Breaking News

ସରସ ଶୈଶବର ସ୍ବପ୍ନ ଓ ବାସ୍ତବତା

ପୃଥିବୀ ପୃଷ୍ଠକୁ ଗୋଟିଏ ଶିଶୁର ଆଗମନ ଉଭୟ ଏକ ସାଧାରଣ ଓ ଅସାଧାରଣ ଘଟଣା। ସାଧାରଣ ଦୃଷ୍ଟିରେ ଏହା ଜାନ୍ତବ ଜୀବନରେ ଏକ ଜୀବ ବୈଜ୍ଞାନିକ ପ୍ରକ୍ରିୟାର ପରିଣାମ। ଏହା ଅସାଧାରଣ ଏଇଥିପାଇଁ ଯେ ସ୍ରଷ୍ଟାଙ୍କ ସୃଷ୍ଟିରେ ଶିଶୁ ସର୍ବଶ୍ରେଷ୍ଠ ଅଭିବ୍ୟକ୍ତି।

0

ଲକ୍ଷ୍ମୀଧର ମିଶ୍ର

ପୃଥିବୀ ପୃଷ୍ଠକୁ ଗୋଟିଏ ଶିଶୁର ଆଗମନ ଉଭୟ ଏକ ସାଧାରଣ ଓ ଅସାଧାରଣ ଘଟଣା। ସାଧାରଣ ଦୃଷ୍ଟିରେ ଏହା ଜାନ୍ତବ ଜୀବନରେ ଏକ ଜୀବ ବୈଜ୍ଞାନିକ ପ୍ରକ୍ରିୟାର ପରିଣାମ। ଏହା ଅସାଧାରଣ ଏଇଥିପାଇଁ ଯେ ସ୍ରଷ୍ଟାଙ୍କ ସୃଷ୍ଟିରେ ଶିଶୁ ସର୍ବଶ୍ରେଷ୍ଠ ଅଭିବ୍ୟକ୍ତି। ଶୈଶବ ହେଉଛି ଜୀବନର ସବୁଠାରୁ କୋମଳ, ନମନୀୟ, ଗଠନାତ୍ମକ ଓ ସହଜରେ ପ୍ରଭାବିତ ହେଉଥିବା ଏକ ଅତି ମୂଲ୍ୟବାନ ପର୍ଯ୍ୟାୟ। ଶୈଶବ ହେଉଛି ସରଳତା, ନମ୍ରତା, ପବିତ୍ରତା, ସାଧୁତା ଓ ନିର୍ଭୀକତାର ପ୍ରତୀକ। ଏହି କାରଣରୁ ଶିଶୁଟିଏ ପୃଥିବୀକୁ ଆସିବା ପରେ ପିତାମାତା, ପରିବାର ସଦସ୍ୟ ଓ ପ୍ରତିବେଶୀମାନଙ୍କ ମନ ଅପୂର୍ବ ହର୍ଷ ଉଲ୍ଲାସରେ ଭରିଯାଏ। ସେମାନେ ପ୍ରାର୍ଥନା କରନ୍ତି, ‘ଦୀର୍ଘାୟୁ ହୁଅ, ଶତାୟୁ ହୁଅ, ଏକଶତ ଶରତର ସବୁଜିମା, ସୌରଭ ଓ ସୌନ୍ଦର୍ଯ୍ୟ ଦେଖ ଓ ଉପଭୋଗ କର, ଏକଶତ ଶରତର ଶୁଭ୍ର ଓ କମନୀୟ ଭାଷାରେ ମାନବିକତାକୁ ଉଜ୍ଜୀବିତ ଓ ଉଦ୍ଦୀପ୍ତ କର’ (ଶୁକ୍ଳ ଯଦୁର୍ବେଦ)।
କିନ୍ତୁ ଏକ ଦାରୁଣ ବାସ୍ତବତା ହେଲା ଏହି ହର୍ଷ ଉଲ୍ଲାସ, ଆନନ୍ଦ ଉଦ୍ଦୀପନା କ୍ଷଣସ୍ଥାୟୀ। ମା’ଙ୍କର ସୁରକ୍ଷିତ ଗର୍ଭରୁ ପୃଥିବୀ ପୃଷ୍ଠକୁ ଆସିବା ପରେ ଶିଶୁଟି ଉତ୍ତପ୍ତ ପୃଥିବୀର ତାପ, ବାଷ୍ପ, ଧୂମ ଓ ଶବ୍ଦଜନିତ ପ୍ରଦୂଷଣର ସମ୍ମୁଖୀନ ହୁଏ। କୁପୋଷଣରୁ ମା’ ରକ୍ତହୀନ ହେଲେ ସଦ୍ୟପ୍ରସୂତ ଶିଶୁଟି କୁଅଁା କୁଅଁା କାନ୍ଦିପାରେ ନାହିଁ। ଭୌତିକ ଜୀବନର ଛଦ୍ମତା, ଆତ୍ମକୈନ୍ଦ୍ରିକତା, ସ୍ବାର୍ଥାନ୍ଧତା, ଘୃଣା, ଅହଙ୍କାର, ବିଦ୍ବେ‌ଷ, ଈର୍ଷା ଓ କୃତ୍ରିମ ଭେଦଭାବର ବିଷ ପରିବେଶକୁ ଆହୁରି ଉତ୍କଟ ଓ ଆହୁରି ଜଟିଳ କରିଦିଏ। ଲିଙ୍ଗଜନିତ ଭେଦଭାବ ସବୁଠାରୁ ଉଦ୍‌ବେଗର କାରଣ ହୁଏ। ଏହି ଭେଦଭାବ ଜନ୍ମ ପୂର୍ବରୁ ଲିଙ୍ଗ ନିରୂପଣ ପ୍ରକ୍ରିୟା ଦେଇ ପ୍ରତିଫଳିତ ହୁଏ, ଯାହାର ପରିଣାମ ହୁଏ ଭ୍ରୂଣ ହତ୍ୟା ଓ କନ୍ୟା ଶିଶୁ ହତ୍ୟା। ଏହା ଲିଙ୍ଗ ଅନୁପାତରେ ବୈଷମ୍ୟ ଆଣିଦିଏ। ଶିଶୁ ଜନ୍ମ ହେବା ପରେ ଏହି ଭେଦଭାବ ଶିଶୁର ଲାଳନପାଳନ, ଖାଦ୍ୟ, ବସ୍ତ୍ର, ଶିକ୍ଷାଲାଭ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତତ୍ତ୍ବାବଧାନରେ ପରିଲକ୍ଷିତ ହୋଇଥାଏ।
ଏକ ନିରୀହ, ନିଷ୍ପାପ, ନିରପରାଧ ଓ ନିଷ୍କଳଙ୍କ ଶିଶୁର ସାମଗ୍ରିକ ବିକାଶ – ଭୌତିକ, ଅଧିଭୌତିକ, ମନସ୍ତାତ୍ତିକ ଓ ଆଧ୍ୟାତ୍ମିକ – ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଏପରି ଏକ ପରିବେଶ, ଯାହା ଆଦର, ଯତ୍ନ, ଆଶ୍ବାସନା, ପ୍ରୋତ୍ସାହନ, ହସ୍ତକ୍ଷେପମୁକ୍ତ ଓ ପ୍ରତିବନ୍ଧଶୂନ୍ୟ ଅବାଧ ସାବଳୀଳତା ଉପରେ ଆଧାରିତ। ଏଥିରେ ଦ୍ବିରୁକ୍ତି ନାହିଁ ଯେ ପୃଥିବୀ ପୃଷ୍ଠରେ ମା’ବାପାଙ୍କ ତୁଳନାରେ ଅଧିକ ପ୍ରାଣ-ପ୍ରାଚୁର୍ଯ୍ୟପୂର୍ଣ୍ଣ ଓ ସ୍ବତଃସ୍ଫୂର୍ତ୍ତ ସ୍ନେହଶ୍ରଦ୍ଧା ଶିଶୁକୁ କେହି ଦେଇ ନ ପାରେ। ଏକଥା ମଧ୍ୟ ଅନସ୍ବୀକାର୍ଯ୍ୟ ଯେ ଉତ୍କଟ ଦାରିଦ୍ର୍ୟ, ସ୍ବାଧୀନ ଓ ଲାଭଦାୟକ ନିଯୁକ୍ତିର ଅଭାବ, ଭୂମି ଓ ସମ୍ବଳହୀନତା ଓ ସୀମିତ ଆୟ କାରଣରୁ ବାପାମା’ ୬-୧୪ ଆୟୁ ବର୍ଗର ପିଲାମାନଙ୍କୁ ବୟସୋପଯୋଗୀ ବିଦ୍ୟାଳୟ କକ୍ଷରେ ଦାଖିଲ ନ କରାଇ ଶାରୀରିକ ଶ୍ରମ କରାଇବାକୁ ବାଧ୍ୟ ହୋଇଥାନ୍ତି। ପରିଣାମ ସ୍ବରୂପ ଏହି ପିଲାମାନେ ସମାନ ବୟସର ପିଲାମାନଙ୍କ ସହ ଶିକ୍ଷା ଲାଭ ଓ ନ୍ୟୂନତମ ଶୈକ୍ଷିକ କୌଶଳ ଅର୍ଜନ କରିବାରୁ ବଞ୍ଚିତ ହୋଇଥାଆନ୍ତି। ନିରକ୍ଷରତା ଓ ଅସଚେତନତା କାରଣରୁ ବାପାମା’ ସହଜରେ ହୃଦୟଙ୍ଗମ କରିପାରନ୍ତି ନାହିଁ ଯେ ଏହା ଦ୍ବାରା କଳିକାତୁଲ୍ୟ ଶୈଶବ ପୂର୍ଣ୍ଣ ପ୍ରସ୍ଫୁଟିତ ହେବାରୁ ବଞ୍ଚିତ ହୋଇଗଲା। ଧୂଳି, ତାପ, ବାଷ୍ପ, ଧୂମ ଓ ପ୍ରଦୂଷଣ ଜର୍ଜର ପ୍ରତିକୂଳ ପରିବେଶ ଯେ ଗୋଟିଏ ଶିଶୁର ସାମଗ୍ରିକ ବିକାଶର ସଂପୂର୍ଣ୍ଣ ପରିପନ୍ଥୀ, ଏହା ସେମାନେ ହୃଦୟଙ୍ଗମ କରିପାରନ୍ତି ନାହିଁ ବା କଁାଭଁା କଲେ ମଧ୍ୟ ପ୍ରତିକୂଳ ଆର୍ଥିକ ପରିସ୍ଥିତିରେ ପଡ଼ି ଅସହାୟ ବା ନିରୁପାୟ ହୋଇ ରହନ୍ତି।
ଏକଥା ମଧ୍ୟ ଅନସ୍ବୀକାର୍ଯ୍ୟ ଯେ ଶୈଶବ ଥରେ ଧ୍ବସ୍ତ ହୋଇଗଲେ ଆଉ ପୂର୍ବାବସ୍ଥାକୁ ଫେରିଆସି ପାରେନାହିଁ। ଯେଉଁ ବାପାମା’ମାନେ ପିଲାମାନଙ୍କୁ ଶିକ୍ଷାଦାନରୁ ବଞ୍ଚିତ କରି ଶ୍ରମରେ ନିୟୋଜିତ କରୁଛନ୍ତି, ସେମାନେ ନିଜକୁ ପଚାରିବା ଉଚିତ ଯେ ବର୍ଷ ବର୍ଷ ଧରି ସେମାନେ ଯାହା କରିଆସୁଛନ୍ତି, ତହିଁରେ ନିଜର ଶିଶୁ ସନ୍ତାନକୁ ଅନ୍ତର୍ଭୁକ୍ତ କରାଇ ସେହି ଧାରାକୁ ନିରନ୍ତରତା ପ୍ରଦାନ କରିବାର ନୈତିକ ଅଧିକାର ସେମାନଙ୍କର ଅଛି କି? ଯଦି ଏହାର ଉତ୍ତର ହୁଏ ‘ନାହିଁ’, ତା’ହେଲେ ସେମାନେ ତାଙ୍କର ରୁଗ୍‌ଣ ମାନସିକତାରୁ ମୁକ୍ତ ହେବା ଏକାନ୍ତ ଆବଶ୍ୟକ।
