Breaking News

ସହର ଭିତରେ ଆଦିବାସୀ ଗାଁ

ସହର ଭିତରେ ଆଦିବାସୀଙ୍କ ମେଳି। ଆଦିବାସୀଙ୍କ ଚାଳ ଛପର ଘର ସାଙ୍ଗକୁ କାନ୍ଥ ବାଡ଼ରେ କଳା, ସଂସ୍କୃତିର ଚିତା। ସତେ ଯେ‌ମିତି ଏହା ଏକ ଆଦିବାସୀ ଗାଁର ଭ୍ରମ ସୃଷ୍ଟି କରୁଛି। ପ୍ରଦର୍ଶନୀ ପଡ଼ିଆରେ ଆଜିଠୁ ଆରମ୍ଭ ହୋଇଥିବା ‘ଆଦିବାସୀ ମେଳା’ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି।

ଭୁବନେଶ୍ବର: ସହର ଭିତରେ ଆଦିବାସୀଙ୍କ ମେଳି। ଆଦିବାସୀଙ୍କ ଚାଳ ଛପର ଘର ସାଙ୍ଗକୁ କାନ୍ଥ ବାଡ଼ରେ କଳା, ସଂସ୍କୃତିର ଚିତା। ସତେ ଯେ‌ମିତି ଏହା ଏକ ଆଦିବାସୀ ଗାଁର ଭ୍ରମ ସୃଷ୍ଟି କରୁଛି। ପ୍ରଦର୍ଶନୀ ପଡ଼ିଆରେ ଆଜିଠୁ ଆରମ୍ଭ ହୋଇଥିବା ‘ଆଦିବାସୀ ମେଳା’ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଭଳିକି ଭଳି ଆଦିବାସୀ ସାମଗ୍ରୀ ସହିତ ସୁସ୍ବାଦୁ ଖାଦ୍ୟର ମଜା ନେଉଛନ୍ତି ସହରବାସୀ। ଏଥିସହିତ ବିର୍ସା ମୁଣ୍ଡାଙ୍କ ଗ୍ୟାଲେରି, ପ୍ରଦର୍ଶନୀ ଓ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ଅନ୍ୟତମ ଆକର୍ଷଣର କେନ୍ଦ୍ର ପାଲଟିଛି।

୨୦ ଆଦିବାସୀ କୁଡ଼ିଆ
ଚଳିତବର୍ଷ ମେଳାରେ ୨୦ଟି ଆଦିବାସୀ କୁଡ଼ିଆ, ବିକ୍ରିବଟା ପାଇଁ ୧୪୭ଟି ଷ୍ଟଲ୍, ୧୫ଟି ଲାଇଭ୍ ଡେମନଷ୍ଟ୍ରେସନ୍ ପାଇଁ ସ୍ଥାନ ରହିଛି। ଫୁଡ୍‌କୋର୍ଟ, କଳା ଓ ହସ୍ତଶିଳ୍ପ ଷ୍ଟଲ୍, ବିର୍ସା ମୁଣ୍ଡା ପାଭିଲିୟନ୍‌କୁ ସ୍ଥାନ ଦିଆଯାଇଛି। ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍‌ର ୫ଟି ଗ୍ୟାଲେରିରେ ବିର୍ସାମୁଣ୍ଡାଙ୍କ ଜୀବନୀ, ରାଜ୍ୟ ତଥା ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଗ୍ୟାଲେରି, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର୍ ଓ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ ହୋଇଛି। ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ୍ ସୋ’, ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’, ଫ୍ୟାସନ୍ ସୋ’, ‘ଫାୟର୍ ୱାର୍କ ସୋ’ର ଆୟୋଜନ ହୋଇଛି।

ମେଳାରେ ସମୟ କାଟିଲେ ମୁଖ୍ୟମନ୍ତ୍ରୀ
ମେଳା ମଧ୍ୟରେ ବିଭିନ୍ନ ଜନଜାତି ସମ୍ପ୍ରଦାୟଙ୍କ ରିତିନୀତି ଓ ଚଳଣି ସମ୍ପର୍କିତ ପ୍ରଦର୍ଶନୀରେ ନିର୍ମିତ କୁଡ଼ିଆଗୁଡ଼ିକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ। ମେଳାକୁ ଉଦ୍‌ଘାଟନ କରିବା ଅବସରରେ ଏହା ଭିତରେ ବୁଲାବୁଲି କରିବା ସମୟରେ ମୁଖ୍ୟମନ୍ତ୍ରୀ କିଛି କୁଡ଼ିଆରେ ବସିବା ସହ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ମେଳା ପରିସରରେ ବିର୍ସା ମୁଣ୍ଡା ପାଭିଲିୟନ୍‌ ଓ ଫୁଡକୋର୍ଟ ଉଦଘାଟନ କରିଥିଲେ। ଉତ୍ସବ ଅବସରରେ ୯ଜଣଙ୍କୁ ଆଦିବାସୀ ପ୍ରତିଭା ସମ୍ମାନ, ୧୦ ଜଣ ଜନଜାତି କୃଷକଙ୍କୁ ସମ୍ମାନିତ କରିଥିଲେ। ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମି ଦ୍ୱାରା ପ୍ରକାଶିତ ଜର୍ଣ୍ଣାଲ୍ ‘ବନଜା-୨୦୨୫’ ଉନ୍ମୋଚିତ ହୋଇଥିଲା।

ବନଜାତ ସାମଗ୍ରୀ ପାଇଁ ଭିଡ଼
ଦିନକୁ ଦିନ ଲୋକମାନଙ୍କ ମଧ୍ୟରେ ପୁଷ୍ଟିଶସ୍ୟ ବା ମାଣ୍ଡିଆ ଜାତୀୟ ଖାଦ୍ୟ ପ୍ରତି ଆଗ୍ରହ ବଢ଼ୁଛି। ଆଜି ରବିବାର ଥିବାରୁ ଆଦିବାସୀ ମେଳାରେ ମଧ୍ୟ ମାଣ୍ଡିଆ ଚୂନା, ଲଡ଼ୁ, ମିକ୍ସଚର, ମାଣ୍ଡିଆ ଅଟା, ସୁଆଁ, କାଙ୍ଗୁ ଆଦି କିଣିବାକୁ ଭାରି ଭିଡ଼ ପରିଲକ୍ଷିତ ହୋଇଥିଲା। ରାୟଗଡ଼ା ଜିଲ୍ଲାର ‘ମା ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠୀ’ର କସ୍ତୁରୀ କାଡ୍ରାକାଙ୍କ କହିବା ଅନୁଯାୟୀ ସେମାନେ ଆଖପାଖ ଡଙ୍ଗରରୁ ଗୋଲମରିଚ, ଡାଳଚିନି, ତେଜପତ୍ର, ହଳଦୀ, ଚିରେଇତା, ଅର୍ଜୁନ ଛାଲି, ଲେମନଗ୍ରାସ୍‌ ତେଲ ଆଦି ଦ୍ରବ୍ୟ ଆଣି ବିକନ୍ତି। ମେଳା ସମୟରେ ପ୍ରାୟ ୩ ଲକ୍ଷ ଟଙ୍କାର ବ୍ୟବସାୟ ହୁଏ। ଚଳିତ ବର୍ଷ ମଧ୍ୟ ସେମାନେ ସଫଳ ହେବାର ଆଶା ରଖିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.