ଓଡିଶା

SCB: ଏସ୍‌ସିବିରେ ପ୍ରଥମ ଥର ଖୋଲିବ ‘ପେନ୍ କ୍ଲିନିକ୍’

ଯଦି ଶରୀରରେ କୌଣସି ପ୍ରକାର ଅସ୍ତ୍ରୋପଚାର ହୋଇଥାଏ କିମ୍ବା ବିନା କୌଣସି ଅସ୍ତ୍ରୋପଚାରରେ ବି ଦୀର୍ଘ ଦିନ ଧରି ଯନ୍ତ୍ରଣା ହେଉଛି, ଏହାର ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲରେ ଖୋଲିବାକୁ ଯାଉଛି ‘ପେନ୍ କ୍ଲିନିକ୍’।

କଟକ: ଯଦି ଶରୀରରେ କୌଣସି ପ୍ରକାର ଅସ୍ତ୍ରୋପଚାର ହୋଇଥାଏ କିମ୍ବା ବିନା କୌଣସି ଅସ୍ତ୍ରୋପଚାରରେ ବି ଦୀର୍ଘ ଦିନ ଧରି ଯନ୍ତ୍ରଣା ହେଉଛି, ଏହାର ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲରେ ଖୋଲିବାକୁ ଯାଉଛି ‘ପେନ୍ କ୍ଲିନିକ୍’। ନିଶ୍ଚେତକ ବିଭାଗ ପକ୍ଷରୁ ଏଭଳି କ୍ଲିନିକ୍ ଖୋଲାଯିବ। ଅତ୍ୟାଧୁନିକ ରେଡିଓ ଫ୍ରିକୁଏନ୍ସି ଆବଲେସନ୍ (ଆର୍‌ଏଫ୍‌ଏ) ମେସିନ୍ ମାଧ୍ୟମରେ ଯନ୍ତ୍ରଣାକୁ ଉପଶମ କରାଯିବ। ଏଥିପାଇଁ ଅର୍ଦ୍ଧାଧିକ ଯନ୍ତ୍ରାଂଶ ଏସ୍‌ସିବିକୁ ଆସିସାରିଥିବା ବେଳେ ଖୁବ୍‌ଶୀଘ୍ର କ୍ଲିନିକ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ତଥ୍ୟ ଅନୁଯାୟୀ, ଅନେକ ବ୍ୟକ୍ତିଙ୍କ ଅସ୍ତ୍ରୋପଚାରର ବହୁ ଦିନ ପରେ ଯନ୍ତ୍ରଣା କମି ନଥାଏ। ଏହାକୁ କ୍ରନିକ୍‌ ପେନ୍ କୁହାଯାଏ। ଅନେକ ବ୍ୟକ୍ତିଙ୍କର ବିନା କୌଣସିପ୍ରକାର ଅସ୍ତ୍ରୋପଚାରରେ ବି ଯନ୍ତ୍ରଣା ହୋଇଥାଏ। ଶରୀରରେ ଯଦି କେଉଁଠି ମାଡ଼ ହୋଇଥାଏ, ଏହି ଯନ୍ତ୍ରଣା ଦୀର୍ଘ ଦିନ ଧରି ରହିଥାଏ। କୌଣସି ପ୍ରକାର ଟ୍ରମା କି ସର୍ଜରି ଇତିହାସ ନଥାଇ ମଧ୍ୟ ମାନସିକ ଯନ୍ତ୍ରଣା ହୋଇଥାଏ।

ଏଭଳି ଯନ୍ତ୍ରଣାର ଉପଶମ ପାଇଁ ‘ପେନ୍ କ୍ଲିନିକ୍’ ଉପଯୋଗୀ ହେବ। ଏଥିପାଇଁ ଉପକରଣ କିଣିବାକୁ ୫୦ ଲକ୍ଷ ଟଙ୍କାର ବଜେଟ ବରାଦ ହୋଇଛି। ବର୍ତ୍ତମାନ ସୁଦ୍ଧା ଅଲଟ୍ରାସାଉଣ୍ଡ, ଓଜନ ମେସିନ୍ ଇତ୍ୟାଦି ପହଞ୍ଚି ସାରିଛି। ପାଖାପାଖି ୧୦ ଲକ୍ଷ ଟଙ୍କାର ଉପକରଣ କିଣାସାରିଛି। ସବୁଠାରୁ ଦାମୀ ତଥା ଅତ୍ୟାଧୁନିକ ମେସିନ୍ ରେଡିଓ ଫ୍ରିକୁଏନ୍ସି ଆବଲେସନ୍(ଆର୍‌ଏଫ୍‌ଏ) ମେସିନ୍ ପାଇଁ ଚିଠି ଲେଖା ସରିଥିବା ବେଳେ ଖୁବଶୀଘ୍ର ଏହା ପହଞ୍ଚିବ। ଏଥିପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ମେସିନ୍ ମାଧ୍ୟମରେ ସ୍ନାୟୁ (ନର୍ଭ)ର ଯେଉଁ ଅଂଶରେ ଯନ୍ତ୍ରଣା ହେଉଛି ତାହାକୁ ନଷ୍ଟ କରିଦିଆଯିବ। ଯାହାଫଳରେ ଦୀର୍ଘ ଦିନରୁ ଲାଗି ରହିଥିବା ଯନ୍ତ୍ରଣାର ଉପଶମ ହୋଇପାରିବ। ସୁପର୍‌ ସ୍ପେସାଲିଟି ଆଉଟ୍‌ଡୋର୍‌ ଭିତରେ ହିଁ ଆଉଟ୍‌ଡୋର୍‌ ଖୋଲିବ। ଏହି ଆଉଟ୍‌ଡୋର୍‌ ସପ୍ତାହରେ ଦୁଇ ଦିନ ଖୋଲିବ।

ଏଥିପାଇଁ ଗୋଟିଏ ବଖରା ଘର ପ୍ରସ୍ତୁତ କରାଯାଉଛି। ନିଶ୍ଚେତକ ବିଭାଗରେ ଇଣ୍ଡୋର ବ୍ୟବସ୍ଥା କରାଯିବ। ଏଥିରେ ୫ଟି ଡେ କେୟାର ବେଡ୍ ରହିବ। ନ୍ୟୁରୋଲଜି ଓ ଅସ୍ଥିଶଲ୍ୟ ବିଭାଗରୁ ଅଧିକ ସଂଖ୍ୟକ ରୋଗୀ ଏଠାକୁ ଆସିବାର ସମ୍ଭାବନା ରହିଛି। ଅନ୍ୟପଟେ ଏଭଳି କ୍ଲିନିକ୍ ପାଇଁ ଦୁଇଜଣ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ଦାୟିତ୍ବରେ ରହିବେ। ରାଜ୍ୟ ସରକାର ଜଣେ ପ୍ରଫେସରଙ୍କୁ ଏଭଳି ଚିକିତ୍ସା ପାଇଁ ତାଲିମ ଦେଇସାରିଛନ୍ତି। ଘରୋଇ ହସ୍‌ପିଟାଲରେ ଏହି ରୋଗର ଚିକିତ୍ସା ପାଇଁ କୌଣସି ମୂଲ୍ୟ ଧାର୍ଯ୍ୟ ହୋଇନଥିବା ବେଳେ ମନଇଚ୍ଛା ଟଙ୍କା ଆଦାୟ କରୁଛନ୍ତି। ତେବେ ଏସ୍‌ସିବିରେ ଏହା କାର୍ଯ୍ୟକ୍ଷମ ହେଲେ ଅନେକ ରୋଗୀ ଉପଶମ ପାଇପାରିବେ ବୋଲି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button