ରୁଗ୍‌ଣ ମାନସିକତା କେବଳ ବାପାମା’ ବା ଶିଶୁର ଅଭିଭାବକମାନଙ୍କ ପାଖରେ ସୀମିତ ରହିନାହିଁ। ଯେଉଁ ନିଯୁକ୍ତିଦାତାମାନେ ଶିଶୁମାନଙ୍କୁ ବୟସ ଅନୁପଯୁକ୍ତ, ସ୍ବାସ୍ଥ୍ୟ ପ୍ରତିକୂଳ ଓ ବିପଦସଂକୁଳ କାମରେ ଲଗାନ୍ତି ସେମାନେ ମଧ୍ୟ ଶୈଶବର ଅକାଳ ସମାପ୍ତି ଘଟାଇଥିବାରେ ସମ ବା ଅଧିକ ପରିମାଣରେ ଦାୟୀ। ସେମା‌େନ ଭାବନ୍ତି ଯେ ଶିଶୁମାନେ ବିନା ଦ୍ବିଧା ଓ ପ୍ରତିବାଦରେ କଥା ଶୁଣିବେ ଓ ପାଳନ କରିବେ, କୌଣସି ବିବାଦୀୟ ପରିସ୍ଥିତିରେ ପକାଇବେ ନାହିଁ ଏବଂ ସେମାନଙ୍କର ନମନୀୟ ଅଙ୍ଗପ୍ରତ୍ୟଙ୍ଗ ଉତ୍ପାଦନ ଓ ଉତ୍ପାଦକତା ପ୍ରକ୍ରିୟା ପାଇଁ ଅନୁକୂଳ ହେବ। ଏଭଳି ଧାରଣା ଦୁର୍ଭାଗ୍ୟଜନକ ଏବଂ ଶିଶୁର ସର୍ବାଙ୍ଗୀନ ବିକାଶ ଲାଗି ଏହାକୁ ପରିହାର କରିବା ଜରୁରି।
ସମାନୁଭୂତି ଓ ସମ୍ବେଦନଶୀଳତାର ସହ କେତେକ ପ୍ରଶ୍ନର ଉତ୍ତର ଖୋଜିବାକୁ ହେବ; ଯେମିତି କି କେଉଁ କାରଣରୁ ଆଜି ପିଢ଼ିର ପିଲାମାନେ ପଥଭ୍ରଷ୍ଟ? କେଉଁ କେଉଁ କାରଣରୁ ଜୀବନ ଚକ୍ରର ସବୁଠାରୁ ମୂଲ୍ୟବାନ ଶୈଶବାବସ୍ଥା ଆଜି ବିପର୍ଯ୍ୟସ୍ତ? କେଉଁ କେଉଁ କାରଣରୁ ପରିବାର ଓ ପ୍ରତିବେଶ ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ଅନୁକୂଳ ହେଉ ନାହିଁ? କାହିଁକି ଆଇନ ଦ୍ବାରା ନିଷିଦ୍ଧ ହେଲେ ମଧ୍ୟ ବାପାମା’ ଓ ଶିକ୍ଷକ ଶିଶୁମାନଙ୍କୁ ଶାରୀରିକ ଦଣ୍ଡ (ଏହା ମଧ୍ୟ ମାନସିକ ଓ ମୌଖିକ)ରୁ ନିଷ୍କୃତି ଦେଉନାହାନ୍ତି? କାହିଁକି ନିରୀହ ଓ ନିଷ୍ପାପ ଶିଶୁମାନଙ୍କୁ ଘୃଣ୍ୟ ଯୌନ ଶୋଷଣ, ଅନେକ ଅନୈତିକ ଓ ଅବୈଧ କାରବାରର ଶିକାର ହେବାକୁ ପଡୁଛି? କାହିଁକି ଆଜି ଅଧିକାଂଶ ପାରିବାରିକ ବାତାବରଣ ଅସନ୍ତୁଳିତ ବିବାହ ବା ଅନ୍ୟ କାରଣରୁ ତିକ୍ତ ଓ କଳୁଷିତ ହୋଇ ଶିଶୁମାନଙ୍କୁ ଅସୁରକ୍ଷା ଓ ହତାଶାର ଗଭୀର ଆବର୍ତ୍ତ ମଧ୍ୟକୁ ନିକ୍ଷେପ କରିଛି?
