Breaking News

ସରସ ରସ: ପୁଣି ଥରେ ଫେରିଯିବା ପାଇଁ ଆ’

କବି ଅହମଦ ଫରାଜଙ୍କର (ପାକିସ୍ତାନ) ଏକ ଲୋକପ୍ରିୟ କବିତା ‘ରଞ୍ଜିସ୍ ହି ସହି’ର ପ୍ରାରମ୍ଭ ଏହିପରି: “ରଞ୍ଜିସ୍ ହି ସହି, ଦିଲ୍ ହି ଦୁଖାନେ କେ ଲିୟେ ଆ’/ଆ’ ଫିର୍ ସେ ମୁଝେ ଛୋଡ଼ କେ ଜାନେ କେ ଲିୟେ ଆ...।

ସୁଭାଷ ପଟ୍ଟନାୟକ

କବି ଅହମଦ ଫରାଜଙ୍କର (ପାକିସ୍ତାନ) ଏକ ଲୋକପ୍ରିୟ କବିତା ‘ରଞ୍ଜିସ୍ ହି ସହି’ର ପ୍ରାରମ୍ଭ ଏହିପରି: “ରଞ୍ଜିସ୍ ହି ସହି, ଦିଲ୍ ହି ଦୁଖାନେ କେ ଲିୟେ ଆ’/ଆ’ ଫିର୍ ସେ ମୁଝେ ଛୋଡ଼ କେ ଜାନେ କେ ଲିୟେ ଆ…।” ରାଗରେ ହେଉ ପଛେ ମତେ ଦୁଃଖ ଦେବାପାଇଁ ଥରେ ଆସ, ନହେଲେ ପୁଣି ଥରେ ମତେ ଛାଡ଼ି ଚାଲି ଯିବାପାଇଁ ହେଲେ ଆସ! ଯେମିତି ହେଉ ତୁ କେବଳ ଥରଟିଏ ଆସି ଯା’। ଆମେ ଆମର ଅତୀତର ସ୍ମୃତିକୁ ଝୁରି ହେଉଥାଉ ଠିକ୍ ଏହିପରି। ସମୟର ପୃଷ୍ଠା ଓଲଟାଇ ପଢ଼ିସାରିଥିବା ପୃଷ୍ଠାଟି ପୁଣି ପଢୁ। ବିଗତ ଦିନର ସେ ସମୟକୁ ପୁଣି ଥରେ ଫେରି ପାଇବାକୁ ଆମେ ସମସ୍ତେ ବ୍ୟାକୁଳ ହୋଇଥାଉ। ଚଳନ୍ତି ସମୟର ଉଦାସୀ ଲଗ୍ନରେ କେବେ କେବେ ଅତୀତର ସ୍ମୃତିରେ ବୁଡ଼ିରହି ଆମେ ଆମର ବର୍ତ୍ତମାନକୁ କିଛି କ୍ଷଣ ପାଇଁ ଭୁଲି ଯାଉ। ଏଇ ଯେମିତି, ଆଜି ଦୋଳପୂର୍ଣ୍ଣିମାରେ ବାପା ଆମ ସହରର ଫ୍ଲାଟ୍ ଘର ବାଲକୋନିରେ ବସି ଗାଁର ସ୍ମୃତିରେ ଡୁବି ଯାଇଛନ୍ତି। ଏବେ ଫୁଲ ଫୁଟିବାର ଋତୁ। ଗାଁର ସେ ମହୁ ମହକର ମହୋତ୍ସବ ସହରରେ କାହିଁ? ଆଖିରେ ଭାସିଯାଉଛି ଗହଗହ ଆମ୍ବ ତୋଟାରେ ମଧୁପର ଗୁଞ୍ଜନ, କୋକିଳର କୁହୁତାନର ଚିତ୍ର। କେତକୀ ବଣ ଘେରା ଛାୟାଶୀତଳ ଗ୍ରାମ୍ୟ ସରସୀରେ ନୀଳ କଇଁର ହସ ଦିଶିଯାଉଛି ତାଙ୍କୁ। ସ୍ମୃତିର ଅଗଣାରେ ବୁଲି ବୁଲି ଅନୁଭବ କରୁଛନ୍ତି ଗ୍ରାମ୍ୟ ପବନରେ ମଳୟର ଚମକ। ଶୁଣୁଛନ୍ତି ମାଳତୀ କୁଞ୍ଜରେ ନୂତନ ସ୍ତବକର ସଂଗୀତ। ମା’ଙ୍କ ଡାକରେ ମଧ୍ୟ ପ୍ରକୃତିସ୍ଥ ହୋଇ ପାରୁନାହାନ୍ତି ସେ। ଏପରି ଏକ ଅବସ୍ଥା ହେଉଛି ଆମର ସ୍ମୃତିକୁ ନେଇ ବିହ୍ବଳ ହୋଇଯିବାର ଅବସ୍ଥା। ଇଂରେଜୀରେ କହିଲେ ‘ନଷ୍ଟାଲଜିଆ’। ଅତୀତର ସ୍ମୃତିରେ ନିଜକୁ ହଜାଇ ଦେବାର ମୁହୂର୍ତ୍ତ। ଆଜିର ଆଲୋଚନାଟି ଆମର ସ୍ମୃତି ସନ୍ତରଣକୁ ନେଇ।
ପୁରାତନ ସମୟ ଓ ସାମଗ୍ରୀ ମଧ୍ୟରେ ଛପି ରହିଛି ଅତୀତର ଅନେକ ସ୍ମୃତି। ସେସବୁ ଥରେ ମନେ ପଡ଼ିଗଲେ ମନ ଅତୀତକୁ ଲେଉଟିଯାଇ ସେଥିରେ ବିଭୋର ହୋଇଯାଏ। ଆଜିର ଟିଭି କାର୍ଯ୍ୟକ୍ରମଟିଏ ଦେଖି ମନେ ପଡ଼େ ଅତୀତରେ ଦେଖିଥିବା ସିରିଆଲର କଥା। ମନ ପଛକୁ ଫେରିଯାଏ ଏବଂ ଅତୀତଟି ହିଁ ଉତ୍କୃଷ୍ଟ ମନେ ହୁଏ। ସକାଳୁ ସକାଳୁ ଚା’ ଦୋକାନରେ ପୁରୁଣା ସିନେମା ଗୀତଟିଏ ଶୁଣିଲେ ମନେ ପଡ଼ିଯାଏ ସେ ହଜିଲା ସମୟ। କଳାଧଳା ପରଦା ଉପରେ ଜହ୍ନରାତି, ନଈକୂଳରେ ସୁଲୁସୁଲିଆ ପବନ, ପାଣି ଉପରେ ଜ୍ୟୋତ୍ସ୍ନାର ଅଭିସାର ଓ ପ୍ରେମରେ ବିଭୋର ନାୟକ ନାୟିକା। ନାତିର ଦୁଷ୍ଟାମି ଦେଖି ଆମେ ଫେରିଯାଉ ପୁଅର ପିଲାଦିନ ପାଖକୁ।
ସ୍ମୃତିବିହ୍ବଳତା ଏକ ମାନସିକ ଅବସ୍ଥା। ବୈଜ୍ଞାନିକ ଦୃଷ୍ଟିକୋଣ ସ୍ମୃତି-ସନ୍ତରଣକୁ ଜୀବନର ପଶ୍ଚାତ୍ ଚରଣକୁ ପୁନଶ୍ଚ ଲେଉଟି ଯିବାର ପୌନଃପୁନିକ ଇଚ୍ଛା ବୋଲି କହିଥାଏ। ଅର୍ଥାତ୍ ନିଜର ଅତୀତ ପ୍ରତି ଥିବା ଭାବପ୍ରବଣ ଅନୁରାଗ ହେଉଛି ସ୍ମୃତିବିହ୍ବଳତା। ଅତୀତ ଓ ବର୍ତ୍ତମାନ ମଧ୍ୟରେ ଅପୂରଣୀୟ ପାର୍ଥକ୍ୟର ଅନୁଭବ। ସ୍ମୃତିବିଭୋର ମନ ବିଶ୍ବାସ କରେ ଯେ, ଅଫେରା ଅତୀତଟି ଆମର ବର୍ତ୍ତମାନଠାରୁ ଉତ୍ତମ ଥିଲା। ସେଇ ପୁରୁଣା ଦିନଗୁଡ଼ିକ ପାଖକୁ  ପୁନଶ୍ଚ ଲେଉଟିଯିବାର ଅବଚେତନ ଇଚ୍ଛା ଓ ତାହା ଅସମ୍ଭବ ହୋଇଥିବାର ନିରାଶା ଆମକୁ ପୁଣି ଥରେ ସେ ସ୍ମୃତିରେ ମଗ୍ନ କରିଦିଏ। ଅତୀତର କୌଣସି ଘଟଣା କିମ୍ବା ଅଭିଜ୍ଞତା ପ୍ରତି ଭାବପ୍ରବଣ ହୋଇ ଯେତେବେଳେ ବର୍ତ୍ତମାନ ସମୟର ତତ୍ତୁଲ୍ୟ ଘଟଣା ସହିତ ଆମେ ତୁଳନା କରୁ, ବର୍ତ୍ତମାନ ଠାରୁ ଅତୀତ ହିଁ ଆମକୁ ମନୋରମ ମନେହୁଏ। ତେଣୁ ଆମେ ଅତୀତକୁ ଝୁରି ହେଉଥାଉ।
