Breaking News

ସବ୍‌ପ୍ଲଟ୍‌ ରେଜିଷ୍ଟ୍ରେସନ ଗୁମର ଖୋଲୁଛି: ୩ ବର୍ଷ ହେଲା ଲୁଟ୍‌ତରାଜ୍‌ ଚାଲିଛି

ସବ୍‌ପ୍ଲଟ୍‌ ବିକ୍ରି କଟକଣାକୁ ନେଇ ଅଫିସର ସନ୍ତୋଷ ଜନକ ଉତ୍ତର ଦେଇ ପାରୁ ନାହାନ୍ତି। ଦିଲ୍ଲୀ ମୁମ୍ବାଇ ଭଳି ମେଟ୍ରୋ ସିଟି ପାଇଁ ହୋଇଥିବା କଟକଣା ଓଡ଼ିଶାର ଗ୍ରାମାଞ୍ଚଳରେ ଲାଗିଛି। ପ୍ରଥମେ କଟକଣା‌ ଲଗାଇ ଦେଉଛନ୍ତି।

ଭୁବନେଶ୍ବର: ସବ୍‌ପ୍ଲଟ୍‌ ବିକ୍ରି କଟକଣାକୁ ନେଇ ଅଫିସର ସନ୍ତୋଷ ଜନକ ଉତ୍ତର ଦେଇ ପାରୁ ନାହାନ୍ତି। ଦିଲ୍ଲୀ ମୁମ୍ବାଇ ଭଳି ମେଟ୍ରୋ ସିଟି ପାଇଁ ହୋଇଥିବା କଟକଣା ଓଡ଼ିଶାର ଗ୍ରାମାଞ୍ଚଳରେ ଲାଗିଛି। ପ୍ରଥମେ କଟକଣା‌ ଲଗାଇ ଦେଉଛନ୍ତି। ତା’ ପରେ ‌ଲୋକ ଅଫିସରଙ୍କ ପାଖକୁ ଦଉଡ଼ୁଛନ୍ତି। ସେଠାରେ ଆରମ୍ଭ ହେଉଛି ମୂଲଚାଲ। ଯିଏ ଅଧିକ ମୂଲେଇ ପାରିଲା ତା କାମ ହେଲା। ଯିଏ ପାରିଲାନି ସେ ଆଇନକୁ ଦୋଷ ଦେଇ ବସିଗଲା। ଆଇନ ସମାନ, ସମସ୍ୟା ବି ସମାନ, ହେଲେ ଜଣଙ୍କୁ ‘ହଁ’ ଆଉ ଜଣଙ୍କୁ ‘ନା’ କେମିତି?

କେବଳ ଏତିକି ନୁହେଁ। ଏଥିପାଇଁ ଯେଉଁ ‌ମୋଟା ଅଙ୍କର ଅର୍ଥ କାରବାର ହେଉଛି ତାହା ବି ସ୍ଥାନ, କାଳ ପାତ୍ର ଅନୁସାରେ ବଦଳି ଯାଉଛି। ଜଟଣୀ ସବରେଜିଷ୍ଟ୍ରାରରେ ଗୋଟିଏ ଦର ହୋଇଥିବା ବେଳେ ବାଲିଅନ୍ତାରେ ଆଉ ଗୋଟିଏ ଦର। ଭୁବନେଶ୍ୱର, ଖଣ୍ଡଗିରି ଓ ପିପିଲିରେ ବି ଦର ଭିନ୍ନ ଭିନ୍ନ। ଅଫିସରଙ୍କ ଫନ୍ଦିଫିକର ଭିତରେ ସାଧାରଣ ଲୋକ ପେଶି ହୋଇ ଯାଇଛନ୍ତି। ୩ ବର୍ଷ ହେବ ସବ୍‌ପ୍ଲଟ୍‌ କିଣାବିକାରେ ଏଭଳି ଲୁଟ୍‌ତରାଜ ଚାଲିଛି। ଏକଥା ଆମେ କହୁ ନାହୁଁ ବରଂ ମନ୍ତ୍ରୀ ଓ ବିଧାୟକ କହୁଛନ୍ତି। ଗତକାଲି ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ଅଫିସ୍‌ର ମହିଳା କିରାଣି ସବ୍‌ପ୍ଲଟ୍‌ ରେଜିଷ୍ଟ୍ରେସନ କରିବାକୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହେବା ପରେ ଚାଲିଥିବା ତନାଘନାରେ ଜନପ୍ରତିନିଧିମାନେ ଅଫିସରଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଏବେ କହୁଛନ୍ତି ଅଫିସର ଜାଣିନାହାନ୍ତି

