Breaking News

ସରସ ରସ: ଚର୍ଚ୍ଚାରେ ଚର୍ଚ୍ଚାରେ ଚା’

ଝରକା ଆରପଟେ ଅଦିନିଆ ଝଡ଼ବର୍ଷା, ହାତରେ ଆମର ବାଷ୍ପୋଦ୍‌ଗତ ଗରମ ଚା’ର ପିଆଲା ଏବଂ ଅନ୍ୟ ହାତରେ ହେନେରି ଜେମ୍‌ସଙ୍କର ଦୀର୍ଘ ଉପନ୍ୟାସ ‘ଦ ପୋର୍ଟ୍ରେଟ୍ ଅଫ୍ ଏ ଲେଡି।’ ଉପନ୍ୟାସର ଆରମ୍ଭରେ ଜେମ୍‌ସ ଲେଖିଛନ୍ତି...

ସୁଭାଷ ପଟ୍ଟନାୟକ

ଝରକା ଆରପଟେ ଅଦିନିଆ ଝଡ଼ବର୍ଷା, ହାତରେ ଆମର ବାଷ୍ପୋଦ୍‌ଗତ ଗରମ ଚା’ର ପିଆଲା ଏବଂ ଅନ୍ୟ ହାତରେ ହେନେରି ଜେମ୍‌ସଙ୍କର ଦୀର୍ଘ ଉପନ୍ୟାସ ‘ଦ ପୋର୍ଟ୍ରେଟ୍ ଅଫ୍ ଏ ଲେଡି।’ ଉପନ୍ୟାସର ଆରମ୍ଭରେ ଜେମ୍‌ସ ଲେଖିଛନ୍ତି, “କିଛି ବିଶେଷ ପରିସ୍ଥିତିରେ ଜୀବନର କିଛି କ୍ଷଣ ଏମିତି ଆସିଯାଏ ଯେ, ‘ଅପରାହ୍‌ଣର ଚା’ ନାମରେ ପରିଚିତ ରମ୍ୟ ଆସରର ସୁଖଦ ମୁହୂର୍ତ୍ତଠାରୁ ମଧ୍ୟ ସେ କ୍ଷଣଟି ଅଧିକ ସୁଖଦ ଅନୁଭବ ହୁଏ।” ତାଙ୍କ କଥାର ମର୍ମ ହେଉଛି, ଚା’ ପିଇବାର ସମୟ ପରି ପ୍ରୀତିପ୍ରଦ ସମୟ ଜୀବନରେ କ୍ବଚିତ୍ ମିଳେ। କବି ଟି. ଏସ୍. ଇଲିୟଟଙ୍କର କାବ୍ୟ (ଲଭ୍ ସଙ୍ଗ୍ ଅଫ୍‌ ଆଲଫ୍ରେଡ ପ୍ରୁଫ୍ରକ୍) ନାୟକ ପ୍ରୁଫ୍ରକ୍ ମଧ୍ୟ “କଫି ଚାମଚର ଦୈର୍ଘ୍ୟ” ସଦୃଶ ଅତ୍ୟନ୍ତ କ୍ଷୁଦ୍ର ଜୀବନ କାଳରେ ନିଜକୁ ଚା’ ପାନ ପରି ସୁଖମୟ ସମାବେଶରେ ସାମିଲ କରି ପାରୁନଥିବାର ଗ୍ଳାନିବୋଧକୁ ନେଇ ବ୍ୟଥିତ ହୋଇଛନ୍ତି। ଚାଲନ୍ତୁ, ଏ ଉଭୟ ଲେଖକଙ୍କର ଉକ୍ତିର ମର୍ମକୁ ପରଖିବା।
ଚା’ ହେଉ ବା କଫି, ଏ ଉଷ୍ମ ପାନୀୟଟି ମନୁଷ୍ୟର ଜୀବନ ଜିଇଁବାର ଏକ ପ୍ରମୁଖ ଉପାଦାନ ଓ ସାମାଜିକ ସଂଯୋଗର ସେତୁବନ୍ଧ। ବିଶ୍ବର ପ୍ରତ୍ୟେକ ପ୍ରାନ୍ତରେ ଏ ପାନୀୟଟିର ସ୍ଥାନ ସ୍ବତନ୍ତ୍ର। ଦୈନନ୍ଦିନ ଜୀବନ ଚର୍ଯ୍ୟାର ଚା’ ହେଉଛି ଆତ୍ମା। ଚା’ ବିନା ଆମ ସଂସ୍କୃତିର ପୂର୍ଣ୍ଣ ବ୍ୟାଖ୍ୟାନ ଅସମ୍ଭବ। ସକାଳର ଜୀବନଚର୍ଯ୍ୟା