ସରଳ କୁମାର ଦାସ

କିଛି ରାଜ୍ୟରେ ସରକାରଙ୍କ ଦ୍ୱାରା ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ନଗଦ ଟଙ୍କା ଜମା କରିବାର ଯୋଜନାମାନ କାର୍ଯ୍ୟକାରୀ ହେଉଛି। ଟିକସଦାତାଙ୍କ ଅର୍ଥକୁ ଏପରି ମାଗଣା ବାଣ୍ଟି ଅର୍ଥଶ୍ରାଦ୍ଧ କରିବାକୁ ଅନେକ ନାପସନ୍ଦ କରୁଥିବା ବେଳେ ଏତେ କମ୍ ଅର୍ଥର ସହାୟତା ଗରିବ ଲୋକଙ୍କ ଜୀବନଧାରଣର ମାନକୁ ଉନ୍ନତ କରିପାରିବ ନାହିଁ ବୋଲି କେହି କେହି ମତ ବ୍ୟକ୍ତ କରୁଛନ୍ତି। ମାଗଣା ଟଙ୍କା କେଇଟା ନ ଧରେଇ ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରିବା ଦିଗରେ ପ୍ରଚେଷ୍ଟା କରାଗଲେ ସେମାନଙ୍କ ବିକାଶ ହେବା ସହ ରାଜ୍ୟର ଅର୍ଥନୀତି ଗତିଶୀଳ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି। ତେବେ, ସରକାରଙ୍କ ଦ୍ୱାରା ଜନସାଧାରଣଙ୍କୁ ନଗଦ ପ୍ରଦାନ କରାଯିବା କିଛି ନୂଆ କଥା ନୁହେଁ। ମେକ୍‌ସିକୋରେ ‘ପ୍ରୋଗ୍ରେସା’, ବ୍ରାଜିଲରେ ‘ବୋଲ୍‌ସା ଫେମିଲିଆ’, ଜାମାଇକାରେ ‘ପାଥ୍’ ଭଳି ବିଶ୍ୱର ଅନେକ ଦେଶରେ ଲୋକଙ୍କୁ ସିଧାସଳଖ ଅର୍ଥ ସହାୟତା ପ୍ରଦାନ କରାହୋଇ ଆସୁଛି। ଭାରତରେ ମଧ୍ୟ ଜନମଙ୍ଗଳର ସୁବିଧାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ୨୦୧୩ ମସିହାରୁ ‘ଡାଇରେକ୍‌ଟ ବେନିଫିଟ ଟ୍ରାନ୍‌ସଫର’ର ପ୍ରଚଳନ ହୋଇ ଏ ପର୍ଯ୍ୟନ୍ତ ୨୦୦୦ରୁ ଅଧିକ ଯୋଜନା ତା’ ଅନ୍ତର୍ଭୁକ୍ତ ହୋଇ ସାରିଲାଣି। ବିଭିନ୍ନ ଯୋଜନା ମାଧ୍ୟମରେ ମାଗଣା ଅର୍ଥ ବଣ୍ଟନ ଅର୍ଥନୀତି ପ୍ରତି କ୍ଷତିକାରକ ବୋଲି ସମାଲୋଚିତ ହେଉଥିଲେ ବି ଗରିବ ଶ୍ରେଣୀର ଲୋକଙ୍କ ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳତା ନ ଆସିବା ପର୍ଯ୍ୟନ୍ତ ତାହା ଜାରି ରହିବା ଅପରିହାର୍ଯ୍ୟ ଓ ତାକୁ ଏକ ‘ଆବଶ୍ୟକ ମନ୍ଦ’ ରୂପେ ଗ୍ରହଣ କରିବାକୁ ହେବ। ବରଂ ଏହି ଧରଣର ଯୋଜନାଗୁଡ଼ିକରେ ଥିବା ଅସଙ୍ଗତିଗୁଡ଼ିକୁ ବିଚାରବିମର୍ଶ ଜରିଆରେ ଦୂର କରାଯାଇ ସେଗୁଡ଼ିକୁ ଅଧିକ ଫଳପ୍ରଦ କରାଯାଇପାରେ।