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଅଫିସରମାନେ ନିଜେ ନିଜ ଜାଲରେ ପଡ଼ିଛନ୍ତି। କଟକଣା ଯଦି ସମସ୍ତଙ୍କ ପାଇଁ କଲେ ତେବେ କିଛି ଲୋକଙ୍କ ପାଇଁ କୋହଳ କାହିଁକି? ଏଭଳି ବେଆଇନ କାରବାର କେତେ କରିଛନ୍ତି ସେ ନେଇ ତଥ୍ୟ ମଗାଯାଇଛି। ତଥ୍ୟ ଆସିବା ପରେ ପ୍ରତ୍ୟେକ ସବ୍‌ପ୍ଲଟ୍‌ ରେଜିଷ୍ଟ୍ରେସନର ତଦନ୍ତ ହେବ। ତଦନ୍ତରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ଦୋଷୀ ଅଫିସର ନୁହନ୍ତି, ବରଂ ପ୍ରତ୍ୟେକ ରାଜସ୍ବ ବିଭାଗର ଅଧିକାରୀଙ୍କ ଡାଟାବେସ୍‌ ପ୍ରସ୍ତୁତ ହେବ। ଜିଲ୍ଲାପାଳମାନେ ଫିଡ୍‌ବ୍ୟାକ୍‌ ଫର୍ମ ଆଧାରରେ ଅଫିସରଙ୍କ କାର୍ଯ୍ୟାବଳୀର ସମୀକ୍ଷା କରିବେ। ପଦୋନ୍ନତି ସମୟ‌ରେ ଏହା ନିର୍ଣ୍ଣାୟକ ହେବ। ସବ୍‌ପ୍ଲଟ୍‌ ରେଜିଷ୍ଟ୍ରେସନ ପାଇଁ ରେରା ଯଦି ନିୟମ କରିଛି ତେବେ ତାହା ସଂଶୋଧିତ ହୋଇ ପାରିବ କିମ୍ବା ଯଦି ଗୋଟିଏ ସ୍ପଷ୍ଟୀକରଣରେ ସମସ୍ୟାର ସମାଧାନ ହୋଇ ପାରିବ ତେବେ ତାହା ମଧ୍ୟ କରାଯିବ। ୨୦ବର୍ଷ ଧରି କାର୍ଯ୍ୟ କରୁଥିବା ରାଜସ୍ବ କର୍ମଚାରୀଙ୍କ କାମ ସନ୍ତୋଷଜନକ ନଥିଲେ, ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ।

ଏକାମ୍ର ବିଧାୟକ ବାବୁ ସିଂହ କହିଛନ୍ତି, ପ୍ରତ୍ୟେକ ଡିଏସ୍‌ଆର୍‌ରେ ଏଭଳି ଲୁଟ୍‌ତରାଜ୍‌ ଚାଲିଥିବା ଅଭିଯୋଗ ମୋ ପାଖରେ ପହଞ୍ଚିଛି। ପୂର୍ବରୁ ରେଜିଷ୍ଟ୍ରେସନ ପାଇଁ ଯେଉଁଠି ଟେବୁଲ୍‌ ଉପରେ ୫ଶହ ଟଙ୍କା ଲାଗୁଥିଲା ଏବେ ସେଠାରେ ଟେବୁଲ୍‌ ତଳେ ୫୦ ହଜାର ଲାଗୁଛି। ଏହା ସରକାରଙ୍କ ପାଖକୁ ଯାଉନି ବରଂ ଅଫିସର ବାଣ୍ଟି ନେଉଛନ୍ତି। ଯଦି କେହି ବାଧ୍ୟବାଧକତାରେ ବିକ୍ରି କରିବାକୁ ଆସୁଛି ତେବେ ତା ପାଖରେ ଏହି ପରିମାଣ ଦୁଇଗୁଣା ହୋଇଯାଉଛି। ବିଗତ ସରକାରରେ ଅଫିସରମାନେ ନିଜସ୍ବ ଆଇନ ତିଆରି କରି ହରିଲୁଟ୍‌ କରୁଥି‌ଲେ। ତଦନ୍ତ ହେଲେ ଗାତୁଆ ମୂଷା ସବୁ ପଦାକୁ ଆସିବେ।
କଟକ ବିଧାୟକ ସୋଫିଆ ଫିର୍‌ଦୌସ କହିଛନ୍ତି, ବିଜେଡି ସରକାର ଅମଳରୁ ଅଫିସରମାନେ ଗୋଟିଏ ଢାଞ୍ଚାରେ ପଡ଼ିଛନ୍ତି। ୩୫ ବର୍ଷ କ୍ୟାରିୟର ଅଛି, ତା ପୂର୍ବରୁ ଆମର କିଛି ସମସ୍ୟା ହବାର ନାହିଁ। ଏଣୁ କଳାବଜାର ଖୋଲି ବସିଛନ୍ତି ସାଧାରଣ ଲୋକଙ୍କ ରିସର୍ଚ କରୁନାହାନ୍ତି। ଏସି ରୁମ୍‌ରେ ବସି ଏମିତି ପେଞ୍ଚ କରୁଛନ୍ତି ଯେମିତି ସାଧାରଣ ଲୋକ ତାଙ୍କ ପାଖେ ପହଞ୍ଚିବେ। ଏମାନଙ୍କର କାହିଁକି କ୍ୟାରିୟର ଆପ୍ରାଇଜାଲ୍‌ ହେଉ ନାହିଁ?

ସୌଜନ୍ୟ-ସମ୍ୱାଦ

Comments are closed.