Breaking News

ସରଳ କର

‘ପ୍ରକୃତ ବ୍ୟୟ’ ବା ‘ଆକ୍‌ଚୁଆଲ୍ କଷ୍ଟ୍’ର ହିସାବ କରିବାରେ ସରକାର ଓ କରଦାତା ଗ୍ରହଣ କରୁଥିବା ଆଭିମୁଖ୍ୟରେ ତାଳମେଳର ଅଭାବ ଅନେକ ସମୟରେ ଉଭୟ ପକ୍ଷ ମଧ୍ୟରେ ବିବାଦର ମୁଖ୍ୟ କାରଣ ହୋଇଥିବା ଦେଖାଯାଇଥାଏ।

‘ପ୍ରକୃତ ବ୍ୟୟ’ ବା ‘ଆକ୍‌ଚୁଆଲ୍ କଷ୍ଟ୍’ର ହିସାବ କରିବାରେ ସରକାର ଓ କରଦାତା ଗ୍ରହଣ କରୁଥିବା ଆଭିମୁଖ୍ୟରେ ତାଳମେଳର ଅଭାବ ଅନେକ ସମୟରେ ଉଭୟ ପକ୍ଷ ମଧ୍ୟରେ ବିବାଦର ମୁଖ୍ୟ କାରଣ ହୋଇଥିବା ଦେଖାଯାଇଥାଏ। ନୂତନ ଆଇନରେ ଏହି ହିସାବ ପ୍ରକ୍ରିୟାକୁ ସନ୍ଦେହମୁକ୍ତ କରି ଏହାକୁ ଯଥାସମ୍ଭବ ନିର୍ବିବାଦ କରିବାକୁ ଯେଉଁ ଚେଷ୍ଟା କରାଯାଇଛି, ତାହା ଦ୍ବାରା ଅଦାଲତୀ ବିବାଦରେ ବିଶେଷ ହ୍ରାସ ଘଟିବ ବୋଲି ଆଶା କରାଯାଉଛି।

ଆୟ କର ହେଉଛି ଏକ ପ୍ରତ୍ୟକ୍ଷ କର। ଏହା ମାଧ୍ୟମରେ ରାଷ୍ଟ୍ର ତା’ର ନାଗରିକ-କରଦାତାମାନଙ୍କ ଠାରୁ ନିଜର ବିଭିନ୍ନ ଆବଶ୍ୟକତା ମେଣ୍ଟାଇବା ନିମିତ୍ତ ସିଧାସଳଖ ସେମାନଙ୍କର ଆୟର ଏକ ଅଂଶ କର ହିସାବରେ ସଂଗ୍ରହ କରିଥାଏ। ତେବେ ଆୟକରର ଏହି ପ୍ରାଥମିକ ପରିଚୟ ଯେତେ ସରଳ ଶୁଣା ଯାଇଥାଏ, ତାହା ବାସ୍ତବରେ ସେପରି ସରଳ ହୋଇ ନ ଥାଏ। ବରଂ ତାହା ଏଭଳି ମାତ୍ରାଧିକ ଜଟିଳ ହୋଇଥାଏ ଯେ ସେ ସମ୍ବନ୍ଧରେ ଏକ ଧାରଣା କରିବାରେ ସହାୟକ ହେବା ପାଇଁ ଅନେକ ସମୟରେ ମାନବ ଇତିହାସରେ ସର୍ବାଧିକ ବୁଦ୍ଧିମାନ ବ୍ୟକ୍ତି ରୂପେ ବିବେଚିତ ବୈଜ୍ଞାନିକ ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କର ଏକ ମନ୍ତବ୍ୟକୁ ଉଦ୍ଧାର କରାଯାଇଥାଏ, ଯେଉଁଥିରେ ସେ କହିଥିଲେ: ‘‘ସଂସାରରେ ଯାହା ହେଉଛି ବୁଝିବାକୁ ସର୍ବାଧିକ କଠିନ, ତାହା ହେଲା ଆୟ କର।’’
