Breaking News

ସାଇବର ଅପରାଧୀଙ୍କ ଜାଲରେ ବ୍ୟବସାୟୀ: ଲୋଭନୀୟ ଟ୍ରେଡିଂ ଅଫର୍‌ ଦେଖାଇ ନେଇଗଲେ ୧୦ ଲକ୍ଷ ଟଙ୍କା

ସେୟାର ଟ୍ରେଡିଂ ନାଁରେ ଜଟଣୀ ଅଞ୍ଚଳର ବ୍ୟବସାୟୀ ସୁଶାନ୍ତ କୁମାର ସାହୁ ସାଇବର ଠକେଇର ଶିକାର ହୋଇଛନ୍ତି। ରାତାରାତି ଅର୍ଥ ବହୁଗୁଣା ହେବାର ଲୋଭ ଦେଖାଇ ସାଇବର ଅପରାଧୀମାନେ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ଭୁବନେଶ୍ବର: ସେୟାର ଟ୍ରେଡିଂ ନାଁରେ ଜଟଣୀ ଅଞ୍ଚଳର ବ୍ୟବସାୟୀ ସୁଶାନ୍ତ କୁମାର ସାହୁ ସାଇବର ଠକେଇର ଶିକାର ହୋଇଛନ୍ତି। ରାତାରାତି ଅର୍ଥ ବହୁଗୁଣା ହେବାର ଲୋଭ ଦେଖାଇ ସାଇବର ଅପରାଧୀମାନେ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ଅଭିଯୋଗ ମୁତାବକ ପ୍ରଥମେ ହ୍ବାଟ୍‌ସଆପ୍‌ରେ ସେ ଏକ ମେସେଜ ପାଇଥିଲେ। ସେଥିରେ ଥିବା ଲିଙ୍କକୁ କ୍ଲିକ୍‌ କରିବା ପରେ ସେ ସିଧାସଳଖ ‘କଏନ୍ ଡିସିଏଚ୍’ ନାମକ ଟ୍ରେଡିଂ ଟେଲିଗ୍ରାମ୍‌ ଗ୍ରୁପରେ ସାମିଲ ହୋଇଥିଲେ। ଉକ୍ତ ସେୟାର ଟ୍ରେଡିଂର ମୁଖ୍ୟ ଦପ୍ତର ବେଙ୍ଗାଲୁରୁରେ ଥିବା ଦର୍ଶାଯାଇଥିଲା। ଗ୍ରୁପ୍‌ରେ ଥିବା ଅନ୍ୟ ସଦସ୍ୟ ସେହି ସାଇବର ଠକେଇ ଗ୍ରୁପ୍‌ର ବୋଲି ବ୍ୟବସାୟୀଜଣକ ଜାଣିପାରି ନଥିଲେ।

ପ୍ରଥମେ ୧୦୦୦ ଟଙ୍କାରେ ୧୫୦୦, ପରେ ୩ ହଜାର ଟଙ୍କାରେ ୪୦୦୦ ଟଙ୍କା ବଢୁଥିବା ଦେଖି ତାଙ୍କର ଅଧିକ ଲୋଭ ଆସିଯାଇଥିଲା। ଫଳରେ ସେ ୭୦୦୦ ଟଙ୍କା ବିନିଯୋଗ କରିଥିଲେ। ଆକାଉଣ୍ଟରୁ ୭୦୦୦ ଟଙ୍କା କାଢିବାକୁ ହେଲେ ଅଧିକ ଟଙ୍କା ବିନିଯୋଗ କରିବାକୁ ପଡ଼ିବ ବୋଲି ସାଇବର ଅପରାଧୀମାନେ କହିଥିଲେ। ପରେ ଲୋ ସ୍କୋରିଂରେଟ୍‌ ଯୋଗୁ ଅଧିକ ବିନିଯୋଗ କରିବାକୁ କୁହାଯାଇଥିଲା। ଭର୍ଚୁଆଲ ଆକାଉଣ୍ଟରେ ଅଧିକ ଲାଭ ଦେଖାଉଥିଲେ ମଧ୍ୟ ଟଙ୍କା ପାଇବାକୁ ହେଲେ ଆଉ ୫ଲକ୍ଷ ଟଙ୍କା ବିନିଯୋଗ କରିବାକୁ କହିଥିଲେ। ଏହିପରି ଗୋଟିକ ପରେ ଗୋଟିଏ ୧୫ଟି କାରବାରରେ ପ୍ରାୟ ୧୦ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ପରେ ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ସୁଶାନ୍ତ ଏବେ ଥାନାରେ ଏତଲା କରିଛନ୍ତି। ମାମଲା ରୁଜୁ ପରେ ସାଇବର ପୁଲିସ୍‌ ପକ୍ଷରୁ ଖୋଳତାଡ଼ କରାଯାଇଛି। ପ୍ରାଥମିକ ଯାଞ୍ଚରେ ଦାଖଲ ହୋଇଥିବା ଅର୍ଥ ବିଭିନ୍ନ ଆକାଉଣ୍ଟରେ ଟ୍ରାନ୍ସଫର ହୋଇଥିବା ସାଇବର ପୁଲିସ ଜାଣିବାକୁ ପାଇଛି।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.