ଆରମ୍ଭ ଠାରୁ ସନ୍ଧ୍ୟାରେ ପାରିବାରିକ ଚା’ ପାନର ସମାବେଶ ପର୍ଯ୍ୟନ୍ତ ଏବଂ ଅଫିସ, ରାସ୍ତାକଡ଼ ଓ ବନ୍ଧୁ ଗୃହ, ସବୁ ସ୍ଥାନରେ ଯେଉଁ ପାନୀୟଟି ଆମକୁ ଆପ୍ୟାୟିତ କରୁଥାଏ, ତାହା ହେଉଛି କପେ ଗରମ ଚା’। କର୍ମସ୍ଥଳୀ ହେଉ, ଗାଁ କିମ୍ବା ସହର ହେଉ ଅଥବା ମେଳା ମହୋତ୍ସବ ହେଉ, ମଣିଷକୁ ଏକାଠି କରି ଭ୍ରାତୃତ୍ବ ବାଣ୍ଟିବାରେ ଚା’ର ରହିଛି ସ୍ବତନ୍ତ୍ର ଭୂମିକା। ଗରମ ଚା’ର କପ୍‌ଟିଏ ଯେଉଁ ସୌହାର୍ଦ୍ୟ ପରଷିଦିଏ ଅନ୍ୟ କୌଣସି ପାନୀୟରୁ ତାହା ମିଳେନାହିଁ। ଘରକୁ ଅତିଥିଙ୍କର ଆଗମନ ହେଲେ ସ୍ବାଗତ ପାଇଁ ଲୋଡ଼ାପଡ଼େ ଚା’। ହୃଦୟ ସହିତ ହୃଦୟକୁ ଯୋଡ଼ିବାରେ ଏହାଠାରୁ ଦୃଢ଼ ବନ୍ଧନୀ ଆଉ କିଛି ନାହିଁ। ବଡ଼ ବଡ଼ କାର୍ଯ୍ୟାଳୟ, କଳକାରଖାନା ଅଥବା କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନ, ସବୁଠାରେ ଚା’ର ଯାଦୁକରୀ ଶକ୍ତି ସମସ୍ତଙ୍କୁ ଏକତ୍ର ବାନ୍ଧି ରଖିଥାଏ। ଆଜିକାଲି ତ ସବୁ ପ୍ରତିଷ୍ଠାନରେ କର୍ମଚାରୀମାନଙ୍କୁ ଚାପମୁକ୍ତ ରଖିବାକୁ ଚା’ ପାନର ବିରତି ଦେବା ସହିତ ନିଃଶୁଳ୍କ ଚା’ ପରିବେଷଣର ବ୍ୟବସ୍ଥା ହେଲାଣି। ଫଳତଃ କର୍ମଚାରୀମାନେ ନିଜ ମଧ୍ୟରେ ସଂପର୍କର ବୃଦ୍ଧି ଘଟାଇ ଉତ୍ତମ ବୃତ୍ତିଗତ ବୁଝାମଣା ସୃଷ୍ଟି କରିପାରୁଛନ୍ତି। ଘରେ ହେଉକି କାର୍ଯ୍ୟକ୍ଷେତ୍ରରେ ହେଉ, ଆଗନ୍ତୁକ ଅତିଥିଙ୍କୁ ଚା’ କପଟିଏ ଅର୍ପଣ କରିବା ହାର୍ଦ୍ଦିକ ସ୍ବାଗତ ଓ ସମ୍ମାନର ସଙ୍କେତ। ବ୍ୟବସାୟଗତ ଆଲୋଚନା ପାଇଁ ଏବେ ସବୁଠାରେ ସ୍ବତନ୍ତ୍ର ଭାବରେ ଚା’ ଓ କଫିସପ୍‌ର ବ୍ୟବସ୍ଥା ହେଲାଣି। ‘ରୋଷ୍ଟ-ଟି’ ଏବଂ ‘କାଫେ-କଫି-ଡେ’ ଆଦି ଅନୁଷ୍ଠାନର ସୃଷ୍ଟି ତ ସେଇଥିପାଇଁ! ସମସ୍ତ ପକ୍ଷଙ୍କୁ ଏକ ଟେବୁଲକୁ ଆଣି ମତଭେଦ ଦୂର କରାଇବାରେ ଏ ଉଷ୍ମ ପାନୀୟର ଭୂମିକା