୨୦୨୫ ମସିହାରେ ଆମ ଅର୍ଥନୀତି କେମିତି ରହିବ?
ଯାହା ଦେଖାଯାଉଛି ଅନ୍ତର୍ଜାତୀୟ କ୍ଷେତ୍ରରେ ପରିସ୍ଥିତି ସେତେଟା ଭଲ ନାହିଁ। ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଅନ୍ୟାନ୍ୟ ଅନିଶ୍ଚିତତା ପାଇଁ ବିଶ୍ବ ବାଣିଜ୍ୟ ସଂକୁଚିତ ହେଉଛି। ଏହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିଛି। ଏଥିସହିତ ଦେଶର ଉଚ୍ଚ ମୁଦ୍ରାସ୍ଫୀତି, ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ କମିବା ଚିନ୍ତାର ବିଷୟ ପାଲଟିଛି। ଭାରତ ସରକାର ସାତରୁ ସାଢ଼େ ସାତ ପ୍ରତିଶତ ଜିଡିପି ଅଭିବୃଦ୍ଧି ଆଶା ରଖିଥିବାରୁ ତାହା କିଭଳି ବଜାୟ ରଖାଯାଇ ପାରିବ ସେ ଦୃଷ୍ଟିରୁ ୨୦୨୫ ମସିହା ଭାରତୀୟ ଅର୍ଥନୀତି ପାଇଁ ଆହ୍ବାନପୂର୍ଣ୍ଣ ରହିବ।
ନୂଆପିଢ଼ିର ଉଦ୍ୟୋଗୀଙ୍କୁ କିଭଳି ସଫଳତା ମିଳିବ?
ନୂଆପିଢ଼ିର ଉଦ୍ୟୋଗୀଙ୍କ ପାଇଁ ଏକ ଭଲ ଏବଂ ଅନୁକୂଳ ବ୍ୟାବସାୟିକ ପରିବେଶ ନିହାତି ଦରକାର। ସେମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା, ଅର୍ଥ ସମେତ ଉତ୍ସାହ ଯୋଗାଇ ଦିଆଯିବା ଆବଶ୍ୟକ। ବ୍ୟବସାୟ ପରିଚାଳନା ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଯୁବ ଉଦ୍ୟୋଗୀଙ୍କ ପାଖରେ ରହିଥିବା ଦକ୍ଷତାକୁ ସେମାନେ କିଭଳି ଉପଯୋଗ କରିପାରିବେ ସେଥିପାଇଁ ସେମାନଙ୍କ ପାଇଁ ଉତ୍ତମ ନୀତି ସରକାରଙ୍କୁ ଆଣିବାକୁ ହେବ। ଯୁବ ଉଦ୍ୟୋଗୀଙ୍କୁ ଆଗକୁ ନେବାପାଇଁ ସରକାର, ଶିଳ୍ପ ସଂଘ ଏବଂ ବ୍ୟାଙ୍କ ସହଯୋଗ କରିବାର ଆବଶ୍ୟକତା ରହିଛି।
ବ୍ରାଣ୍ଡ୍‌କୁ ସ୍ବୀକୃତି ଦିଆଯିବା ଦ୍ବାରା ତାହା କିଭଳି ସହାୟକ ହୋଇଥାଏ?
ଆଗକୁ ବଢ଼ିବା ପାଇଁ ଗୋଟିଏ ଲୋକ ପାଖରେ ଅସୀମିତ କ୍ଷମତା ରହିଛି। ଆମେ ଜଣେ ବ୍ୟକ୍ତିକୁ ଯେତେ‌ ଉତ୍ସାହିତ କରିବା, ପ୍ରେରଣା ଯୋଗାଇବା ଏବଂ ସ୍ବୀକୃତି ପ୍ରଦାନ କରିବା ତା’ର ମନ ସେତେ ଭଲ ରହିବ। ସେ ଅଧିକ ମନଧ୍ୟାନ ଦେଇ କାମ କରିବ। ଏହାହେଲେ ସେ ଅଧିକ ସଫଳତା ପାଇପାରିବ ଏବଂ ବ୍ରାଣ୍ଡ୍‌ ମଜଭୁତ ହେବ।
ଉଦ୍ୟୋଗୀମାନଙ୍କ ପାଇଁ ଆପଣଙ୍କର ନୂଆବର୍ଷର ବାର୍ତ୍ତା କ’ଣ ରହିବ?
ଜଣେ ଉଦ୍ୟୋଗୀଙ୍କୁ ୨୪ ଘଣ୍ଟା କାମ କରିବାକୁ ପଡ଼ିଥାଏ। ତେଣୁ ତାଙ୍କର ଧୈର୍ଯ୍ୟ ରହିବା ଆବଶ୍ୟକ। ଏଥିସହିତ ଅଧ୍ୟବସାୟ ରହିବା ଉଚିତ। କେଉଁ ବାଟରେ କାମ କଲେ ଅଧିକ ସଫଳତା ମିଳିବ ସେଥିପାଇଁ ଚିନ୍ତା କରିବା ଦରକାର। ଏଥିସହିତ କାର୍ଯ୍ୟରେ ଲାଗି ରହିବା ଗୁଣ ମଧ୍ୟ ଉଦ୍ୟୋଗୀଙ୍କ ରହିବା ଆବଶ୍ୟକ। ଏସବୁ ଗୁଣ ରହିଲେ ସଫଳତାର ସମ୍ଭାବନା ଅଧିକ।
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ସଂପର୍କରେ କ’ଣ କହିବେ?
ସମ୍ବାଦ ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର। ନିରନ୍ତରଭାବେ ସବୁ ପ୍ରକାର ସମ୍ବାଦ ପରିବେଷଣ କ୍ଷେତ୍ରରେ ଏହା ଏକ ଉତ୍କୃଷ୍ଟ ପ୍ଲାଟଫର୍ମ। ୪ ଦଶନ୍ଧିରୁ ଅଧିକ ସମୟ ଧରି ଲୋକମାନଙ୍କର ସେବା ସମ୍ବାଦ କରିଆସୁଛି। ଶିକ୍ଷା, ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଲୋକଙ୍କୁ ସ‌ଚେତନତାଧର୍ମୀ ବାର୍ତ୍ତା ଓ ବିଭିନ୍ନ ପ୍ରକାର ସୂଚନା ପ୍ରଦାନ କରିଆସୁଛି। ଏଥିସହିତ ଉଦ୍ୟୋଗୀମାନଙ୍କ ପାଇଁ ମଧ୍ୟ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ କାର୍ଯ୍ୟକ୍ରମ କରୁଛି। ଏଥିପାଇଁ ସମ୍ବାଦ ପରିବାରକୁ ସାଧୁବାଦ ଜଣାଉଛି।