‘ପି.ଆର୍‌.ଏସ୍. ଲେଜିସ୍‌ଲେଟିଭ୍ ରିସର୍ଚ୍ଚ’ ନାମକ ସଂସ୍ଥାର ଏକ ରିପୋର୍ଟ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ମହିଳାମାନଙ୍କୁ ସିଧାସଳଖ ନଗଦ ପ୍ରଦାନ ଯୋଜନା କାର୍ଯ୍ୟକାରୀ କରିଥିବା ଆସାମ, ଛତିଶଗଡ଼, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡ଼ିଶା, ତାମିଲନାଡୁ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ବଜେଟ୍‌ରେ ଏ ବାବଦକୁ ସମୁଦାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ହୋଇଛି। ୨୦୨୧ ମସିହା ଫେବ୍ରୁଆରି ମାସରେ, ଠିକ୍ ବିଧାନସଭା ନିର୍ବାଚନ ପୂର୍ବରୁ, ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ‘ଲକ୍ଷ୍ମୀର ଭଣ୍ଡାର’ ନାମକ ଯୋଜନାରେ ଅଭାବୀ ପରିବାରଗୁଡ଼ିକର ମହିଳା ମୁଖ୍ୟମାନଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ସହାୟତା ରାଶି ମାସିକ ୧୨୫୦ ଟଙ୍କା। ଏହି ଯୋଜନାରେ ୨୫ରୁ ୬୦ ବର୍ଷ ବୟସର ୨.୨ କୋଟି ମହିଳା ଯୋଜନାର ଲାଭାର୍ଥୀ ଅଛନ୍ତି। ଏହି ଯୋଜନା ନିର୍ବାଚନରେ ଶାସକ ଦଳକୁ ଆଶାତୀତ ସଫଳତା ପ୍ରଦାନ କରିଥିଲା ବୋଲି ବିଶ୍ୱାସ କରାଯାଏ। ରାଜ୍ୟ ସରକାରଙ୍କ ତରଫରୁ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସହାୟତା ରାଶିକୁ ଲାଭାର୍ଥୀମାନେ ଘର ଖର୍ଚ୍ଚ, ଶିକ୍ଷା, ସ୍ୱାସ୍ଥ୍ୟ ଆଦିରେ ବ୍ୟୟ କରିବା ସହ କେହି କେହି ଏହାକୁ ଛୋଟ ଛୋଟ ବ୍ୟବସାୟରେ ବିନିଯୋଗ କରିଛନ୍ତି। ଏହା ସେମାନଙ୍କ ଉତ୍କଟ ଦାରିଦ୍ର୍ୟକୁ ହ୍ରାସ କରିବା ସହ ସେମାନଙ୍କ ତଥା ସେମାନଙ୍କ ପରିବାରର ପୌଷ୍ଟିକ ଅବସ୍ଥାରେ ଉନ୍ନତି ଆଣିବାରେ ସହାୟକ ହୋଇଛି।
ଆସାମ ସରକାରଙ୍କ ଦ୍ୱାରା ‘ଅରୁଣୋଦୟ’ ନାମକ ଏକ କାର୍ଯ୍ୟକ୍ରମରେ ଲାଭାର୍ଥୀମାନଙ୍କୁ ଔଷଧ, ୪ କିଲୋଗ୍ରାମ ଡାଲି ଜାତୀୟ ଶସ୍ୟ, ୪ କିଲୋ ଚିନି, ଫଳ ଓ ପନିପରିବା କିଣିବା ଲାଗି ମାସିକ ୧୨୫୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଉଛି। ପ୍ରତି ନିର୍ବାଚନ ମଣ୍ଡଳୀର ୧୫ରୁ ୧୭ ହଜାର ପରିବାରର ମହିଳା ମୁଖ୍ୟ (ପ୍ରାୟ ୧୯.୧ ଲକ୍ଷ ମହିଳା) ଏହି ଯୋଜନାର ଅନ୍ତର୍ଭୁକ୍ତ।
