Breaking News

ସାଇବର ଠକେଇ: ୩ମାସରେ ୧୨କୋଟି ଲୁଟ୍‌, ୧୪୮ଜଣ ଫେରିପାଇଛନ୍ତି ୨କୋଟି

ଓଡ଼ିଶା ଉପରେ ୬ ରାଜ୍ୟର ସାଇବର ଠକଙ୍କ ନଜର ରହିଛି। ଫଳରେ ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି। ଗତ ୩ମାସରେ ଓଡ଼ିଶାରୁ ସାଇବର ଠକ ୧୨ କୋଟି ଟଙ୍କା ଲୁଟି ନେଇଛନ୍ତି।

ଭୁବନେଶ୍ବର: ଓଡ଼ିଶା ଉପରେ ୬ ରାଜ୍ୟର ସାଇବର ଠକଙ୍କ ନଜର ରହିଛି। ଫଳରେ ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି। ଗତ ୩ମାସରେ ଓଡ଼ିଶାରୁ ସାଇବର ଠକ ୧୨ କୋଟି ଟଙ୍କା ଲୁଟି ନେଇଛନ୍ତି। ପୁଲିସ ତଦନ୍ତ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଗୁଜରାଟ, ତାମିଲନାଡ଼ୁ, କେରଳ, ରାଜସ୍ଥାନ, କର୍ଣ୍ଣାଟକ ଓ ମହାରାଷ୍ଟ୍ରର ସାଇବର ଠକମାନେ ଏଭଳି ଲୁଟ୍‌ କରିଛନ୍ତି। ନୂଆନୂଆ ତରିକାରେ ଏହି ଠକମାନେ ଆକାଉଣ୍ଟରୁ ଟଙ୍କା ଉଡ଼ାଇ ନେଉଛନ୍ତି। କେୱାଇସି ଆକାଉଣ୍ଟ ଅପ୍‌ଡେଟ୍‌, ଏଟିଏମ୍‌ ପିନ୍‌ ବଦଳାଇବା ସହିତ ସୋସିଆଲ୍‌ ମିଡିଆରେ ବ୍ଲାକ୍‌ମେଲ୍ କରି ସାଇବର ଠକମାନେ ଲୁଟୁଛନ୍ତି। ସେହିଭଳି ବିଦ୍ୟୁତ ବିଲ୍ ଓ ବିଭିନ୍ନ ନକଲି ଟ୍ରେଡିଂ ଆପ୍‌ରେ ପୁଞ୍ଜିନିବେଶ କରାଇ ଲୁଟୁଛନ୍ତି। ଜାନୁଆରି, ଫେବ୍ରୁଆରି ଓ ମାର୍ଚ୍ଚ ଏହି ୩ମାସରେ ସାଇବର ଲୁଟେରା ୧୨କୋଟି ଟଙ୍କା ନେଇଯାଇଛନ୍ତି। ସାଇବର ଥାନା ପୁଲିସ କସରତ କରି ମାତ୍ର ୨କୋଟି ଟଙ୍କା ଫେରାଇ ପାରିଛି। ଆଜି ଡିସିପି ଜଗମୋହନ ମୀନା ୧୪୮ ହିତାଧିକାରୀଙ୍କୁ ୨କୋଟି ଟଙ୍କା ଫେରସ୍ତ କରିଛନ୍ତି। ଜାନୁଆରିରେ ୪୨୪ଟି ଠକେଇ ଅଭିଯୋଗ ହୋଇଥିଲା। ସେଥିରୁ ୨୦୫ଟି ଯୁପିଆଇ, ୫୯ଟି କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ, ୯୦ଟି ସୋସିଆଲ୍‌ ମିଡିଆ ଠକେଇ ଅଭିଯୋଗ ରହିଛି। ପୁଲିସ ମାତ୍ର ୨୭ଟି ମାମଲା ରୁଜୁକରିଛି। ଏସବୁ ମାମଲାରେ ସାଇବର ଠକ ୬କୋଟିରୁ ଅଧିକ ଟଙ୍କା ଲୁଟିଛନ୍ତି ଏବଂ ପୁଲିସ ମାତ୍ର ୧,୦୨,୭୮,୫୫୫ ଟଙ୍କା ଜବତ କରିଛି। ଏହି ଟଙ୍କା ୫୮ଜଣଙ୍କୁ ଦିଆଯାଇଛି।

ସେହିପରି ଫେବ୍ରୁଆରିରେ ୩୧୧ଟି ଠକେଇ ଅଭିଯୋଗ ହୋଇଥିଲା। ସେଥିରୁ ୧୯୮ଟି ଯୁପିଆଇ, ୪୨ଟି କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ, ୬୭ଟି ସୋସିଆଲ୍‌ ମିଡିଆ ଠକେଇ ଅଭିଯୋଗ ରହିଛି। ପୁଲିସ ମାତ୍ର ୧୫ଟି ମାମଲା ରୁଜୁ କରିଛି। ଏସବୁ ମାମଲାରେ ୩କୋଟିରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିଲା ଏବଂ ପୁଲିସ ମାତ୍ର ୪୩, ୬୬,୪୯୨ ଟଙ୍କା ଜବତ କରିଛି। ଏହି ଟଙ୍କା ୫୦ଜଣଙ୍କୁ ଦିଆଯାଇଛି। ମାର୍ଚ୍ଚରେ ୩୫୦ଟି ଠକେଇ ଅଭିଯୋଗ ହୋଇଥିଲା ଏବଂ ପୁଲିସ ମାତ୍ର ୧୦ଟି ମାମଲା ରୁଜୁକରିଛି। ଏସବୁ ମାମଲାରେ ୩କୋଟିରୁ ଅଧିକ ଟଙ୍କା ଲୁଟ୍‌ ହୋଇଥିଲା ଏବଂ ପୁଲିସ ୪୦ଜଣଙ୍କୁ ୪୪,୭୫,୦୬୦ ଟଙ୍କା ଫେରସ୍ତ କରିଛି। ବଡ଼ କଥା ହେଉଛି ସାଇବର ପୁଲିସ ସାମାଜିକ ଗଣମାଧ୍ୟମରେ ଥିବା ୬୫ଟି ଫେକ୍‌ ଆକାଉଣ୍ଟକୁ ବ୍ଲକ୍‌ କରିଛି। ଫେସ୍‌ବୁକ୍‌, ଇନ୍‌ଷ୍ଟା, ଟେଲିଗ୍ରାମ୍‌, ହ୍ବାଟ୍ସ୍‌ଆପ୍‌ ଓ ୟୁ-ଟ୍ୟୁବ୍‌ ଆଦି ପ୍ଲାଟ୍‌ଫର୍ମରେ ଥିବା ଏହିସବୁ ନକଲି ତଥା ଠକ ଆକାଉଣ୍ଟକୁ ପୁଲିସ ଅଚଳ କରିଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.