ସ୍ବତନ୍ତ୍ର। ସ୍ବର୍ଗରେ ଦେବତାମାନେ ଚା’ ପିଅନ୍ତି କି ନାହିଁ ଆମେ ଜାଣିନୁ ସିନା, ଅଧା ସ୍ବର୍ଗ ‘ନ୍ୟାସନାଲ ସ୍ପେସ ଷ୍ଟେସନ’ରେ ନଅ ମାସ ରହି ଆମ ସୁନୀତା ଵିଲିୟମ୍‌ସ ପରା ଚା’ ତିଆରିକରି ପିଉଥିଲେ! ଆଉ ଚା’ ଖଟିର କଥା କ’ଣ କହିବା! ଖଟିରେ କପ୍ ଧରିଲେ ସମସ୍ତେ ଏକାକାର। ଧନୀ-ଦରିଦ୍ର, ଉଚ୍ଚ-ନୀଚ କୌଣସି ବାଛବିଚାର ନଥାଏ ଚା’ ଖଟିରେ। ସାହିତ୍ୟରୁ ରାଜନୀତି, ପାଣିପାଗଠାରୁ ପର ଚୁଗୁଲି ଏବଂ ଆଳୁର ବଜାର ଦର, ସବୁକିଛି ଆଲୋଚନା ହୁଏ ଏଠାରେ। ସହରର ଛକ ଜାଗା ହେଉ କି ଅଫିସ କ୍ୟାଣ୍ଟିନ ପାଖ ବଉଳଗଛ ମୂଳ ସିମେଣ୍ଟ ଚଟାଣ ହେଉ ଅଥବା ଦୂର ମଫସଲ ଗାଁର ଚାଳିଘର ଚା’ ଦୋକାନ ହେଉ, କିମ୍ବା ପାନ ଦୋକାନ ହେଉ, ଯେଉଁଠି ଚା’ ମିଳିଲା ସେଇଠି ଖଟି ଜମିଲା। ସରକାରୀ ଦପ୍ତରରେ କେବେ ଚା-ପାଣିର ଖର୍ଚ୍ଚ ଦେଇ ଦେଖନ୍ତୁ ତ, ଟେବୁଲ ତଳେ ଉଠିନପାରି ପଡ଼ିରହିଥିବା ଆପଣଙ୍କର ଧୂଳିଲଗା ଫାଇଲରେ ପର ଲାଗିଯିବ।
ଏତେ ନିଶା ଦୁନିଆରେ ଅଛି, ମାତ୍ର ସେସବୁ ଚା’ ନିଶାଠାରୁ ଗୁରୁତ୍ୱହୀନ। ଚା’ଓ ଏକମାତ୍ର ନିଶା ଯାହାକୁ ପରିବାରରେ ସମସ୍ତେ ଏକାଠି ବସି ପିଇପାରନ୍ତି। ମୁଣ୍ଡ ବିନ୍ଧୁଚି? ଚା’ ପିଅ। ନାକରୁ ପାଣି ଗଳି ଛିଙ୍କ ହେଉଛି? ଚା’ ପିଅ। ନିଦ ଲାଗୁଛି? ଚା’ ପିଅ। ଚିଡ଼ିଚିଡ଼ା ଲାଗୁଛି? ଚା’ ଟିକିଏ ପିଇଦିଅ। ସବୁ ରକମ ମାନସିକ ବ୍ୟାଧିର ନିଦାନ ହେଉଛି ଚା’। ଏହାର ଋତୁ ନାହିଁ କି ଜାତି ନାହିଁ। ଥଣ୍ଡା ପଡ଼ିଲେ ଚା’, ଗରମ ଦିନରେ ମଧ୍ୟ ଚା’। ଧର୍ମ ଏହାର ଗୋଟିଏ, କେବଳ ମାନବ ସେବା। ପ୍ରେମ, ପ୍ରତାରଣା, ନିଃସଙ୍ଗତା, ସୁଖ ଓ ଦୁଃଖ, ସବୁ ସମୟରେ ସାଥ୍ ଦେଇଥାଏ ଗରମ ଚା’ କପଟିଏ। ଚା’ ବିକାଳୀ ଜଣେ ଯଦି ଉଚ୍ଚକୁ ଉଠିଗଲା, ରାଇଜସାରା ହୁଲର ହୋଇଯାଏ। ଦିଲ୍ଲୀର ଲକ୍ଷ୍ମଣ ରାଓ ଚା’ବାଲା ପରା ଚା’ ଦୋକାନରେ ବସି ବସି ଚବିଶ ଖଣ୍ଡ ବହି ଲେଖି ପ୍ରସିଦ୍ଧ ହେଲେଣି! ହଁ, ଜଣେ ଜଣେ ଅଛନ୍ତି, ତୁଚ୍ଛାକୁ ହେଲେ ଚା’ କପରେ ଝଡ଼ ସୃଷ୍ଟି କରିଦିଅନ୍ତି। ଆମର ଏପରି ଲୋକଙ୍କୁ ଦୂରରୁ ଜୁହାର।
