Breaking News

ସରିଲା କାର୍‌କେଡ୍‌ ରିହର୍ସାଲ୍‌: ଆଜି ଆସୁଛନ୍ତି ମୋଦୀ

ମଙ୍ଗଳବାର ଦିନ ଜନତା ମଇଦାନରେ ‘ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ-୨୦୨୫’କୁ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଉଭୟ ସରକାରୀ ଓ ବିଜେପିର ଦଳୀୟ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଭୁବନେଶ୍ବର: ମଙ୍ଗଳବାର ଦିନ ଜନତା ମଇଦାନରେ ‘ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ-୨୦୨୫’କୁ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଉଭୟ ସରକାରୀ ଓ ବିଜେପିର ଦଳୀୟ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିବାକୁ ସମସ୍ତ ଆୟୋଜନ କରାଯାଇଛି। ଆଜି ଏସ୍‌ପିଜି ଟିମ୍ ସହ କମିସନରେଟ୍‌ ପୁଲିସ, ଟ୍ରାଫିକ୍‌ ଵିଙ୍ଗ୍‌, ସିକ୍ୟୁରିଟି ଵିଙ୍ଗ୍‌, ଇଣ୍ଟେଲିଜେନସ୍‌ ଵିଙ୍ଗ୍‌ର କାର୍‌କେଡ୍‌ ରିହର୍ସାଲ୍‌ ହୋଇଛି। ଏଥି ସହିତ ସାରା ସହରକୁ ମଧ୍ୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।

ସୁରକ୍ଷା ଦାୟିତ୍ବରେ ୫୦୦ ଅଧିକାରୀ, ୧୬୯ ପ୍ଲାଟୁନ୍‌ ଫୋର୍ସ
୧୫ ଷ୍ଟେଜ୍‌ରେ ସ୍ବାଗତ କରିବେ ୧୫୦୦ କଳାକାର

ପ୍ରଧାନମନ୍ତ୍ରୀ ମଙ୍ଗଳବାର ସକାଳ ୧୦ଟା ୩୫ ମିନିଟ୍‌ ସମୟରେ ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ବାହାରି ୧୦ଟା ୫୫ ମିନିଟ୍‌ରେ ଜନତା ମଇଦାନରେ ପହଞ୍ଚିବେ। ଦିନ ୧୨ଟା ୩୫ମିନିଟ୍‌ରେ କାର୍ଯ୍ୟକ୍ରମ ସାରି ଉତ୍ତରାଖଣ୍ଡ ଯାତ୍ରା କରିବା ନେଇ ଗସ୍ତସୂଚୀ ପ୍ରସ୍ତୁତ ହୋଇଛି। ମୋଦୀ ବିମାନବନ୍ଦରରୁ ଜନତା ମଇଦାନ ଆସିବା ସମୟରେ ରାସ୍ତା ଦୁଇ ପାର୍ଶ୍ବରେ ହଜାର ହଜାର ଦଳୀୟ କର୍ମୀ ଓ ସାଧାରଣ ଜନତା ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିବେ। ରାସ୍ତାର ଉଭୟ ପାର୍ଶ୍ବରେ ୧୫ଟି ଛୋଟ ଛୋଟ ‌ଷ୍ଟେଜ୍‌ କରାଯାଇଛି। ସେଠାରେ ୧୫୦୦ କଳାକାର ବିଭିନ୍ନ କଳା ପ୍ରଦର୍ଶନ କରି ମୋଦୀଙ୍କୁ ସ୍ବାଗତ ଜଣାଇବେ। ମୋଦୀ ରୋଡ୍‌ ସୋ’ କରିବେ କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ। ଡିଜିପି ୱାଇବି ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ବେଳେ ପୁଲିସ କମିସନର ଏସ୍‌ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଡିସିପି ପିନାକ ମିଶ୍ରଙ୍କ ନେତୃତ୍ବରେ ୫୦୦ରୁ ଊର୍ଦ୍ଧ୍ବ ଅଧିକାରୀ ଦାୟିତ୍ବରେ ରହିଛନ୍ତି। ସେହିପରି ୧୬୯ ପ୍ଲାଟୁନ୍‌ ପୁଲିସ ବଳ ସାଙ୍ଗକୁ ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ସ୍କ୍ବାର୍ଡ, କେନ୍ଦ୍ରୀୟ ଗୁଇନ୍ଦା, ସିଏପିଏଫ୍‌, ଷ୍ଟ୍ରାଇକିଂ ଫୋର୍ସ, ଆଣ୍ଟି ସାବୋଟେଜ୍ ଟିମ୍‌, ଆଣ୍ଟି ଟେରରିଷ୍ଟ ଟିମ୍‌, ଅଗ୍ନିଶମ ଟିମ୍‌ ପୁରା ସଜାଗ ରହିଛନ୍ତି।

ଏହାଛଡ଼ା ହୋଟେଲ୍‌ ଓ ବସ୍ତିଗୁଡ଼ିକ ଉପରେ ମଧ୍ୟ ନଜର ରଖାଯାଇଛି। ଯେଉଁ ହୋଟେଲ୍‌ରେ ଭିଭିଆଇପିଙ୍କ ପାଇଁ ରହଣି ବ୍ୟବସ୍ଥା ହୋଇଛି ସେଠାରେ ପୁଲିସ କ୍ୟାମ୍ପ କରାଯାଇ ସମସ୍ତ ଦିଗ ଉପରେ ନଜର ରଖାଯାଇଛି। ସେହିପରି ରାତ୍ରିକାଳୀନ ବ୍ଲକିଂ, ଚେକିଂକୁ କଡ଼ାକଡ଼ି କରାଯାଇଛି। ଟ୍ରାଫିକ୍‌ ନେଇ କଟକଣା ମଧ୍ୟ ଜାରି କରାଯାଇଛି। ମଙ୍ଗଳବାର ୧୦ଟା୧୫ରୁ ୧୧ଟା ୧୦ ମଧ୍ୟରେ ବିମାବନ୍ଦରରୁ ଏଜି ଛକ, ଏଜିଛକରୁ ରାଜଭବନ; ସେଠାରୁ ଜୟଦେବବିହାର ଦେଇ ନାଲ୍‌କୋଛକ ପର୍ଯ୍ୟନ୍ତ କୌଣସି ଯାନବାହନ ଯାତାୟାତ କରିପାରିବ ନାହିଁ। ସେହିପରି ଦିନ ୧୨ଟା ୨୦ରୁ ୧ଟା ୫ ପର୍ଯ୍ୟନ୍ତ ଏହି ସବୁ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.