Breaking News

ସାଂସଦଙ୍କ ସୁନାଚେନ୍ ଝାମ୍ପିନେଲା ଦୁର୍ବୃତ୍ତ

ସୋମବାର ସକାଳେ ରାଜଧାନୀର ହାଇସିକ୍ୟୁରିଟି ଚାଣକ୍ୟପୁରୀ ଅଞ୍ଚଳରେ ଜଣେ ଦୁର୍ବୃତ୍ତ କଂଗ୍ରେସ ସାଂସଦ ଆର୍ ସୁଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛି। ଏଥିରେ ସୁଧାଙ୍କ ବେକରେ ଆଘାତ ଲାଗିଛି।

 ସାଂସଦଙ୍କ ସୁନାଚେନ୍ ଝାମ୍ପିନେଲା ଦୁର୍ବୃତ୍ତ

 

ନୂଆଦିଲ୍ଲୀ: ସୋମବାର ସକାଳେ ରାଜଧାନୀର ହାଇସିକ୍ୟୁରିଟି ଚାଣକ୍ୟପୁରୀ ଅଞ୍ଚଳରେ ଜଣେ ଦୁର୍ବୃତ୍ତ କଂଗ୍ରେସ ସାଂସଦ ଆର୍ ସୁଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛି। ଏଥିରେ ସୁଧାଙ୍କ ବେକରେ ଆଘାତ ଲାଗିଛି। ଏ ନେଇ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ତାମିଲନାଡୁର ଲୋକସଭା ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ସକାଳ ପ୍ରାୟ ୬ଟା ୧୫ ମିନିଟ୍ ସମୟରେ ପୋଲାଣ୍ଡ ଦୂତାବାସ ନିକଟରେ ପ୍ରାତଃ ଭ୍ରମଣ କରିବା ସମୟରେ ଏକ ଦୁଇଚକିଆ ଯାନରେ ଜଣେ ଅଜଣା ବ୍ୟକ୍ତି ଆସି ତାଙ୍କ ସୁନା ଚେନ୍ ଛଡ଼ାଇ ନେଇଛି। ଆକ୍ରମଣରେ ତାଙ୍କ ବେକରେ ଆଘାତ ଲାଗିବା ସହ ଚୁଡ଼ିଦାର ଚିରି ଯାଇଛି। ଗତ ଏକବର୍ଷ ଧରି ତାମିଲନାଡୁ ହାଉସ୍‌ରେ ରହୁଥିବା ସାଂସଦ ସୁଧା କହିଛନ୍ତି ଯେ କୂଟନୈତିକ ଅଞ୍ଚଳରେ ଛିନତାଇ ଘଟିଥିବାରୁ ସେ ସ୍ତବ୍ଧ ହୋଇଯାଇଛନ୍ତି।

ଦୂତାବାସ ଓ ସୁରକ୍ଷିତ ଅନୁଷ୍ଠାନରେ ପରିପୂର୍ଣ୍ଣ ଚାଣକ୍ୟପୁରୀ ଭଳି ଉଚ୍ଚ ନିରାପତ୍ତା ଅଞ୍ଚଳରେ ସଂସଦର ସଦସ୍ୟ ଥିବା ଜଣେ ମହିଳାଙ୍କ ଉପରେ ହୋଇଥିବା ଏହି ଖୋଲା ଆକ୍ରମଣ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ରାଜଧାନୀର ଏହି ଉଚ୍ଚ ସୁରକ୍ଷା ଅଞ୍ଚଳରେ ଯଦି ଜଣେ ମହିଳା ସୁରକ୍ଷିତ ଭାବେ ଚାଲିପାରିବେ ନାହିଁ, ତେବେ ଆମେ ଆଉ କେଉଁଠି ସୁରକ୍ଷିତ ଅନୁଭବ କରିପାରିବୁ? ଦୋଷୀକୁ ଶୀଘ୍ର ଗିରଫ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସେ ଚିଠିରେ ଲେଖିଛନ୍ତି, ସାର୍, ମୋ ବେକରେ ଆଘାତ ଲାଗିଛି, ଚାରି ଭରି ଓଜନର ସୁନା ଚେନ୍ ହରାଇଛି ଏବଂ ମୁଁ ଏହି ଆକ୍ରମଣରେ ଅତ୍ୟନ୍ତ ମର୍ମାହତ। ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚାଲିଛି ଏବଂ ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଏହି ଘଟଣାକୁ ଦୃଷ୍ଟିରେ ରଖି ତାମିଲନାଡୁ ହାଉସ୍ ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

 

 

 

ସୌଜନ୍ୟ – ସମ୍ବାଦ

Comments are closed.