ନିଜଠାରୁ ଦୂରକୁ ଘୁଞ୍ଚି ଘୁଞ୍ଚି ଚାଲି ଯାଉଥିବା ଆତ୍ମବିଶ୍ବାସକୁ ପୁଣି ନିଜ ଆଡ଼କୁ ବାହୁ ପ୍ରସାରି ଓଟାରିଆଣେ କିଏ, କୁହନ୍ତୁ ତ? ଗୋଟେ କପ୍ ଗରମ ଚା’। ଇଏ କେବଳ ଏକ ପାନୀୟ ନୁହେଁ, ଜୀବନର ସମସ୍ତ କାବ୍ୟିକ ମୁହୂର୍ତ୍ତର ସାକ୍ଷୀ ଭାବରେ ଏହା ଆମ ସହିତ ଚିରଦିନ ରହିଥିବ। ଆଉ ଏ ଲେଖକର ଜୀବନରେ ଚା’ର ଭୂମିକା ତ ସ୍ବତନ୍ତ୍ର। ଭୋର ପାଞ୍ଚଟା ବେଳକୁ ନିଦ ଭାଙ୍ଗିଯାଏ ରୋଷେଇ ଘରୁ ଚହଟି ଆସୁଥିବା ଫୁଟନ୍ତା ଚା’ର ବାସ୍ନା ଓ ପତ୍ନୀଙ୍କର ଅଦା ଛେଚିବା ଶବ୍ଦରେ। ବିଛଣା ଛାଡୁଛାଡୁ ପାଖରେ ପହଞ୍ଚିଯାଏ ଅଦାଦିଆ ଗରମ ଚା’ର ପିଆଲା। ଏକାଠି ହୋଇ ମାଟିର ସଂସାର ଗଢ଼ିବା ଦିନଠାରୁ ଆଜିଯାଏ କେବେ ବନ୍ଦ ହୋଇନାହିଁ ପ୍ରତ୍ୟୁଷର ସେ ଅଦା ଛେଚିବାର ଶବ୍ଦ। ଆସନ୍ତା କାଲିର ଭୋର ବେଳାକୁ ହୁଏତ ସେ ଶବ୍ଦ ଆଉ ଶୁଭୁନଥିବ କି ଫୁଟନ୍ତା ଚା’ର ବାସ୍ନା ଚହଟୁନଥିବ। ଚା’ ପିଇବା ଲୋକଟି ନଥିବ କିମ୍ବା ଚା’ ବନେଇବା ଲୋକ ନଥିବ। ତଥାପି ରହିଥିବ ଚା’, ବାକି ବଞ୍ଚିଥିବା ମଣିଷଟିର କଳ୍ପନାରେ, ସ୍ବପ୍ନରେ ଓ ସ୍ମୃତିରେ। ଚାଲିଥିବ ଶୂନ୍ୟ ଚେତନାରେ ଭାଷାହୀନ ନିଭୃତ ସଂଳାପ ସହିତ ଚା’ର ଚର୍ଚ୍ଚା। “ମିଲେଙ୍ଗେ କଭି ଚାୟ ପର୍, ଫିର୍ କିସ୍‌ସେ ବୁନେଙ୍ଗେ/ତୁମ୍ ଖାମୋଶୀ ସେ କହନା ହମ୍ ଚୁପକେ ସେ ସୁନେଙ୍ଗେ”।
ଆହାରେ! ଚା’ କପ୍‌ର ଏ ଜୀବନ!
(ମତାମତ ଲେଖକଙ୍କ ନିଜସ୍ବ)
subhas.pattanaik@yahoo.com

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.