Breaking News

ସାଟେଲାଇଟ୍‌ ଭିଡ଼ରୁ ମହାକାଶରେ ଟ୍ରାଫିକ୍‌ ଜାମ୍‌ , ପୃଥିବୀକୁ ପରିକ୍ରମା କରୁଛନ୍ତି ୧୪,୦୦୦ରୁ ଅଧିକ ସାଟେଲାଇଟ୍‌

ନୂଆଦିଲ୍ଲୀ ୦୩/୧୨: ମହାକାଶରେ ଟ୍ରାଫିକ୍‌ ଜାମ୍‌ । ପୃଥିବୀର ନିମ୍ନ କକ୍ଷରେ ବୃଦ୍ଧି ପାଉଥିବା ଭିଡ଼ ମହାକାଶ ଗତିବିଧିର ସ୍ଥାୟୀତ୍ୱ ପ୍ରତି ବଡ଼ ବିପଦ ଭାବେ ଉଭା ହୋଇଛି । ଏ ମାମଲାରେ ଅନ୍ତର୍ଜାତୀୟ ସହଯୋଗ ବିନା ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଖୁବ୍‌ଶୀଘ୍ର ଅନୁପଯୋଗୀ ହୋଇଯିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ୧୪,୦୦୦ରୁ ଅଧିକ ସାଟେଲାଇଟ୍‌ ଏବେ ପୃଥିବୀକୁ ପରିକ୍ରମା କରୁଛନ୍ତି । ତନ୍ମଧ୍ୟରୁ ହାରାହାରି ୩,୫୦୦ ସାଟେଲାଇଟ୍‌ ଅଚଳ ହୋଇ କକ୍ଷ ଚାରିପଟେ ଘୂରୁଛନ୍ତି । ପୂର୍ବ ମହାକାଶ ମିଶନ ଉତ୍‌କ୍ଷେପଣ ଓ ଧକ୍କା ଯୋଗୁ ୧୨ କୋଟିରୁ ଅଧିକ ମହାକାଶ ବର୍ଜ୍ୟ ବସ୍ତୁ ମଧ୍ୟ କକ୍ଷ ଚତୁଃପାଶ୍ୱର୍ରେ ଘୂରୁଛନ୍ତି । ଏହି ସଂଖ୍ୟା ବୃଦ୍ଧି ପାଇବା ସହିତ ପରିସ୍ଥିତି ଆହୁରି ଜଟିଳ ହେଉଛି ।

ଗତ ଅକ୍ଟୋବର ମାସରେ ମହାକାଶ ଟ୍ରାଫିକ୍‌ ସମନ୍ୱୟ ଉପରେ ଆୟୋଜିତ ଏକ ଜାତିସଂଘ ପ୍ୟାନେଲ ପୃଥିବୀ କକ୍ଷରେ ଘୂରୁଥିବା ବସ୍ତୁ ବିଷୟରେ ବ୍ୟାପକ ତଥ୍ୟ ପ୍ରଦାନର ତତ୍‌କାଳ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲା । ପ୍ୟାନେଲର ସହ-ଅଧ୍ୟକ୍ଷ ଆରତି ହୋଲ୍ଲା-ମାଇନି କହିଛନ୍ତି, ମହାକାଶ ଟ୍ରାଫିକ୍‌ ସମନ୍ୱୟରେ ସମୟ ନଷ୍ଟ କରିବାର ସମୟ ଆଉ ନାହିଁ । ଧକ୍କାରୁ ରକ୍ଷା ପାଇବା ଲାଗି ଅପରେଟରଙ୍କୁ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ଦେବା ଉଚିତ୍‌ । ପୃଥିବୀର ନିମ୍ନ କକ୍ଷର ସୁରକ୍ଷା ବୈଶ୍ୱିକ ଯୋଗାଯୋଗ, ନାଭିଗେସନ୍‌ ସିଷ୍ଟମ୍‌ ଓ ବୈଜ୍ଞାନିକ ଅନ୍ୱେଷଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ, ଏ ପ୍ରକାର ମହାକାଶ ବସ୍ତୁଗୁଡ଼ିକର ଚିହ୍ନଟ ଓ ନିୟନ୍ତ୍ରଣ ନିମନ୍ତେ ଏକ କେନ୍ଦ୍ରୀୟ ପଦ୍ଧତି ବିକଶିତ କରିବା ଅତ୍ୟନ୍ତ ଆହ୍ୱାନଭରା । କିଛି ଦେଶ ସେମାନଙ୍କ ମହାକାଶ ଗତିବିଧି ତଥ୍ୟ ଶେୟାର କରିବାକୁ ଆଗେଇ ଆସୁଥିବାବେଳେ ଆଉ କିଛି ଦେଶ ସୁରକ୍ଷା ଦୃଷ୍ଟିରୁ ତଥ୍ୟ ଦେଉନାହାନ୍ତି । କିଛି ସଦ୍ୟ ଘଟଣା ପୃଥିବୀର ନିମ୍ନ କକ୍ଷରେ ବିପଦ ଉପରେ ଆଲୋକପାତ କରିଥିଲା । ଉଦାହରଣ ସ୍ୱରୂପ, ଗତ ଅଗଷ୍ଟରେ ଏକ ଚାଇନିଜ୍‌ ରକେଟ୍‌ ଷ୍ଟେଜ୍‌ର ବିସ୍ଫୋରଣ ହୋଇଥିଲା, ଯାହା ଫଳରେ କକ୍ଷରେ ତା’ର ଅବଶେଷ ଖେଳାଇ ହୋଇଯାଇଥିଲା । ସେହିପରି ଗତ ଜୁନ୍‌ରେ ରୁଷ୍‌ର ଏକ ନିଷ୍କ୍ରିୟ ସାଟେଲାଇଟ୍‌ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ମହାକାଶଚାରୀଙ୍କ ପାଇଁ ବିପଦ ସୃଷ୍ଟି କରିଥିଲା । ସେମାନଙ୍କୁ ମହାକାଶ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ କରିବାକୁ ପଡ଼ିଥିଲା । ସ୍ପେସ୍‌ଏକ୍ସ ଭଳି ଘରୋଇ କମ୍ପାନିଗୁଡ଼ିକର ମହାକାଶ କ୍ଷେତ୍ରରେ ପ୍ରବେଶ କକ୍ଷରେ ଟ୍ରାଫିକ୍‌ ଜାମ୍‌ ଓ ଧକ୍କା ବିପଦ ବଢ଼ାଉଛନ୍ତି । ସୂଚନାଯୋଗ୍ୟ, ଏଲନ ମସ୍କଙ୍କ ସ୍ପେସ୍‌ଏକ୍ସର ହଜାର ହଜାର ଷ୍ଟାର୍‌ଲିଙ୍କ ସାଟେଲାଇଟ୍‌ ଏବେ ମହାକାଶରେ ଘୂରି ବୁଲୁଛନ୍ତି । ଆଗାମି କିଛି ବର୍ଷରେ ୧୦ ହଜାରରୁ ଅଧିକ ସାଟେଲାଇଟ୍‌ କକ୍ଷରେ ପ୍ରବେଶ କରିପାରନ୍ତି ବୋଲି ଆକଳନ କରାଯାଉଛି । ଏହା ଦ୍ୱାରା ସମ୍ଭାବ୍ୟ ଧକ୍କା ଯୋଗୁ ୫ ବର୍ଷରେ ୫୫୬ ନିୟୁତ ଡଲାର ଆର୍ଥିକ କ୍ଷତିର ଆକଳନ କରାଯାଇଛି ।
ସୌଜନ୍ୟ-ପ୍ରମେୟ

Comments are closed.