ୍ୟାଚ୍ ବେଳେ ଫ୍ଲଡ୍‌ ଲାଇଟ୍‌ ବନ୍ଦ ଯୋଗୁଁ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ନିନ୍ଦିତ ହେଲା। ଏହି ପ୍ରସଙ୍ଗକୁ କଂଗ୍ରେସ ବିଧାନସଭାରେ ଉଠାଇ ସରକାରଙ୍କୁ ଜବାବ ମାଗିବ। ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ ବି ଗୃହରେ ଉଠିବ। କଂଗ୍ରେସର ଅଭିଯୋଗ ହେଲା ବହୁ ମଣ୍ଡିରୁ ଧାନ ଉଠିପାରୁ ନାହିଁ। ସରକାର କଟ୍‌ନିଛଟ୍‌ନି ବନ୍ଦ କରାଯିବ ବୋଲି କହିଥିଲେ ମଧ୍ୟ ଏଫ୍‌ଏକ୍ୟୁ ମାନ ଆଳରେ ଆଖିବୁଜା କଟ୍‌ନିଛଟ୍‌ନି ଚାଲିଛି। ମଣ୍ଡି ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଚାଷୀଙ୍କର ଏହି ସମସ୍ୟାକୁ କଂଗ୍ରେସ ପ୍ରଭାବୀ ଢଙ୍ଗରେ ବିଧାନସଭାରେ ଉଠାଇବ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ କାଡ଼ାମ କହିଛନ୍ତି, ମାଗଣା ବିଜୁଳି ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ ବି ଭୁଲିଗଲେ। ନୂଆ ସରକାର ଆସିଲା ପରେ ଏବେ ଦ୍ବିତୀୟ ବଜେଟ୍‌ ଉପସ୍ଥାପନ ହେବ। କିନ୍ତୁ ରାଜ୍ୟରେ ବିକାଶମୂଳକ କାମ ଆରମ୍ଭ ହୋଇପାରୁନି। ୮ ମାସ ଭିତରେ ରାଜ୍ୟରେ ସବୁ କ୍ଷେତ୍ରରେ ଅବ୍ୟବସ୍ଥା ବଢ଼ିଚାଲିଛି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଭୁବନେଶ୍ବରରେ ବି ଲୋକ ସୁରକ୍ଷିତ ନାହାନ୍ତି। ସରକାର ଅପରାଧକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। କଣାସରେ ହଇଜା ରୋକିବା, ଅନାହାର ରୋକିବାରେ ସରକାର ସମର୍ଥ ହୋଇନାହାନ୍ତି। ସାଧାରଣ ଜନତା ହିଁ ସରକାରଙ୍କ ଏଜେଣ୍ଡାରେ ନାହାନ୍ତି। ଏସବୁ ପ୍ରସଙ୍ଗରେ ସରକାରଙ୍କୁ ଜବାବ ମଗାଯିବ। ବିଧାୟକ ଦଳ ବୈଠକରେ ପ୍ରାୟ ୧୦ ଜଣ ବିଧାୟକ ଉପସ୍ଥିତ ଥିଲେ। ତେବେ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଅନୁପସ୍ଥିତ ଥିବା ଦେଖାଯାଇଥିଲା।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.