କୁହାଯାଉଛି ଅତୀତର ସ୍ମୃତିକୁ ମନେ ପକାଇ କିଛି ସମୟ ବିହ୍ବଳ ହୋଇଯିବାର ଉପକାରିତା ଅନେକ। ପୂର୍ବେ ଏହାକୁ ମାନସିକ ଅସୁସ୍ଥତା କହୁଥିବା ବିଶେଷଜ୍ଞମାନେ ଏବେ ମତ ବଦଳାଇଲେଣି। ସାଂପ୍ରତିକ ସମୟର ଗହଳିଚହଳି ଭିତରେ ନିଃସଙ୍ଗତାର ଅନୁଭବ ଏବଂ ବ୍ୟସ୍ତବହୁଳ ଜୀବନଚର୍ଯ୍ୟାର ହା-ହୁତାଶ ମଧ୍ୟରେ ସ୍ମୃତି-ସନ୍ତରଣ ମାନସିକ ଶାନ୍ତି ଓ ସୁସ୍ଥତା ଦେଇଥାଏ। ଏକୁଟିଆପଣ, ଅବସାଦ ଆଦି ଅନେକ ଅପ୍ରିୟ ଚିନ୍ତାକୁ ସ୍ମୃତିସନ୍ତରଣ ହ୍ରାସ କରିଥାଏ। ଜୀବନର ଯେଉଁ ପର୍ଯ୍ୟାୟରେ ଥିଲେ ମଧ୍ୟ ଅତୀତର ସ୍ମୃତି ଆମ ଜୀବନର ଏକ ଏକ ଆଲୋକିତ ଅଧ୍ୟାୟ ଏବଂ ସେଥିରେ କିଛିକ୍ଷଣ ମଗ୍ନ ରହିବା ମନର ସୁସ୍ଥତା ପାଇଁ ନିତାନ୍ତ ଆବଶ୍ୟକ। ତଥାପି ବନ୍ଧୁଗଣ ମନେ ରଖନ୍ତୁ, ପୁରାତନ ସ୍ମୃତି ଆମର ବିତିଯାଇଥିବା ସମୟ। ସେଥିରେ ଆମେ ବିଭୋର ହେବା କେବଳ ସାମୟିକ ସନ୍ତୁଷ୍ଟି ପାଇଁ। ବର୍ତ୍ତମାନର ଅସାରତାକୁ ଦର୍ଶାଇବାକୁ ଯାଇ ଅତୀତର ସ୍ମୃତିକୁ ବାରମ୍ବାର ଉପଯୋଗ କଲେ ନିଜର ବର୍ତ୍ତମାନର ସୁଖଶାନ୍ତିକୁ ହଜାଇ ବସିବା। ବର୍ତ୍ତମାନକୁ ସୁନ୍ଦର ଓ ସୁଖଭୋଗ୍ୟ କରିବାକୁ ଅତୀତ ସ୍ମୃତିର ଉପଯୋଗ କରନ୍ତୁ, ବର୍ତ୍ତମାନର ଅସାରତା ଦର୍ଶାଇବା ପାଇଁ ନୁହେଁ କି ତୁଳନା କରିବାକୁ ନୁହେଁ। ଅତୀତ ଭଲ ଥିଲା, ବର୍ତ୍ତମାନଟି ଆମର ଜିଇବା ଅଯୋଗ୍ୟ- ଏପରି ଭାବନା ସମୟକୁ ଆମର ବିଷାକ୍ତ କରିଦେବ।
