Breaking News

ସରକାର ଗଠନ ନେଇ ନଡ୍ଡା-ଶାହ ଆଲୋଚନା: ପ୍ରଧାନମନ୍ତ୍ରୀ ଆମେରିକାରୁ ଫେରିବା ପରେ ଭବ୍ୟ ଶପଥ ସମାରୋହ

ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ଐତିହାସିକ ବିଜୟର ଗୋଟିଏ ଦିନ ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ସଭାପତି ଜେପି ନଡ୍ଡା ସରକାର ଗଠନ ସଂକ୍ରାନ୍ତ ଆଲୋଚନା କରିଛନ୍ତି।

ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ଐତିହାସିକ ବିଜୟର ଗୋଟିଏ ଦିନ ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ  ବିଜେପି ସଭାପତି ଜେପି ନଡ୍ଡା ସରକାର ଗଠନ ସଂକ୍ରାନ୍ତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କିଏ ହେବେ  ସେ ନେଇ ଏହି  ଗୁରୁତ୍ୱପୂର୍ଣ୍ଣ ବୈଠକ  ହୋଇଥିବା କୁହାଯାଉଛି। ଏଥର ନିର୍ବାଚନ‌ରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ଆଶାୟୀଙ୍କ ମଧ୍ୟରେ ୫ରୁ ଅଧିକ ନେତା ରହିଛନ୍ତି।  ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ ଇତିମଧ୍ୟରେ ନବନିର୍ବାଚିତ ବିଧାୟକଙ୍କୁ ଭେଟିଥିବା ଜଣାପଡ଼ିଛି।

ଗତକାଲି ସନ୍ଧ୍ୟାରେ ମଧ୍ୟ ବିଜେପି ମୁଖ୍ୟାଳୟରେ ସରକାର ଗଠନ ଓ ଶପଥ ଗ୍ରହଣ ସମାରୋହ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଶାହ ଏବଂ ବିଜେପି ସଭାପତି ନଡ୍ଡା ଆଲୋଚନା କରିଥିଲେ। ବିଜେପି ନେତୃତ୍ୱ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ପସନ୍ଦ ଘୋଷଣା କରିନଥିବା ବେଳେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ନୂଆଦିଲ୍ଲୀ ଆସନରେ ପରାସ୍ତ କରିଥିବା ପରବେଶ ବର୍ମା ଏହି ଦୌଡ଼ରେ ସବୁଠାରୁ ଆଗରେ ଥିବା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେଉଥିବା ବେଳେ ସେ ୧୪ରେ ଫେରିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଫେରିବା ପରେ ଭବ୍ୟ ଶପଥ ଗ୍ରହଣ ସମାରୋହ ଆୟୋଜନ ହେବ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦିଲ୍ଲୀରୁ ଦୁଇ ଥର ସାଂସଦ ହୋଇଥିବା ପରବେଶ ବର୍ମାଙ୍କୁ ଗତ ବର୍ଷ ଲୋକସଭା ନିର୍ବାଚନରେ ଟିକେଟ ମିଳିନଥିଲା। ଏହାପରେ ସେ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇ କ୍ରମାଗତ ତିନି ଥର ଜିତିଥିବା କେଜ୍ରିୱାଲଙ୍କୁ ଟକ୍କର ଦେଇ ୪ ହଜାର ଭୋଟରେ ପରାସ୍ତ କରିଛନ୍ତି।   ବର୍ମା ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ସାହିବ ସିଂହ ବର୍ମାଙ୍କ ପୁଅ।  ପରବେଶ କହିଛନ୍ତି, ଏହି ଜନାଦେଶ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ  ବିକାଶଭିତ୍ତିକ ରାଜନୀତି ଚାହୁଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.