Breaking News

ସରକାରଙ୍କ ଫୋକସ୍‌ରେ ଦ୍ବୈତନଗରୀ: ୧୫୦୨ ସରକାରୀ କୋଠାରେ ହେବ ସୋଲାର୍‌ ପ୍ଲାଣ୍ଟ୍‌

ଦ୍ବୈତନଗରୀରେ ରୁଫ୍‌ଟପ୍‌ ସୋଲାରକୁ ବ୍ୟାପକ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସରକାରୀ କୋଠା ସମେତ ଶିକ୍ଷାନୁଷ୍ଠାନ, ଘରୋଇ ସଂସ୍ଥା, ଲୋକଙ୍କ ଘରେ କିଭଳି ପ୍ଲାଣ୍ଟ ବସିବ ସେନେଇ ବିଚାରବିମର୍ଶ ହୋଇଛି।

ଭୁବନେଶ୍ବର: ଦ୍ବୈତନଗରୀରେ ରୁଫ୍‌ଟପ୍‌ ସୋଲାରକୁ ବ୍ୟାପକ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସରକାରୀ କୋଠା ସମେତ ଶିକ୍ଷାନୁଷ୍ଠାନ, ଘରୋଇ ସଂସ୍ଥା, ଲୋକଙ୍କ ଘରେ କିଭଳି ପ୍ଲାଣ୍ଟ ବସିବ ସେନେଇ ବିଚାରବିମର୍ଶ ହୋଇଛି। ରୁଫ୍‌ଟପ୍‌ ସୋଲାର ସ୍ଥାପନରେ ଭୁବନେଶ୍ବର ଦେଶରେ ସବୁଠାରୁ ଶସ୍ତା ସହର ହୋଇଥିବାରୁ ତାହାର ଫାଇଦା ନେବାକୁ ଜନସାଧାରଣଙ୍କୁ ଆହ୍ବାନ ଦିଆଯାଇଛି। ତେବେ ଏହା କେତେ ସଫଳ ହେବ ତାହାକୁ ନେଇ ଏବେଠାରୁ ପ୍ରଶ୍ନ ଉଠିଛି। କାରଣ ଏଭଳି ନିଷ୍ପତ୍ତି ପ୍ରଥମ ଥର ହୋଇ ନାହିଁ। ଅକ୍ଷୟଶକ୍ତିକୁ ବ୍ୟବହାର କରିବାକୁ ‌୨୦୧୬ରେ ତତ୍‌କାଳୀନ ବିଜେଡି ସରକାର ମଧ୍ୟ ଯୋଜନା ପ୍ରସ୍ତୁତ କରିଥିଲା। ପ୍ରତିବର୍ଷ ଏକାଧିକ ବୈଠକ କରି ଭୁବନେଶ୍ବରରେ ଥିବା ସମସ୍ତ ସରକାରୀ କୋଠାରେ ରୁଫ୍‌ଟପ୍‌ ସୋଲାର ବସାଇବାକୁ ରୂପରେଖ ପ୍ରସ୍ତୁତ କରିଥିଲେ, ଯାହାକି ଏବେ ବି ଅଧା ଅଧୁରା। ୨୦୨୪ରେ ବିଜେଡି ସରକାର ବଦଳିଗଲା, ହେଲେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। କାଁ ଭାଁ ଛାତରେ ପ୍ରକଳ୍ପ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଇନାହିଁ। ଉଦାହରଣ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟକୁ ନିଆଯାଇପାରେ। ରାଜ୍ୟ ସରକାର ବାରମ୍ବାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନରେ ସୋଲାର ସିଷ୍ଟମ କାର୍ଯ୍ୟକାରୀ ‌ହୋଇପାରି ନାହିଁ। ଯେଉଁଥିପାଇଁ କର୍ତ୍ତୃପକ୍ଷ ମାସକୁ ବିଦ୍ୟୁତ୍‌ ବିଲ୍‌ ବାବଦରେ ୩୨ ଲକ୍ଷ ଟଙ୍କା ଗଣୁଛନ୍ତି। ଅନେକ ସରକାରୀ କୋଠାରେ ସୋଲାର ପ୍ୟାନେଲ୍‌ ଲାଗିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ।

୨୦୧୬ର ରୁଫ୍‌ଟପ୍‌ ସୋଲାର୍‌ ଯୋଜନା ଅଧାଅଧୁରା
ଅଚଳ ହୋଇପଡ଼ିଛି ଅଧିକାଂଶ ସୋଲାର୍‌ ପ୍ୟାନେଲ୍‌

ପାଖାପାଖି ୯ ବର୍ଷ ଧରି ହୋଇଥିବା ପରିକଳ୍ପନାକୁ ଆଉ ପାଦେ ଆଗକୁ ନେବାକୁ ଏବେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ସରକାରୀ କୋଠାଗୁଡ଼ିକରେ ଗ୍ରିଡ୍ ସଂଯୁକ୍ତ ରୁଫ୍‌ ଟପ୍ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିବା ନିମନ୍ତେ ସର୍ବେକ୍ଷଣ ଓ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଓରେଡା ପକ୍ଷରୁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ (ଇଓଆଇ) ଆହ୍ବାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୫୦୨ଟି ସରକାରୀ କୋଠାରେ ସୋଲାର ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଧାଯ୍ୟ ହୋଇଛି। ଟିପିସିଓଡିଏଲ୍‌ ଅଧୀନରେ ସର୍ବାଧିକ ୪୯୮ଟି କୋଠା ରହିଥିବା ବେଳେ ଟିପିଡବ୍ଲୁଓଡିଏଲ୍‌ରେ ୪୬୯, ଟିପିଏସ୍‌ଓଡିଏଲ୍‌ରେ ୩୦୩ ଓ ଟିପିଏନ୍‌ଓଡିଏଲ୍‌ରେ ୨୩୨ଟି କୋଠା ରହିଛି। ଆବଶ୍ୟକତା ଅନୁଯାୟୀ କୋଠା ସଂଖ୍ୟା ବଢ଼ିପାରେ ନହେଲେ କମାଯାଇପାରେ ବୋଲି ଇଓଆଇରେ କୁହାଯାଇଛି।
ଭୁବନେଶ୍ବର, କଟକ ସହରରେ ଥିବା ପ୍ରମୁଖ ସରକାରୀ କୋଠାଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି। ୨୦୨୫ ଡିସେମ୍ବର ସୁଦ୍ଧା ଓଡ଼ିଶାର ସମସ୍ତ ସରକାରୀ କୋଠାରେ ସୋଲାର ସୁବିଧା ଉପଲବ୍ଧ କରାଇବାକୁ କେନ୍ଦ୍ର ନୂତନ ଓ ଅକ୍ଷୟଶକ୍ତି ମନ୍ତ୍ରଣାଳୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ତେଣୁ କୋଠାଗୁଡ଼ିକର ସର୍ଭେ ସମୟରେ ବିଭିନ୍ନ ବିଷୟ ଉପରେ ଧ୍ୟାନ ଦେବାକୁ କୁହାଯାଇଛି। କୋଠାର ନାମ, କେଉଁ ବିଭାଗ ଅଧୀନରେ ରହିଛି, ତାହାର ସମ୍ପୂର୍ଣ୍ଣ ଠିକଣା, ଜିଲ୍ଲା, କେତେ ମସିହାରେ କୋଠା ପ୍ରତିଷ୍ଠା ହୋଇଥିଲା? କେତେ ମହଲା କୋଠା ତାହାର ହିସାବ ନିଆଯିବ। ଏଥିସହ କେତେ ବର୍ଗ ମିଟରର ଛାତ, କେତେ ବର୍ଗ ମିଟରରେ ସୋଲାର ରହିବ, ଛାତର ମାନ କିଭଳି ରହିଛି, ଗ୍ରାଉଣ୍ଡ ଅଞ୍ଚଳ କେବେ, କେତେ କିଲୋୱାର୍ଟ ବିଦ୍ୟୁତ୍‌ ଆବଶ୍ୟକତା ରହିଛି, କେଉଁ ଡିସକମ୍‌ ଅଧୀନରେ ରହିଛି, ୬ ମାସ ମଧ୍ୟରେ ହାରାହାରି କେତେ ବିଦ୍ୟୁତ୍‌ ବ୍ୟବହାର ହେଉଛି ଏବଂ କେ‌ତେ ଆବଶ୍ୟକ ରହିଛି ସେନେଇ ତଥ୍ୟ ସଂଗ୍ରହ କରାଯିବା ପରେ ପ୍ରକଳ୍ପ ଆଗକୁ ବଢ଼ିବ।

