Breaking News

ସାତଟି ଶିଖରର ସର୍ବକନିଷ୍ଠ ରାଣୀ!

ମୁଁପର୍ବତ ଶିଖରରେ ଇତିହାସ ରଚିଲି କିନ୍ତୁ ମୋ ଜୀବନ ଇତିହାସର ଶିଖର ମୋ’ ମା। ‘୨୦୨୫’ ନୂଆ ବର୍ଷର ପ୍ରେରଣା କିଶୋରୀ କାମ୍ୟା। ୧୭ ବର୍ଷ ବୟସ୍କା କାମ୍ୟା କାର୍ତ୍ତିକେୟନ୍ ପୃଥିବୀର ସାତଟି...

ମୁଁପର୍ବତ ଶିଖରରେ ଇତିହାସ ରଚିଲି କିନ୍ତୁ ମୋ ଜୀବନ ଇତିହାସର ଶିଖର ମୋ’ ମା। ‘୨୦୨୫’ ନୂଆ ବର୍ଷର ପ୍ରେରଣା କିଶୋରୀ କାମ୍ୟା। ୧୭ ବର୍ଷ ବୟସ୍କା କାମ୍ୟା କାର୍ତ୍ତିକେୟନ୍ ପୃଥିବୀର ସାତଟି ମହାଦେଶର ସମସ୍ତ ସର୍ବୋଚ୍ଚ ଶିଖରରେ ନିଜର ପାଦ ରଖି ସର୍ବକନିଷ୍ଠା କିଶୋରୀ ଭାବେ ଇତିହାସରେ ନିଜ ନାଁ ଲିପିବଦ୍ଧ କରିଦେଇଛନ୍ତି। ବିଶ୍ୱର ସର୍ବକନିଷ୍ଠା ପର୍ବତ ଶିଖର ରାଣୀ ଭାବରେ କାମ୍ୟା ନିଜର ସ୍ୱତନ୍ତ୍ର ପରିଚୟ ପାଇଛନ୍ତି। ସେ ପ୍ରମାଣ କରି ଦେଖାଇଛନ୍ତି, ନିଜର ଦୃଢ଼ ଇଚ୍ଛାଶକ୍ତି ଆଗରେ କୌଣସି ପର୍ବତ ଶିଖର ବିରାଟ ବାଧା‌ ନୁହେଁ। ଆଣ୍ଟାର୍କଟିକାର ‘ମାଉଣ୍ଟ ଭିନ୍ ସନ୍’ ଶିଖରରେ ସଫଳତାର ସହ ପହଞ୍ଚିବା ପରେ କାମ୍ୟା ନିଜର ପର୍ବତାରୋହଣ ରେକର୍ଡ ଯାତ୍ରା ଶେଷ କରିଛନ୍ତି। କିଶୋରୀ କାମ୍ୟାଙ୍କ ବିରଳ ବିଶ୍ୱ ରେକର୍ଡ ବିଶ୍ୱବ୍ୟାପୀ ଦୁଃସାହସିକ ଯାତ୍ରୀଙ୍କୁ ଓ ଆଗାମୀ କିଶୋରୀ ପିଢ଼ିକୁ ପ୍ରେରଣା ଯୋଗାଇଛି। ୨୦୨୪, ଡିସେମ୍ବର ୨୪ ତାରିଖରେ କାମ୍ୟା ଆଣ୍ଟାର୍କଟିକାର ‘ମାଉଣ୍ଟ ଭିନ୍ ସନ୍’ ଆରୋହଣ କରି ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ଦୁଃସାହସିକ ପର୍ବତାରୋହଣରେ ଏକ ମର୍ଯ୍ୟାଦାଜନକ ବିରଳ କୃତିତ୍ୱ ହାସଲ କରିଥିବା ପର୍ବତାରୋହୀ କାମ୍ୟା ତାଙ୍କ ସେଭେନ୍ ସମିଟ୍ ଚ୍ୟାଲେଞ୍ଜ ପୂରଣ କରିଛନ୍ତି। ସେ ନିଜ ବାପା ତଥା ଭାରତୀୟ ନୌସେନାର କମାଣ୍ଡର୍‌ ଏସ୍‌. କାର୍ତ୍ତିକେୟନ୍‌ଙ୍କ ସହିତ ୧୬,୦୫୦ ଫୁଟ୍‌ର ଆଣ୍ଟାର୍କଟିକା ‘ମାଉଣ୍ଟ ଭିନ୍ ସନ୍’ ଶୃଙ୍ଗ ଆରୋହଣ କରି କିଶୋରୀ ବୟସରୁ ଜଣେ ବିଶ୍ୱସ୍ତରୀୟ ପର୍ବତାରୋହୀର ମାନ୍ୟତା ହାସଲ କରିଛନ୍ତି। ବିଶ୍ୱର ୭ଟି ମହାଦେଶରେ ଥିବା ସର୍ବୋଚ୍ଚ ଶୃଙ୍ଗକୁ ବିଜୟ ଯାତ୍ରା କରିବା ପଛରେ କାମ୍ୟା ନିଜ ଦୃଢ଼ ମନୋବଳ ଓ ସହନଶୀଳତାର ପରିଚୟ ଦେଇଛନ୍ତି।