ସରକାରଙ୍କ ପାଇଁ ଯଥେଷ୍ଟ ସମ୍ବଳ ସଂଗ୍ରହ ସହିତ କରଦାତାଙ୍କ କ୍ଷମତା ସହିତ କର ହାରକୁ ଖାପ ଖୁଆଇବା ତଥା ଆୟର ପ୍ରକାର ଭେଦ ଅନୁସାରେ କର ହାରରେ ତାରତମ୍ୟ ଘଟାଇବା ଆଦି ଉଦ୍ୟମ ମାଧ୍ୟମରେ ସରକାର ଆୟ କରକୁ ଏକ ପ୍ରଗତିଶୀଳ ଓ ନ୍ୟାୟୋଚିତ କରରେ ପରିଣତ କରିବା ପାଇଁ ଚେଷ୍ଟା କରିଥାନ୍ତି; କିନ୍ତୁ ଏହାର ଏକ ପାର୍ଶ୍ବଫଳ ସ୍ବରୂପ ଅଧିକାଂଶ ଦେଶରେ ଆୟକର ଏପରି ଆଇନ୍‌ଷ୍ଟାଇନ୍‌ଙ୍କୁ ମଧ୍ୟ କଠିନ ଲାଗୁଥିବା ଭଳି ଏକ ଜଟିଳ କର ବ୍ୟବସ୍ଥାରେ ପରିଣତ ହୋଇଥାଏ। ଭାରତ ସ୍ବାଭାବିକ ଭାବରେ ସେଥିରେ ଏକ ବ୍ୟତିକ୍ରମ ନୁହେଁ। ଏହାର ଏକ ସ୍ଥୂଳ ଉଦାହରଣ ସ୍ବରୂପ ବାରମ୍ବାର ସଂଶୋଧନ ପରେ ଇଣ୍ଡିଆନ୍ ‘ଇନ୍‌କମ୍ ଟ୍ୟାକ୍ସ ଆକ୍ଟ ୧୯୬୧’ ଏବେ ଯେଉଁ କଳେବର ଧାରଣ କରିଛି, ତାହାର ଆକାର ହେଉଛି ଏହିପରି: ୪୭ଟି ଅଧ୍ୟାୟ, ୮୧୯ଟି ଧାରା, ୧୮ଟି ସାରଣୀ, ୬ଟି ଫର୍ମୁଲା ଓ ୫,୧୨,୫୩୫ଟି ଶବ୍ଦ।
ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତର ଏ‌ହି ଭୟ ଉଦ୍ରେକକାରୀ ଆୟ କର ଆଇନକୁ କିଛିମାତ୍ରାରେ ସରଳ କରିବା ଉଦ୍ଦେଶ୍ୟରେ ଏକ ନୂତନ ଆୟ କର ଆଇନ ପ୍ରଣୟନ କରାଯିବ ବୋଲି ଯେଉଁ ଘୋଷଣା କରିଥିଲେ, ସେଇ ଅନୁଯାୟୀ ଫେବ୍ରୁଆରି ୧୩ରେ ଲୋକସଭାରେ ଯେଉଁ ‘ଇନ୍‌କମ୍ ଟ୍ୟାକ୍ସ ବିଲ୍ ୨୦୨୫’ ଆଗତ କରିଛନ୍ତି ସେଥିରେ ନିହିତ ଥିବା ଏ ସଂପର୍କିତ ନୂତନ ପରିସଂଖ୍ୟାନ ତାଙ୍କର ଏହି ସାଧୁ ଉଦ୍ଦେଶ୍ୟର ଏକ ପ୍ରାରମ୍ଭିକ ପ୍ରମାଣ ବହନ କରିଥାଏ। ଏହି ପ୍ରସ୍ତାବିତ ନୂତନ ବିଧେୟକରେ ରହିଛି: ୨୩ଟି ଅଧ୍ୟାୟ, ୫୩୬ଟି ଧାରା, ୫୭ଟି ସାରଣୀ, ୪୬ଟି ଫର୍ମୁଲା ଓ ୨,୫୯,୬୭୬ଟି ଶବ୍ଦ। ମୋଟାମୋଟି ଭାବରେ ଦେଖିଲେ ପ୍ରସ୍ତାବିତ ଏହି ନୂତନ ଆୟ କର ଆଇନର କଳେବର ଉପସ୍ଥିତ ଆୟ କର ଆଇନର କଳେବରର ପ୍ରାୟ ଅଧା ବୋଲି କୁହାଯାଇପାରେ।