ଏକଥା ଏକ କଟୁ ବାସ୍ତବତା ଯେ ପରିବାର, ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟକ୍ଷେତ୍ର ଇତ୍ୟାଦି ଭଳି ସମସ୍ତ ସ୍ଥାନରେ ଯୁକ୍ତିଯୁକ୍ତ, ଶୃଙ୍ଖଳିତ ଓ ବୈଜ୍ଞାନିକ ଦୃଷ୍ଟିକୋଣ ପରିବର୍ତ୍ତେ ଆମ୍ଭମାନଙ୍କ ଭଳି ଉଚ୍ଚଶିକ୍ଷିତ ଓ ସଚେତନମାନେ ମଧ୍ୟ ଖାମଖିଆଲ, ସାମାଜିକ କୁସଂସ୍କାର ଭରା ନକାରାତ୍ମକ ଦୃଷ୍ଟିକୋଣକୁ ଆପଣାଉଛୁ, ଆମର ସୁସ୍ଥ ଚିନ୍ତାଧାରା ଓ ବିଚାରକୁ ପୂର୍ଣ୍ଣାହୁତି ଦେଉଛୁ ଏବଂ ସେଭଳି ଦୃଷ୍ଟିକୋଣ ଦ୍ବାରା ଶିଶୁମାନଙ୍କୁ ପ୍ରଭାବିତ ମଧ୍ୟ କରୁଛୁ। ଏହା ଠାରୁ ଅଧିକ ଦୁର୍ଭାଗ୍ୟପୂର୍ଣ୍ଣ ଆଉ କିଛି ନ ଥାଇ ପାରେ!
ଆଜି ଶିଶୁ ଦିବସ ପରିପ୍ରେକ୍ଷୀରେ ଏହାର ପାଳନ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ହେବ, ‌େଯତେବେଳେ ପିଲାମାନଙ୍କୁ ଏକ ସୁସ୍ଥ, ସୁସଂହତ, ଶୃଙ୍ଖଳିତ ଓ ଅବାଧ ବାତାବରଣରେ ବଢ଼ିବା ପାଇଁ ସବୁ ବାତାୟନ ଖୋଲି ଦିଆଯିବ, ଯଦ୍ଦ୍ବାରା ସେମାନେ ଦାୟିତ୍ବବାନ କିଶୋରକିଶୋରୀ, ପରିପକ୍ବ, ସମ୍ବେଦନଶୀଳ, ଉତ୍ତରଦାୟିତ୍ବସଂପନ୍ନ ଯୁବକଯୁବତୀ ଓ ପରିଶେଷରେ ହୃଦୟବାନ ସୁମନୁଷ୍ୟରେ ପରିଣତ ହେବେ।
(ଶିଶୁ ଦିବସ ଅବସରରେ)
ପ୍ରାକ୍ତନ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ସଚିବ
ମୋ: ୯୫୬୦୨୦୨୩୫୨

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.