ମୁମ୍ବାଇସ୍ଥିତ ଭାରତୀୟ ନୌସେନା ବିଦ୍ୟାଳୟର ଏହି ୧୭ ବର୍ଷୀୟ ଛାତ୍ରୀ ନିଜ ମା’ଙ୍କ ସହିତ ଛୋଟବେଳୁ ପର୍ବତାରୋହୀ ଭାବେ ତାଲିମ୍‌ପ୍ରାପ୍ତ ହୋଇଥିଲେ। ଆଫ୍ରିକାର ମାଉଣ୍ଟ କିଲିମାଞ୍ଜାରୋ, ୟୁରୋପର ମାଉଣ୍ଟ ଏଲବ୍ରସ୍, ଅଷ୍ଟ୍ରେଲିଆର ମାଉଣ୍ଟ କୋସିଉସଜ୍‌କୋ, ଦକ୍ଷିଣ ଆମେରିକାର ମାଉଣ୍ଟ ଆକୋନକାଗୁଆ, ଉତ୍ତର ଆମେରିକାର ଡେନାଲି ପର୍ବତ, ଏସିଆର ମାଉଣ୍ଟ ଏଭରେଷ୍ଟ, ଆଣ୍ଟାର୍କଟିକାର ମାଉଣ୍ଟ ଭିନ୍‌ସନ୍, କାମ୍ୟାଙ୍କ ଐତିହାସିକ ଅଭିଯାନର ସଫଳ ପର୍ବତାରୋହଣକୁ ଭାରତୀୟ ନୌସେନା ପକ୍ଷରୁ ଯୁବ ଭାରତୀୟ ପ୍ରତିଭାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ପାଳନ କରିଛନ୍ତି। ଏହାକୁ ‘ଭାରତ ଓ ନୌସେନା ପାଇଁ ଏକ ଗର୍ବର ମୁହୂର୍ତ୍ତ’ ବୋଲି ବର୍ଣ୍ଣନା କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ କାମ୍ୟାଙ୍କ ମାଆ ଲାବଣ୍ୟ ମଧ୍ୟ ଜଣେ ସଫଳ ପର୍ବତାରୋହୀ ଏବଂ ସେ ନିଜ ମାଆଙ୍କ ସହିତ ଆଫ୍ରିକାର ମାଉଣ୍ଟ କିଲିମାଞ୍ଜାରୋ, ରୁଷିଆର ମାଉଣ୍ଟ ଏଲ୍‌ବ୍ରସ୍‌, ଅଷ୍ଟ୍ରେଲିଆର ମାଉଣ୍ଟ କୋସିଉସଜ୍‌କୋ, ଲଦାଖର ମାଉଣ୍ଟ କଙ୍ଗ୍ରି, ଏଭରେଷ୍ଟ ବେସ୍‌ କ୍ୟାମ୍ପ୍‌କୁ ପର୍ବତାରୋହଣ କରିଛନ୍ତି।