ଅନ୍ୟାନ୍ୟ ଅନେକ ଦେଶମାନଙ୍କ ପରି ଭାରତ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ନିମିତ୍ତ ତା’ର ଆୟ କର ଆଇନର ସରଳୀକରଣ ଘଟାଇବାକୁ ବାହାରିଛି। ଆଇନର ତର୍ଜମାରେ ପରିଲକ୍ଷିତ ବିରୋଧାଭାଷ ଯୋଗୁଁ ସୃଷ୍ଟି ହେଉଥିବା ମାମଲା ସଂଖ୍ୟାରେ ହ୍ରାସ ଘଟାଇବା; ଟିକସ ଚୁକ୍ତିମାନଙ୍କରେ ବ୍ୟବହୃତ ଭାଷାରେ ସାମ୍ୟ ପ୍ରତିଷ୍ଠା କରିବା; ଅନ୍ୟ ଦେଶମାନଙ୍କରେ ଅନୁସୃତ ଟିକସ ଆଇନ ସହିତ ତାଳମେଳ ରକ୍ଷା କରିବା ଆଦି ହେଉଛନ୍ତି ଏହି ଉଦ୍ଦେଶ୍ୟର ଅନ୍ତର୍ଭୁକ୍ତ। କିନ୍ତୁ ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ୨୦୦୯ର ଚିଠା ‘ଡାଇରେକ୍ଟ ଟ୍ୟାକ୍ସେସ୍ କୋଡ୍ ବିଲ୍’ ପରି ଏହି ନୂତନ ବିଧେୟକରେ କୌଣସି ବ୍ୟାପକ ସଂସ୍କାର ଘଟାଯିବା ନିମିତ୍ତ ଉଦ୍ୟମ କରାଯାଇନାହିଁ, କିମ୍ବା ଏଥିରେ କୌଣସି ନୂତନ ଟିକସ ଲାଗୁ କରାଯିବାର ପ୍ରସ୍ତାବ ନାହିଁ କିମ୍ବା ଚମକାଇ ଦେବା ଭଳି କିଛି ନାହିଁ। ଏହା ବସ୍ତୁତଃ ହେଉଛି ସେଇ ପୁରୁଣା ଆଇନର ଏକ ପରିମାର୍ଜିତ ସଂସ୍କରଣ ଯାହାର ପଠନ ଓ ତର୍ଜମାକୁ ସୁଗମ କରାଯାଇଛି। ଏଥିପାଇଁ ଅନେକ ସଂପର୍କିତ ଧାରାମାନଙ୍କୁ ଏକତ୍ରିତ କରିଦିଆଯାଇଛି ଏବଂ ଅନେକ ଅନାବଶ୍ୟକ ଧାରାମାନଙ୍କୁ ବାଦ ଦିଆଯାଇଛି। ସେହିପରି ଏହି ପ୍ରସ୍ତାବିତ ନୂତନ ଆଇନରେ ଚିରାଚରିତ ଭାବରେ ବ୍ୟବହୃତ କ୍ଳିଷ୍ଟ ଭାଷାକୁ ପରିତ୍ୟାଗ କରାଯାଇ ତା’ ସ୍ଥାନରେ ସରଳ ପରିଚିତ ଭାଷା ବ୍ୟବହାର କରାଯାଇଛି। ଆଇନର ଏଭଳି ସରଳୀକରଣ ଘଟିବା ପରେ ଉଭୟ କରଦାତା ଓ ସରକାରଙ୍କୁ ଆଇନର ତର୍ଜମା, ଅନୁପାଳନ ଓ ପ୍ରୟୋଗରେ ଅଯଥାରେ ଅତ୍ୟଧିକ ସମ୍ବଳ ଓ ସମୟ ନଷ୍ଟ କରିବାକୁ ପଡ଼ିବ ନାହିଁ। ଆମେରିକା, କାନାଡା, ଆଷ୍ଟ୍ରେଲିଆ ଆଦି ଦେଶମାନଙ୍କରେ ଅନୁରୂପ ଉଦ୍ୟମରୁ ଏଭଳି ସୁଫଳ ମିଳିବା ଦେଖାଯାଇଛି।
