Breaking News

ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ: ‘ବିଶ୍ୱବିଦ୍ୟାଳୟ ଉଚ୍ଚଶିକ୍ଷା ସହ ସାମାଜିକ ସମସ୍ୟାର ସମାଧାନ କରୁ’

ଆଗାମୀ ଦୁଇ ଦଶନ୍ଧି ରାଜ୍ୟ ତଥା ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ୨୦୩୬‌ରେ ରାଜ୍ୟ ସ୍ବତନ୍ତ୍ର ପ୍ରଦେଶ ଗଠନ ଓ ୨୦୪୭ରେ ଦେଶ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବ।

ବୁର୍ଲା: ଆଗାମୀ ଦୁଇ ଦଶନ୍ଧି ରାଜ୍ୟ ତଥା ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ୨୦୩୬‌ରେ ରାଜ୍ୟ ସ୍ବତନ୍ତ୍ର ପ୍ରଦେଶ ଗଠନ ଓ ୨୦୪୭ରେ ଦେଶ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବ। ଏହି ସମୟ ମଧ୍ୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଉଚ୍ଚଶିକ୍ଷା ସହ ରାଜ୍ୟର ସାମାଜିକ, କୃଷି, ସ୍ବାସ୍ଥ୍ୟ, ପାନୀୟଜଳ ଆଦି ସମସ୍ୟା ସମାଧାନର ଉପାୟ ବାହାର କରୁ। ସାରା ଦେଶକୁ ଗ୍ରାସିଥିବା କର୍କଟ ରୋଗର ମୁକାବିଲା ପାଇଁ ଗବେଷଣା କରୁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି। ରବିବାର ସମ୍ବଲପୁର ବିଶ୍ବବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସରେ ଶ୍ରୀ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଥିଲେ, ସମ୍ବଲପୁର ମାଟି ପରାକ୍ରମ ଓ ବୀରଙ୍କ ମାଟି। ୨ଶହ ବର୍ଷ ପୂର୍ବରୁ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ବରେ ଏଠାକାର ବୀରମାନେ ତାହାକୁ ପ୍ରତିପାଦନ କରିସାରିଛନ୍ତି।

ଡ.ପ୍ରତିଭା ଶତପଥୀଙ୍କୁ ଗଙ୍ଗାଧର ଜାତୀୟ କବିତା ସମ୍ମାନ 

ନୂତନ ଜାତୀୟ ଶିକ୍ଷାନୀତିରେ ମାତୃଭାଷାରେ ପ୍ରାଥମିକ ଶିକ୍ଷାଦାନ ଉପରେ ଗୁରୁତ୍ବ ଦିଆଯାଇଛି। ସେହି ଅନୁସାରେ ସମ୍ବଲପୁର ଅଞ୍ଚଳରେ ଶିକ୍ଷାର ମାନ ବୃଦ୍ଧି ପାଇଁ ସ୍ଥାନୀୟ ଭାଷାରେ ଶିକ୍ଷା ଦେବାକୁ ପଡ଼ିବ। ସମ୍ମାନିତ ଅତିଥି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ପିଏମ୍‌-ଉଷା ଓଡ଼ିଶାର ଉଚ୍ଚଶିକ୍ଷା ଜଗତରେ ନୂତନ ଉଷା ଆଣିଦେବ। ଏଥିରେ ସମ୍ବଲପୁର ଅଞ୍ଚଳର ସମ୍ବଲପୁର ବିଶ୍ବବିଦ୍ୟାଳୟ, ଜିଏମ୍‌ ବିଶ୍ବବିଦ୍ୟାଳୟ ଓ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟକୁ ସାମିଲ କରାଯାଇଛି। ଚଳିତବର୍ଷ ରାଜ୍ୟରେ ଏକ ଲକ୍ଷ ଡ୍ରପ୍‌ଆଉଟ୍‌ ପିଲା ନାମ ଲେଖିବା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ରାଜ୍ୟକୁ ବିକଶିତ କରିବାକୁ ହେଲେ ଶିକ୍ଷା ବ୍ୟବସ୍ଥାକୁ ବିକଶିତ କରିବାକୁ ହେବ। ଭାରତର ସର୍ବପୁରାତନ ପୁଷ୍ପଗିରି ବିଶ୍ବବିଦ୍ୟାଳୟ ଖ୍ରୀ.ପୂ. ୩ ଶହ ଶତାବ୍ଦୀରେ ପ୍ରତିଷ୍ଠା ଲାଭ କରିଥିଲା। ହେଲେ ଏହାକୁ ବିଶ୍ବ ଦରବାରରେ ପ୍ରତିଷ୍ଠା କରାଯାଇ ପାରିନାହିଁ। ସମ୍ବଲପୁର ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ଏହାକୁ ପ୍ରମାଣିତ କରୁ ବୋଲି ସେ ଆହ୍ବାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସମ୍ବଲପୁର ଆଇଆଇଏମ୍‌ର ନିର୍ଦ୍ଦେଶକ ମହାଦେବ ଜୟସ୍ବାଲ ‌ଯୋଗ ଦେଇ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଗୁରୁତ୍ବ ବିଷୟରେ କହିଥିଲେ।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସ୍ବାଗତ ଭାଷଣ ଦେଇଥିଲେ। କୁଳସଚିବ ଡ.ନୃପରାଜ ସାହୁ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଓଡ଼ିଆ ସାହିତ୍ୟର ବିଶିଷ୍ଟ କବି ଡ.ପ୍ରତିଭା ଶତପଥୀଙ୍କୁ ‘ଗଙ୍ଗାଧର ଜାତୀୟ କବିତା ସମ୍ମାନ-୨୦୨୩’ ପ୍ରଦାନ କରାଯାଇଥିଲା। ଏଥିସହିତ ଶିକ୍ଷାବିତ ଡ.ସଞ୍ଜୟ ପଣ୍ଡା, ଶିଳ୍ପୀ ବୃନ୍ଦାବନ ମହାରଣା ଓ ସମାଜସେବୀ ଅମର ତାଣ୍ଡିଆଙ୍କୁ ସମ୍ମାନିତ କରାଯାଇଥିଲା। ଡ.ରୋଶ୍‌ନୀ କୁଜୁର, ଡ.ଅଶୋକ ରଥ, ଡ.ଗୋପୀନାଥ ବାଗ, ଡ.ନାକୁ ହାଁସଦା, ପ୍ରଫେସର ମୋନାଲିସା ପଟ୍ଟନାୟକ, ପ୍ରଫେସର ଅଲୋକା ପଟେଲ ପ୍ରମୁଖ ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ଉଭୟ ମନ୍ତ୍ରୀ ସ୍ବଭାବକବି ଗଙ୍ଗାଧରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବ‌‌ା ସହ ଭକ୍ତକବି ମଧୁସୂଦନ ରାଓ, କବିବର ରାଧାନାଥ ରାୟ, ସନ୍ଥକବି ଭୀମ ଭୋଇ, ବ୍ୟାସକବି ଫକୀରମୋହନ ସେନାପତି ଓ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.