ମିଶନ ଶେଷ କରିବା ପରେ ସେ ନିଜ ଉତ୍ସାହର ବାର୍ତ୍ତା ବାଣ୍ଟିବା ଅବସରରେ କହିଥିଲେ, ‘ପ୍ରତ୍ୟେକ ଶିଖର ମୋତେ ସାହସ, ଧୈର୍ଯ୍ୟ ଓ ଆମ ଗ୍ରହର ସୌନ୍ଦର୍ଯ୍ୟ ବିଷୟରେ ଶିକ୍ଷା ଦେବାସହିତ ଜୀବନରେ ପ୍ରତ୍ୟେକ ସାମଗ୍ରୀ ଓ ପଦାର୍ଥର ଆବଶ୍ୟକତା ତଥା ଗୁରୁତ୍ବ ସମ୍ପର୍କରେ ଚେତାଇଦେଇଛି। ଗୋଟିଏ ବୁନ୍ଦା ଜଳ ଓ ଟିକିଏ ସୂର୍ଯ୍ୟକିରଣ ମଣିଷ ଜୀବନରେ କେତେ ଗୁରୁତ୍ୱ ବହନ କରିଥାଏ, ତାହା ମୁଁ ପ୍ରତ୍ୟେକ ପର୍ବତଶିଖରରୁ ଶିକ୍ଷା ପାଇଛି। କିନ୍ତୁ ସାଧାରଣ ମଣିଷ ଏହାର ଉଚିତ ବିନିଯୋଗ କରିନଥାନ୍ତି, କାରଣ ସେମାନେ ଏହାର ଗୁରୁତ୍ୱ ଓ ଆବଶ୍ୟକତାକୁ ଅନୁଭବ କରିନଥାନ୍ତି। ଆଶା କରୁଛି ମୋର ଏହି ଯାତ୍ରା ଅନ୍ୟମାନଙ୍କୁ ନିଜ ଇଚ୍ଛାକୁ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଦେବ। ଏହି ଐତିହାସିକ ସଫଳତା କେବଳ ମୋ ପାଇଁ ବ୍ୟକ୍ତିଗତ ବିଜୟ ନୁହେଁ, ବରଂ ପ୍ରତିଟି ଭାରତୀୟଙ୍କ ପାଇଁ ପର୍ବତାରୋହଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ପରିଗଣିତ ହୋଇଛି। ଏହି ଇତିହାସକୁ ନେଇ ଆପଣ କ’ଣ କହିବେ ପ୍ରଶ୍ନରେ କାମ୍ୟା ଅତ୍ୟନ୍ତ ଭାବବିହ୍ବଳ ହୋଇ କହନ୍ତି, “ମୋ ମାଆ ନିଜର ସୁଖସମ୍ପଦ ସବୁକିଛି ଉତ୍ସର୍ଗ କରି ମୋତେ ବିଶ୍ୱର ପର୍ବତଶିଖରରେ ପହଞ୍ଚାଇଛନ୍ତି। ସେ ଚାହିନଥିଲେ ଏହି ଅସମ୍ଭବ କେବେ ସମ୍ଭବ ହୋଇନଥାନ୍ତା। କିନ୍ତୁ ମୋର ଅବସୋସ ହେଉଛି ମୁଁ ମାଉଣ୍ଟ ଏଭେରେଷ୍ଟ ଓ ଆଣ୍ଟାର୍କଟିକା ‘ମାଉଣ୍ଟ ଭିନ୍‌ ସନ୍‌’ ଶିଖରରେ ପହଞ୍ଚି ରେକର୍ଡ କରିବା ସମୟରେ ମୋ ମାଆ ମୋ ପାଖରେ ନଥିଲେ। କିନ୍ତୁ ମୁଁ ଏତିକି ଜାଣିଥିଲି ମୋ ମାଆ ମୋର ପାଖେପାଖେ ସବୁବେଳେ ରହିଛନ୍ତି ଏବଂ ସେଥିପାଇଁ ମୁଁ କେବେ କେଉଁଠି ଡରିଯାଇନାହିଁ। ମୋ ମାଆ ମୋର ଶକ୍ତି ହେଲେ, ପର୍ବତ ମୋର ଭକ୍ତି। ଉଭୟଙ୍କ ପୂଜା ଓ ପ୍ରେମର ଦୟାରେ ମୁଁ ସମସ୍ତ ସଫଳତା ହାସଲ କରିଛି। ଏହାହିଁ ମୋ ସଫଳ କାହାଣୀର ଶ୍ରେୟ”।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.