ଝାଡ଼ଖଣ୍ଡରେ ୨୦୨୩ ମସିହା ଅଗଷ୍ଟ ମାସରୁ ‘ମୁଖ୍ୟମନ୍ତ୍ରୀ ମୈୟା ସମ୍ମାନ ଯୋଜନା’ କାର୍ଯ୍ୟକାରୀ ହୋଇ ଆସୁଥିଲା। ସେଥିରେ ୧୮ରୁ ୫୦ ବର୍ଷ ବୟସର ଯୋଗ୍ୟ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ଦିଆଯାଉଥିଲା। ଏହା ମେଣ୍ଟ ସରକାରକୁ ନିର୍ବାଚନ ଜିତିବାରେ ସହାୟକ ହୋଇଥିବାରୁ ନିର୍ବାଚନ ପରେ ସହାୟତା ରାଶିକୁ ବଢ଼ାଇ ମାସିକ ୨୫୦୦ ଟଙ୍କା କରି ଦିଆଗଲା, ଯାହାର ଲାଭାର୍ଥୀ ସଂଖ୍ୟା ପ୍ରାୟ ୬୯ ଲକ୍ଷ ମହିଳା ଏବଂ ଦେଶରେ ସର୍ବାଧିକ।
ଛତିଶଗଡ଼ ସରକାରଙ୍କ ଦ୍ୱାରା ‘ମହତାରୀ ବନ୍ଦନ ଯୋଜନା’ରେ ୨୧ ବର୍ଷ ବୟସରୁ ଅଧିକ ବୟସ୍କ ବିବାହିତା ମହିଳାଙ୍କୁ ଲାଭାର୍ଥୀ ଭାବେ ଗ୍ରହଣ କରାଯାଉଛି, ଯହିଁରେ ପ୍ରାୟ ୭୦ ଲକ୍ଷ ଲାଭାର୍ଥୀ ମାସିକ ୧୦୦୦ ଟଙ୍କା ଲେଖାଏଁ ସହାୟତା ଲାଭ କରୁଛନ୍ତି। ମଧ୍ୟପ୍ରଦେଶରେ ୨୦୨୩ ମସିହା ଜୁନ୍‌ ମାସରୁ ‘ମୁଖ୍ୟମନ୍ତ୍ରୀ ଲାଡ୍‌ଲି ବହନା ଯୋଜନା’ ଚାଲିଛି। ଏଥିରେ ୨୧ରୁ ୬୦ ବର୍ଷ ବୟସର ୧.୨୯ କୋଟି ଲାଭାର୍ଥୀ ମାସିକ ୧୨୫୦ ଟଙ୍କା ଲେଖାଏଁ ପାଉଛନ୍ତି। ହିମାଚଳ ପ୍ରଦେଶର ‘ଇନ୍ଦିରା ଗାନ୍ଧୀ ପ୍ୟାରୀ ବହନା ସୁଖ ସମ୍ମାନ ନିଧି’ ନାମକ ଯୋଜନାରେ ଲାଭାର୍ଥୀଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ଦିଆଯାଉଛି।
ତାମିଲନାଡୁ ସରକାରଙ୍କ ଦ୍ୱାରା ୨୦୨୩ ମସିହା ସେପ୍‌ଟେମ୍ୱର ମାସରୁ ‘କଲଇନାର ମାଗାଲିର ଉରିମାଇ ଥୋଗାଇ’ ନାମକ ଯୋଜନା ଚାଲିଛି, ଯହିଁରେ ୧.୦୬ କୋଟି ଲାଭାର୍ଥୀ ମାସକୁ ୧୦୦୦ ଟଙ୍କା ଲେଖାଏଁ ପାଉଛନ୍ତି। ସେମିତି କର୍ଣ୍ଣାଟକ ସରକାର କାର୍ଯ୍ୟକାରୀ କରିଥିବା ‘ଗୃହଲକ୍ଷ୍ମୀ’ ଯୋଜନାରେ ୧.