Breaking News

ସରକାରୀ ଚାକିରି ପାଇଁ ଆବେଦନ ବୟସ ୪୩କୁ ବୃଦ୍ଧି ଦାବି: ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧିମଣ୍ଡଳୀ

ରାଜ୍ୟରେ ସରକାରୀ ଚାକିରି ପାଇଁ ଆବେଦନର ସର୍ବୋଚ୍ଚ ବୟସ ସୀମା ୪୩କୁ ବୃଦ୍ଧି କରିବା ଲାଗି ଦାବି ହୋଇଛି। ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟପାଳ...

ଭୁବନେଶ୍ବର: ରାଜ୍ୟରେ ସରକାରୀ ଚାକିରି ପାଇଁ ଆବେଦନର ସର୍ବୋଚ୍ଚ ବୟସ ସୀମା ୪୩କୁ ବୃଦ୍ଧି କରିବା ଲାଗି ଦାବି ହୋଇଛି। ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ଲେଙ୍କା କହିଛନ୍ତି ଯେ ରାଜ୍ୟରେ ବହୁ ଶିକ୍ଷିତ ଯୁବକଯୁବତୀ ସରକାରୀ ଚାକିରି ପାଇଁ ଆବେଦନର ସର୍ବୋଚ୍ଚ ବୟସ ସୀମା ୪୩କୁ ସ୍ଥାୟୀ ଭାବେ ବୃଦ୍ଧି କରିବା ପାଇଁ ଦୀର୍ଘ ବର୍ଷ ହେବ ଦାବି କରିଆସୁଛନ୍ତି। ଗୋଆରେ ୪୫ବର୍ଷ, ତେଲେଙ୍ଗାନାରେ ୪୪, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ୪୦, ଆସାମରେ ୪୪ବର୍ଷ ଓ ଆନ୍ଧ୍ରରେ ଆବେଦନ ବୟସ ସୀମା ୪୨ବର୍ଷ ରହିଛି।

ତତ୍କାଳୀନ ରାଜ୍ୟ ସରକାର ବୟସ ସୀମା ୩୨ବର୍ଷରୁ ୩୮ବର୍ଷକୁ ୩ବର୍ଷ ପାଇଁ ଅସ୍ଥାୟୀ ଭାବେ ବୃଦ୍ଧି କରିଥିଲେ। ମାତ୍ର ନିୟମିତ ବ୍ୟବଧାନରେ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରା ନଯିବା କାରଣରୁ ରାଜ୍ୟର ଯୁବକଯୁବତୀଙ୍କୁ ଏହାର ସୁଫଳ ମିଳିପାରିଲା ନାହିଁ। ଏବେ ଆବେଦନର ବୟସ ସୀମା ପୁନର୍ବାର ୩୨ବର୍ଷକୁ ଖସି ଆସିଛି। ଫଳରେ ରାଜ୍ୟର ବହୁ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆନ୍ଧକାର ଆଡ଼କୁ ଠେଲି ହେବାକୁ ଯାଉଛି। ସରକାରୀ ଚାକିରି ଆବେଦନର ବୟସ ସୀମାକୁ ୪୩ବର୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାରଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡ଼ିବ ନାହିଁ। ପୂର୍ବରୁ ବିରୋଧୀ ଦଳରେ ଥିବା ବିଜେପି ନେତୃବର୍ଗ ଛାତ୍ରଛାତ୍ରୀଙ୍କ ଏହି ଦାବିକୁ ସମର୍ଥନ ଜଣାଇଥିଲେ। ଏବେ ବିଜେପି ସରକାରରେ। ତେଣୁ ଶିକ୍ଷିତ ଯୁବକଯୁବତୀଙ୍କ ସ୍ବାର୍ଥକୁ ନଜରରେ ରଖି ସରକାର ଆବେଦନର ବୟସ ସୀମା ବୃଦ୍ଧି କରିବା ଲାଗି ଶ୍ରୀ ଲେଙ୍କା ଦାବି କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ବୀରେନ ଦଳେଇ, କୃଷ୍ଣ ମହାନ୍ତି, ଜ୍ଞାନରଂଜନ ରାଉତ, ତପନ କାଣ୍ଡି ଓ ଆଶୁତୋଷ ଲେଙ୍କା ପ୍ରମୁଖ ସାମିଲ ‌ହୋଇଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.