ଗତମାସରେ ଭୁବନେଶ୍ବରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ କହିଥିଲେ କଟକ-ଭୁବନେଶ୍ବର ସରକାରୀ କୋଠାରେ ସୌରଶକ୍ତିରୁ ୪ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ କିଛି ସ୍ଥାନରେ ଲଗାଯାଇଥିବା ସାମଗ୍ରୀଗୁଡ଼ିକ ଅଚଳ ହୋଇଛି। ତାହାର ମରାମତି ସହ ଏବେ ସାରା ରାଜ୍ୟରେ କାର୍ଯ୍ୟକରୀ କରିବା ଦିଗରେ ପଦକ୍ଷେପ ନେଉଛୁ। କେବଳ ଭୁବନେଶ୍ବର-କଟକରେ ସୀମିତ ଥିବା ଏହି ଯୋଜନା ସାରା ଓଡ଼ିଶାରେ କାର୍ଯ୍ୟକାରୀ ହେବ। ଓରେଡାର ଜଣେ ଅଧିକାରୀ କହିଛନ୍ତି ଯେ ସୋଲାର୍‌ ପ୍ୟାନେଲ ସୂର୍ଯ୍ୟାଲୋକକୁ ବିଦ୍ୟୁତ ଶକ୍ତିରେ ରୂପାନ୍ତର କରିଥାଏ। ଏହା ପରିଷ୍କାର ତଥା ପରିବେଶ ଉପଯୋଗୀ ଶକ୍ତିରେ ପରିଣତ ହୋଇଥାଏ। କୌଣସି ପ୍ରଦୂଷଣ ବା କ୍ଷତିକାରକ ଗ୍ୟାସ ଉତ୍ପନ୍ନ କରେ ନାହିଁ। ଦିବାଲୋକରେ ଏହା ସର୍ବୋଚ୍ଚ ସୌରଶକ୍ତି ଉତ୍ପନ୍ନ କରିଥାଏ। ଆବଶ୍ୟକତାଠାରୁ ଅଧିକ ସୌରଶକ୍ତି ସିଧାସଳଖ ଗ୍ରିଡ୍‌କୁ ପ୍ରେରିତ ହୋଇଥାଏ, ଯାହାକି ସ୍ଥାନୀୟ ବିଜୁଳି ଯୋଗାଣ କମ୍ପାନିକୁ ସ୍ଥାନାନ୍ତରିତ ହୋଇଥାଏ। ସୂର୍ଯ୍ୟାଲୋକ ଅପେକ୍ଷାକୃତ କମ୍ ଥିବା ସମୟରେ (ରାତ୍ର ସମୟରେ କିମ୍ବା ଶୀତଋତୁରେ) କିମ୍ବା ଚଳିତ ବିଜୁଳିଶକ୍ତି ପ୍ରବାହ କ୍ଷୀଣ ସମୟରେ ଗ୍ରିଡ୍‌ ସଂରକ୍ଷିତ ଶକ୍ତି ବିନିଯୋଗ କରନ୍ତୁ। ଇନଷ୍ଟଲେସନ/ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୪୦% ରିହାତି ୩ କିଲୋୱାଟ ପର୍ଯ୍ୟନ୍ତ ଏବଂ ୩ରୁ ୧୦ କିଲୋୱାଟ ପର୍ଯ୍ୟନ୍ତ ୨୦% ରିହାତି ଦିଆଯାଉଛି। ରାଜ୍ୟ ସରକାର ଏବେ ରିହାତି ନେଇ ଘୋଷଣା କରିଛନ୍ତି। ଆଗ୍ରହୀ ଗ୍ରାହକମାନେ ନିଜ ମନ ମୁତାବକ ଏଜେନ୍ସି ଚୟନ କରି ରୁଫଟପ୍ ସୋଲାର ସିଷ୍ଟମ୍ ଇନଷ୍ଟଲ/ସ୍ଥାପନ କରିପାରିବେ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.