ବାଲେଶ୍ବର: ‘ସମ୍ବାଦ’ର ସ୍ତମ୍ଭକାର ଚିନ୍ମୟ ହୋତା ଚଳିତ ବର୍ଷ ପାଇଁ ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର ଦ୍ୱାରା ପ୍ରଦତ୍ତ ‘ଫକୀର ମୋହନ ସମ୍ବାଦ ସାହିତ୍ୟ ସମ୍ମାନ’ ଗ୍ରହଣ କରିଛନ୍ତି। ପରିଷଦ ଦ୍ବାରା ଆୟୋଜିତ ୧୮୩ତମ ଫକୀରମୋହନ ଜୟନ୍ତୀ ସମାରୋହର ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ‘ସମ୍ବାଦ’ର ଅଧ୍ୟକ୍ଷ ତଥା ପ୍ରାକ୍ତନ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଓ ଅନ୍ୟାନ୍ୟ ଅତିଥିମାନଙ୍କ ଗହଣରେ ଶ୍ରୀ ହୋତାଙ୍କୁ ଏହି ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ହୋତା ବିଗତ ପାଞ୍ଚ ବର୍ଷ ଧରି ଅନବରତ ତାଙ୍କର ପାକ୍ଷିକ ସ୍ତମ୍ଭ ‘ଚିନ୍ମୟ ଚେତନା’ ମାଧ୍ୟମରେ ବ୍ୟାପକ ପାଠକୀୟ ସ୍ୱୀକୃତି ଲାଭ କରିପାରିଛନ୍ତି। ଏହା ପୂର୍ବରୁ ସ୍ତମ୍ଭଟି ‘ଚିନ୍ମୟ ଚିନ୍ତନ’ ନାମରେ ପରିଚିତ ଥିଲା। ତାଙ୍କର ସ୍ତମ୍ଭ ଗୁଡିକ ପାଠ କରୁଥିବା ପାଠକ ସେଥିରୁ ଲେଖକଙ୍କ ବହୁପାଠୀତା, ସମସାମୟିକ ଘଟଣାଗୁଡ଼ିକ ସହ ପରିଚିତି, ସଂଯତ ବ୍ୟଙ୍ଗ ଓ ହାସ୍ୟରସ ପ୍ରୟୋଗରେ ସାମର୍ଥ୍ୟ, ଲୌକିକ କଥାକୁ ଜାଗତିକ ସମସ୍ୟାରେ ଉତ୍ତୀର୍ଣ୍ଣ କରାଇବାର ଦକ୍ଷତା ଏବଂ ଅସଜଡ଼ା ସମାଜକୁ ସଜାଡ଼ିବାର ଆନ୍ତରିକତା ଅନୁଭବ କରିପାରେ। ୧୯୮୦ ଦଶକରେ ସେ ଏହି ସମ୍ବାଦପତ୍ରରେ ଲୋକପ୍ରିୟ ‘ଏମିତି ଏମିତି’ ସ୍ତମ୍ଭ ରଚନା କରି ଶ୍ରୀ ହୋତା ତାଙ୍କର ସ୍ତମ୍ଭକାର ଜୀବନ ଆରମ୍ଭ କରିଥିଲେ। ପ୍ରକାଶିତ ସ୍ତମ୍ଭଗୁଡ଼ିକ ଶ୍ରୀ ହୋତାଙ୍କର ‘ଏମିତି ଏମିତି’, କେବେ କେମିତି’ ଓ ‘ଯାହା ଯେମିତି’ ନାମକ ପୁସ୍ତକ ଭାବେ ପ୍ରକାଶିତ ହୋଇ ଆଦୃତି ଲାଭ କରିଛି।