୨୨ କୋଟି ଲାଭାର୍ଥୀ ମାସିକ ୨୦୦୦ ଟଙ୍କା ଲେଖାଏଁ ପାଉଛନ୍ତି। ନିକଟରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ‘ମୁଖ୍ୟମନ୍ତ୍ରୀ ଲାଡ୍‌କୀ ବହିନ ଯୋଜନା’ ଶୁଭାରମ୍ଭ ହେଲା, ଯହିଁରେ ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ପରିବାରର ୨୧ରୁ ୬୫ ବର୍ଷ ବୟସର ମହିଳାମାନଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ଦିଆଯାଉଛି। ଏଥିରେ ପ୍ରାୟ ୨.୫ କୋଟି ଲାଭାର୍ଥୀଙ୍କ ଲାଗି ବାର୍ଷିକ ପ୍ରାୟ ୪୬ ହଜାର କୋଟି ଟଙ୍କା ବ୍ୟୟ କରାଯାଉଛି।
ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଶାସନ କ୍ଷମତାକୁ ଆସିବା ପରେ ନିର୍ବାଚନୀ ଘୋଷଣାକୁ ପାଳନ କରି ‘ସୁଭଦ୍ରା’ ଯୋଜନା ଆରମ୍ଭ କଲା। ଏଥିରେ ୨୧ରୁ ୬୦ ବର୍ଷ ବୟସର ମହିଳାମାନଙ୍କୁ ଦୁଇଟି କିସ୍ତିରେ ୫,୦୦୦ ଟଙ୍କା ଲେଖାଏଁ ଦିଆଯିବ। ଏହାର ଅର୍ଥ ପ୍ରତ୍ୟେକ ମହିଳା ବର୍ଷକୁ ପାଇବେ ୧୦,୦୦୦ ଟଙ୍କା ଏବଂ ସେହି ହିସାବରେ ମାସକୁ ମାତ୍ର ୮୩୩ ଟଙ୍କା। ୨୦୨୪ ମସିହା ସେପ୍‌ଟେମ୍ୱର ମାସ ଆରମ୍ଭ ହୋଇଥିବା ଏହି ଯୋଜନାରେ ୧ କୋଟି ମହିଳାଙ୍କୁ ସାମିଲ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ଏବଂ ନଭେମ୍ୱର ମାସ ସୁଦ୍ଧା ତିନି ଦଫାରେ ୭୯.୧୪ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତିର ଟଙ୍କା ଦିଆ ଯାଇଛି।
ଏହା ସତ ଯେ ମହିଳା ଲାଭାର୍ଥୀ ପାଉଥିବା ଅର୍ଥ ରାଶି ସେମାନଙ୍କ ପରିବାରର ସାମାନ୍ୟ ହିତ ସାଧନ କରୁଛି। କିନ୍ତୁ ଲାଭାର୍ଥୀଙ୍କ ସଂଖ୍ୟା ନେଇ ଲକ୍ଷ୍ୟ ପୂରଣ କରିବା ଅପେକ୍ଷା ଯୋଗ୍ୟତାର ମାପକାଠି ଉପରେ ଗୁରୁତ୍ବ ଦେଇ ଯୋଗ୍ୟ ହିତାଧିକାରୀ ଚୟନ ଅଧିକ କାମ୍ୟ। ଏଥି ପାଇଁ ସରକାରଙ୍କ ଦ୍ୱାରା ନିୟମିତ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିବା ଆବଶ୍ୟକ। ଆଗାମୀ ବର୍ଷଗୁଡ଼ିକରେ ପରିବାରଗୁଡ଼ିକର ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ପାଇ ଲାଭାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇଲେ ତାହା ସ୍ୱଚ୍ଛଳତାର ସୂଚକ ହେବ। ସେହିପରି ରାଜ୍ୟ ବାହାରେ ବସବାସ କରୁଥିବା ମହିଳାମାନଙ୍କୁ ଏଭଳିି ଯୋଜନା ଅନ୍ତର୍ଭୁକ୍ତ କରିବା ନେଇ ହୋଇଥିବା ନିଷ୍ପତ୍ତିର ପୁନର୍ବିବେଚନା ଆବଶ୍ୟକ। ସହାୟତା ରାଶି ପ୍ରଦାନ କରିବାର ଏକ ବଡ଼ କାରଣ ହେଉଛି ସମାଜର ଅବହେଳିତ ବର୍ଗର ଲୋକଙ୍କ ହାତରେ କିଛି ଅର୍ଥ ପହଞ୍ଚାଇ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିବାର ସାମର୍ଥ୍ୟ ପ୍ରଦାନ କରିବା। ଏହା ହେଲେ କିଣାବିକା ବଢ଼ି ସ୍ଥାନୀୟ ଅର୍ଥନୀତି କିଛିଟା ଚଳଚଞ୍ଚଳ ହୋଇପାରିବ। ସେଥିପାଇଁ ଲାଭାର୍ଥୀ ଭାବେ କେବଳ ରାଜ୍ୟରେ ବସବାସ କରୁଥିବା ଲୋକମାନଙ୍କୁ ଗ୍ରହଣ କରାଯାଉଛି। ‘ସୁଭଦ୍ରା’ ଯୋଜନାରେ ପ୍ରବାସୀ ଓଡ଼ିଆ ମହିଳାମାନଙ୍କୁ ମଧ୍ୟ ସାମିଲ କରାଯାଉଛି, ଯାହାର ଯୌକ୍ତିକତା ନେଇ ପ୍ରଶ୍ନ ଉଠୁଛି। କାରଣ ତଦ୍ଦ୍ୱାରା ଓଡ଼ିଶାର ରାଜକୋଷରୁ ପ୍ରଦାନ କରାଯାଉଥିବା ସହାୟତା ରାଶି ଅନ୍ୟ ରାଜ୍ୟରେ ଗତିଶୀଳ ହୋଇ ସେଠାକାର ଅର୍ଥନୀତିକୁ ଚଳଚଞ୍ଚଳ କରିବାରେ ସହାୟକ ହେଉଛି।
ଏ ପର୍ଯ୍ୟନ୍ତ ମାତ୍ର ୧୦ଟି ରାଜ୍ୟର ପ୍ରାୟ ୧୧ କୋଟି ମହିଳା ଏହି ଯୋଜନାଗୁଡ଼ିକର ଲାଭାର୍ଥୀ ହୋଇଛନ୍ତି। ଅନ୍ୟାନ୍ୟ ଅନେକ ରାଜ୍ୟର ମହିଳା ଏଥିରୁ ବଞ୍ଚିତ ଅଛନ୍ତି। ଏହି ଧରଣର ଯୋଜନା ନିର୍ବାଚନୀ ସଫଳତାକୁ ସୁନିଶ୍ଚିତ କରୁଥିବାରୁ ଭବିଷ୍ୟତରେ ଅଧିକ ରାଜ୍ୟରେ ଏହା ପ୍ରଚଳିତ ହେବାର ସମ୍ଭାବନା ବେଶ୍‌ ଅଧିକ। କିନ୍ତୁ, ଏହା ରାଜ୍ୟଗୁଡ଼ିକର ବଜେଟ୍ ଉପରେ ଅତିରିକ୍ତ ବୋଝ ଭଳି ହେଉଥିବାରୁ କେତେକ ରାଜ୍ୟ ଲାଭାର୍ଥୀଙ୍କ ସଂଖ୍ୟା ହ୍ରାସ କରିବା ଲାଗି ଯୋଗ୍ୟତାର ମାପକାଠିକୁ କଡ଼ାକଡ଼ି କରିବାରେ ଲାଗିଲେଣି। ରିଜର୍ଭ ବ୍ୟାଙ୍କ ମଧ୍ୟ ୨୦୨୪-୨୫ ମସିହା ପାଇଁ ପ୍ରସ୍ତୁତ ‘ଷ୍ଟେଟ୍ ଫାଇନାନ୍‌ସେସ’ ରିପୋର୍ଟରେ ବିଭିନ୍ନ ଯୋଜନାରେ ମହିଳାମାନଙ୍କୁ ଦିଆଯାଉଥିବା ନଗଦ ରାଶି କାରଣରୁ ରାଜ୍ୟ ଅର୍ଥନୀତି ଉପରେ ପଡୁଥିବା ପ୍ରତିକୂଳ ପ୍ରଭାବ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏଥିପାଇଁ ବାର୍ଷିକ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ହେବ, ଯଦ୍ଦ୍ୱାରା ଅନ୍ୟ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି।