ସ୍ମୃତିବିହ୍ବଳତା ବା ନଷ୍ଟାଲଜିଆକୁ ଏବେ ଏକ ମୌଳିକ ମାନସିକ ଶକ୍ତି ଭାବରେ ବ୍ୟବହାର କରାଯାଉଛି। ସଂଗୀତ, ସାହିତ୍ୟ, ସଂସ୍କୃତି, ବ୍ୟବସାୟ, ବିଜ୍ଞାପନ, ସବୁ କ୍ଷେତ୍ରରେ ସ୍ମୃତି ସନ୍ତରଣର ପ୍ରୟୋଗ ହେଲାଣି। ଏହାକୁ କୁହାଯାଉଛି ‘ରେଟ୍ରୋ ଇଫେକ୍ଟ’। ‘କୁଛ୍ ମିଠା ହୋ ଜାୟେ’ କିମ୍ବା ‘ଦାଗ୍ ଆଚ୍ଛେ ହୈ’ ପରି ନବମ ଦଶକର ପୁରାତନ ବିଜ୍ଞାପନ ଏବେ ପୁନଃ ପ୍ରସାରଣ ହେଉଛି। କୋଭିଡ୍‌ ସମୟରେ ଟିଭିରେ ପ୍ରସାରିତ ପୁରୁଣା ସିରିଆଲ ଆମକୁ ଅନେକ ମାନସିକ ଶାନ୍ତି ଦେବାରେ ସାହାଯ୍ୟ କରିଥିଲା। ଅନେକ ପୁସ୍ତକ ଆମର ଅତୀତର ସ୍ମୃତି ଆଧାରରେ ଲିଖିତ। ମନୋଜ ଦାସଙ୍କ ‘ସମୁଦ୍ର କୂଳର ଏକ ଗ୍ରାମ’ କିମ୍ବା ନିର୍ମଳ ବର୍ମାଙ୍କର ଶେଷ ଉପନ୍ୟାସ ‘ଅନ୍ତିମ ଅରଣ୍ୟ’ ଏହାର ଏକ ଏକ ଉଦାହରଣ। ପୁରାତନ ଗଳ୍ପ ଓ କବିତା ଏବେ ପତ୍ରପତ୍ରିକାରେ ପୁଣି ଥରେ ପ୍ରକାଶ ପାଉଛି।
ମନ ଉପରେ ସକାରାତ୍ମକ ପ୍ରଭାବ ସୃଷ୍ଟି, ଉନ୍ନତ ଆତ୍ମସମ୍ମାନବୋଧ ଓ ସାମାଜିକ ସଂଯୋଗକୁ ସୁଦୃଢ଼ କରି ଅସ୍ତିତ୍ବ ପ୍ରତି ଥିବା ବିପଦକୁ ଦୂର କରିବାରେ ସ୍ମୃତି ସନ୍ତରଣର ଉପଯୋଗିତା ଅନେକ। ଭବିଷ୍ୟତ ଆମର ଅଜ୍ଞାତ। ବର୍ତ୍ତମାନ ସମୟର ଉଷ୍ମ ଉତ୍ତାପରେ ଆମେସବୁ ଗଳଦ୍‌ଘର୍ମ। ତେଣୁ, ବଞ୍ଚିବାର ଉପାୟ ହେଉଛି ସ୍ମୃତିର ଶୀତଳ ପ୍ରଲେପକୁ ମନରେ ଲେପନ କରି ଅବଶିଷ୍ଟ ଜୀବନ ଜିଇନେବା। ବନ୍ଧୁଗଣ, ସେଥିପାଇଁ ସୁଯୋଗ ମିଳିଲେ କିଛିକ୍ଷଣ ପାଇଁ ଅତୀତର ସ୍ମୃତିରେ ମଗ୍ନ ରହନ୍ତୁ। ସ୍ମୃତିର ପ୍ରଜ୍ଜ୍ବଳିତ ଦୀପଦାନିଟି ହାତରେ ଧରି ବାଟ ଚାଲୁଚାଲୁ କେତେବେଳେ ଯେ ସନ୍ଧ୍ୟା ନଇଁ ଆସିବ କିଏ ଜାଣେ! ସେତେବେଳେ ସ୍ମୃତିର ସେ ଆଲୋକରେ ରାସ୍ତା ଦେଖିବା ଛଡ଼ା ପାଖରେ ଅନ୍ୟ କୌଣସି ଆଲୋକର ଉତ୍ସ ବାକି ନଥିବ। “ଉଜାଲେ ଅପନି ୟାଦୋଁ କେ ହମାରେ ସାଥ୍ ରହନେ ଦୋ/ନ ଜାନେ କିସ୍ ଗଲି ମୈଁ ଜୀନ୍ଦଗି କି ଶାମ୍ ହୋ ଜାୟେ” (ବଶିର୍ ବଦ୍ର)।
(ମତାମତ ଲେଖକଙ୍କ ନିଜସ୍ବ)
subhas.pattanaik@yahoo.com

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.