ଟିକସ ବିଶେଷଜ୍ଞମାନଙ୍କ ମତରେ ପ୍ରବାସୀ ଭାରତୀୟ ଓ ବିଦେଶୀ କଂପାନିମାନଙ୍କ ପ୍ରତି ଲାଗୁ ହେଉଥିବା ଧାରାମାନଙ୍କର ଏକତ୍ରୀକରଣ ଆଇନର ଅନୁପାଳନକୁ ସହଜ କରିବ ବୋଲି ଆଶା କରାଯାଉଛି। ବିଦେଶୀ ସଂସ୍ଥାମାନଙ୍କୁ ଏବେ ଆଉ ଏଣେତେଣେ ବିକ୍ଷିପ୍ତ ହୋଇ ରହିଥିବା ଆଇନର ବିଭିନ୍ନ ଧାରାମାନଙ୍କ ପଛରେ ଧାଇଁବାକୁ ପଡ଼ିବ ନାହିଁ ଏବଂ ସେମାନେ ସହଜରେ ଗୋଟିଏ ସ୍ଥାନରେ ସେମାନଙ୍କର ଦେୟ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ସଂଗ୍ରହ କରିପାରିବେ। ଯେଉଁମାନେ ଦେଶ ବାହାରେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଏହା ଏକ ସ୍ପଷ୍ଟ ଚିତ୍ର ପାଇବାରେ ଏବଂ ଦକ୍ଷତା ବୃଦ୍ଧିରେ ସହାୟକ ହେବ। ପ୍ରସ୍ତାବିତ ନୂତନ ଆଇନରେ ‘ବାସିନ୍ଦା’ର ଯେଉଁ ସ୍ପଷ୍ଟ ସଂଜ୍ଞା ନିରୂପଣ କରାଯାଇଛି, ତାହା ନିଯୁକ୍ତି ସନ୍ଧାନରେ ବିଦେଶକୁ ଯାଉଥିବା ଭାରତୀୟମାନଙ୍କ ପାଇଁ ବିଶେଷ ସହାୟକ ହେବ।
ବେତନଭୋଗୀମାନଙ୍କର ଆୟ ପ୍ରତି ଲାଗୁ ହେଉଥିବା ବିଭିନ୍ନ ଧାରାମାନଙ୍କର ଏକତ୍ରୀକରଣ ଦେଶର ସଂଖ୍ୟାଧିକ ବେତନଭୋଗୀ କରଦାତାଙ୍କ ପାଇଁ ଆୟ କର ଅନୁପାଳନରୁ ଜଟିଳତା ହ୍ରାସ କରି ସେମାନଙ୍କର ଅନାବଶ୍ୟକ ଦୁଶ୍ଚିନ୍ତା ଦୂର କରିବାରେ ସହାୟକ ହେବ। ଅତୀତରେ ‘ମୂଲ୍ୟହ୍ରାସ’ (ଡେପ୍ରିସିଏସନ୍’) ଅନେକ ଆୟକର ବିବାଦର କାରଣ ହୋଇଥିବା ଦେଖାଯାଇଛି। ‘ପ୍ରକୃତ ବ୍ୟୟ’ ବା ‘ଆକ୍‌ଚୁଆଲ୍ କଷ୍ଟ୍’ର ହିସାବ କରିବାରେ ସରକାର ଓ କରଦାତା ଗ୍ରହଣ କରୁଥିବା ଆଭିମୁଖ୍ୟରେ ତାଳମେଳର ଅଭାବ ଅନେକ ସମୟରେ ଉଭୟ ପକ୍ଷ ମଧ୍ୟରେ ବିବାଦର ମୁଖ୍ୟ କାରଣ ହୋଇଥିବା ଦେଖାଯାଇଥାଏ। ନୂତନ ଆଇନରେ ଏହି ହିସାବ ପ୍ରକ୍ରିୟାକୁ ସନ୍ଦେହମୁକ୍ତ କରି ଏହାକୁ ଯଥାସମ୍ଭବ ନିର୍ବିବାଦ କରିବାକୁ ଯେଉଁ ଚେଷ୍ଟା କରାଯାଇଛି, ତାହା ଦ୍ବାରା ଅଦାଲତୀ ବିବାଦରେ ବିଶେଷ ହ୍ରାସ ଘଟିବ ବୋଲି ଆଶା କରାଯାଉଛି।
ଦେୟ ଆକଳନ ବା ‘ଆସେସ୍‌ମେଣ୍ଟ୍ ପ୍ରକ୍ରିୟା’ର ସ୍ପଷ୍ଟ ନିରୂପଣ ନିମିତ୍ତ ନୂତନ ପ୍ରସ୍ତାବିତ ଆଇନରେ ନିଆଯାଇଥିବା ପ‌ଦକ୍ଷେପ ସଂଖ୍ୟାଧିକ କରଦାତାଙ୍କୁ ଏହି ଜଟିଳ ପ୍ରକ୍ରିୟାରେ ଛନ୍ଦି ହୋଇ ରହିବାରୁ ମୁକ୍ତି ପ୍ରଦାନ କରିବ। ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଅନ୍ୟ ଏକ ବିଶେଷ ପ୍ରଶଂସନୀୟ ପଦକ୍ଷେପ ହେଉଛି ପ୍ରଶ୍ନୋତ୍ତର (‘ଏଫ୍ଏକ୍ୟୁ’) ପ୍ରକାଶ। ବାରମ୍ବାର ଯେଉଁ ପ୍ରଶ୍ନମାନ କରଦାତାମାନଙ୍କୁ ଆନ୍ଦୋଳିତ କରିଥାଏ, ସେସବୁ ପ୍ରଶ୍ନମାନଙ୍କର ଉତ୍ତର ପ୍ରକାଶ ଦ୍ବାରା ଆୟ କର ପରିବେଶରୁ ଯେଉଁ କୁହୁଡ଼ି ଦୂର ହେବ, ତାହା କରଦାତାମାନଙ୍କର ସଶକ୍ତୀକରଣ ଦିଗରେ ଏକ ସୁଚିନ୍ତିତ ପଦକ୍ଷେପ।
ଏହା ନିଶ୍ଚିତ ଯେ ପାର୍ଲିଆମେଣ୍ଟର ଷ୍ଟାଣ୍ଡିଙ୍ଗ୍ କମିଟି ଦ୍ବାରା ବିଲ୍‌ଟିର ବିସ୍ତୃତ ଅନୁଶୀଳନ ସମୟରେ ଏଥିରେ ଆହୁରି ଉନ୍ନତି ଘଟାଇବା ନିମିତ୍ତ ପ୍ରସ୍ତାବମାନଙ୍କର ଆବିର୍ଭାବ ଘଟିବ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏପ୍ରିଲ ପହିଲା, ୨୦୨୬ରେ ଏହି ନୂତନ ଆଇନ ଯଦି କାର୍ଯ୍ୟକାରୀ ହୁଏ, ତାହା ଭାରତୀୟ ଆୟ କର ବ୍ୟବସ୍ଥାକୁ ଯୁଗୋପଯୋଗୀ କରିବା ଦିଗରେ ଏକ ବହୁ ପ୍ରତୀକ୍ଷିତ ପଦକ୍ଷେପ ହେବ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.