‘ଏକ ଦେଶ ଏକ ଆଇନ’, ‘ଏକ ଦେଶ ଏକ ନିର୍ବାଚନ’ ଭଳି ସାରା ଦେଶରେ ମହିଳାମାନଙ୍କୁ ସମାନ ସମ୍ମାନ ମିଳିବା ପ୍ରସଙ୍ଗଟି ମଧ୍ୟ ଗୁରୁତ୍ୱ ପାଇବା ଉଚିତ। ଯଦି ସାରା ଦେଶରେ କୃଷକମାନଙ୍କୁ ସମାନ ପରିମାଣର ‘କୃଷକ ସମ୍ମାନ’ ରାଶି ପ୍ରଦାନ କରାଯାଇପାରୁଛି, ତେବେ ବିଭିନ୍ନ ରାଜ୍ୟର ମହିଳାମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ରାଶିରେ ପାତରଅନ୍ତର କାହିଁକି? ପୁଣି କିଛି ରାଜ୍ୟର ମହିଳା ଏହା ପାଇବାରୁ ବଞ୍ଚିତ ହେବେ କାହିଁକି? କୌଣସି ରାଜ୍ୟରେ ନିର୍ବାଚନ ଆସିଲେ, ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଇସ୍ତାହାରରେ ଏଭଳି ‌ଯୋଜନାର ପ୍ରତିଶ୍ରୁତି ଦେଉଛନ୍ତି। ଏହା ତାତ୍‌କାଳିକ ଲାଭ ସକାଶେ ଲୋଭ ଦେଖାଇବା ଭଳି। ଭଲ ହୁଅନ୍ତା ଯଦି ଜାତୀୟ ସ୍ତରରେ ବ୍ୟାପକ ବିଚାର ବିମର୍ଶ କରାଯାଇ ମହିଳାମାନଙ୍କୁ ସହାୟତା ରାଶି ପ୍ରଦାନ ସଂଦର୍ଭରେ ଏକ ନୀତିଗତ ନିଷ୍ପତ୍ତି ନିଆଯାଆନ୍ତା। ହିତାଧିକାରୀଙ୍କ ଯୋଗ୍ୟତା, ସହାୟତା ରାଶିର ପରିମାଣ ଆଦି ସୁନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଧାରିତ ହୋଇ କେନ୍ଦ୍ର ସରକାରଙ୍କ ଦ୍ୱାରା ସାରା ଦେଶରେ ଲାଗୁ କରାଯାଆନ୍ତା। କେବଳ ସେତିକି ନୁହେଁ, ଏଭଳି ଅର୍ଥ ବଣ୍ଟନ ଯୋଜନା ଦ୍ବାରା ଦେଶର ଅର୍ଥନୀତି କିଭଳି ପ୍ରଭାବିତ ‌ହେଉଛି ତା’ ଉପରେ ଦୃଷ୍ଟି ରହନ୍ତା। ଅଧିକନ୍ତୁ, ଏହା ଦ୍ବାରା ରାଜ୍ୟଗୁଡ଼ିକ ଅତିରିକ୍ତ ଆର୍ଥିକ ଚାପରେ ରହନ୍ତେ ନାହିଁ ଏବଂ ଏକ ସୁସଂହତ ଢଙ୍ଗରେ ‌େଯାଜନାକୁ କାର୍ଯ୍ୟକାରୀ କରାଯାଇ ପାରନ୍ତା। କିନ୍ତୁ ବଡ଼ କଥା ହେଲା ଲାଭାର୍ଥୀ ସଂଖ୍ୟାରେ ହ୍ରାସ ଘଟାଇବା, ଯାହା ଏଭଳି ଯୋଜନାର ସଫଳତାର ପ୍ରମାଣ ହୁଅନ୍ତା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୩୮୦୧୫