ନୂଆଦିଲ୍ଲୀ: ଆମେରିକାରେ ଏଚ୍-୧ବି ଭିସାକୁ ନେଇ ଲାଗିରହିଥିବା ବିତର୍କରେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ଭିସାକୁ ସମର୍ଥନ କରିଛନ୍ତି। ତାଙ୍କ ଦଳ ବିରୋଧରେ ଏହି ଭିସାକୁ କିଛି ଲୋକ ବିରୋଧ ଓ ଆଉ କିଛି ସମର୍ଥନ କରୁଛନ୍ତି। ସମର୍ଥନ କରୁଥିବା ଲୋକଙ୍କ ଭିତରେ ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ ରହିଛନ୍ତି। ଟ୍ରମ୍ପ୍ ଏହି ପ୍ରସଙ୍ଗରେ ମସ୍କଙ୍କୁ ସମର୍ଥନ କରୁଛନ୍ତି। ଏଚ୍‌-୧ବି ଭିସା ହେଉଛି ଆମେରିକାର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଯାହା ଜରିଆରେ ଆମେରିକୀୟ କମ୍ପାନିଗୁଡ଼ିକ ନିଜ ଲାଗି ପ୍ରତିଭାବାନ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ବେଳେ ଇମିଗ୍ରେସନ ଏକ ମୁଖ୍ୟ ପ୍ରସଙ୍ଗ ଥିଲା। ତେଣୁ ଟ୍ରମ୍ପଙ୍କ ସମର୍ଥକ ଭାବେ ଏକ କଡ଼ା ଇମିଗ୍ରେସନ ନିୟମ ଲାଗୁ କରିବାକୁ ଦାବି କରୁଛନ୍ତି। ତାହା ହେଲେ ଏଚ୍‌-୧ବି ଭିସା କାର୍ଯ୍ୟକ୍ରମ ପ୍ରଭାବିତ ହେବା ଆଶଙ୍କା ରହିଛି। ସେଥିପାଇଁ ମସ୍କ ଏହି କାର୍ଯ୍ୟକ୍ରମକୁ ସମର୍ଥନ ଦେଇ ଇମିଗ୍ରେସନ ନୀତି ସମର୍ଥକଙ୍କ ରୋଷର ଶିକାର ହୋଇଛନ୍ତି।

ଏହି ପ୍ରସଙ୍ଗରେ ଟ୍ରମ୍ପ ମୁହଁ ଖୋଲିବା ସହ କହିଛନ୍ତି ଯେ ମୋ କମ୍ପାନିରେ ବହୁ ସଂଖ୍ୟକ କର୍ମଚାରୀ ଏଚ୍‌-୧ବି ଭିସାରେ ଆସିଛନ୍ତି। ମୁଁ ଏଚ୍‌-୧ବି ଭିସା ଉପରେ ବିଶ୍ବାସ କରେ। ତାହାକୁ ମୁଁ ଅନେକ ଥର ବ୍ୟବହାର କରିଛି। ତାହା ଏକ ବହୁତ ଭଲ କାର୍ଯ୍ୟକ୍ରମ ବୋଲି ଟ୍ରମ୍ପ୍ କହିଛନ୍ତି। ଭିସା କାର୍ଯ୍ୟକ୍ରମର ସୁରକ୍ଷା ଲାଗି ଲଢ଼େଇ କରିବାକୁ ମସ୍କ ସୋସିଆଲ ମିଡିଆରେ ଆହ୍ବାନ ଦେବା ପରେ ତାହା ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଥିଲା। ଭାରତୀୟ-ଆମେରିକୀୟ ଭେଞ୍ଚର କ୍ୟାପିଟାଲିଷ୍ଟ ଶ୍ରୀରାମ କ୍ରିଷ୍ଣନଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପାଇଁ ନିଯୁକ୍ତି ଦେବା ଲାଗି ଟ୍ରମ୍ପ୍ ନେଇଥିବା ନିଷ୍ପତ୍ତିକୁ ଦକ୍ଷିଣପନ୍ଥୀମାନେ କଡ଼ା ସମାଲୋଚନା କରିଛନ୍ତି। ଏଚ୍‌-୧ବି ଭିସାକୁ ଟ୍ରମ୍ପ୍ ସମର୍ଥନ କରିବା ପରେ ତାଙ୍କର ଜଣେ ବଡ଼ ସମର୍ଥନ ଷ୍ଟିଭ୍ କ୍ୟାନନ୍ ତାହାକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଯୁକ୍ତି କମ୍ପାନିଗୁଡ଼ିକ ବିଦେଶୀ କର୍ମଚାରୀଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ରହିଛନ୍ତି ଓ ସେଥିପାଇଁ ଆମେରିକୀୟଙ୍କ ମଜୁରି କମ୍ ରହୁଥିବା ସେ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ସେ ମସ୍କଙ୍କୁ ଜଣେ ଶିଶୁ ଆଖ୍ୟା ଦେଇଛନ୍ତି। ମସ୍କ ନିଜେ ଏଚ-୧ବି ଭିସାରେ ଆମେରିକା ଆସିଥିଲେ। ତାଙ୍କ କମ୍ପାନି ଟେସ୍‌ଲା ଚଳିତ ବର୍ଷ ୭୨୪ଟି ଏଚ୍‌-୧ବି ଭିସା ହାସଲ କରିଛି। ମସ୍କ କହିଛନ୍ତି ଯେ କାର୍ଯ୍ୟକ୍ରମ ଆମେରିକାକୁ ପ୍ରତିଦ୍ବନ୍ଦ୍ବିତାରେ ଆଗରେ ରଖୁଛି। ସାରା ବିଶ୍ବ ଉପରେ ବିଜୟ ଜାରି ରଖିବାକୁ ହେଲେ ବିଭିନ୍ନ ଦେଶରୁ ପ୍ରତିଭାବାନ ଇଞ୍ଜିନିୟର ଦରକାର ବୋଲି ସେ କହିଛନ୍ତି।

ଏଚ୍‌-୧ବି ଭିସା ଆମେରିକାରେ ସର୍ବଦା ଏକ ରାଜନୈତିକ ପ୍ରସଙ୍ଗ ହୋଇରହିଛି। ବିଶେଷ କରି ବେକାରୀ ସମସ୍ୟା ବଢ଼ିବା ବେଳେ ତାହାକୁ ସମାଲୋଚକମାନେ ଟ‌ାର୍ଗେଟ୍‌ କରିଥାନ୍ତି। ବିଶ୍ବର ଯେଉଁ କେତେକ ଦେଶ ଏହି କାର୍ଯ୍ୟକ୍ରମ ଦ୍ବାରା ବିଶେଷ ଭାବେ ଲାଭବାନ ହୋଇଛନ୍ତି, ତା’ ମଧ୍ୟରେ ଭାରତର ନାମ ରହିଛି। ଆମେରିକାର ପ୍ରଯୁକ୍ତି ଦୁନିଆରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ଉଚ୍ଚ ପଦପଦବିରେ ରହି କାର୍ଯ୍ୟ କରୁଛନ୍ତି।